ବାରିପଦା, ଜୁନ୍ ୧୭(ଲୋକାଲ ୱାୟାର): ଭାରତ-ଚୀନ୍ ସୀମାର ଗାଲୱାନ ଉପତ୍ୟକରେ ଗତ ସୋମବାର ରାତିରେ ଚୀନ୍ ସେନା ସହ ସଂଘର୍ଷରେ ସହିଦ ହୋଇଥିବା ୨୦ଜଣ ଭାରତୀୟ ଯବାନଙ୍କ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡର ଜଣେ ଯବାନ ଥିବା ଜଣାପଡ଼ିବା ପରେ ଜିଲ୍ଲାବ୍ୟାପୀ ଶୋକର ଛାୟା ଖେଳି ଯାଇଛି ।
ରାଇରଙ୍ଗପୁର ଉପଖଣ୍ଡର ଯବାନ୍ ନନ୍ଦୁରାମ୍ ସୋରେନ ଓ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ଜଣେ ଯବାନ ଏହି ଘଟଣାରେ ସହିଦ୍ ହୋଇଛନ୍ତି ।
ସହିଦ୍ ନନ୍ଦୁରାମ୍ ଭାରତୀୟ ସେନାରେ ସୁବେଦାର୍ ଥିଲେ ।
ତାଙ୍କ ମୃତ୍ୟୁ ଖବର ପାଇବା ପରେ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇଯାଇଛି ।
ମିଳିଥିବା ସୂଚନା ଅନୁସାରେ ମୃତ ନନ୍ଦୁରାମଙ୍କ ବୟସ ପ୍ରାୟ ୪୫ ବର୍ଷ ହେବ ।
ରାଇରଙ୍ଗପୁର ଥାନା ଠାରୁ ୩ କିଲୋମିଟର ଦୂର ବଡ଼ଚମ୍ପାଉଡ଼ା ଗାଁର ସ୍ୱର୍ଗତ କାହ୍ନୁ ମାଝୀଙ୍କ ସାନପୁଅ ଥିଲେ ନନ୍ଦୁରାମ ।
ଭାଗେନ୍ ମାଝୀ, ଦସମତ୍ ମାଝୀ ଓ ଦାମନ୍ ମାଝୀ ନନ୍ଦୁରାମଙ୍କ ୩ ଜଣ ବଡ଼ ଭାଇ ।
୧୯୯୬ ମସିହାରେ ବିହାରର ଦାନପୁରସ୍ଥିତ-୧୬ ରେଜିମେଣ୍ଟରୁ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ଲକ୍ଷ୍ମୀ ସୋରେନ୍ ହୋଇଥିବା ବେଳେ ତାଙ୍କର ୩ଟି ଝିଅ ଅଛନ୍ତି ।
ପିଲାଙ୍କ ପଢ଼ାପଢ଼ି ପାଇଁ ଲକ୍ଷ୍ମୀ ତିନି ଝିଅ ମାନସୀ, ସୋନାଲି ଓ ଜ୍ଞାନେଶ୍ୱରୀଙ୍କ ସହ ରାଇରଙ୍ଗପୁରରେ ଘରଭଡ଼ା ନେଇ ରହୁଥିଲେ ।
ଜ୍ଞାନେଶ୍ୱରୀ ଏବେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ମାନସୀ ଚତୁର୍ଥ ଓ ସୋନାଲି ପ୍ରଥମ ଶ୍ରେଣୀରେ କେଲା ପବ୍ଲିକ୍ ସ୍କୁଲରେ ପାଠ ପଢ଼ୁଛନ୍ତି ।
ନନ୍ଦୁରାମଙ୍କ ବଡ଼ଭାଇ ଦାମନ୍ ମାଝୀ କହିଛନ୍ତି, ମଙ୍ଗଳବାର ସେ ପ୍ରଥମେ ଭାଇର ମୃତୁ୍ୟ ଖବର ପାଇଲି ।
ଗତ ୯ ବର୍ଷ ହେଲା ଲଦାଖର ଗାଲୱାନ୍ ଉପତ୍ୟକାରେ ସ୍ଥାନୀୟ ଅଞ୍ଚଳର ମହେନ୍ଦ୍ର ମହାନ୍ତ ଭାଇ ସହ ଏକାଠି କାମ କରୁଥିବା ବେଳେ ତାଙ୍କଠାରୁ ଏ ସମ୍ପର୍କିତ ଖବର ପାଇଲି ।
ମୋ ଭାଇ ଦେଶ ମାତୃକାର ସେବା କରି ଦେଶ ପାଇଁ ଜୀବନ ଦେଇଛି ।
ଏଥିପାଇଁ ମୋତେ ଯେତିକି ଗର୍ବ ଲାଗୁଛି; ଏତେ କମ୍ ବୟସରେ ତା’ର ତିନିଜଣ ସନ୍ତାନଙ୍କୁ ଛାଡ଼ି ଚାଲିଗଲା ସେକଥା ଭାବିଲେ ଖୁବ୍ କଷ୍ଟ ଓ ବ୍ୟତିବ୍ୟସ୍ତ ଲାଗୁଛି ।
ତାଙ୍କ ପରିବାରର ରକ୍ଷଣାବେକ୍ଷଣ ପାଇଁ ସରକାର ସେମାନଙ୍କୁ ୫୦ ଲକ୍ଷ ଟଙ୍କା ଦେବାକୁ ସେ ଦାବି କରିବା ସହ ନନ୍ଦୁରାମଙ୍କ ପତ୍ନୀଙ୍କୁ ଚାକିରି ଦେବାକୁ ଦାବି କରିଛନ୍ତି ।
ଅପରପକ୍ଷେ ନନ୍ଦୁରାମଙ୍କ ଏପରି ଦୁଃଖଦ ମୃତୁ୍ୟରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଗଭୀର ସମବେଦନା ଜଣାଇଛନ୍ତି ।
ସହିଦଙ୍କ ପରିବାରର ମଙ୍ଗଳ ପାଇଁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ସହ ତାଙ୍କ ପତ୍ନୀଙ୍କୁ ସରକାରଙ୍କ ଯେକୌଣସି ବିଭାଗରେ ଚାକିରି ଯୋଗାଇ ଦେବାକୁ ସେ ଦାବି କରିଛନ୍ତି ।
ବୁଧବାର ସହିଦ୍ ନନ୍ଦୁରାମଙ୍କ ମୃତଦେହ ତାଙ୍କ ଗାଁ ବଡ଼ଚମ୍ପାଉଡ଼ାରେ ପହଞ୍ଚିବ ବୋଲି ଜଣାଯାଇଛି ।
ଲୋକାଲ ୱାୟାର
Leave a Reply