• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

Sri Akhanda

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

December 16, 2020 By Sri Akhanda 2 Comments

ଆଦିବାସୀବହୁଳ ମାଲାକାନଗିରି ଜିଲ୍ଲାରେ ଶିକ୍ଷାର ଅବସ୍ଥା ଶୋଚନୀୟ ହୋଇ ପଡିଥିବା ବେଳେ ଏହି ସମୟରେ ଜିଲ୍ଲା ଦୁଇଜଣ ଝିଅ ନିଜ ଉଦ୍ୟମରେ ସ୍ଥାନୀୟ ପିଲାଙ୍କୁ ପାଠ ପଢାଇ ଶିକ୍ଷିତ କରିବା ପାଇଁ ଆଗେଇ ଆସିଛନ୍ତି ।

ଏହି ଦୁଇ ଝିଆ ହେଲେ ଗୋରାସେତୁ ଗାଁର କୁସମଣୀ ଓ ତୋଙ୍ଗପାଲୀ ଗାଁର ନମିତା ।

ଗୋରାସେତୁ ଗାଁର କୁସମଣୀ :

ମାଓ ପ୍ରବଣ ଅଂଚଳ ଚିତ୍ରକୋଣ୍ଡା ବ୍ଲକର ଗୋରାସେତୁ ଗାଁର ୧୯ ବର୍ଷୀୟ ଝିଅ କୁସମଣୀ ଖିଲୋ ।

ମାଓବାଦୀଙ୍କ ଗଡ ଭାବେ ପରିଚିତ ଏହି ଦୁର୍ଗମ ଓ ଉପାନ୍ତ ଅଂଚଳର କୁସମଣୀ କିନ୍ତୁ ଶିକ୍ଷାର ଆଲୋକ ବାଂଟୁଛନ୍ତି ।

କୋରୋନା ସମୟରେ ସ୍କୁଲ ବନ୍ଦ ଥିବାରୁ କୁସମଣୀ ନିଜ ଅଂଚଳର ପିଲାମାନଙ୍କୁ ପଢାଇବା ପାଇଁ ନିଷ୍ପତ୍ତିି ନେବା ସହ ପିଲାମାନଙ୍କୁ ଦୁଇ ଓଳା ପାଠ ପଢାଉଛନ୍ତି ।

ଦିନରେ ଗାଁର ବିଦ୍ୟାଳୟରେ ଓ ରାତିରେ ଅଙ୍ଗନବାଡି କେନ୍ଦ୍ରରେ ଛୋଟ ଛୋଟ ପିଲାଙ୍କୁ ଶିକ୍ଷାଦାନ କରନ୍ତି ସେ ।

କୁସମଣୀ ନିଜେ ଚିତ୍ରକୋଣ୍ଡା ଆବାସିକ ବିଦ୍ୟାଳୟରୁ ହାଇସ୍କୁଲ ପାଠ ପଢା ସାରିଛନ୍ତି ।

ଏବେ ସେ ବାଲିମେଳା ମହାବିଦ୍ୟାଳୟରେ ଯୁକ୍ତ ତିନି କଳାର ତୃତୀୟ ବର୍ଷର ଛାତ୍ରୀ ।

କୋରୋନା ଯୋଗୁଁ ତାଙ୍କ କଲେଜ୍ ବନ୍ଦ ରହିଥିବାରୁ ନିଜ ଅଂଚଳର ପିଲାମାନଙ୍କୁ ପଢାଇବେ ବୋଲି ସେ ସ୍ଥିର କରିଛନ୍ତି । ।

ଘର ଘର ବୁଲି ସେ ପିତାମାତାଙ୍କୁ ବୁଝାଇ ପିଲାମାନଙ୍କୁ ପାଠ ପଢିବା ପାଇଁ ଛାଡିବାକୁ କହିଥିଲେ ।

ବିଶେଷକରି ଝିଅମାନଙ୍କୁ ପାଠ ପଢାଇବା ପାଇଁ ସେ ସମସ୍ତଙ୍କୁ ବୁଝାଉଛନ୍ତି । ଏହା ଫଳରେ ଗାଁର ଅଧିକରୁ ଅଧିକ ଝିଅ ପାଠ ପଢା ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି ।

