ଭୁବନେଶ୍ୱର, ଅଗଷ୍ଟ ୧୧(ଲୋକାଲ ୱାୟାର): ଆସନ୍ତା ସ୍ୱାଧୀନତା ଦିବସରେ ରାଜ୍ୟସ୍ତରୀୟ କିମ୍ବା ଜିଲ୍ଲାସ୍ତରୀୟ ଉତ୍ସବରେ କୌଣସିଠାରେ ପରେଡ ହେବନାହିଁ ଏବଂ କାର୍ଯ୍ୟକ୍ରମରେ କରୋନା ଯୋଦ୍ଧା ସାମିଲ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଜଣାଇ ଦିଆଯାଇଯାଇଛି ।
ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଗାଇଡ ଲାଇନ୍ ଜାରି କରାଯାଇଛି ।
ଏହା ଅନୁସାରେ, କାର୍ଯ୍ୟକ୍ରମରେ ସକାଳ ୯ଟା ପରେ ଜାତୀୟ ପତାକା ଉତ୍ତୋଳନ ହେବ ।
ମୁଖ୍ୟ ଅତିଥିଙ୍କୁ ଗାର୍ଡ ଅଫ୍ ଅନର ଦେବାକୁ କେବଳ ଗୋଟିଏ କିମ୍ବା ଦୁଇଟି ପୁଲିସ ଟ୍ରୁପ୍ ଉପସ୍ଥିତ ରହିବେ । କୌଣସି ପରେଡ କିମ୍ବା ମାର୍ଚ୍ଚପାଷ୍ଟ ହେବନାହିଁ ।
ସାଧାରଣ ଲୋକଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାରଣ କରାଯାଇଛି । କେବଳ ୫୦ରୁ ୭୫ ଜଣ ନିମନ୍ତ୍ରିତ ଅତିଥି ଏଥିରେ ସାମିଲ ହେବେ ।
ଏଥିପାଇଁ ଇ-ନିମନ୍ତ୍ରଣ ପଠାଯିବ । ଏମାନଙ୍କ ମଧ୍ୟରେ ୧୫ରୁ ୨୦ ଜଣ କୋଭିଡ ଯୋଦ୍ଧା ସାମିଲ ହେବେ ।
ବିଶେଷ କରି ଡାକ୍ତ, ସ୍ୱାସ୍ଥ୍ୟକର୍ମୀ ଓ ସଫେଇ କର୍ମଚାରୀ କୋଭିଡ ଯୋଦ୍ଧାଙ୍କୁ ନିମନ୍ତ୍ରଣ କରାଯିବ ।
କାର୍ଯ୍ୟକ୍ରମରେ ସାମାଜିକ ଦୂରତ୍ୱ ନିୟମ କଡ଼ାକଡ଼ି ପାଳନ କରାଯିବ ଏବଂ ସମସ୍ତେ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ ରହିବ ।
ଉତ୍ସବ ସ୍ଥଳକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯିବ ଏବଂ ପ୍ରବେଶ ଦ୍ୱାରରେ ହ୍ୟାଣ୍ଡ ସାନିଟାଇଜର ଉପଲବ୍ଧ କରାଯିବ ।
ଉତ୍ସବ ଅବସରରେ ବୃକ୍ଷରୋପଣ, ଅନଲାଇନ ପ୍ରବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇପାରେ ବୋଲି ସରକାରଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି ।
ଲୋକାଲ ୱାୟାର
Leave a Reply