ଡିସେମ୍ବରର ଶୀତୁଆ ସକାଳୁ ଚାଷୀ, ବିଶେଷତଃ ମହିଳା ଚାଷୀମାନେ ନାଚି ଗାଇ ଶୋଭାଯାତ୍ରାରେ ବାହାରି ଥିଲେ । ଗନ୍ତବ୍ୟ ଥିଲା ନୟାଗଡ ଜିଲ୍ଲାର ପାହାଡ ଜଙ୍ଗଲ ଘେରା ଛୋଟିଆ ଦୁର୍ଗମ ଗାଁ ଗମ୍ଭାରିଖୋଲ ।
୧୮ଟି ଗାଁର ମହିଳା ଚାଷୀ ନୟାଗଡ ଜିଲ୍ଲା ଗମ୍ଭାରୀଖୋଲରେ ପ୍ରଥମ ଥର ପାଇଁ ଆୟୋଜିତ ଦେଶୀ ବିହନ ଉତ୍ସବରେ ସାମିଲ ହୋଇଥିଲେ ।
ପ୍ରତି ମହିଳା ଚାଷୀ ଚାଷ ଓ କ୍ଷେତକୁ ସମ୍ମାନ ଜଣାଇବା ଉଦେ୍ଦଶ୍ୟରେ ସୁନ୍ଦର ଛୋଟିଆ ମାଟି ପାତ୍ରରେ ଦେଶୀ ବିହନ ମୁଣ୍ଡେଇ ଆସିଥିଲେ ।
ସହରରୁ ଯାଇଥିବା ଦେଖଣାହାରୀଙ୍କ ପାଇଁ ଏହି ଉତ୍ସବ ବେଶ ନିଆରା ଥିଲା । ୨ଶହରୁ ଅଧିକ ପ୍ରଜାତିର ଧାନ, ଡାଲି, ବାଜରା, ମକା, ପରିବା ବିହନ ଜଙ୍ଗଲ ପରିବେଷ୍ଟିତ ଆଦିବାସୀ ଗାଁରେ ଆୟୋଜିତ ଏହି ଉତ୍ସବରେ
ପ୍ରଦର୍ଶିତ ହୋଇଥିଲା ।
ଦେଶୀ ବିହନର ଗୁରୁତ୍ୱ, ଲାଭ ଓ ଜୈବ ବିବିଧତାର ପୁନରୁଦ୍ଧାର ପାଇଁ ଦେଶୀ ବିହନ ସଂରକ୍ଷଣର ଗୁରୁତ୍ୱ ଚାଷୀଙ୍କୁ ବୁଝାଇବା ଉତ୍ସବର ଉଦେ୍ଦଶ୍ୟ ଥିଲା ।
ବିହନ ଉତ୍ସବ
ଓଡିଶାରେ କୃଷି ଓ ଜୈବିକ କୃଷି କ୍ଷେତ୍ରରେ କାର୍ଯ୍ୟରତ ବେସରକାରୀ ସଂଗଠନ ‘ନିର୍ମାଣ’ ଏହି ଦେଶୀ ବିହନ ଉତ୍ସବ ଆୟୋଜନ କରିଥିଲା ।
କୀଟନାଶକ ମୁକ୍ତ ପରିବେଶର ସମ୍ଭାବନା ଏହି ଉତ୍ସବରେ ପ୍ରଦର୍ଶିତ ହୋଇଥିଲା ।
୨୦୧୨ରେ ନିର୍ମାଣ ତରଫରୁ ଫସଲ ଅମଳ ପରେ କନ୍ଧମାଳ ଜିଲ୍ଲାର କୁଟିଆ କନ୍ଧଙ୍କୁ ନେଇ ବୁରଲାଙ୍ଗ ବିହନ ଉତ୍ସବ ଆୟୋଜିତ ହୋଇଥିଲା ।
ଦେଶୀ ବିହନ ସଂରକ୍ଷଣ ପାଇଁ ଆଦିବାସୀ ଚାଷୀଙ୍କୁ ପ୍ରୋତ୍ସାହନ ଓ ଜୈବ ବିବିଧତାର ପୁନରୁଦ୍ଧାର ପାଇଁ ସ୍ଥାନୀୟ ବିହନ ତଥା ଚାଷ କୌଶଳ ଶିଖିବାକୁ ସୁଯୋଗ ଦେବା ଉତ୍ସବର ଉଦେ୍ଦଶ୍ୟ ଥିଲା ।