କୁସମଣୀ କହନ୍ତି, “ମୁଁ ଜଣେ ଝିଅ ହୋଇ ପାଠ ପଢାଉଥିବାରୁ ଗାଁ ଲୋକେ ସେମାନଙ୍କ ଝିଅ ମଧ୍ୟ ପାଠ ପଢୁ ବୋଲି ଭାବୁଛନ୍ତି ଏବଂ ମୋ ପାଖକୁ ପାଠ ପଢିବା ପାଇଁ ଛାଡୁଛନ୍ତି ।

ଝିଅ ମଧ୍ୟ ପୁଅମାନଙ୍କ ପରି ସବୁ କିଛି କରିପାରିବ । ତେଣୁ ଝିଅଙ୍କୁ ଶୀଘ୍ର ବାହା ନଦେବାକୁ ମଧ୍ୟ ମୁଁ ଲୋକଙ୍କୁ ବୁଝାଉଛି ।”

ତୋଙ୍ଗପାଲୀ ଗାଁର ନମିତା :

କୁସମଣୀଙ୍କ ପରି ଆଉ ଜଣେ ଝିଅ ହେଉଛନ୍ତି ଉଡୁପା ପଂଚାୟତର ସୀମାନ୍ତ ତୋଙ୍ଗପାଲୀ ଗାଁର ନମିତା ମାଡକାମୀ ।

ଅର୍ଥ ଅଭାବରୁ ଅଧାରୁ କଲେଜ୍ ପାଠପଢା ଛାଡିଥିଲେ ମଧ୍ୟ ତାଙ୍କର ପାଠ ପଢିବା ଓ ପଢାଇବାର ନିଶା ଯାଇନାହିଁ ।

ସେ ଦୁଇବର୍ଷରୁ ନିଜ ଗାଁ ସ୍କୁଲରେ ପିଲାଙ୍କୁ ପାଠ ପଢାଉଛନ୍ତି । ତାଙ୍କ ପାଠ ପଢା ଶୈଳୀ କୌଣସି ତାଲିମ ପ୍ରାପ୍ତ ଶିକ୍ଷକଙ୍କ ଠାରୁ କମ୍ ନୁହେଁ ।

ବିଶେଷକରି ସ୍ଥାନୀୟ ଭାଷାରେ ସେ ପିଲାଙ୍କ ସହ ଭାବ ବିନିମୟ କରିବା ସହିତ ସେହି ଭାଷାରେ ପିଲାଙ୍କୁ ପାଠ ବୁଝାଉଥିବାରୁ ସେ ପିଲାମାନଙ୍କର ବେଶ୍ ପ୍ରୀୟ ହୋଇପାରିଛନ୍ତି ।

ନମିତା ନିଜେ ବହୁ ସମସ୍ୟାର ସାମ୍ନା କରି ମାଟ୍ରିକ ପର୍ଯ୍ୟନ୍ତ ପଢିଥିଲେ ଏବଂ ଏମଭି-୭୯ କଲେଜ୍ ରେ ନାଁ ଲେଖାଇଥିଲେ ।

କିନ୍ତୁ ଅର୍ଥ ଅଭାବରୁ ସେ ଅଧାରୁ କଲେଜ୍ ପାଠ ଛାଡି ଚାଲି ଆସିଥିଲେ । କିନ୍ତୁ ନିଜେ ପାଠ ପଢିବା ଓ ଅନ୍ୟକୁ ଶିକ୍ଷିତ କରାଇବାର ତାଙ୍କର ଲକ୍ଷ୍ୟ ମଉଳି ନଥିଲା । ସେ ଗାଁର ପିଲାମାନଙ୍କୁ ପାଠ ପଢାଇବା ଆରମ୍ଭ କଲେ ।

ତାଙ୍କର ଆଗ୍ରହ ଦେଖି ଗାଁ ଲୋକେ ତାଙ୍କୁ ସ୍କୁଲରେ ପଢାଇବା ପାଇଁ କହିଲେ । ଏବେ ସେ ସ୍କୁଲରେ ପାଠ ପଢାଉଛନ୍ତି ।

