ଭୁବନେଶ୍ୱର,ଡିସେମ୍ବର ୩୧(ଲୋକାଲ ୱାୟାର): କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ନବକଳେବର ପାଇଁ ୩୫ ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ଏଠାରେ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ୫-ଟି କାର୍ଯ୍ୟକ୍ରମ ମଧ୍ୟରେ ହେବାକୁ ଥିବା ଏହି କାମର ମୂଳ ଲକ୍ଷ୍ୟ ଲୋକଙ୍କୁ ଏମ୍ସ ଓ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ।
ମେଡିକାଲ କଲେଜ ଓ ହସପିଟାଲ ପାଇଁ ସରକାରୀସ୍ତରରେ ଏହା ସର୍ବୃହତ ପ୍ରକଳ୍ପ ।
୧୯୪୪ ମସିହାରେ ସ୍ଥାପିତ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସପିଟାଲ ଦୀର୍ଘଦିନ ଧରି ଓଡ଼ିଶା ସମେତ ପୂର୍ବ ଭାରତର ବିଭିନ୍ନ ରାଜ୍ୟର ଲୋକମାନଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇବାରେ ଭୂମିକା ନେଇ ଆସିଛି ।
ଏହି ପ୍ରକଳ୍ପକୁ ସେ ନିଜେ ତଦାରଖ କରୁଛନ୍ତି ଏବଂ ଦିନେ ଏହା ଦେଶର ଶ୍ରେଷ୍ଠ ତିନୋଟି ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।
୧୭୫ ଏକର ଜମିରେ ବିକଶିତ ହେବାକୁ ଥିବା ଏହି ମର୍ଯ୍ୟାଦାଜନକ ପ୍ରକଳ୍ପରେ ପ୍ରଥମ ପର୍ଯ୍ୟାୟରେ ଶଯ୍ୟା ସଂଖ୍ୟା ୩୫ଶହ କରାଯିବ ଏବଂ ଦ୍ୱିତୀୟ ପର୍ଯ୍ୟୟରେ ଏହା ୫ ହଜାରକୁ ବୃଦ୍ଧି ପାଇବ ।
ତିନି ବର୍ଷରେ ସମ୍ପୂର୍ଣ୍ଣ ହେବାକୁ ଥିବା ଏହି ପ୍ରକଳ୍ପରେ ଡାକ୍ତର, ରୋଗୀ, ରୋଗୀଙ୍କ ସହାୟକ, ସ୍ୱାସ୍ଥ୍ୟ କର୍ମଚାରୀ ସମସ୍ତଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ ।
ଅତ୍ୟାଧୁନିକ ଚିକିତ୍ସା ଉପକରଣ ସହ ପରିବହନ ବ୍ୟବସ୍ଥା, ଆଧୁନିକ ରେଷ୍ଟୁରାଣ୍ଟ, ବାଣିଜ୍ୟ କେନ୍ଦ୍ର ଓ ସୁରକ୍ଷା ବ୍ୟବସ୍ଥା ଆଦି ଉପଲବ୍ଧ ହେବ ।
ଏଥିରେ ୧୨୮୦ଟି ସରକାରୀ ବାସଗୃହ ନିର୍ମାଣ କରାଯିବ ଏବଂ ଛାତ୍ରାବାସରେ ଅଧିକ ୨୨ଶହ ଜଣ ଛାତ୍ରଛାତ୍ରୀ ରହିବାର ବ୍ୟବସ୍ଥା କରାଯିବ ।
ହସପିଟାଲର ଉନ୍ନତି ସହ କ୍ରୀଡ଼ା ଓ ମନୋରଞ୍ଜନ ପାଇଁ ମଧ୍ୟ ଉତ୍ତମ ପରିବେଶ ସୃଷ୍ଟି କରାଯିବ ।
ଲୋକାଲ ୱାୟାର
Leave a Reply