ଏହାସହିତ ଖାଦ୍ୟ ତଥା ପୋଷଣ ନିରାପତା ବଢାଇବା ପାଇଁ ବିହନ ସଂରକ୍ଷଣ, ଚାଷ କୌଶଳ ଓ ବିହନ ବିବିଧତାର ପୁନରୁଦ୍ଧାର କୌଶଳ ମଧ୍ୟ ଶିଖା ଯାଇଥିଲା ।
ବିହନ ସଂରକ୍ଷଣ କୌଶଳର ପ୍ରସାର ଓ ଦେଶୀ ବିହନ ସଂରକ୍ଷଣ ପାଇଁ ମହିଳାଙ୍କୁ ପ୍ରୋତ୍ସାହନ ଦେବା ପାଇଁ ନୟାଗଡ ଜିଲ୍ଲାରେ ଦେଶୀ ବିହନ ଉତ୍ସବ ଆୟୋଜିତ ହୋଇଥିଲା ।
ସାଇତା ଦେଶୀ ବିହନ ପ୍ରଦର୍ଶନ ପାଇଁ ବିହନ ଉତ୍ସବ ସୁଯୋଗ ଦେଇଛି ବୋଲି କହିଛନ୍ତି ନୟାଗଡ ଜିଲ୍ଲା ରଇସୋରା ଗାଁର ପ୍ରତିମା ଜାନି ।
ସଙ୍କର ବିହନ
ଚାଷୀମାନେ ସାଧାରଣତଃ ପରବର୍ତୀ ପୀଢିକୁ ବିହନ ସମ୍ପର୍କିତ ଜ୍ଞାନ ଓ ସଂରକ୍ଷଣ କୌଶଳ ଶିଖାଇଥାନ୍ତି ।
କିଛି ବର୍ଷ ହେଲା ଚାଷୀମାନେ ସଙ୍କର ବିହନ ଉପରେ ନିର୍ଭରଶୀଳ ହୋଇ ପଡିଛନ୍ତି । ଯାହାର ପ୍ରତିକୂଳ ପ୍ରଭାବ ଖାଦ୍ୟାଭ୍ୟାସ, ସ୍ୱାସ୍ଥ୍ୟ, ଖାଦ୍ୟ ନିରାପତା, ରୋଜଗାର ଓ ଜଳବାୟୁ ଉପରେ ପଡୁଛି ବୋଲି କହିଛନ୍ତି ନିର୍ମାଣର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ପ୍ରଶାନ୍ତ ମହାନ୍ତି ।
ଦୁଇ କିମ୍ବା ତିନି ଏକର ଜମି ଥିବା ଚାଷୀ ବଜାରରୁ ସଙ୍କର ବିହନ କିଣୁଛନ୍ତି । କ୍ଷୁଦ୍ର ଓ ନାମମାତ୍ର ଚାଷୀ ସଙ୍କର ବିହନ ଉପରେ ନିର୍ଭରଶୀଳ ଥିବାରୁ ସେମାନେ ସାର ଓ କୀଟନାଶକ କିଣାରେ ଅଧିକ ଅର୍ଥ ବିନିଯୋଗ କରୁଛନ୍ତି ।
ଆମେ ଆମ ପୂର୍ବପୁରୁଷଙ୍କ ଠାରୁ ଏହି କୌଶଳ ଶିଖିଛୁ ଓ ପୀଢି ପୀଢି ଧରି ଦେଶୀ ବିହନ ସଂରକ୍ଷଣ କରୁଛୁ ।
ହେଲେ ସଙ୍କର ବିହନ ବଜାରରେ ସହଜରେ ମିଳୁଥିବାରୁ ଓ ଦେଶୀ ଅପେକ୍ଷା ସଙ୍କର ବିହନରୁ ଭଲ ଅମଳ ହୁଏ ବୋଲି ଥିବା ଭ୍ରାନ୍ତ ଧାରଣା ଯୋଗୁଁ ଚାଷୀମାନେ ସଙ୍କର ବିହନ ପ୍ରତି ଆକୃଷ୍ଟ ହେଉଛନ୍ତି ବୋଲି ପ୍ରତିମା ଜାନି କହିଛନ୍ତି ।
ପ୍ରତିମାଙ୍କ ସ୍ୱାମୀ ନିଜ ତିନି ଏକର ଜମିରୁ ମାତ୍ର ୧ ଏକରରେ ଦେଶୀ ବିହନ ଚାଷ କରିବାକୁ ରାଜି ହୋଇଥିଲେ ବୋଲି କୁହନ୍ତି ପ୍ରତିମା ।
ଉତମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ) ରାଜ୍ୟର ଜୈବ ବିବିଧତା ଉପରେ ଦେଇଥିବା ପ୍ରଥମ ରିପୋର୍ଟରୁ କୃଷିରେ ଜୈବ ବିବିଧତା ନଷ୍ଟ ଓ କୁପୋଷଣ ପାଇଁ ଚାଷରେ ମାତ୍ରାଧିକ ସାର ପ୍ରୟୋଗକୁ ଅନ୍ୟତମ କାରଣ ବୋଲି ଦର୍ଶାଇଥିଲା ।
ପୋଷଣର ପ୍ରମୁଖ ସ୍ରୋତ ଭାବେ ସ୍ଥାନୀୟ ତଥା ଦେଶୀ ଧାନ ଉଭା ହୋଇଛି ।
କୃଷିର ଦ୍ରୁତ ବ୍ୟବସାୟୀକରଣ ଯୋଗୁଁ ସ୍ଥାନୀୟ ଧାନ ବଦଳରେ ବ୍ୟାବସାୟିକ ଧାନ ଚାଷ ହେଉଛି । ଫଳରେ ପୋଷଣର ଜୈବ ବିବିଧତା ଲୋପ ପାଇ ଯାଉଛି ।
କ୍ୟାନସର, ଚର୍ମ ରୋଗ ଓ ଜୀବନ ଶୈଳୀ ରୋଗ ଆଦି କୀଟନାଶକ ଭରା ଖାଦ୍ୟ ଖାଇବାରୁ ହେଉଛି ବୋଲି କେତେକ ସର୍ଭେରୁ ଜଣାପଡିଛି ।
କେବଳ ସହର ବାସିନ୍ଦା ନୁହେଁ ଗ୍ରାମାଚଂଳର ଗରିବ ଲୋକେ ମଧ୍ୟ କୀଟନଶକ ଓ ରାସାୟନିକର ମାତ୍ରାଧିକ ବ୍ୟବହାର ଯୋଗୁଁ ରୋଗାକ୍ରାନ୍ତ ହେଉଛନ୍ତି ।
ବରଗଡ ଜିଲ୍ଲା (ଅଧିକ ସଂଖ୍ୟକ କ୍ୟାନ୍ସର ପୀଡିତ ଥିବା ଜିଲ୍ଲା)ର ଚାଷୀଙ୍କୁ ଜୈବିକ କୃଷି ପାଇଁ ପ୍ରୋତ୍ସାହିତ କରୁଥିବା ଅହିଂସା କ୍ଲବ ସମ୍ପାଦକ ଶିବ ପ୍ରସାଦ ସାହୁଙ୍କ ଅନୁଯାୟୀ ସଙ୍କର ବିହନରେ ଅଧିକ କୀଟନାଶକ ବ୍ୟବହାର ଯୋଗୁଁ ମାଟିର ସ୍ୱାସ୍ଥ୍ୟହାନି ହେଉଛି ।
ମାଟିର ପୋଷଣ ବଢାଇବା ପାଇଁ ଜୈବିକ ଖତ ପ୍ରୟୋଗ ଓ ଦେଶୀ ବିହନ ବୁଣିବାର ବେଳ ଆସିଗଲାଣି ବୋଲି ସେ କହିଛନ୍ତି ।
ଉପଯୁକ୍ତ ବିହନ ଚୟନ
ବିହନ ଉତ୍ସବରେ ଭାଗ ନେଇଥିବା ଅଧିକାଂଶ ଚାଷୀ ଦେଶୀ ବିହନର ଗୁରୁତ୍ୱ ଜାଣିଥିଲେ ବି ସେଗୁଡିକୁ ବ୍ୟବହାର କରିବାକୁ ପଛ ଘୁଂଚା ଦେଉଛନ୍ତି । କାରଣ ସେମାନଙ୍କ ଧାରଣା ରହିଛି ଯେ, ଦେଶୀ ବିହନ ଜଳବାୟୁ ପରିବର୍ତନ ସହି ପାରିବ ନାହିଁ ।
