ଭୁବନେଶ୍ୱର, ଅକ୍ଟୋବର ୧୭(ଲୋକାଲ ୱାୟାର): ଦୁଇ ଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ଏକ ଟିଭି ଚ୍ୟାନେଲର ଜଣେ ସାମ୍ବାଦିକଙ୍କୁ ଅଚାନକ ପୁଲିସ ଉଠାଇ ନେବା ଘଟଣାରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ଜଣେ ଶାସକ ଦଳ ନେତ୍ରୀ ସଂପୃକ୍ତ ଚ୍ୟାନେଲ ଉପରେ ମଧ୍ୟ ଦୋଷାରୋପ କରିଛନ୍ତି ।
ଗତ ଗୁରୁବାର କେତେକ ପୁଲିସ ରାଜ୍ୟର ଲୋକପ୍ରିୟ ଚ୍ୟାନେଲ ଓଟିଭିର ସାମ୍ବାଦିକ ରମେଶ ରଥଙ୍କୁ ତାଙ୍କ ଘର ପାଖରୁ ଉଠାଇ ନେଇଥିଲେ ।
କେଇ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ କିଏ କାହିଁକି ଉଠାଇ ନେଇଛି ଜଣାପଡ଼ି ନଥିଲା । ପରେ ଜଣାପଡ଼ିଥିଲା ।
୨୦୧୯ ମସିହାର ଏକ ପୁରୁଣା ମାମଲାରେ କେନ୍ଦୁଝର ପୁଲିସ ତାଙ୍କୁ ଉଠାଇ ନେଇ ଜେରା କରିଛି ।
ପରେ ଶ୍ରୀ ରଥଙ୍କୁ ଛାଡ଼ି ଦିଆଯାଇଥିଲା । କିନ୍ତୁ ଶୁକ୍ରବାର କେନ୍ଦୁଝର ପୁଲିସର ଏକ ଟିମ୍ ଓଟିଭି କାର୍ଯ୍ୟାଳୟକୁ ଯାଇ ଏକ ମାମଲାରେ ଶ୍ରୀ ରଥଙ୍କ ସଂପୃକ୍ତି ନେଇ ତଦନ୍ତ କରିଥିଲା ।
ଏ ସମ୍ପର୍କରେ କେନ୍ଦୁଝର ଏସପି ମିତ୍ରଭାନୁ ମହପାତ୍ର କହିଛନ୍ତି, ଏକ ଭିଡିଓ ଭାଇରାଲ ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଥିଲା । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ସାମ୍ବାଦିକ ଶ୍ରୀ ରଥଙ୍କ ସହଯୋଗୀ ଥିଲେ ।
ସେ ଶ୍ରୀ ରଥଙ୍କର ଏଥିରେ ସଂପୃକ୍ତି ଥିବା କହିଥିଲେ । ତେଣୁ ଆମେ ତାଙ୍କୁ ଜେରା କରିଛୁ ଏବଂ ଆସନ୍ତା ୨୧ ତାରିଖରେ କେନ୍ଦୁଝର ଟାଉନ ଥାନାରେ ହାଜର ହେବାକୁ ନୋଟିସ୍ ଦେଇଛୁ’ ।
ଏହି ମାମଲାରେ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ କରିବାକୁ ତଦନ୍ତକାରୀ ଅଧିକାରୀ ଓଟିଭି କାର୍ଯ୍ୟାଳୟକୁ ଯାଇଥିଲେ । କିନ୍ତୁ ସଂସ୍ଥା ପକ୍ଷରୁ ଏଥିରେ ସହଯୋଗ କରାଯାଇ ନଥିଲା ବୋଲି ଏସପି କହିଛନ୍ତି ।
ତେବେ, ଓଟିଭିର ଅପରେଟିଂ ଅଫିସର ଲିତିଶା ମଙ୍ଗତ ଏକ ଲିଖିତ ବିବୃତିରେ କହିଛନ୍ତି, ରାଜ୍ୟରେ କୋଭିଡ ଫଣ୍ଡରେ ହୋଇଥିବା ଦୁର୍ନୀତି ପଦାକୁ ଆଣିବା ପରେ ତାଙ୍କ ଚ୍ୟାନେଲ ଉପରେ ବିଗତ ୩ ମାସ ଧରି ଆକ୍ରୋଶମୂକଳ କାର୍ଯ୍ୟାନୁଷ୍ଠାନ ହେଉଛି ।
ଭିତ୍ତିହୀନ ଅଭିଯୋଗ ଅଣାଯାଇ ଏତଲା ହେଉଛି । ବିନା ନୋଟିସ ଓ ୱାରେଣ୍ଟରେ ବରିଷ୍ଠ ସାମ୍ବାଦିକଙ୍କୁ ମଧ୍ୟ ଉଠାଇ ନିଆଯାଇଛି ।
