ତାଙ୍କ ସହ ଶେଷ ସାକ୍ଷାତ ହୋଇଥିଲା ତାଙ୍କ ଆଚାର୍ଯ୍ୟ ବିହାର ଘରେ, ତାଙ୍କର ୯୨ତମ ଜନ୍ମଦିନ ଅବସରରେ। ସେଦିନଟି ଥିଲା ୨୪ ଡିସେମ୍ବର।
ସେହି ଅବସରରେ ‘ଲେଖାଲେଖି’ ପକ୍ଷରୁ ଆୟୋଜିତ ହୋଇଥିଲା ଏକ ପୁରସ୍କାର ପ୍ରଦାନ ଉତ୍ସବ।
ତାଙ୍କ ନାମରେ ପ୍ରତିଷ୍ଠା ହୋଇଥିବା ସେହି ପୁରସ୍କାରର ପ୍ରଥମ ପ୍ରାପକ ଥିଲେ ବୀଣାପାଣି ମହାନ୍ତିଙ୍କ ‘ପାଟଦେଈ’ର ବଙ୍ଗଳା ଅନୁବାଦ କରି କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପାଇଥିବା ଭାରତୀ ନନ୍ଦୀ।
ଯୁଗଳ କିଶୋର ବାବୁ କିନ୍ତୁ ସେ ସଭାରେ ଉପସ୍ଥିତ ନଥିଲେ।
ତାଙ୍କୁ ଅଳ୍ପ କିଛି ସମୟ ପାଇଁ ସେଠାକୁ ଆଣିବାକୁ ଚିନ୍ତା କରାଯାଇଥିଲା।
କିନ୍ତୁ ତାଙ୍କ ଅସୁସ୍ଥତା ଯୋଗୁଁ ତାହା ସମ୍ଭବ ହୋଇପାରିନଥିଲା।
ତେଣୁ ସଭା ଶେଷ ହେବାପରେ ଭାରତୀ ନନ୍ଦୀ, ସାଫଲ୍ୟ ନନ୍ଦୀ, ‘ଲେଖାଲେଖି’ର ଦିଲୀପବାବୁ ଓ ଅନ୍ୟମାନଙ୍କ ସହ ମୁଁ ଯାଇଥିଲି ଯୁଗଳବାବୁଙ୍କୁ ଭେଟିବା ପାଇଁ, ତାଙ୍କ ଘରକୁ।
ସେ ଥିଲେ ଶଯ୍ୟାଶାୟୀ।
ସେହି ଅବସ୍ଥାରେ ସ୍ଥାନୀୟ ମହିଳା ଅନୁଷ୍ଠାନର କର୍ମକର୍ତ୍ତାମାନେ ତାଙ୍କ ଜନ୍ମଦିନର କେକ୍ କାଟିଲେ।
କିନ୍ତୁ ସେ ସବୁ ଭିତରେ ଅନ୍ତଃସଲିଳା ହୋଇ ବହୁଥିଲା ଯେପରି କାରୁଣ୍ୟର ଏକ ଫଲଗୁ।
କାରଣ, ସେ ଜାଣିଥିଲେ ଓ ଆମେ ସମସ୍ତେ ବି ଜାଣିଥିଲୁ, ଆଉ ବେଶି ଦିନ ସେ ଏ ଅସୁସ୍ଥତାର କଷ୍ଟ ଭୋଗିବାକୁ ଚାହିଁବେ ନାହିଁ।
କିନ୍ତୁ ସବୁ ଯନ୍ତ୍ରଣାରେ ଊର୍ଦ୍ଧ୍ଵରେ ତଥାପି ବି ତାଙ୍କ ମୁହଁରେ ଲାଖିରହିଥିଲା ସେଇ ସବୁଦିନିଆ ସରଳ ଓ ଅନାବିଳ ହସ ଟିକକ।
ଯୁଗଳ କିଶୋର ଦତ୍ତଙ୍କୁ ମୁଁ ଜାଣେ ଅଶୀ ଦଶକରୁ, ସେଇ ‘ସମାବେଶ’ ଦିନରୁ।
ଯେତେବେଳେ ମୁଁ ବା ମୋ’ ପରି ଅନେକେ ଅନୁବାଦ କରୁ ନଥିଲେ, ସେତେବେଳେ ସେ ଅନୁବାଦ କରୁଥିଲେ।
ପ୍ରାୟ ଦେଢ଼ଶହ ବଙ୍ଗଳା ଉପନ୍ୟାସ ସେ ବଙ୍ଗଳାରୁ ଓଡ଼ିଆକୁ ଅନୁବାଦ କରିଛନ୍ତି।
ଅଳ୍ପ କିଛି ଓଡ଼ିଆ ଗପ ବି ବଙ୍ଗଳାକୁ ଅନୁବାଦ କରିଛନ୍ତି।
କିନ୍ତୁ ଓଡ଼ିଆକୁ ଅନୁବାଦ ତୁଳନାରେ ତାହା ନଗଣ୍ୟ।
