କଟକ, ସେପ୍ଟେମ୍ବର ୧(ଲୋକାଲ ୱାୟାର): ୧୯୯୯ର ମହାବତ୍ୟା ଓ ଏବେର ଫନିକୁ ମୁକାବିଲା କରି ମୁକସାକ୍ଷୀ ଭାବେ ଛିଡା ହୋଇଛି ମଙ୍ଗଳବାଗ ଅଞ୍ଚଳରେ କାଠ ନିର୍ମିତ ଏକ ଘର, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ଭୁମିକମ୍ପ ପ୍ରବଣ ଜାପାନବାସୀଙ୍କ ପାଇଁ ସୁରକ୍ଷିତ ଓ ନିରାପଦ ଆଶ୍ରୟସ୍ଥଳୀ ହେଉଛି କାଠ ଓ କାଗଜ ନିର୍ମିତ ଘର ଓ ଆମ ଦେଶ ଓ ରାଜ୍ୟର କେତେକ ସ୍ଥାନରେ ମଧ୍ୟ ତାହା ଦେଖିବାକୁ ମିଳେ ।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଅସ୍ଥାୟୀ ରହଣୀ ସ୍ଥଳ ହେଉ ଅବା ସ୍ଥାୟୀ ବସବାସ ପାଇଁ ବିଶେଷ କରି ଉତ୍ତର ପୂର୍ବ ରାଜ୍ୟରେ କାଠ ନିର୍ମିତ ଘର ଦେଖିବାକୁ ମିଳେ ।

ଆମ ରାଜ୍ୟର ପ୍ରାଚୀନ ସହର କଟକ ସହରର ମଙ୍ଗଳାବାଗ କାଠଗୋଲା ସାହି ଅଞ୍ଚଳରେ କାଠ ନିର୍ମିତ ଘରେ ଏକ ପରିବାର ରହୁଛନ୍ତି ।

ଏହି ଘର ବେଶ ମଜବୁତ ବିଭିନ୍ନ ସମୟରେ ଦେଖା ଦେଉଥିବା ପ୍ରାକୃତିକ ଦୁର୍ବିପାକ ସମୟରେ ଏହି ଘରର କିଛି କ୍ଷତି ହୋଇନାହିଁ ।

୧୯୮୨ ମସିହାରେ ନିର୍ମିତ ଏହି ଘର ଏବେ  ବି ସଳଖ ଭାବେ ଛିଡା ହୋଇ ରହିଛି ଏ ପର୍ଯ୍ୟନ୍ତ ଉକ୍ତ କାଠ ଘରେ ଉଇ ମଧ୍ୟ ଲାଗିନାହିଁ ।

ଏକଦା ମଙ୍ଗଳାବାଗ କାଠଗୋଲା ଅଞ୍ଚଳରେ ଲକ୍ଷ୍ମୀ ସ’ ମିଲ, ସାରଦା ସ’ ମିଲ, ରାଧାକୃଷ୍ଣ ସ’ ମିଲ ଭଳି ଏକାଧିକ ସ’ ମିଲ ଥିଲା ।

ଏଠାକୁ ବହୁ ମୂଲ୍ୟବାନ ଓ ସଶକ୍ତ କାଠ ଚିରୋଟ ପାଇଁ ଆସୁଥିଲା ।

ସ’ମିଲର ଚିରୋଟ କାଠକୁ ନେଇ ଏ ଭଳି ବହୁ କାଠ ନିର୍ମିତ ଘର ନିର୍ମିତ ହୋଇଥିଲା । କାଠ ଘରେ ମଶା ଓ ମାଛିର ପ୍ରାଦୁର୍ଭାବ କମ ଥାଏ ।

ସେତେବଳେ କାଠର ଅନେକ ଚାହିଦା ଥିବାରୁ କାଠ ଖେଳଣା ଠାରୁ ଆରମ୍ଭ କରି ଘରର ଅସବାବ ପତ୍ର ମଧ୍ୟ କାଠରେ ନିର୍ମାଣ କରାଯାଉଥିଲା ।

ପରିବେଶ ପ୍ରଦୂଷଣ ପାଇଁ ଜଙ୍ଗଲ କ୍ଷୟ ରୋକିବାକୁ କ୍ରମେ ଗଛ କଟା, କାଠ ଚାଲାଣ ଓ ସ’ ମିଲ ଉପରେ କଟକଣା ଜାରି କରାଗଲା ।

ଫଳରେ ବିଭିନ୍ନ କିସମର କାଠ ଏବେ ଦୁଷ୍ପ୍ରାପ୍ୟ ହୋଇପଡିଛି ।

ଏବେ କାଠର ଯାଗା ନେଇଛି ପ୍ଲାଷ୍ଟିକ ଓ ମୋଲଡେଡ ଫାଇବର ଏପରି ସ୍ଥିତିରେ କଟକରେ ଏକ କାଠର ଘର ତିଷ୍ଠି ରହିଛି ।

