ଭୁବନେଶ୍ୱର, ଅକ୍ଟୋବର ୧୬(ଲୋକାଲ ୱାୟାର): କୋଣାର୍କ ପରେ ଏବେ ରାଜ୍ୟର ଆଉ ୫ଟି ସ୍ଥାନରେ ହେବ ଇକୋ ରିଟ୍ରିଟ୍ । ଏନେଇ ପର୍ଯ୍ୟଟନ କମିଶନର ବିଶାଲ୍ କୁମାର ଦେବ ଶୁକ୍ରବାର ସୂଚନା ଦେଇଛନ୍ତି ।
ରାଜ୍ୟର ଭିତରକନିକା, ରାମଚଣ୍ଡୀ, ସାତକୋଶିଆ, ଦାରିଙ୍ଗବାଡ଼ି, ହୀରାକୁଦରେ ଏହି ଇକୋ ରିଟ୍ରିଟ୍ କରାଯିବ ।
‘ଓଡ଼ଶା ବାଏ ରୋଡ୍’ କ୍ୟାମ୍ପେନ୍ ଅଧୀନରେ ଓଡ଼ିଶାର ଗ୍ରାମାଞ୍ଚଳ ପର୍ଯ୍ୟଟନର ପ୍ରଚାର ପ୍ରସାର ସହ ଆସନ୍ତା ଦିନରେ କିପରି ଏସବୁ ସ୍ଥାନରେ ଇକୋ ରିଟ୍ରିଟ୍ ଆୟୋଜନ କରାଯିବ ସେ ଉପରେ ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ ଗୁରୁତ୍ୱ ବାଢ଼ିଥିଲେ ।
ଏହି ଅବସରରେ ଓଡ଼ିଶା ବାଏ ରୋଡ୍ ରେ ଆସି ଓଡ଼ିଶାର ନୈସର୍ଗିକ ଶୋଭାରାଜିକୁ ଉପଭୋଗ କରିଥିବା କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏ ବାବଦରେ ମୁମ୍ବାଇରୁ ଆସିଥିବା ରୋଡି ପବନ କୁମାର ଦୁବେ କହିଛନ୍ତି, ମୁଁ ଓ ମୋ ସାଙ୍ଗ ରାଜିବ ଶାହା ମିଶି ଇଣ୍ଡିଆ ଏକ୍ସପେଡିସନରେ ବାହାରିଛୁ ।
ଆଜି ଆମର ୨୮ତମ ଦିନ । ଯେଉଁଥିରେ ଆମେ ଓଡ଼ିଶାରେ ପାଦ ଥାପିଛୁ । ଏହା ଆମ ଯାତ୍ରାର ୨୩ତମ ରାଜ୍ୟ ।
ଓଡ଼ିଶା ଆସି ମୋତେ ଖୁବ୍ ଖୁସି ଲାଗୁଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଓଡ଼ିଶା ବାଏ ରୋଡ୍ ନିଶ୍ଚିତ ଭାବେ ଆଗାମୀ ଦିନରେ ଗ୍ରାମାଞ୍ଚଳ ପର୍ଯ୍ୟଟନକୁ ସହାୟକ ହେବ ।
ଏତିକି କହିବି ଏବେ ଭ୍ରମଣ କରିବାରେ କୌଣସି ଅସୁବିଧା ନାହିଁ । ତେବେ ସତର୍କ ହୋଇ ଭ୍ରମଣ କରିବା ଦରକାର ।
ସଡ଼କ ପଥରେ ଗଲେ ଆମେ ପର୍ଯ୍ୟଟନ ସ୍ଥାନ ବୁଲିବା ସହ ସ୍ଥାନର ଖାଦ୍ୟପେୟ, ହସ୍ତତନ୍ତ, ହସ୍ତଶିଳ୍ପକୁ ଦେଖିପାରିବା, ନିଜ ପାଇଁ ଏଥିରୁ କିଛି କିଣି ପାରିବା ।
ଏହାଦ୍ୱାରା ଆମେ କେନ୍ଦ୍ର ସରକାରଙ୍କ ‘ଭୋକାଲ୍ ଫର୍ ଲୋକାଲ୍’ର ପ୍ରଚାର ବି କରି ପାରିବା । ଯାହାକି ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକଙ୍କ ପାଇଁ ସହାୟକ ହୋଇ ପାରିବ ।
ମିଳିଥିବା ସୂଚନା ଅନୁସାରେ କରୋନା ପରବର୍ତ୍ତୀ ସମୟରେ ଦେଶର ପର୍ଯ୍ୟଟନ ବୈଭବକୁ ପୁଣିଥରେ ଟ୍ରାକକୁ ଫେରାଇ ଆଣିବା ସହ ଏନେଇ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ପାଇଁ ଗୁଜରାଟରୁ ୬ ଜଣ ଯୁବକ ଆସି ଓଡ଼ିଶା ପହଞ୍ଚିଛନ୍ତି ।