ତାଙ୍କୁ ଗାଁ ଲୋକେ ମାସିକ ଏକ ହଜାର ଟଙ୍କା ପାରିଶ୍ରମିକ ଆକାରରେ ଦେଉଛନ୍ତି । ଏହି ଟଙ୍କା ସଂଚୟ କରି ସେ ଆଗକୁ ନିଜ ପାଠପଢା ସାରିବେ ବୋଲି କହିଛନ୍ତି ।

ଏନେଇ ନମିତା କୁହନ୍ତି, ମୁଁ ପ୍ରାଥମିକ ସ୍କୁଲରେ ପଢିବା ବେଳେ ବହୁ ସମସ୍ୟାରେ ଗତି କରିଛି ।

ତେବେ ଏହି ସମସ୍ୟା ଆମ ଗାଁର ପିଲାମାନେ ନ ଭୋଗନ୍ତୁ, ସେଥିପାଇଁ ମୁଁ ପିଲାମାନଙ୍କୁ ପଢାଇବା ପାଇଁ ଆଗକୁ ବାହାରିଛିା ଏହା ମୋତେ ଖୁସୀ ଦେଉଛି ଯେ ମୋତେ ଦେଖି ଅନ୍ୟ ପିଲାମାନେ ବିଶେଷକରି ଝିଅମାନେ ପାଠ ପଢିବାକୁ ଆଗକୁ ଆସୁଛନ୍ତି ।

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଯାହା ଅନ୍ୟମାନଙ୍କୁ ବିକାଶର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛି ।

Filed Under: Odia, Special, ବିଶେଷ Tagged With: Special, ଓଡିଶା, ବିଶେଷ, ଭୁବନେଶ୍ୱର, ମାଲକାନଗରି, ମାଲକାନାଗିରି

ସମ୍ମାନ ପାଇଁ ଲଢିଲେ ସୁଭଦ୍ରା, ହସି ଉଠିଲା ସଂସାର (ବିଶେଷ)

December 3, 2020 By Sri Akhanda Leave a Comment

ଭୁବନେଶ୍ୱର, ଡିସେମ୍ବର ୩ : ସମାଜରେ ନାରୀ ନିର୍ଯାତନା ମାମଲା ଦିନକୁ ଦିନ ବୃଦ୍ଧି ପାଉଥିଲେ ସୁଦ୍ଧା ଏହା ବିରୋଧରେ ପ୍ରତିବାଦର ସ୍ୱର ଉଠାଇବା ମଧ୍ୟ ଅନେକ ଶିଖିଗଲେଣି । ସେହିଭଳି ଜଣେ ସଫଳ ଏବଂ ମର୍ଯ୍ୟାଦାବାନ୍ ମହିଳା ହେଉଛନ୍ତିି ସୁଭଦ୍ରା ମୁଦୁଲି ।

ସୁଭଦ୍ରା ନିଜ ଶାଶୁ ଘରର ନିର୍ଯାତନା ବିରୋଧରେ ସ୍ୱର ଉଠାଇବା ପରେ ଏବେ ଖୁସୀର ଜୀବନ ବିତାଇବା ସହ ତାଙ୍କର ଅଧିକାରକୁ ସାବ୍ୟସ୍ତ କରିଛନ୍ତି । ଆଉ ଏଥିରେ ତାଙ୍କୁ ସାହାଯ୍ୟ କରିଛନ୍ତି ଜଣେ ମହିଳା ସ୍ୱେଚ୍ଛାସେବୀ ।

ଭଦ୍ରକ ଜିଲ୍ଲା ବାସୁଦେବପୁର ଗ୍ରାମର ସୁଭଦ୍ରା ମୁଦୁଲି ୨୦୧୯ରେ ଯାଜପୁର ରୋଡ୍ ତାରାପୁର ଗ୍ରାମର ପୃଥୀରାଜ ବେହେରାଙ୍କୁ ବିବାହ କରିଥିଲେ । ଘରେ ଶାଶୁ, ଶ୍ୱଶୁରଙ୍କ ସହ ଭଲରେ ଜୀବନ କାଟୁଥିଲେ ସୁଭଦ୍ରା ।