ଯୁଗଳ କିଶୋର ଦତ୍ତଙ୍କର ଜନ୍ମ ୨୪ ଡିସେମ୍ବର, ୧୯୨୮ରେ, ଯାଜପୁର ଜିଲ୍ଲାର ମହେଶ୍ୱରପୁରରେ।
ପିତା ନଦୀୟା ଚାନ୍ଦ ଓ ମାତା କିରଣବାଳା। ସରକାରୀ ଚାକିରି କରି ସେ ଅବସର ଗ୍ରହଣ କରିଥିଲେ।
କିନ୍ତୁ ତାଙ୍କର ଅବସର ଜୀବନ ଥିଲା ପୂର୍ଣ୍ଣତଃ ଅନୁବାଦଶୀଳ।
ବିମଳ ମିତ୍ରଙ୍କ ସୁପ୍ରସିଦ୍ଧ ଉପନ୍ୟାସ ‘ଆସାମୀ ହାଜିର’ ର ଓଡ଼ିଆ ଅନୁବାଦ ପାଇଁ ୧୯୯୭ରେ ଯୁଗଳବାବୁ ପାଇଥିଲେ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର।
ସେହି ବର୍ଷ ମଧ୍ୟ ବଙ୍ଗଳା ଉପନ୍ୟାସ ‘ଜନ ଗଣ ମନ’ ପାଇଁ ସେ ପାଇଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର।
ଗୋଟିଏ ବର୍ଷରେ ଓ ଗୋଟିଏ ବିଭାଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ଏକାଡେମୀ ପୁରସ୍କାର ପାଇବାରେ ସେ ଥିଲେ ଏକ ଓ ଅଦ୍ୱିତୀୟ।
ଗତବର୍ଷ ‘କୋଲକାତା ବହିମେଳା’ ଅବସରରେ ଗୋଟିଏ ବଙ୍ଗଳା ପତ୍ରିକା ତାଙ୍କ ଉପରେ ଗୋଟିଏ ସ୍ବତନ୍ତ୍ର ସଂଖ୍ୟା ପ୍ରକାଶ କରିଥିଲା।
ତାହାର ସଂପାଦକ ସେଥିପାଇଁ ଭୁବନେଶ୍ୱର ଆସିଥିବାବେଳେ, ଯୁଗଳବାବୁଙ୍କ ପରାମର୍ଶରେ ମୋତେ ଭେଟିବାକୁ ଚାହିଁଥିଲେ।
ତାଙ୍କ ସଂପର୍କରେ ଛୋଟ ମତାମତଟିଏ ମୁଁ ପତ୍ରିକା ପାଇଁ ଦିଏ- ଏହା ତାଙ୍କର ଓ ସଂପାଦକଙ୍କ ଇଚ୍ଛା ଥିଲା।
କିନ୍ତୁ ସେହି ସଂକ୍ଷିପ୍ତ ସମୟ ଭିତରେ, ସଂପାଦକଙ୍କ ଟ୍ରେନ୍ ସମୟ ପୂର୍ବରୁ ଆମର ଆଉ ଦେଖା ହୋଇ ପାରି ନଥିଲା।
ତେଣୁ ସେଇ କ୍ଷତିର ପରିପୂରଣ ପାଇଁ ଯୁଗଳବାବୁ ଚାହିଁଥିଲେ, ତାଙ୍କ ନାମରେ ପ୍ରବର୍ତ୍ତିତ ପୁରସ୍କାରର ପ୍ରଥମ ପ୍ରଦାନ ଉତ୍ସବରେ ମୁଁ ଅତିଥି ହୁଏ।
ମୋର ମନେହୁଏ, ତାହାହିଁ ଥିଲା ତାଙ୍କ ସହିତ ସେଇ ଶେଷ ସାକ୍ଷାତ ବେଳେ ତାଙ୍କର ସରଳ ଓ ଅନାବିଳ ହସର ହେତୁ।
ଆଜି ଯୁଗଳବାବୁ ଆମ ସମସ୍ତଙ୍କଠୁ ଶେଷବିଦାୟ ନେଇଯାଇଛନ୍ତି।
କିନ୍ତୁ ତାଙ୍କର ସେଇ ସରଳ ଓ ଅନାବିଳ ହସଟିକକ ମୋର ଚିରକାଳ ସ୍ମରଣରେ ରହିବ।
ଲୋକାଲ୍ ଓ୍ବାୟାର୍
(ଲେଖକ ଜଣେ ପ୍ରସିଦ୍ଧ ଭାଷା ସଂସ୍କୃତି ଗବେଷକ ଓ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ଅନୁବାଦକ)