୩୬ ଦିନରେ ୩୪ ରାଜ୍ୟ ବୁଲିବାର ଏହି ମିଶନ୍ ମୋଡ୍ ଆରମ୍ଭ ହୋଇଛି କାର୍ ରେ । ସେପ୍ଟେମ୍ବର ୧୮ରେ ଗାନ୍ଧୀ ନଗରରୁ ଆରମ୍ଭ ହୋଇଥବା ଏହି ଯାତ୍ରାରେ ଅଛନ୍ତି ରାଜୀବ ଶାହା(୫୬), ଥୋମାସ୍ କୋଶେ(୪୮), ନୀତିନ୍ ଗୁପ୍ତା (୩୭), ସଞ୍ଜୟ ପଟେଲ(୪୫), ପୱନ୍ ଦୁବେ (୪୫) ଓ ରୀତେଶ ପାରେଖ (୪୫) ।
ଏ ବାବଦରେ ଦଳର ସବୁଠାରୁ ବୟସ୍କ ରାଜୀବ କହନ୍ତି କରୋନା ଯୋଗୁଁ ପର୍ଯ୍ୟଟନ ଶିଳ୍ପ ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଛି । ଏହି ଶିଳ୍ପକୁ ପୁଣିଥରେ ଉତ୍ସାହିତ କରିବା ପାଇଁ ଓ ଲୋକମାନଙ୍କୁ ଏଥିପାଇଁ ସଚେତନ କରିବା ପାଇଁ ଆମେ ଏଭଳି ଏକ ମିଶନ୍ ମୋଡରେ ବାହାରିବାକୁ ଚିନ୍ତା କଲୁ ।
ସେ ଆହୁରି କହିଛନ୍ତି ଯେତେଯାଏଁ ଟିକା ଆସିନି ସେତେପର୍ଯ୍ୟନ୍ତ ଆମକୁ କରୋନା ସହ ବଞ୍ଚିବାକୁ ହେବ । ଆମେ ଏହି ଯାତ୍ରା ଦ୍ୱାରା ଲୋକଙ୍କୁ କହିବାକୁ ଚାହୁଁଛୁ ସମସ୍ତ ପ୍ରତିଷେଧକ ଗ୍ରହଣ କରି ତୁମେମାନେ ମଧ୍ୟ ଆମ ପରି ବୁଲିପାରିବ ।
ଅପରପକ୍ଷେ କରୋନା ପରବର୍ତ୍ତୀ ସମୟରେ କୋଣାର୍କ ବ୍ୟତୀତ ଅନ୍ୟ ୫ଟି ସ୍ଥାନରେ ଇକୋ ରିଟ୍ରିଟ୍ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଅଣ୍ଟା ଭିଡ଼ିଛି ।
ଏସବୁ ସ୍ଥାନରେ ଇକୋ ରିଟ୍ରିଟ୍ କରାଯାଇ ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକର୍ଷିତ କରାଯିବ । ସାତକୋଶିଆର ବଡ଼ମୂଳରେ ଏହା କରାଯିବାକୁ ସ୍ଥିର କରାଯାଇଥିବା ବେଳେ ଭିତରକନିକାର ନଳିତାପଟିଆରେ ଏହା କରାଯିବ ।
ଡିସେମ୍ବର ୧ରୁ ଫେବ୍ରୁଆରୀ ୨୮ ଭିତରେ ଏସବୁ ସ୍ଥାନରେ ଇକୋ ରିଟ୍ରିଟ୍ ଆୟୋଜିତ ହେବ । ଯେଉଁଠାରେ ପର୍ଯ୍ୟଟକଙ୍କ ରହଣି ପାଇଁ ବିଳାସପୂର୍ଣ୍ଣ ଟେଣ୍ଟ ସାଙ୍ଗକୁ କଟେଜ୍, ରେସ୍ତୋରାଁ, କ୍ରୀଡ଼ା କାର୍ଯ୍ୟକ୍ରମ ଆଦି କରାଯିବ ।
ଷ୍ଟାର୍ ହୋଟେଲ ର ସମସ୍ତ ସୁବିଧା ପର୍ଯ୍ୟଟକଙ୍କୁ ଏଠାରେ ମିଳିବ । ବିଶେଷ କରି ପର୍ଯ୍ୟଟକଙ୍କୁ ବିଳାସପୂର୍ଣ୍ଣ ଟେଣ୍ଟ ରେ ରହିବା ସହ ପ୍ରକୃତି କୋଳରେ ବିଭିନ୍ନ ରକମର ଖାଦ୍ୟ, ସ୍ପା, ଦୁଃସାହାସିକ କ୍ରୀଡ଼ା, ନେଚର ଟ୍ରେଲ୍ ଆଦିର ଅନୁଭୂତି ମିଳିବ ।
ଏହାସାଙ୍ଗକୁ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମୁ୍ୟଜିକାଲ୍ ନାଇଟ୍ ର ସୁବିଧା ମିଳିବ ।
ଲୋକାଲ ୱାୟାର