ବ୍ରହ୍ମପୁର, ଏପ୍ରିଲ ୨୧ (ଲୋକାଲ ୱାୟାର): ସାଇକେଲରେ ଚେନ୍ନାଇରୁ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର ଭାଲିଆଗଡା ଗାଁ ।
କୋଭିଡ-୧୯ ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକ୍ ଡାଉନ ଯୋଗୁଁ ନିର୍ମାଣ କାମ ବନ୍ଦ ହୋଇଯିବାରୁ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡାର ପାଞ୍ଚ ଜଣ ପ୍ରବାସୀ ଶ୍ରମିକ ୮ଦିନରେ ୧୬ଶହ କିଲୋମିଟରରୁ ଅଧିକ ଅତିକ୍ରମ କରି ଗାଁରେ ପହଞ୍ଚିଛନ୍ତି ।
ତେବେ ଗାଁରେ ପହଞ୍ଚିବା ପରେ ପାଞ୍ଚ ଜଣ ଶ୍ରମିକ ଏମ. ମହେଶ (୧୯), ଏମ. ବିଶ୍ୱନାଥ (୨୩), ଏ. ଦିଲେଶୁ (୨୦), ଡି. ବାଲାଜୀ (୧୯) ଓ ଡି. ପ୍ରକାଶ (୨୧)ଙ୍କୁ ଜିଲ୍ଲା ପ୍ରଶାସନ ଗାଁ ସ୍କୁଲ ଘରେ ଦୁଇ ସପ୍ତାହ ପାଇଁ କ୍ୱାରେଣ୍ଟାଇନରେ ରଖିଛି ।
ମଙ୍ଗଳବାର ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ବୋଲି ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ କେ. ନାଗଭୂଷଣ କହିଛନ୍ତି ।
ଚେନ୍ନାଇ ନିକଟ ମାନାଲି ଠାରେ ସେମାନେ ଘର ନିର୍ମାଣ କାମ କରୁଥିଲେ । ଲକ୍ଡାଉନ ଯୋଗୁଁ ନିର୍ମାଣ କାମ ବନ୍ଦ ହୋଇ ଯାଇଥିଲା । ଚେନ୍ନାଇରେ ଅନ୍ୟ କାମ ନମିିଳିବାରୁ ଆମେ ସାଇକେଲରୁ ଗାଁକୁ ଫେରିବାକୁ ନିଷ୍ପତ୍ତି ନେଇଥିଲୁ ।
ଏପ୍ରିଲ ୧୨ରେ ଚେନ୍ନାଇରୁ ବାହାରିବା ପୂର୍ବରୁ ଆମେ ୧୬ଶହରୁ ୧୮ ଶହ ଟଙ୍କା ଦେଇ ସେକେଣ୍ଡ ହ୍ୟାଣ୍ଡ ସାଇକେଲ ଓ ପମ୍ପ୍ କିଣିଥିଲୁ ।
ଜାତୀୟ ରାଜପଥ-୧୬ରେ ଦୈନିକ ୮୦ରୁ ୯୦ କିଲୋମିଟର ସାଇକେଲ ଚଲାଇ ଆମେ ଗାଁରେ ପହଞ୍ଚିଥିଲୁ ବୋଲି ଚେନ୍ନାଇ ଫେରନ୍ତା ବିଶ୍ୱନାଥ କହିଛନ୍ତି ।
ଆମେ ସକାଳ ୬ଟାରୁ ମଧ୍ୟରାତି ଯାଏ ସାଇକେଲ ଚଲାଉ । ଦିନବେଳା ମଝିରେ ମଝିରେ ବିଶ୍ରାମ ନେଉ । ରାତିରେ ରାସ୍ତା କଡ଼ରେ ବିଶ୍ରାମ ନେଉ ବୋଲି କହିଛନ୍ତି ଦିଲେଶୁ ।
ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ପହଞ୍ଚିବା ଯାଏଁ କୌଣସି ଅସୁବିଧା ହୋଇନଥିଲା । ରାସ୍ତାରେ ସ୍ୱେଚ୍ଛାସେବୀମାନେ ଖାଇବାକୁ ଦେଇଥିଲେ ।
ତେବେ ଶ୍ରୀକାକୁଲମରେ ପୁଲିସ ସେମାନଙ୍କୁ ଦୁଇ ଦିନ ଅଟକାଇ ଥିଲା ବୋଲି ସେ କହିଛନ୍ତି ।
ଲୋକାଲ ୱାୟାର
Leave a Reply