କେନ୍ଦୁଝର, ଅକ୍ଟୋବର ୨୭ (ଲୋକାଲ ୱାୟାର) : କେନ୍ଦୁଝର ଟାଉନ ଥାନା ଦେଇ ଯାଇଥିବା ୨୦ ନମ୍ୱର ଜାତୀୟ ରାଜପଥର ବାଇପାସ ଓଭରବ୍ରିଜ ତଳୁ ମଙ୍ଗଳବାର ଜଣେ ୩୫ ବର୍ଷୀୟା ମହିଳାର ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର କରାଯାଇଥିବା ସ୍ଥାନୀୟ ପୁଲିସ କହିଛି ।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୧୦ଟା ବେଳେ ଜଣେ ବ୍ୟକ୍ତି ଏକ ଲୁନା ମୋପେଟ୍ ନଂ (ଓଡ଼ି-୨୫ଇ-୦୯୧୭)ରେ ଏକ ବସ୍ତାକୁ ଲଦି ସନ୍ଦିଗ୍ଧ ଅବସ୍ଥାରେ ଯାଉଥିଲେ।
ଏହି ସମୟରେ ଅଖାରେ କଣ ଅଛି ବୋଲି ଲୋକେ ପଚାରିବାରୁ ସେଥିରେ ମାଂସ ଥିବା କହିଥିଲେ ।
ତେବେ ସନ୍ଦେହ ହେବାରୁ କିଛି ଲୋକ ତାକୁ ଅଟକାଇବାକୁ ଚେଷ୍ଟା କରିବାରୁ
ସମ୍ପୃକ୍ତ ବ୍ୟକ୍ତି ଜଣକ ବାଇପାସ ଓଭରବ୍ରିଜ୍ ତଳେ ଗାଡ଼ି ଛାଡ଼ି ପଳାଇ ଯାଇଥିଲା।
ଏହା ପରେ ଲୋକମାନେ ଟାଉନ୍ ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଖାଟିକୁ ଖୋଲିବାରୁ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଶରୀର ବାହାରି ଥିଲା।
ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। କିନ୍ତୁ ମୃତ ମହିଳାଙ୍କ ପରିଚୟ ଜଣାପଡ଼ି ନାହିଁ।
ପୁଲିସ ଲୁନା ଗାଡ଼ିକୁ ଜବତ କରି ଅଧିକା ତଦନ୍ତ ଚଳାଇଛି ।
ଘଟଣାକୁ ନେଇ ପୁଲିସ ଅଧିକାରୀ ସୁରେଶ ପାତ୍ର କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି । ଖୁବଶୀଘ୍ର ମହିଳାଙ୍କ ପରିଚୟ ମିଳିବ । ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ।
ଲୋକାଲ ୱାୟାର