ଆମେ ତଦନ୍ତରେ ସହଯୋଗ କରୁଛୁ । କିନ୍ତୁ ସେମାନେ ଯଦି ବିନା କାରଣରେ ସାମ୍ବାଦିକଙ୍କୁ ଆକ୍ରମଣ କରିବେ ଏବଂ ଅଫିସରେ ପ୍ରବେଶ କରିବେ, ଆମେ ଅନୁୁମତି ଦେବୁନାହିଁ’ ।
ଉଲ୍ଲେଖଯୋଗ୍ୟ, ଓଟିଭି ଉଦ୍ୟାଗପତି ତଥା ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଜାଗୀମଙ୍ଗତ ପଣ୍ଡାଙ୍କ ଦ୍ୱାରା ପରିଚାଳିତ ।
ଅପରପକ୍ଷରେ ୨୦୧୯ରେ ନିର୍ବାଚନ ସମୟରେ ଯେଉଁ ଭାଇରାଲ ଭିଡିଓ ଚର୍ଚ୍ଚାକୁ ଆସିଥିଲା, ସେ ନେଇ ଶାସକ ଦଳର ଜେନ ମହିଳା ନେତ୍ରୀ ଏକ ଭିଡିଓ ଓ ଲିଖିତ ବିବୃତି ଗତକାଲି ଜାରି କହିଛନ୍ତି, ଭିଡିଓ ଭାଇରାଲ ମାମଲାରେ ଅଭିଯୁକ୍ତଙ୍କୁ ଓଟିଭି ସୁରକ୍ଷା ଦେଉଛି ।
ଏହା ତାଙ୍କ ଚ୍ୟାନେଲ ଓ ସାମ୍ବାଦିକଙ୍କ ଉପରେ ରାଜ୍ୟ ସରକାରଙ୍କ ଆକ୍ର୍ରମଣ ବୋଲି ଦର୍ଶାଇ ଓଟିଭି ପ୍ରଚାର କରୁଛି ।
ସେ ପ୍ରଶ୍ନ କରିଛନ୍ତି, ଅପରାଧରେ ଜଣେ ସାମ୍ବାଦିକ ଜଡ଼ିତ ରହିଲେ କ’ଣ କାର୍ଯ୍ୟାନୁଷ୍ଠାନ ହେବନାହିଁ? ଯଦି ମୋତେ ଓଟିଭି ଓ ପଣ୍ଡା ପରିବାରଙ୍କ ପାଇଁ ନ୍ୟାୟ ନ ମିଳେ, ତେବେ ଏହା ଭାରତୀୟ ଗଣତନ୍ତ୍ର ପାଇଁ ଦୁଃଖର ଦିନ ଏବଂ ଭାରତରେ ନାରୀଙ୍କ ଭବିଷ୍ୟତ ଅନ୍ଧକାର ବୋଲି ଭାବିବାକୁ ପଡ଼ିବ ।
ସାମ୍ବାଦିକ ଶ୍ରୀ ରଥ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି, ଏହି ମାମଲାରେ ତାଙ୍କର କିଛି ସଂପୃକ୍ତି ନାହିଁ । ସେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ।
କିନ୍ତୁ ଶ୍ରୀ ରଥଙ୍କ ଉପରେ ହେଉଥିବା କାର୍ଯ୍ୟାନୁଷ୍ଠାନର କେତେକ ବରିଷ୍ଠ ସାମ୍ବାଦିକ କଡ଼ା ସମାଲୋଚନା କରିଛନ୍ତି ।
ଏପରିକି ଓଟିଭି ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ବିଜେପି ଓ କଂଗ୍ରେସର ପ୍ରମୁଖ ନେତାମାନେ ଖୋଲାଖୋଲି ସମାଲୋଚନା କରିଛନ୍ତି ।
ସେପଟେ ଖୋର୍ଦ୍ଧା ଜିଲ୍ଲାର ସାରୁଅରେ କେତେକ ମାମଲାରେ ଓଟିଭି ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡ଼ିଛି । ବାଘମାରୀ ଥାନାରେ ଏ ନେଇ ତିନୋଟି ମାମଲା କରାଯାଇଛି ।
ଗୋଟିଏ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ଅନ୍ୟ ଏକ ମାମଲାରେ ଓଟିଭି ଷ୍ଟୁଡିଓର ପ୍ରାଚୀରକୁ ଗତକାଲି ଉଚ୍ଛେଦ କରାଯାଇଛି ।
ଲୋକଙ୍କ ଯାତାୟାତ ପଥ ଅବରୋଧ ହୋଇଥିବାରୁ ଷ୍ଟୁଡିଓ ପ୍ରାଚୀର ଉଚ୍ଛେଦ କରାଯାଇଥିବା କହିଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେଉରିଆ ।
ଲୋକାଲ ୱାୟାର
Leave a Reply