ଜଗତସିଂହପୁର, ଜାନୁଆରୀ ୨୫ (ଲୋକାଲ ୱାୟାର): ବାଲିକୁଦା ତହସିଲର ଜଣେ ରାଜସ୍ୱ ନୀରିକ୍ଷକଙ୍କୁ ମାଡ଼ ମାରିବା ଘଟଣାକୁ ବିରୋଧ କରି ଓଡିଶା ରାଜସ୍ୱ ଅମଲା ସଂଘ (ଓଆରଏଏସ)ର ଡାକରାରେ ସମସ୍ତ କର୍ମଚାରୀ ଅନିର୍ଦ୍ଦିଷ୍ଟକାଳୀନ ବିକ୍ଷୋଭରେ ସାମିଲ ହୋଇଛନ୍ତି ।
ଫଳରେ ଜିଲ୍ଲାର ସମସ୍ତ ତହସିଲ, ବ୍ଲକ, ଉପଜିଲ୍ଲାପାଳ, ଜିଲ୍ଲାପାଳ ଓ ଅନ୍ୟ କାର୍ଯ୍ୟାଳୟଗୁଡ଼ିକରେ ସରକାରୀ କାମ ବନ୍ଦ ରହିଛି ।
ବାଲିକୁଦା ତହସିଲ ମରିଚପୁର ସର୍କଲର ରାଜସ୍ୱ ନୀରିକ୍ଷକ ସୁଶାନ୍ତ କୁମାର ସ୍ୱାଇଁ ତହସିଲଦାର ସିଦ୍ଧାର୍ଥ ଶଙ୍କର ସାହୁ, ତତ୍ୱାବଧାରକ କାଳନ୍ଦୀ ବେହେରା ଓ ବିଶ୍ୱଭୂଷଣ ମହାପାତ୍ର ଉପସ୍ଥିତିରେ ବେଆଇନ ଅତିକ୍ରମଣ ହଟାଇବା ପାଇଁ ରାସ୍ତା ଓ ଡ୍ରେନ ମାପଚୁପ କରୁଥିଲେ ।
ଏହି ସମୟରେ କିଛି ଗ୍ରାମବାସୀଙ୍କ ସହ ତାଙ୍କର ଉଚ୍ଚବାଚ ହେବାରୁ କେରୁଆପଡା ଗାଁର ସୁଭାଷ ଚନ୍ଦ୍ର ନାୟକ ଆରଆଇ ସ୍ୱାଇଁଙ୍କୁ ଆକ୍ରମଣ କରିଥିଲା ।
ଏ ନେଇ ସ୍ୱାଇଁ ବାଲିକୁଦା ଥାନାରେ ଏଫଆଇଆର ଦେଇଥିଲେ । ଘଟଣାରେ ବାଲିକୁଦା ତହସିଲ କର୍ମଚାରୀମାନେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି କରିଥିଲେ । ତେବେ ଘଟଣାର ପାଞ୍ଚ ଦିନ ପରେ ବି ଅଭିଯୁକ୍ତ ଗିରଫ ହୋଇନାହିଁ ।
ଏହାକୁ ବିରୋଧ କରି ଓଆରଏସ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନକୁ ଜାନୁଆରୀ ୨୪ ସୁଦ୍ଧା ଅଭିଯୁକ୍ତକୁ ଗିରଫ କରିବାକୁ ମହଲତ ଦିଆଯାଇଥିଲା ।
ଅଭିଯୁକ୍ତ ଗିରଫ ନହେଲେ ଆନ୍ଦୋଳନ ବ୍ୟାପକ ହେବା ସହ ଅନିର୍ଦ୍ଦିଷ୍ଟକାଳ ଯାଏଁ କଲମଛାଡ଼ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଥିଲା ।
ଅଭିଯୁକ୍ତ ଗିରଫ ନହେବାରୁ ୮ଟି ବ୍ଲକ, ୮ ତହସିଲ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି ।
ବାଲିକୁଦା ଥାନାରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ ହୋଇଛି । ହେଲେ ସେ ଫେରାର ଥିବାରୁ ଗିରଫ ହୋଇପାରିନାହିଁ ।
ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଟିମର ଚେଷ୍ଟା ଜାରି ରହିଛି ବୋଲି ଜଗତସିଂହପୁର ଏସଡିପିଓ ପ୍ରିୟ ରଞ୍ଜନ ଶତପଥି କହିଛନ୍ତି ।
ଲୋକାଲ ୱାୟାର