ଭୁବନେଶ୍ୱର, ଜାନୁଆରୀ ୨୩(ଲୋକାଲ ୱାୟାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ‘ମୋ ସ୍କୁଲ’ ଯୋଜନାରେରାଜ୍ୟର ବରିଷ୍ଠ ପ୍ରଶାସକ ମାନେ ୩୦ଟି ସ୍କୁଲକୁ ପୋଷ୍ୟ କରିବାକୁ ନିଷ୍ପତ୍ତି ନେଇଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।
ଏହି ଯୋଜନାରେ ସାମିଲ ହୋଇଥିବା ପ୍ରଶାସକମାନଙ୍କ ମଧ୍ୟରେ ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଥିବା ବେଳେ ୧୭ ଜଣ ବିଭିନ୍ନ ସରକାରୀ ବିଭାଗ ଏବଂ ଜିଲ୍ଲା ପ୍ରଶାସନରୁ ଅଛନ୍ତି ।
ସୂଚନାନୁସାରେ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କେନ୍ଦୁଝର ଜିଲ୍ଲାର ଡିଏନ ହାଇସ୍କୁଲକୁ ପୋଷ୍ୟ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ ଯାଜପୁର ହାଇସ୍କୁଲକୁ ପୋଷ୍ୟ କରିବେ ।
ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଟିଟିଲାଗଡ଼ ହାଇସ୍କୁଲକୁ ପୋଷ୍ୟ କରିବେ ।
ପୂର୍ତ୍ତ ସଚିବ କ୍ରିଷନ କୁମାର ଗଜପତି ଜିଲ୍ଲାର ଏମଆର ବୟଜ୍ ହାଇସ୍କୁଲ ଓ ଏମଆର ଗାର୍ଲସ ହାଇସ୍କୁଲକୁ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ରୂପା ରୋଷନ ସାହୁ ଢେଙ୍କାନାଳର ବ୍ରଜନାଥ ବଡ଼ଜେନା ହାଇସ୍କୁଲକୁ ପୋଷ୍ୟ କରିବେ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ଭବାନୀପାଟଣାର ମାଣିକେଶ୍ୱରୀ ହାଇସ୍କୁଲକୁ ପୋଷ୍ୟ କରିବେ ।
ସେ ଗତବର୍ଷ ‘ମୋ ସ୍କୁଲ’ ସଙ୍ଗୀତରେ କଣ୍ଠଦାନ କରିଥିଲେ । ଆଇଟି ସଚିବ ମନୋଜ ମିଶ୍ର ଭୁବନେଶ୍ୱରର ୟୁନିଟ-୧ ବୟଜ ହାଇସ୍କୁଲ, ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ ଯାଜପୁର ଜିଲ୍ଲା ସୟଦପୁରର ବିଏସ ହାଇସ୍କୁଲ, ପରିହବନ ସଚିବ ମଧୁସୂଦନ ପାଢ଼ୀ ଭଦ୍ରକ ଜିଲ୍ଲାର ବ୍ରହ୍ମପୁର ହାଇସ୍କୁଲକୁ ପୋଷ୍ୟ କରିବେ ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ବାଲେଶ୍ୱର ଜିଲ୍ଲାର ଭୋଗରାଇ ସ୍ଥିତ ସୋହରିଆ ବି.କେ ଏକାଡେମୀ ସ୍କୁଲକୁ ପୋଷ୍ୟ କରିବେ।
ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ଆରଡିସି ଅନିଲ କୁମାର ସାମଲ, ଓଡ଼ିଶା ଖଣି ନିଗମ ଏମଡି ବଲୱନ୍ତ ସିଂ, ଓସେପା ରାଜ୍ୟ ପ୍ରକଳ୍ପ ନିଦେ୍ର୍ଦଶକ ଭୂପିନ୍ଦର ସିଂ ପୁନିଆ ଏବଂ ଭଦ୍ରକ, ଗଜପତି ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ ବିଭିନ୍ନ ସ୍କୁଲକୁ ପୋଷ୍ୟ ନେବେ ।
ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ୨୦୧୭ ମସିହା ଶିଶୁ ଦିବସରେ ‘ମୋ ସ୍କୁଲ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ବିଭିନ୍ନ ସ୍କୁଲକୁ ପୋଷ୍ୟ କରିବାକୁ ପୁରାତନ ଛାତ୍ର ତଥା ବରିଷ୍ଠ ପ୍ରଶାସକମାନଙ୍କୁ ଅନୁରୋଧ କରିଥିଲେ ।
ଏ ପର୍ଯ୍ୟନ୍ତ ପ୍ରାୟ ୨୫ ହଜାର ସ୍କୁଲ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସାରିଛନ୍ତି ।
ଲୋକାଲ ୱାୟାର