ଭୁବନେଶ୍ୱର, ଜାନୁଆରୀ ୧୦(ଲୋକାଲ ୱାୟାର): ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକରେ ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ଜଣେ ଶ୍ରମିକ ପ୍ରାଣ ହରାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।
ଅପରପକ୍ଷେ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଫୌଜଦାରୀ ମାମଲା ରୁଜୁ କରି ଠିକାଦାର ଓ ଯନ୍ତ୍ରୀଙ୍କୁ ଗିରଫ କରିବାକୁ ଉନ୍ନୟନ କମିଶନର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଉମରକୋଟ ବ୍ଲକର ତାଲାପଦର ଗ୍ରାମ ନିକଟରେ ନାଗୀ ନାଳ ଉପରେ ୨ କୋଟି ୪୧ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚରେ ବିଜୁ ସେତୁ ନିର୍ମାଣ ଚାଲିଛି ।
ରବିବାର ପୋଲରେ ସ୍ଲାବ ପଡ଼ୁଥିବା ବେଳେ ତାହା ଭୁଶୁଡ଼ି ପଡ଼ିଥିଲା । ଏହି ଘଟଣାରେ ରାଇଘର ଅଞ୍ଚଳର ମହେନ୍ଦ୍ର ମାଳିଙ୍କ ମୃତ୍ଯୁ ହୋଇଛି ।
ଅନ୍ୟ ୩ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଏହି ଘଟଣା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ।
ପୋଲ ନିର୍ମାଣ କରୁଥିବା ଠିକାଦାର ଆଶିଷ ବିଶ୍ୱାଳ, ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଫୌଜଦାରୀ ମାମଲା ସହ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୁନାବେଡ଼ା ଅଧୀକ୍ଷଣ ଯନ୍ତ୍ରୀଙ୍କୁ ମଧ୍ୟ ତୁରନ୍ତ ଘଟଣାର ତଦନ୍ତ ପାଇଁ କୁହାଯାଇଛି ।
ଲୋକାଲ ୱାୟାର
Leave a Reply