ଯାଜପୁର, ଜାନୁଆରୀ ୨୭ (ଲୋକାଲ ୱାୟାର): ସାତ ଦଶନ୍ଧିରୁ ଅଧିକ ସମୟ ଧରି ଚାଟଶାଳୀ ଖୋଲି ପିଲାଙ୍କୁ ପଢାଉଥିବା ଯାଜପୁର ଜିଲ୍ଲାର ୧୦୨ ବର୍ଷର ଶିକ୍ଷକ ନନ୍ଦକିଶୋର ପୃଷ୍ଟିଙ୍କୁ ମିଳିଛି ପଦ୍ମଶ୍ରୀ ।
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର କଂଟିରା ଗାଁରେ ଚାଟଶାଳୀ ଖୋଲି ୭୦ ବର୍ଷରୁ ଅଧିକ ସମୟ ଧରି ଉତ୍ସର୍ଗୀକୃତ ଶିକ୍ଷାଦାନ କରି ଆସୁଥିବା ପଦ୍ମଶ୍ରୀ ନନ୍ଦକିଶୋର ପୃଷ୍ଟି ନନ୍ଦ ସାର ନାମରେ ପରିଚିତ ।
ଚାଟଶାଳୀ ହିଁ ନନ୍ଦ ସାର୍ଙ୍କ ଘର, କର୍ମସ୍ଥଳୀ, ସ୍କୁଲ ଓ ସ୍ୱପ୍ନ । ସୋମବାର ଘୋଷିତ ହୋଇଥିବା ପଦ୍ମଶ୍ରୀ ତାଲିକାରେ ନନ୍ଦ ସାରଙ୍କ ନାମ ଘୋଷଣା ପରେ ସମସ୍ତେ ବେଶ ଆନନ୍ଦିତ ।
ରାଜ୍ୟର ସବୁଠାରୁ ବୟସ୍କ ଶିକ୍ଷକ ଭାବେ ପରିଚିତ ନନ୍ଦ ସାର୍ ୧୦୨ ବର୍ଷରେ ବି ଚାଟଶାଳୀରେ ପଢ଼ାଇବାରେ ବ୍ୟସ୍ତ ଅଛନ୍ତି । ସେ ଆମ ପ୍ରେରଣାର ଉତ୍ସ ।
ଶିକ୍ଷା ପ୍ରତି ତାଙ୍କ ପ୍ରତିଶ୍ରୁତିବଦ୍ଧତା ଆମକୁ ଉତ୍ସାହିତ କରିଥାଏ ବୋଲି କହିଛନ୍ତି ନନ୍ଦ ସାର୍ଙ୍କ ଚାଟଶାଳୀରେ ପଢ଼ିଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ରଙ୍କନିଧି ବେହେରା ।
ଚାଟଶାଳୀର ପିଲାମାନେ ଖୁବ ଭଲ । ସେମାନେ ମୋତେ ଭଲ ପାଆନ୍ତି ଓ ମୁଁ ସେମାନଙ୍କୁ ଭଲ ପାଏ । ମୁଁ ଚାହେଁ ପିଲାମାନେ ଭଲ ପଢନ୍ତୁ ।
ପିଲାମାନେ ମୋତେ ନିରାଶ କରନ୍ତି ନାହିଁ । ଶେଷ ନିଃଶ୍ୱାସ ଯାଏଁ ଶିକ୍ଷକତା କରିବି । ମୋ ଜୀବନରେ ଯୋଗର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ।
ଦୀର୍ଘ ବର୍ଷର ଜୀବନରେ କିଛି ଭଲ ବନ୍ଧୁ ପାଇଛି । ନିୟମିତ ଯୋଗ ମୋତେ ସୁସ୍ଥ ଓ କାର୍ଯ୍ୟକ୍ଷମ ରଖିଛି ।
ପାଠ ପଢ଼ାଇ ପିଲାଙ୍କ ମୁହଁରେ ହସ ଫୁଟିଲେ ମିଳୁଥିବା ଆନନ୍ଦ ପ୍ରକୃତ ପୁରସ୍କାର ବୋଲି କହନ୍ତି ପଦ୍ମଶ୍ରୀ ନନ୍ଦକିଶୋର ପୃଷ୍ଟି (ନନ୍ଦ ସାର୍) ।
ନନ୍ଦ ସାରଙ୍କ ଚାଟଶାଳୀରେ ହଜାର ହଜାର ପିଲା ପଢ଼ିଛନ୍ତି । ବୟସ ତାଙ୍କ ଆଗରେ ହାର ମାନିଛି ।
ଏବେ ବି ସେ ଚଳଚଂଚଳ ଅଛନ୍ତି ଓ ପିଲାଙ୍କୁ ପଢାଉଛନ୍ତି ବୋଲି କହିଛନ୍ତି କନ୍ତିରାର ସ୍କୁଲ ଶିକ୍ଷକ ଯୁଗଳ କିଶୋର ବେହେରା ।
ଚତୁର୍ଥ ଶ୍ରେଣୀ ଯାଏଁ ପଢିବାର ବ୍ୟବସ୍ଥା ଥିବା ନନ୍ଦ ସାର୍ଙ୍କ ଚାଟଶାଳୀରେ ଏବେ ପ୍ରାୟ ୪୦ ଛାତ୍ରଛାତ୍ରୀ ପଢୁଛନ୍ତି ।
