ଭୁବନେଶ୍ୱର, ଏପ୍ରିଲ ୩୦ (ଲୋକାଲ ୱାୟାର) : କୋଭିଡ୍-୧୯ ପାଇଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ଥିବା ବେଳେ ଛାତ୍ରଛାତ୍ରୀଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ଶିକ୍ଷାଦାନ ଦିଆଯିବ ।
ଏନେଇ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୁପିନ୍ଦର ସିଂ ପୁନିଆ ଚିଠି ଲେଖିଛନ୍ତି ।
ଏହି କାର୍ଯ୍ୟକ୍ରମ ମେ’ ୪ ରୁ ଜୁନ୍ ୧୩ ପର୍ଯ୍ୟନ୍ତ ମୋଟ ୬ ସପ୍ତାହ ଚାଲିବ ।
“ଶିକ୍ଷା ସଂଯୋଗ’’ ନାମକ ହ୍ୱାଟ୍ସଆପ୍ ଗ୍ରୁପରେ ଦ୍ୱିତୀୟ ଶ୍ରେଣୀରୁ ମାଟ୍ରିକ୍ ଯାଏ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାଠପଢାଯିବ ।
ଗ୍ରୁପରେ ବିଭିନ୍ନ ବିଷୟର ପିଡିଏଫ ଫାଇଲ୍ ଛାତ୍ରଛାତ୍ରୀଙ୍କୁ ପଠାଯିବ । ପ୍ରତିଦିନ ୪୫ ମିନିଟ୍ରୁ ୧ ଘଣ୍ଟା ଅବଧିରେ ୪ଟି କ୍ଲାସ ରହିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।
ସୂଚନା ଅନୁସାରେ, ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ଓ ଭୁବନେଶ୍ୱର ବ୍ଲକ ମଧ୍ୟରେ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ହ୍ୱାଟ୍ସଆପ୍ରେ ବିଭିନ୍ନ ଗ୍ରୁପ କରାଯାଇ ଶିକ୍ଷାଦାନ ଦିଆଯାଉଛି ।
ବିଏମସି ଅଞ୍ଚଳର ମୋଟ ୯୪୨ଟି ଗ୍ରୁପ କରାଯାଇଥିବା ବେଳେ ଏଥିରେ ୧୧ ହଜାର ୫୫୫ ଛାତ୍ରଛାତ୍ରୀଙ୍କୁ ସଂଯୋଗ କରାଯାଇଛି ।
ସେହିଭଳି ଭୁବନେଶ୍ୱର ବ୍ଲକ ଅଧିନସ୍ଥ ସ୍କୁଲଗୁଡ଼ିକ ପାଇଁ ୬୫୧ଟି ଗ୍ରୁପ କରାଯାଇଥିବା ବେଳେ ଏଥିରେ ୪୮୬୦ ଛାତ୍ରଛାତ୍ରୀଙ୍କୁ ସଂଯୋଗ କରାଯାଇଛି ।
ଲୋକାଲ ୱାୟାର
Leave a Reply