ବୈଶିଷ୍ଟ୍ୟ ଅନୁଯାୟୀ ବିହନ ବାଛି ସେଗୁଡିକର ଉତ୍ପାଦନ ଅନୁଯାୟୀ ଜଳବାୟୁ ସହନଶୀଳତା ଓ କୀଟ ପ୍ରତିରୋଧକ ଶକ୍ତି ଅନୁଯାୟୀ ଅଲଗା କରାଯିବା ଉଚିତ ।
ଦେଶୀ ବିହନ ବ୍ୟବହାର ପାଇଁଏହା ଚାଷୀଙ୍କୁ ପ୍ରୋତ୍ସାହିତ କରିବ ବୋଲି ଜଳବାୟୁ ପରିବର୍ତନ ବିଶେଷଜ୍ଞ ବିଦ୍ୟାଧର ମହାରଣା କରିଛନ୍ତି ।
ଚାଷୀମାନେ ଦେଶୀ ବିହନ ବୁଣିବା ପୂର୍ବରୁ କିଛି ପଦ୍ଧତି ଅନୁସରଣ କରିବା ଉଚିତ ।
ଯେପରିକି ପୃଥକୀକରଣ, ଉପଯୁକ୍ତ ସଂରକ୍ଷଣ ଓ ବୁଣିବା ପୂର୍ବରୁ ବିହନ ପରୀକ୍ଷଣ ଆଦି ।
କେବେ କେବେ ବିହନରେ ଛତୁ ଫୁଟିଯିବା ଯୋଗୁଁ ଆଶାନୁରୂପ ଅମଳ ହୋଇନଥାଏ ।
କ୍ଷେତ ଛୋଟ ଥିଲେ ବି ଉପଯୁକ୍ତ ପ୍ରଜାତିର ଦେଶୀ ବିହନ ଚାଷ କରି ସେମାନେ ଏହାକୁ ଅଧିକ ଦାମରେ ବିକ୍ରି କରିପାରିବେ ।
ଜୈବିକ ଖାଦ୍ୟସାମଗ୍ରୀର ମୂଲ୍ୟ ପାରମ୍ପରିକ ପଦ୍ଧତିରେ ଚାଷ ହେଉଥିବା ଖାଦ୍ୟ ସାମଗ୍ରୀ ତୁଳନାରେ ଅଧିକ ।
କିଛି ନିର୍ଦ୍ଦିଷ୍ଟ ଦେଶୀ ବିହନରୁ ସଙ୍କର ବିହନ ତୁଳନାରେ ଅଧିକ ଅମଳ ହେଉଥିବା ସେ ଦର୍ଶାଇଥିଲେ ।
ମହିଳା ଚାଷୀଙ୍କ ସଶକ୍ତିକରଣ
ଉତ୍ସବରୁ ବିଭିନ୍ନ ପ୍ରକାରର ବିହନ ଆଣିଥିବା ରାଇସୋନା ଗାଁର କାଂଚନ ବେହେରା କହିଛନ୍ତି ଭିନ୍ନ ପ୍ରଜାତିର ବିହନ ମିଳିଲେ ସେ ନିଜର ୧ ଏକର ଜମିରେ ବୁଣିବେ ।
ନିଜ ମାଙ୍କ ଠାରୁ ସେ ବିହନ ସଂରକ୍ଷଣ ଶିଖିଥିଲେ । ବାହାଘର ପରେ ସେ ଓ ତାଙ୍କ ଶାଶୂ ଏହି କାମ ଜାରି ରଖିଥିଲେ ।
ଆମେ ୨ ଏକର ଜମିରେ ଜୈବିକ ଚାଷ କରୁଛୁ । ଯାହା ଉତ୍ପାଦନ ହେଉଛି ତାହା ପରିବାରର ଚାରି ସଦସ୍ୟଙ୍କ ପାଇଁ ଯଥେଷ୍ଟ । ବଳକା ଧାନ ଆମେ ବଜାରରେ ବିକ୍ରି କରୁଛୁ ।
ସଙ୍କର ବିହନ ବ୍ୟବହାର କଲେ ଉତ୍ପାଦନ ବଢାଇବାକୁ ସାର ଓ କୀଟନାଶକ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ତେଣୁ ଆମେ ଆଗାମୀ ଋତୁର ଚାଷ ପାଇଁ ବିହନ ସାଇତି ରଖୁଛୁ ।
