ଭୁବନେଶ୍ୱର, ଫେବ୍ରୁଆରୀ ୧୧(ଲୋକାଲ ୱାୟାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ପୌର ପରିଷଦରେ ୨୮ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ପିଲାମାନେ ଏ ଜାତିର, ଦେଶର ଭବିଷ୍ୟତ । ଶିକ୍ଷା ହେଉଛି ପରିବର୍ତ୍ତନର ଚାବିକାଠି ।
ଶିକ୍ଷା ହେଉଛି ପ୍ରକୃତ ସଶକ୍ତିକରଣ । ତେଣୁ ହିଞ୍ଜିଳିରେ ସେ ଶିକ୍ଷାର ବିକାଶକୁ ଗୁରୁତ୍ୱ ଦେଇ ଆସିଛନ୍ତି ।
କୋଭିଡ ମହାମାରୀ ଯୋଗୁ ସେ ବହୁ ଦିନ ହେବ ହିଞ୍ଜିଳି ଯାଇ ପାରିନାହାନ୍ତି । ଶୀଘ୍ର ସେ ହିଞ୍ଜିଳି ଯିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।
କୋଭିଡ ଯୁଦ୍ଧରେ ଗଞ୍ଜାମ ଜିଲ୍ଲାବାସୀଙ୍କ ପ୍ରଶଂସା କରି ସେ କହିଥିଲେ,କରୋନା ମହାମାରୀ ସହ ଆପଣମାନେ ଯେପରି ଲଢ଼ିଲେ, ଗଞ୍ଜାମ ଯେପରି ଲଢ଼ିଲା, ତାହା ସାରା ବିଶ୍ୱ ଦେଖିଛି ।
ଆପଣମାନଙ୍କ ସହଯୋଗରେ ଆଜି ଆମେ କରୋନାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛୁ । ଏ ଦିଗରେ ଗଞ୍ଜାମ ସାରା ବିଶ୍ୱରେ ପ୍ରଶଂସା ପାଇଥିଲା ।
ସେଥିପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ, ଆମର ପଞ୍ଚାୟତ ପ୍ରତିନିଧିମାନଙ୍କୁ ମିଶନ ଶକ୍ତିର ମା’ ମାନଙ୍କୁ ଓ କୋଭିଡ ଯୋଦ୍ଧାମାନଙ୍କୁ ଧନ୍ୟବାଦ ଜଣାଉଛି ।
ଟିକାକରଣ ଆରମ୍ଭ ହୋଇଥିଲେ ମଧ୍ୟବିପଦ ଟଳି ନଥିବାରୁ ସମସ୍ତଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଲୋକାଲ ୱାୟାର
Leave a Reply