ଭୁବନେଶ୍ୱର, ଡିସେମ୍ବର ୩୧ (ଲୋକାଲ ୱାୟାର): କେବଳ ସତ୍ୟର ଦ୍ୱାହି ଦେଇ ସାମାଜିକ ଦାୟିତ୍ୱବୋଧରୁ ଓହରି ନଯାଉ ଗଣମାଧ୍ୟମ । ସତ୍ୟ ସହିତ ନିଜର ସାମାଜିକ ଦାୟିତ୍ୱ ନିଷ୍ଠାର ସହ ତୁଲାଉ ବୋଲି ମତପ୍ରକାଶ ପାଇଛି ।
ନମସ୍କାର ରେଡିଓ ପକ୍ଷରୁ ସୋମବାର ଗୀତଗୋବିନ୍ଦ ସଦନଠାରେ ଦକ୍ଷିଣ ଏସିଆ ମିଡିଆ ସମ୍ଭାଷଣ ଓ ଓଡ଼ିଶା ମିଡିଆ ଆୱାର୍ଡ-୨୦୧୮ ସମାରୋହରେ ଆୟୋଜିତ ଆଲୋଚନାଚକ୍ରରେ ଏହି ମତ ପ୍ରକାଶ ପାଇଛି ।
ଓଡ଼ିଶା କମ୍ୟୁନିଟି ରେଡିଓ ଆସୋସିଏସନ୍ ସଭାପତି ଶିଶିର କୁମାର ଦାସଙ୍କ ସଭାପତିତ୍ୱରେ ‘ଏବେ ଆମେ କ’ଣ ଲେଖୁଛୁ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।
ଏଥିରେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ରିଚାର୍ଡ ମହାପାତ୍ର, ଯତୀନ୍ଦ୍ର ଦାଶ, ସନ୍ଦୀପ ସାହୁ, ‘କନକ ନ୍ୟୁଜ୍’ର ସମ୍ପାଦକ ମନୋରଞ୍ଜନ ମିଶ୍ର, ‘ସମଦୃଷ୍ଟି’ର ସମ୍ପାଦକ ସୁଧୀର ପଟ୍ଟନାୟକ,‘ପ୍ରମେୟ’ ଓ ‘ନ୍ୟୁଜ୍-୭’ଗ୍ରୁପ୍ ଏଡିଟର୍ ଗୋପାଳକୃଷ୍ଣ ମହାପାତ୍ର, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।
ଅନୁଷ୍ଠାନର ମୁଖ୍ୟ ଏନଏ ଶାହା ଅନସାରୀ ସ୍ୱାଗତ ଭାଷଣ ଦେଇଥିଲେ । ଓଡ଼ିଶା ମିଡିଆ ଆୱାର୍ଡରେ ୧୨ଟି ବର୍ଗରେ ୧୩ଜଣଙ୍କୁ ୨୦୧୮ ବର୍ଷ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା ।
‘ପ୍ରମେୟ’ ଓ ‘ନ୍ୟୁଜ୍-୭’ଗ୍ରୁପ୍ ଏଡିଟର୍ ଗୋପାଳକୃଷ୍ଣ ମହାପାତ୍ରଙ୍କୁ ‘ଏଡିଟର୍ ଅଫ୍ ଦ ଇୟର’ ପୁରସ୍କାର ପ୍ରଦାନ କରାଯାଇଥିଲା ।
ସ୍ତମ୍ଭକାର ସରଳ କୁମାର ଦାସ, କାର୍ଟୁନିଷ୍ଟ କମଳା କାନ୍ତ ରଥ, ଶ୍ରେଷ୍ଠ ଟେଲିଭିଜନ କାର୍ଯ୍ୟକ୍ରମ ଲାଗି ମନୋରଞ୍ଜନ ମିଶ୍ର, ସମ୍ବାଦ ପାଠକ ଭବାନୀ ଶଙ୍କର ମହାପାତ୍ର, ସାମ୍ବାଦିକତାରେ ପ୍ରିୟରଞ୍ଜନ ସାହୁ, ରାଖି ଘୋଷ, ରିଚାର୍ଡ ମହାପାତ୍ର, ମନୀଷ କୁମାର, ରଶ୍ମୀ ରଞ୍ଜନ ଦୋରା, କିଶାନ ବରାଇ, ଶିକ୍ଷକ ପ୍ରଫେସର ସୁନୀଲ କାନ୍ତ ବେହେରା, ‘ଡାର୍ଟି ମାଇଣ୍ଡ୍’ ଡକ୍ୟୁମେଣ୍ଟାରୀ ପାଇଁ ସନ୍ତୋଷ ପଣ୍ଡାଙ୍କୁ ପୁରସ୍କୃତ କରାଯାଇଛି ।
ଏସ୍ ଏ ସଫିକ୍ ଧନ୍ୟବାଦ ଦେଇଥିଲେ । ସାମ୍ବାଦିକ ବଳଭଦ୍ର ରଥ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।
ପୂର୍ବାହ୍ନରେ ଦକ୍ଷିଣ ଏସିଆ ମିଡିଆ ସମ୍ଭାଷଣରେ ‘ବଙ୍ଗୋପସାଗରରେ ଘଟୁଥିବା ଜଳବାୟୁ ପରିବର୍ତ୍ତନ ଏବଂ ପ୍ରାକୃତିକ ବିପର୍ଯ୍ୟୟ’ ବିଷୟରେ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା ।
ଏଥିରେ ୱାଟର୍ ଇନିସିଏଟିଭର ମୁଖ୍ୟ ରଞ୍ଜନ ପଣ୍ଡା, ବରିଷ୍ଠ ସାମ୍ବାଦିକ ରିଚାର୍ଡ ମହାପାତ୍ର, ସନ୍ଦୀପ ସାହୁ, ପ୍ରିୟରଞ୍ଜନ ସାହୁ, ପ୍ରଫେସର ବିନାୟକ ରଥ, ଆକ୍ସନ୍ ଏଡର ଆଞ୍ଚଳିକ ସଂଯୋଜକ ଦେବବ୍ରତ ପାତ୍ର ଅତିଥି ଭାବେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଲୋକାଲ ୱାୟାର
Leave a Reply