ପୂର୍ବରୁ ଆଭ୍ୟନ୍ତରୀଣ ଗାଁ ଗୁଡିକର ମହିଳାମାନେ ବିହନ ସଂରକ୍ଷଣ କୌଶଳ ଓ ବିହନ ସାଇତି ରଖିବା
ଜାଣିଥିଲେ ।
ଏହା ସେମାନଙ୍କୁ ଘରେ ଓ ସମ୍ପ୍ରଦାୟରେ ସଶକ୍ତ କରିଥିଲା । ଆଜିକାଲି ଏହି ମହିଳାମାନଙ୍କ ସ୍ୱାମୀମାନେ ସଙ୍କର ବିହନର ବ୍ୟବହାର ଆରମ୍ଭ କରିଥିବାରୁ ବିହନ ସଂରକ୍ଷଣ କୌଶଳ ହଜିଯିବାକୁ ବସିଲାଣି ।
ଭବିଷ୍ୟତ ମହାରଣାଙ୍କ ଅନୁଯାୟୀ ଆଭ୍ୟନ୍ତରୀଣ ଗାଁଗୁଡିକରେ ବିହନ ବ୍ୟାଙ୍କକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ।
ସେହିପରି ମହିଳା ଚାଷୀଙ୍କୁ ବିହନ ସଂରକ୍ଷଣ ଓ ଗଚ୍ଛିତ ରଖିବାର ପଦ୍ଧତି ଶିଖାଇବାର ଆବଶ୍ୟକତା ରହିଛି ।
ଏହା ବିହନ ବଦଳ, ମାଟିର ଉର୍ବରତା ବୃଦ୍ଧିରେ ସହାୟକ ହେବା ସହ କୃଷି ଜୈବ ବିବିଧତା ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ।
ଚାଷୀମାନେ ସଙ୍କର ବିହନ ବୁଣିଲେ ସରକାର ସେମାନଙ୍କୁ ପାଣି, ବିଦୁ୍ୟତ, ଟ୍ରାକ୍ଟର, ସାର, କୀଟନାଶକ, ଜାଳେଣୀ ସବସିଡି ଦେଉଛନ୍ତି ।
ହେଲେ ଦେଶୀ ବିହନ ବୁଣିଲେ କୌଣସି ସବସିଡି ମିଳୁନାହିଁ ବୋଲି ମହାରଣା କହିଛନ୍ତି । ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ସହାୟତା ଯୋଗାଇ ଦେବା ଆବଶ୍ୟକ ।
ଜୈବିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଦରକାର । ଯଦି ଚାଷୀମାନେ ଦେଶୀ ବିହନ ଚୟନ ପାଇଁ ଉପଯୁକ୍ତ ପଦ୍ଧତି ଅନୁସରଣ କରନ୍ତି ତେବେ ସେମାନଙ୍କ ଉତ୍ପାଦନ ବଢିବ ।
ଏହା ମାଟିର ଉର୍ବରତା, ଜୈବ ବିବିଧତା ଓ ମାନବ ଶରୀର ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇବ ବୋଲି ମହାନ୍ତି କହିଛନ୍ତି ।
(ରାକ୍ଷୀ ଘୋଷଙ୍କ ଏହି ଲେଖା “ଭିଲେଜ୍ ସ୍କୋୟାର୍”ରେ ପୂର୍ବରୁ ପ୍ରକାଶ ପାଇଛି।)