କିନ୍ତୁ କିଛି ମାସ ପରେ ସୁଭଦ୍ରାଙ୍କୁ ଶାଶୁ, ଶ୍ୱଶୁର ଓ ସ୍ୱାମୀ ହଇରାଣ କରିବା ଆରମ୍ଭ କରିଥିଲେ ବୋଲି ସୁଭଦ୍ରା କହନ୍ତି । ସ୍ୱାମୀ ନିଶାଗ୍ରସ୍ତ ହୋଇ ଘର ଆସି ତାଙ୍କୁ ମାରପିଟି ମଧ୍ୟ କଲେ ।

ଏହା ବିରୋଧରେ ସୁଭଦ୍ରା ସ୍ୱର ଉଠାଉଥିଲେ । ହେଲେ ଶାଶୁଘର ଲୋକଙ୍କ ସମର୍ଥନ ମିଳିନଥିଲା ।

ଇତିମଧ୍ୟରେ ତାଙ୍କର ଗୋଟିଏ ପୁଅଟିଏ ହୋଇଥିଲା । ପୁଅକୁ ଲାଳନପାଳନ କରିବା ପାଇଁ ସବୁ କଷ୍ଟ ସହି ସେ ରହିବାକୁ ସ୍ଥିର କରିଥିଲେ । କିନ୍ତୁ ଦିନକୁ ଦିନ ତାଙ୍କ ଉପରେ ନିର୍ଯାତନା ବଢିବାକୁ ଲାଗିଲା ।

ତେଣୁ ସେ ଜୁଲାଇ ୨୦୨୦ରେ ଶାଶୁଘର ଛାଡି ଭୁବନେଶ୍ୱରର ଏକ ବସ୍ତିରେ ରହୁଥିବା ତାଙ୍କ ମାଉସୀ ଘରକୁ ଚାଲି ଆସିଲେ । ସେତେବେଳକୁ ତାଙ୍କ ପୁଅର ବୟସ ମାତ୍ର ୭ ମାସ ହୋଇଥାଏ ।

ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଥିଲେ । ବାରମ୍ବାର ସେଠାକୁ ଦୌଡିଲେ ମଧ୍ୟ କୌଣସି କାର୍ଯାନୁଷ୍ଠାନ ହୋଇନଥିଲା ।

ପରେ ସେ ମହିଳା କମିଶନଙ୍କ ନିକଟରେ ମଧ୍ୟ ଦରଖାସ୍ତ ଦେଇ କମିଶନଙ୍କ ହସ୍ତକ୍ଷେପ ଲୋଡିଥିଲେ । କିନ୍ତୁ ଏହି ପ୍ରକ୍ରିୟା ମଧ୍ୟ ଯଥେଷ୍ଟ ବିଳମ୍ବ ହେଲା ।

ଏହା ଭିତରେ ସେ ନିଜର ଗୁଜରାଣ ମେଂଟାଇବା ପାଇଁ ଅନ୍ୟମାନଙ୍କ ଘରେ କାମ କରିବା ଓ ସଂଧ୍ୟାରେ ଅଗରବତୀ ପ୍ରସ୍ତୁତି କାମ କରି କିଛି ରୋଜଗାର କରିବା ଆରମ୍ଭ କଲେ । କିନ୍ତୁ ନ୍ୟାୟ ପାଇବା ପାଇଁ ସଂଗ୍ରାମ ଜାରି ରଖିଥାନ୍ତି ସୁଭଦ୍ରା ।

କେତେବେଳେ ଥାନାକୁ ଯିବା ତ ଆଉ କେତେବେଳେ ମହିଳା କମିଶନଙ୍କ ପାଖକୁ ଯାଇ ନିଜ ଅଭିଯୋଗର ସ୍ଥିତି ପଚାରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରୁଥିଲେ ।

ମହିଳା ସଂଗଠନର ସମାଜସେବୀଙ୍କର ମଧ୍ୟ ସହଯୋଗ ଲୋଡିଥିଲେ । କିନ୍ତୁ କେବଳ ମିଳିଥିଲା ପ୍ରତିଶ୍ରୁତି । ଦିନ ପରେ ଦିନ ଗଡି ଚାଲିଲା ।

