ଭୁବନେଶ୍ୱର, ଏପ୍ରିଲ ୨୫ (ଲୋକାଲ ୱାୟାର): ରାଜ୍ୟରେ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ କେତେକ ଆକ୍ରାନ୍ତଙ୍କ ନିକଟରେ କରୋନା ଲକ୍ଷଣ ୧୪ ଦିନର କ୍ୱାରେଣ୍ଟାଇନ ପରେ ଦେଖାଯାଇଥିବା ତଥ୍ୟ ଜଣାପଡ଼ିଛି ।
ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ କିଛି ଦିନ ମଧ୍ୟରେ ଅନେକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
୧୪ ଦିନର କ୍ୱାରେଣ୍ଟାଇନ ସମୟ ସୀମା ପରେ ମଧ୍ୟ ଏହି ରୋଗୀଙ୍କ ଠାରେ ଲକ୍ଷଣ ପରିଲକ୍ଷିତ ହୋଇଛି ।
ସମୁଦାୟ ପଜିଟିଭ ନମୁନାର ପ୍ରାୟ ୫୧ ପ୍ରତିଶତଙ୍କ କ୍ଷେତ୍ରରେ ୧୪ରୁ ୨୭ ଦିନ ମଧ୍ୟରେ ଲକ୍ଷଣ ଜଣାପଡୁଛି ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଚିହ୍ନଟ କୋଭିଡ ରୋଗୀ ବିଶେଷ କରି ପ୍ରଥମ ୫ ଜଣଙ୍କ ଠାରେ ୫ରୁ ୧୪ ଦିନ ମଧ୍ୟରେ ଲକ୍ଷଣ ଦେଖା ଯାଇଥିଲା ।
ତେବେ ଜମାତ ଲିଙ୍କ୍ ଥିବା ଜଣେ ଆକ୍ରାନ୍ତଙ୍କ କ୍ଷେତ୍ରରେ ୨୧ରୁ ୨୨ ଦିନ ମଧ୍ୟରେ ଲକ୍ଷଣ ପରିଲକ୍ଷିତ ହୋଇଥିଲା ।
ଏବେ ଯାଜପୁର ଜିଲ୍ଲା ଦଶରଥପୁରର ଜଣେ ୩୮ ବର୍ଷୀୟ ଆକ୍ରାନ୍ତ ଏପ୍ରିଲ ୧୪ରେ କ୍ୱାରେଣ୍ଟାଇନ ସମାପ୍ତ କରିଥିଲେ ।
ତାଙ୍କ ଠାରେ ଲକ୍ଷଣ ଦେଖା ଯାଇନଥିଲା । ରାଜ୍ୟ ସରକାର ୧୪ଦିନ ପାଇଁ କ୍ୱାରେଣ୍ଟାଇନ ସମୟ ଧାର୍ଯ୍ୟ କରିଥିବାରୁ ଉକ୍ତ ଆକ୍ରାନ୍ତ କ୍ୱାରେଣ୍ଟାଇନ ସମୟ (୧୪ ଦିନ) ଶେଷ ହେବା ପରେ ଏପ୍ରିଲ ୨୦ରେ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ଯାଇଥିଲେ ।
ଏପ୍ରିଲ ୨୨ରେ ତାଙ୍କ ସ୍ୱାବ ନମୁନାରୁ (ତାଙ୍କ ଯାତ୍ରା ଇତିହାସକୁ ଭିତ୍ତି କରି) କରୋନା ପଜିଟିଭ ଜଣା ପଡ଼ିଥିଲା ।
ଏହା ଅନେକଙ୍କୁ ବିସ୍ମିତ ଓ ଚିନ୍ତିତ ମଧ୍ୟ କରିଛି । କାରଣ ଅନେକ ଜିଲ୍ଲାରେ ୧୪ ଦିନ କ୍ୱାରେଣ୍ଟାଇନ ଶେଷ କରିବା ପରେ ବହୁତ ଲୋକ ସାଧାରଣ ଭାବେ ଚଳପ୍ରଚଳ କରୁଛନ୍ତି ।
ତାମିଲନାଡୁ ସରକାର ବିଦେଶ ଫେରନ୍ତା ଓ ଅନ୍ୟ ରାଜ୍ୟ ଫେରନ୍ତାଙ୍କ ପାଇଁ ୨୮ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରିଛନ୍ତି ।
ଚୀନରେ ହୋଇଥିବା ମହାମାରୀ ଗବେଷଣାକୁ ଭିତ୍ତି କରି ତାମିଲନାଡୁରେ ୨୮ ଦିନିଆ କ୍ୱାରେଣ୍ଟାଇନ ବ୍ୟବସ୍ଥା ହୋଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଚୀନର ମିଳିତ ସର୍ବେକ୍ଷଣ ଅନୁଯାୟୀ ୩ରୁ ୪ ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ୧୪ ରୁ ୨୭ ଦିନ ମଧ୍ୟରେ ଲକ୍ଷଣ ଦେଖା ଦେଇଥିଲା ।
ସମ୍ବେଦନଶୀଳ ବୟସ ବର୍ଗ ୬୦ ବର୍ଷ ଓ ଅଧିକ ବୟସର କରୋନା ପଜିଟିଭ ରୋଗୀ ସଂକ୍ୟାରେ ୧୭୫ ପ୍ରତିଶତ ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି ।
ସେହିପରି ଆଉ ଏକ ସନ୍ଦିଗ୍ଧ ବୟସ ବର୍ଗ ୪୧ରୁ ୬୦ ବର୍ଷର ଲୋକଙ୍କ କ୍ଷେତ୍ରରେ କରୋନା ପଜିଟିଭଙ୍କ ସଂଖ୍ୟାରେ ୧୩୩ ପ୍ରତିଶତ ବଢିଛି ।
୧୫ରୁ ୪୦ ବୟସ ବର୍ଗରେ ଏହି ବୃଦ୍ଧି ପ୍ରାୟ ୭୩ ପ୍ରତିଶତ ଥିବା ବେଳେ ୦-୧୪ ବର୍ଷ ବୟସର ପିଲାଙ୍କ କ୍ଷେତ୍ରରେ ଏହି ବୃଦ୍ଧି ୨୫ ପ୍ରତିଶତ ଥିବା ପରିଲକ୍ଷିତ ହେଉଛି ।
ସମ୍ବେଦନଶୀଳ ବୟସ ବର୍ଗଙ୍କ କ୍ଷେତ୍ରରେ କୋଭିଡ-୧୯ ପଜିଟିଭ ରୋଗୀଙ୍କ ସଂଖ୍ୟା ବଢ଼ିବା ଜଟିଳତା ସୃଷ୍ଟି କରିବ ।
ତେଣୁ ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ବଢିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।
ଲୋକାଲ ୱାୟାର
Leave a Reply