ଆମ ଗାଁ ଓ ଆଖପାଖ ଗାଁ ବହୁ ଗରିବ ପିଲାଙ୍କୁ ଶିକ୍ଷାର ଆଲୋକ ବର୍ତ୍ତିକା ଦେଖାଇ ଚାଲିଥିବା ନନ୍ଦ ସାର ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।
ସରକାରଙ୍କ ଠାରୁ ଟଙ୍କାଟିଏ ସାହାଯ୍ୟ ନନେଇ ଦୀର୍ଘ ବର୍ଷ ଧରି ନନ୍ଦ ସାର୍ ଚାଟଶାଳୀ ଚଲାଉଛନ୍ତି ।
ନିଜ ପାଇଁ କେବେ କାହା ଆଗରେ ହାତ ପତାଇ ନାହାନ୍ତି ବୋଲି ସେ ଆଜି ପାଲଟଛନ୍ତି ଯାଜପୁର ଜିଲ୍ଲାର ଗୌରବ ।
ପିଲାଙ୍କ ପାଠପଢ଼ା ବିନିମୟରେ କିଛି ଗ୍ରାମବାସୀ ତାଙ୍କୁ ଚାଉଳ, ପନିପରିବା ଓ ଅଳ୍ପ କିଛି ପଇସା ଦିଅନ୍ତି ।
ନନ୍ଦ ସାରଙ୍କ ଉତ୍ସାହ ଆଗରେ ତାଙ୍କ ବୟସ ଫିକା ପଡିଯାଏ । ତାଙ୍କର ଶହ ଶହ ଛାତ୍ରଛାତ୍ରୀ ଶିକ୍ଷକ, ସରକାରୀ ଚାକିରିଆ, ଇଂଜିନିଅର ହୋଇ ସମାଜରେ ପ୍ରତିଷ୍ଠିତ ହୋଇପାରିଛନ୍ତି ବୋଲି କନ୍ତିରା ଗ୍ରାମ ପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର ସାହୁ ।
ଚାଟଶାଳୀଟି ଖୋଲା ସ୍ଥାନରେ ରହିଛି । ଚାଟଶାଳୀକୁ ଲାଗି କରି ଥିବା ନନ୍ଦ ସାରଙ୍କ ଘର ମଧ୍ୟ ଦିନ ରାତି ଖୋଲା ଥାଏ ।
ମୁଁ ନିଶ୍ଚିତ ଯେ, ନନ୍ଦ ସାରଙ୍କ ଭଳି ଦେଶରେ ଆହୁରି ଅନେକ ଶିକ୍ଷକ ଲୋକଲୋଚନ ଆଢୁଆଳରେ ଶିକ୍ଷାଦାନ ତପସ୍ୟାରେ ମଗ୍ନ ଥିବେବୋଲି ଗ୍ରାମବାସୀ ଅଖିଳ ବେହେରା କହିଛନ୍ତି ।
ମୁଁ ଓ ମୋ ପୁଅ ବିକାଶ ନନ୍ଦ ସାରଙ୍କ ଚାଟଶାଳୀରେ ପଢ଼ିଥିଲୁ । ଏବେ ନାତି ନନ୍ଦ ସାରଙ୍କ ଛାତ୍ର ବୋଲି କହନ୍ତି ମନୋରଞ୍ଜନ ।
ପୁରସ୍କାର ଘୋଷଣା ପରେ ନନ୍ଦ ସାରଙ୍କ ଦୁଇ ପୁଅ, ଦୁଇ ଝିଅ ଓ ୧୦ ନାତିନାତୁଣୀ ବେଶ ଆନନ୍ଦିତ ।
ବିଳମ୍ବରେ ହେଉ ପଛେ ସରକାରୀ ସ୍ୱୀକୃତି ବାପାଙ୍କ ଜୀବନବ୍ୟାପୀ ସାଧନାକୁ ଆହୁରି ଗୌରବାନ୍ୱିତ କରିବ ବୋଲି କହିଛନ୍ତି ନନ୍ଦ ସାରଙ୍କ ୭୫ ବର୍ଷୀୟ ପୁଅ ନିରଞ୍ଜନ ।
ନନ୍ଦ ସାରଙ୍କୁ ପଦ୍ମଶ୍ରୀ ମିଳିବା ଖବର ମିଳିବା ପରେ ତାଙ୍କ ଭଙ୍ଗାରୁଜା ଚାଳଛପର ଘରେ ସାମ୍ବାଦିକ, ନେତାଙ୍କ ଭିଡ଼ ଜମିଛି ।
ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ନନ୍ଦ ସାରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ନନ୍ଦ ସାରଙ୍କୁ ବିଧିବଦ୍ଧ ଭାବେ ସମ୍ବର୍ଦ୍ଧନା ଜ୍ଞାପନ ପାଇଁ ଗ୍ରାମବାସୀ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।
ଲୋକାଲ ୱାୟାର