ସେ ଏହି ଲେଖକଙ୍କ ଠାରୁ ଖବର ପାଇ ଭୁବନେଶ୍ୱରର ସମ୍ପର୍କ ଫାଉଣ୍ଡେସନ ସହ ଫୋନ୍‌ରେ ଯୋଗାଯୋଗ କଲେ ।

ଏହାର ନିର୍ଦ୍ଦେଶିକା ପ୍ରଜ୍ଞାଜ୍ୟୋତି ଦାସ ଏହି ଘଟଣାର ଗୁରୁତ୍ୱକୁ ବିଚାର କରି ତୁରନ୍ତ ସେ ରହୁଥିବା ଘରେ ପଂହଚିଲେ ଏବଂ ସବୁ ଘଟଣା ସମ୍ପର୍କରେ ଜାଣିଲେ ।

ଏହା ପରେ ଅକ୍ଟୋବର ମାସରେ ସୁଭଦ୍ରାଙ୍କୁ ସାଥିରେ ନେଇ ସମ୍ପର୍କ ଫାଉଣ୍ଡେସନର ଏକ ଟିମ୍ ତାଙ୍କ ଶ୍ୱଶୁର ଘର ଯାଜପୁର ରୋଡକୁ ଯାଇଥିଲେ ।

ଏ ସମ୍ପର୍କରେ ପ୍ରଜ୍ଞା କୁହନ୍ତି, ଆମ ଟିମ୍ ଆଗରେ ସୁଭଦ୍ରାଙ୍କ ସ୍ୱାମୀ ଓ ଶାଶୁ ଘର ଲୋକେ ତାଙ୍କୁ ଘରକୁ ଆଣିବା ପାଇଁ ରାଜି ହେଲେ ।

ଆମେ ଭାବିଲୁ ସବୁ ଠିକ୍ ହୋଇଯିବ । କିନ୍ତୁ କିଛି ଦିନ ଅପେକ୍ଷା କରିବା ପରେ ସେ ସୁଭଦ୍ରାଙ୍କୁ ନେବାକୁ ଆସିଲେ ନାହିଁ।”

ଏହି ଉଦ୍ୟମଟି ବିଫଳ ହେଲା । ଏହାର ସପ୍ତାହକ ପରେ ଗତ ନଭେମ୍ବର ୨ ତାରିଖରେ ପ୍ରଜ୍ଞାଙ୍କ ଟିମ୍ ସୁଭଦ୍ରାଙ୍କୁ ସାଥିରେ ନେଇ ଯାଜପୁର ରୋଡ୍ ଥାନାରେ ପଂହଚିଲେ ଏବଂ ଥାନାରେ ଲିଖିତ ଆକାରରେ ଜଣାଇଲେ ।

ପୋଲିସ୍ ସୁଭଦ୍ରାଙ୍କ ସ୍ୱାମୀ ପୃଥୀରାଜଙ୍କୁ ଥାନାକୁ ଡକାଇଲେ । ଏହାପରେ ସେ ଆପୋଷ ସମାଧାନ ମଧ୍ୟରେ ଏହି ଘଟଣାକୁ ଫଇସଲା କରିବାକୁ ରାଜିହେଲେ ।

ଥାନାରେ ହିଁ ସେମାନଙ୍କ ମଧ୍ୟରେ ଏକ ବୁଝାମଣା ହେଲା । ୧୫ ଦିନ ମଧ୍ୟରେ ସେ ସୁଭଦ୍ରାଙ୍କୁ ଘରକୁ ନେବେ ବୋଲି କହିଲେ ଏବଂ ଘର କଳି ଯେପରି ନହେବେ ଏକ ସ୍ୱତନ୍ତ୍ର ଭଡାଘରେ ସ୍ତ୍ରୀଙ୍କୁ ସମ୍ମାନ ଓ ମର୍ଯ୍ୟଦାର ସହ ରଖିବାକୁ ସେ ରାଜିହେଲେ ।

