ବ୍ରହ୍ମପୁର, ସେପ୍ଟେମ୍ବର ୨(ଲୋକାଲ ୱାୟାର): ବ୍ରହ୍ମପୁର ମୁ୍ୟନିସିପାଲିଟି କର୍ପୋରେସନ୍(ବିଇଏମସି) ଦ୍ୱାରା ମଙ୍ଗଳବାରଠାରୁ ସହରର ବିଭିନ୍ନ ସର୍ବସାଧାରଣ ସ୍ଥାନରେ ପାର୍କିଂ ଫି ଆଦାୟ କରିବାର ଦାୟିତ୍ୱ୍ କିନ୍ନରମାନଙ୍କୁ ନ୍ୟସ୍ତ କରାଯାଇଛି ।

କିନ୍ନରମାନଙ୍କ ଦ୍ୱାରା ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀର ୧୦ ଜଣ ସଦସ୍ୟ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ନୂଆକରି ପାର୍କିଂ ଫି ଆଦାୟ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା କିନ୍ନରମାନଙ୍କୁ ସହରର ବିଭିନ୍ନ ପବ୍ଲିକ୍ ଷ୍ଟାଣ୍ଡ ଯଥା ପୁରୁଣା ବ୍ରହ୍ମପୁର, ଅନ୍ନପୂର୍ଣ୍ଣା ମାର୍କେଟ, ସାଇ ମାର୍କେଟ କମ୍ପ୍ଲେକ୍ସ, ଗିରିଜା ସ୍କୋୟାର ଛକ ଆଦି ୪ଟି ପବ୍ଲିକ୍ ଷ୍ଟାଣ୍ଡର ଦାୟିତ୍ୱ ଦିଆଯାଇଛି ।

ଏସବୁ ପାର୍କିଂ ସ୍ଥାନରେ ବଡ଼ ଗାଡି ଗୁଡିକ ପାର୍କିଂ କରାଯାଉଥିବା ବେଳେ ପାଇଲଟ୍ ବେସିସରେ ଏହି ପ୍ରକଳ୍ପ ବିଇଏମସି ପକ୍ଷରୁ ଆରମ୍ଭ କରାଯାଇଥିବା କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି ।

ସେ କହିଛନ୍ତି, ଯଦି ଦିଆଯାଇଥିବା କାମ ସଫଳ ହୁଏ ତେବେ ଆଗକୁ ସେମାନଙ୍କୁ ଆଉ ଅଧିକ ସ୍ଥାନର ପାର୍କିଂ ଦାୟିତ୍ୱ ଦିଆଯିବ । କାରଣ ବିଇଏମସିର ପାର୍କିଂ ଫି ଆଦାୟ କରିବା ସବୁଠାରୁ ବଡ଼ କାମ ।

କିନ୍ନରମାନେ ପାର୍କିଂ ଆଦାୟ କାମକୁ ଅଧିକ ବ୍ୟବସ୍ଥିତ ଢ଼ଙ୍ଗରେ କରିବା ପାଇଁ ସେମାନଙ୍କୁ ଏମ୍ ପିଇଓଏସ୍ ମେସିନ୍ ପ୍ରଦାନ କରାଯାଇଛି ।

ଏହାସହ ସେମାନେ ଏହି ମେସିନକୁ କିପରି ପରିଚାଳିତ କରିବେ ସେଥିପାଇଁ ଏକ ଚାରି ଦିନିଆ ତାଲିମ୍ ପ୍ରଦାନ କରାଯାଇଛି ।

ଚାରିଆଡ଼େ କରୋନା ମହାମାରୀର ଆତଙ୍କ ଥିବା ବେଳେ ସାମାଜିକ ଦୂରତାକୁ ଆଖି ଆଗରେ ରଖି ଓ ସମସ୍ତ ସରକାରୀ ସର୍ତ୍ତାବଳୀ ପାଳନ କରି ଏହି କିନ୍ନରମାନେ ସହରର ବିଭିନ୍ନ ସର୍ବସାଧାରଣ ସ୍ଥାନରୁ ପାର୍କିଂ ଆଦାୟ କରୁଛନ୍ତି ।

ବିଇଏମସି କମିଶନର କହିଛନ୍ତି ସେ କିନ୍ନରମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଏଭଳି ପ୍ରକଳ୍ପର ମୂଳ ଆଭିମୁଖ୍ୟ ।

ଏ ବାବଦରେ କିନ୍ନରମାନଙ୍କୁ ନେଇ ଗଠିତ ସଙ୍ଗଠନ ‘ସଖୀ’ର ସଭାପତି ସ୍ୱିଟି ସାହୁ କହିଛନ୍ତି ବିଇଏମସି ଦ୍ୱାରା ନିଆଯାଇଥିବା ପଦକ୍ଷେପ ଆମକୁ ଏକ ସମ୍ମାନସ୍ପଦ ଜୀବନ ପ୍ରଦାନ କରିବ ।

କେବଳ ସେତିକି ନୁହେଁ ଏହା ଆମକୁ ରୋଜଗାରକ୍ଷମ ମଧ୍ୟ କରାଉଛି । କରୋନା ଯୋଗୁଁ ଆମର ପାରମ୍ପରିକ ବୃତ୍ତି ପ୍ରଭାବିତ ହୋଇଥିବା ବେଳେ ପାର୍କିଂ ଫି ଦାୟିତ୍ୱ ଆମର ଆତ୍ମବିଶ୍ୱାସକୁ ବଳବତ୍ତର କରିଛି ।

ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସିଲକ୍ ସିଟିରେ କିନ୍ନରଙ୍କ ସଂଖ୍ୟା ୨୦୦ ।

ଏହି ସମ୍ପ୍ରଦାୟର ଅଧିକାଂଶ ସଦସ୍ୟ ନିଜର କୌଳିକ ବୃତ୍ତିକୁ ପାଳନ କରୁଥିବା ବେଳେ ପାରିବାରିକ ଉତ୍ସବ, କାର୍ଯ୍ୟ, ମେଳା ଓ ପର୍ବରେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି ।

କରୋନା ଯୋଗୁଁ ଗତ ୫ ମାସ ହେଲାଣି ସେମାନଙ୍କ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିବା ବେଳେ ଏବେ ଏହି ଅସୁବିଧା ସାମାନ୍ୟ ଦୂର ହୋଇଛି ।

ଲୋକାଲ ୱାୟାର