ମଙ୍ଗଳାବାଗର କାଠଗୋଲା ଅଞ୍ଚଳରେ ସ’ ମିଲ ବନ୍ଦ ହୋଇଯିବା ପରେ ସେ ସ୍ଥାନରେ ଛିଡା ହୋଇଛି ଘରୋଇ ନର୍ସିଂହୋମ, ଲଜ ଓ ମାର୍କେଟ କମ୍ପେଲକ୍ସ ।

ଏଣୁ ବିଭିନ୍ନ ସ’ ମିଲ ଦ୍ବାରା ନିର୍ମିତ କାଠ ଘର ଭାଙ୍ଗି ଯାଇଛି । ମାତ୍ର ରାଧାକ୍ରିଷ୍ଣ ସ’ ମିଲର ମାଲିକ ନିଜର ଏହି କାଠ ଘରେ ଏବେ ବି ପରିବାର ସହ ଏଠାରେ ରହୁଛନ୍ତି ।

ଏହି ଘରର ମାଲି ଦିପୁ ପଟେଲ କୁହନ୍ତି : ଏହି କାଠ ଘର ତାଙ୍କ ବାପା ପୁରୁଷୋତ୍ତମ ପଟେଲଙ୍କ ଦ୍ବାରା  ନିର୍ମିତ ହୋଇଥିଲା ।

ସ’ ମିଲକୁ ଆସୁଥିବା ବିଭିନ୍ନ ମୂଲ୍ୟବାନ କାଠର ଯେଉଁ ବଳକା ଅଂଶ ରହୁଥିଲା ସେହି କାଠରେ ଏହି ଘର ନିର୍ମାଣ କରାଯାଇଛି ।

ଏଥିରେ ଲାଗିଥିବା କାଠ ବତ୍ତର୍ମାନ ମିଳିବା ବହୁ କଷ୍ଟ ଓ ଏହାର ମୂଲ୍ୟ ୧୦ ଗୁଣ ବଢି ଯାଇଛି ।

ଶାଳ, ଶାଗୁଆନ, ପିଆଶାଳ, ଚାକୁଣ୍ଡା ଓ ଡଙ୍ଗାରେ ବ୍ୟବହୃତ କାଠରେ ଏହି ଘର ନିର୍ମାଣ କରାଯାଇଛି ।

ସେତେବେଳେ ମିଲରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ପଦାଧିକାରୀଙ୍କ ରହିବା ପାଇଁ ଏହି କାଠ ଘର ନିର୍ମାଣ କରାଯାଇଥିଲା ।

ଏଥିରେ ୨ ବଖରା ଶୟନ କକ୍ଷ ସହ ରୋଷେଇ ଘର, ଗାଧୁଆଘର, ବୈଠକ ଘର ଆଦି ରହିଛି ।

ଏବେ ତାଙ୍କ ପରିବାର ଓ ଅନ୍ୟ ସଦସ୍ୟଙ୍କୁ ନେଇ ୧୨ ଜଣ ଏଠାରେ ରହୁଛନ୍ତି ।

ଦ୍ବିତଳ ବିଶିଷ୍ଟ ଏହି କାଠ ଘରର ଉପର ମହଲାରେ ତାଙ୍କ ପରିବାର ରହୁଥିବା ବେଳେ ତଳ ଘରେ ତାଙ୍କର ଏକ କାର୍ଯ୍ୟାଳୟ ରହିଛି ।

ଏହି କାଠ ନିର୍ମିତ ଘରେ କାଠର ବର୍ତ୍ତମାନର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପଟେଲ କହିଛନ୍ତି ।

ତାଙ୍କ ସହକର୍ମୀ ରଞ୍ଜନ ନାୟକ କୁହନ୍ତି ଯେ ଏହି ଘରେ ସେ ଦୀର୍ଘ ୧୫ ବର୍ଷ ହେଲା ରହି ଆସୁଛନ୍ତି ।

ସାଧାରଣତଃ କାଠରେ ଯେ କୌଣିସ ଜିନିଷ ପ୍ରସ୍ତୁତ କଲେ ତାହା ନଷ୍ଟ ହୋଇଯାଏ ।

କିନ୍ତୁ ଏହି ଘରେ ବ୍ୟବହୃତ କାଠ ଲୁହା ଓ ପଥର ପରି ଟାଣ ଏହି କାଠର କୌଣସି ଅଂଶ ନଷ୍ଟ ହୋଇନାହିଁ ।

ବହୁ ପ୍ରାକୃତିକ ଦୁର୍ବିପାକ ମଧ୍ୟ ଏହି ଘର ସମ୍ଭାଳି ପୂର୍ବ ପରି ଛିଡା ହୋଇଛି ।

କାଠରେ ନିର୍ମିତ ଏହି ଘର ସତେବା ବାତାନୁକୂଳ ଖରାଦିନେ ଏହି ଘରେ ଗରମ କମ ଓ ଶୀତ ଦିନେ କମ ଥଣ୍ଡା ଲାଗେ ବୋଲି ସେ କୁହନ୍ତି ।

ଲୋକାଲ ୱାୟାର