ବୁଝାମଣା ମୁତାବକ ସେ ସୁଭଦ୍ରାଙ୍କୁ ଏବେ ଫେରାଇ ନେଇଛନ୍ତି । ଏ ସମ୍ପର୍କରେ ସୁଭଦ୍ରା କହନ୍ତି, “ସମ୍ପର୍କ ଫାଉଣ୍ଡେସନ୍ ଯୋଗୁଁ ମୁଁ ସଂସାର ଫେରିପାଇଲି ।

ନହେଲେ ସ୍ୱାମୀଙ୍କ ପାଖକୁ ଆସିବି ବୋଲି ତ ମୁଁ ଆଉ ଭାବି ନଥିଲି ।” ସ୍ୱାମୀ ମଧ୍ୟ ସ୍ତ୍ରୀ ଓ ପୁଅଙ୍କୁ ପାଖରେ ପାଇ ବେଶ୍ ଖୁସୀ ଅଛନ୍ତି ।

ସୁଭଦ୍ରାଙ୍କ ଦୃଢ ମନୋବଳ ଓ ନାରୀମାନଙ୍କ ଅଧିକାର ରକ୍ଷାପାଇଁ ପ୍ରଜ୍ଞାଙ୍କ ଏହି ପ୍ରୟାସ ଅନ୍ୟ ମହିଳାମାନଙ୍କ ପାଇଁ ଏକ ବଳିଷ୍ଠ ଉଦାହରଣ ।

ପ୍ରସ୍ତୁତି – ଶ୍ରୀ ଅଖଣ୍ଡ

(ଲେଖକ ଜଣେ ସାମ୍ବାଦିକ ଓ ସମାଜସେବୀ । ସେ ମହିଳାସଶକ୍ତିକରଣ, ମାନବିକ ଅଧିକାର ଆଦି ବିକାଶଶୀଳ ପ୍ରସଙ୍ଗ ଉପରେ ଲେଖନ୍ତି )

Filed Under: Odia, Special, ବିଶେଷ Tagged With: P, Special, ଓଡିଶା, ବିଶେଷ, ଭଦ୍ରକ, ଭୁବନେଶ୍ବର

କୋଭିଡ୍ ସମୟରେ ସାହାରା ପାଲଟିଛନ୍ତି ଏସଏଚଜି ଗ୍ରୁପ୍‌ର ମହିଳା

September 23, 2020 By Sri Akhanda Leave a Comment

ଓଡ଼ିଶାରେ କରୋନା ସମୟରେ ଗାଁ, ଗାଁରେ ଲୋକଙ୍କୁ ସଚେତନତା କରାଇବା ଓ ଲକ୍ଷ ଲକ୍ଷ ସଂଖ୍ୟାର ମାସ୍କ ଆବଶ୍ୟକତା ପୂରଣ କରିବା ପାଇଁ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ(ଏସଏଚଜି)ର ମହିଳାମାନେ ଆଗେଇ ଆସିବା ସହ କରୋନାର ପ୍ରଥମ ପର୍ଯ୍ୟାୟରୁ ଆଜି ପର୍ଯ୍ୟନ୍ତ ଆଗଧାଡିର ଜଣେ ଜଣେ ଯୋଦ୍ଧା ହୋଇ ଛିଡା ହୋଇଛନ୍ତି ।

ରାସନ, ରନ୍ଧା ଖାଦ୍ୟ ଓ ମାସ୍କ ଯୋଗାଣ :

ଲକଡାଉନ୍ ସମୟରେ ଲୋକେ ଘରୁ ବାହାରି ପାରୁନଥିଲେ । ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଖାଇବାକୁ ମଧ୍ୟ ମିଳୁନଥିଲା ।

ତେଣୁ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ ।

ଆଉ ଏହି କାମ କରିଥିଲେ ଏସଏଚଜି ସଦସ୍ୟମାନେ । ରାଜ୍ୟରେ ପ୍ରାୟ ଦେଢ କୋଟି ଲୋକଙ୍କୁ ସେମାନେ ରନ୍ଧାଖାଦ୍ୟ ଦେଇଥିଲେ ।

ଅନେକ ସ୍ଥାନରେ ମହିଳାମାନେ ରାସନ ସାମଗ୍ରୀ ଘର ପାଖରେ ଉପଲବ୍ଧ କରାଇଥିଲେ । ଲୋକଙ୍କ ପାଖରେ ପରିବାପତ୍ର ପହଞ୍ଚାଇଥିଲେ ।

