ଭୁବନେଶ୍ୱର, ଜାନୁଆରୀ ୩୧(ଲୋକାଲ ୱାୟାର): ‘ଭିକ୍ଷା ନୁହେଁ ଶିକ୍ଷା’ । ଏହା ଫିଲ୍ମ ନୁହେଁ କି ଫିଲ୍ମର ଡାଏଲଗ୍ । ଏହା ଏମିତି ଏକ ସ୍ଲୋଗାନ୍, ଯାହା ମୋବାଇଲରୁ ମୋବାଇଲ୍ ଘୂରି ବୁଲୁଛି ।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । କଥାଟା ବୁଝୁ ବୁଝୁ ଜଣାପଡ଼ିଲା ଏହା ଏକ ଅଭିଯାନ । ଆଉ ଏହା ପଛରେ ରହିଛନ୍ତି ଓଲିଉଡ ଅଭିନେତା ଚନ୍ଦନ କର ।
କର ଫାଉଣ୍ଡେସନ୍ ପକ୍ଷରୁ ଷ୍ଟ୍ରିଟ୍ ଚିଲ୍ଡ୍ରେନ୍ ଡେ ଉପଲକ୍ଷେ ଶୁକ୍ରବାର ଭୁବନେଶ୍ୱରରେ ଆୟୋଜନ ହେଉଛି ୱାକାଥନ୍, ଯାହାର ଶୀର୍ଷକ ରହିଛି ‘ଭିକ୍ଷା ନୁହେଁ ଶିକ୍ଷା’ ।
ଏନେଇ ଫାଉଣ୍ଡେସନ୍ ଅଧ୍ୟକ୍ଷ ତଥା ଅଭିନେତା ଚନ୍ଦନ କହିଛନ୍ତି, ବିଭିନ୍ନ ସମୟରେ ଟ୍ରାଫିକ୍, ମନ୍ଦିର, ମସଜିଦ୍, ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ଷ୍ଟ୍ରିଟ୍ ଚିଲଡ୍ରେନମାନେ ଭିକ୍ଷା ମାଗୁଥିବାର ଦେଖାଯାଏ ।
ସମାଜରେ ସ୍ୱଚ୍ଛଳ ଥିବା ବ୍ୟକ୍ତିମାନେ ଯଦି ଏହି ଷ୍ଟ୍ରିଟ୍ ଚିଲ୍ଡ୍ରେନ୍ ମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ପ୍ରଭୃତିର ଯତ୍ନ ନିଅନ୍ତି, ତାହାଲେ ସେମାନଙ୍କର ସାମାଜିକ ସ୍ଥିତିରେ ସୁଧାର ଆସିବ ।
ଏହି ପ୍ରୟାସକୁ ନେଇ ଆୟୋଜିତ ହେବାକୁ ଥିବା ୱାକାଥନରେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦେଇ କିଛି ଷ୍ଟ୍ରିଟ୍ ଚିଲ୍ଡ୍ରେନ୍ ମାନଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।
ସବୁବେଳେ ସାମାଜସେବାରେ ରୁଚି ରଖୁଥିବା ଅଭିନେତା ଚନ୍ଦନ ପୂର୍ବରୁ ନନ୍ଦନକାନନର ମହାବଳ ବାଘ ‘ବାହୁବଳୀ’କୁ ବି ପୋଷ୍ୟ ଭାବେ ଗ୍ରହଣ କରି ଓଲିଉଡ ନୁହେଁ ପୂରା ସମାଜରେ ଉଦାହରଣ ସୃଷ୍ଟି କରିଥିଲେ ।
ଏବେ ପୁଣିଥରେ ଆଉ ଏକ ବଡ଼ କାର୍ଯ୍ୟ କରିବାକୁ ଯାଉଛନ୍ତି, ଯେଉଁଥିରେ ସେ ପୂରା ସିନେ ଇଣ୍ଡଷ୍ଟ୍ରୀକୁ ସାମିଲ କରିଛନ୍ତି ।
ଲୋକାଲ ୱାୟାର
Leave a Reply