ଭୁବନେଶ୍ୱର, ଫେବ୍ରୁଆରୀ ୬(ଲୋକାଲ ୱାୟାର): ନୟାଗଡ଼ ଜିଲ୍ଲା ରଣପୁରରୁ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ରଣପୁର-ସୁନାଖଳା ରାସ୍ତାରେ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।
ଗିରଫ ହୋଇଥିବା ଯୁବକ ପ୍ରକାଶ ଚନ୍ଦ୍ର ବେହେରାର ଘର ରଣପୁର ଥାନା ଅନ୍ତର୍ଗତ ବାଉଁଶିଆ ଗ୍ରାମରେ ।
ଏବେ ଜେଲରେ ଥିବା ଜଣେ ନିଶା ବେପାରୀର ସହଯୋଗୀ ଭାବେ ପ୍ରକାଶ କାମ କରୁଥିଲା ।
ଏ ସମ୍ପର୍କରେ ଖବର ପାଇ ଏସଟିଏଫ ଟିମ୍ ଗତକାଲି ଅପରାହ୍ଣରେ ଛକି ରହିଥିଲା । ପ୍ରକାଶ ଏକ ବାଇକରେ ଆସୁଥିବା ଦେଖି ତାକୁ ଟିମ୍ ଅଟକାଇଥିଲା ।
ସେ ବାଇକ ଛାଡ଼ି ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିଲେ ମଧ୍ୟ ଧରାପଡ଼ିଯାଇଥିଲା । ତା’ ବାଇକରୁ ୨୬୦ ଗ୍ରାମର ବ୍ରାଉନସୁଗର ମିଳିଥିଲା ।
ଉଲ୍ଲେଖଯୋଗ୍ୟ, ଏସଟିଏଫ୍ ମାସକ ଭିତରେ ବିଭିନ୍ନ ସ୍ଥାନରୁ ପ୍ରାୟ ୩ କେଜି ବ୍ରାଉନସୁଗର ଏବଂ ୨ ଟନ୍ ଗଞ୍ଜେଇ ଜବତ କଲାଣି । ୫ଟି ମାମଲା ରୁଜୁକରି ୪ ନିଶା ମାଫିଆଙ୍କୁ ଗିରଫ କରିଛି ।
ଲୋକାଲ ୱାୟାର
Leave a Reply