ସରକାରଙ୍କ ତଥ୍ୟ ଅନୁଯାୟୀ ୭୦୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ସେବା ଯୋଗାଇଦେବାକୁ ବାହାରି ଆସିଥିଲେ ।

ସେମାନେ ଶୁଖିଲା ରାସନ୍ ଓ ପରିବା ଦୋକାନ ଚାଲୁ କରିଥିଲେ । ସାମଗ୍ରୀ ପହଞ୍ଚାଇବା ପାଇଁ ସେମାନଙ୍କ ମଧ୍ୟରୁ ୧୩୦ଟି ଗୋଷ୍ଠୀ ମୋବାଇଲ୍ ଭ୍ୟାନ୍ ବ୍ୟବାହାର କରୁଥିଲେ ।

ରାଜ୍ୟରେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପ୍ରାୟ ୮୦ ହଜାର ଶ୍ରମିକଙ୍କ ପାଇଁ ୨୫୫୩ ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ସହିତ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିଲା ବୋଲି କହିଥିଲେ ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତିକେୟନ୍ ।

ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେବା :

କୋଭିଡ୍ ମୁକାବିଲା ପାଇଁ କ୍ୱାରେଣ୍ଟାଇନ୍ କେନ୍ଦ୍ର ଓ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ମଧ୍ୟ ଏହି ମହିଳା ଗୋଷ୍ଠୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ।

ପ୍ରତି ପଞ୍ଚାୟତରେ ହୋଇଥିବା ଏହି କେନ୍ଦ୍ରଗୁଡିକରେ ଗୋଟିଏ ଗୋଟିଏ ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯାଇଥିଲା ।

ଏମାନେ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ଲୋକମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି କରି ଯୋଗାଉଥିଲେ। ସେଠାରେ ପାନୀୟ ଜଳ ଉପଲବ୍ଧ କରାଉଥିଲେ ।

ଏହା ସହ ସେଠାକାର ପରିବେଶ ଓ ପରିମଳ ବ୍ୟବସ୍ଥାକୁ ମଧ୍ୟ ଉନ୍ନତି କରିଥାନ୍ତି । ଯାହା ଫଳରେ ରୋଗ ସଂକ୍ରମଣର ଆଶଙ୍କା କମିଥିଲା ।

ମହିଳାଙ୍କ ସେବା ଫଳରେ ଦୁଇଟି ସୁବିଧା ହୋଇଛି । ପ୍ରଥମରେ କୋଭିଡ୍ ସମୟରେ ଯେଉଁ ଜରୁରୀ ସେବା ଆବଶ୍ୟକ ଥିଲା, ତାହା ମିଳିପାରିଛି ଏବଂ ଯେଉଁ ମହିଳା ଗୋଷ୍ଠୀ ଏହି ସେବା ଯୋଗାଇଦେଲେ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ବୋଲି କହନ୍ତି ମହିଳା ଗୋଷ୍ଠୀର ଜଣେ ସଦସ୍ୟ ପୁଷ୍ପଲତା ।

ପଂଚାୟତ ଅଂଚଳରେ ସବୁ ପ୍ରକାର ସେବା ଯୋଗାଇବା ପାଇଁ ମହିଳାମାନଙ୍କର ଆବଶ୍ୟକତା ପଡିଛି ।

ସେମାନେ ବହୁ ସଂଖ୍ୟାରେ ମାସ୍କ ପ୍ରସ୍ତୁତି କରି ପ୍ରଥମ ପର୍ଯାୟରେ ଥିବା ଅଧିକ ଚାହିଦାକୁ ପୂରଣ କରିପାରିଥିଲେ ।

ଏହି କାମ ପାଇଁ ସେମାନେ ଦିନ ରାତି ଏକ କରିଦେଇଥିଲେ ବୋଲି କୁହନ୍ତି ଜଗତସିଂହପୁର ଅଂଚଳର ମନୋରମା ମହାପାତ୍ର ।

ଏବେ ବି ମାସ୍କ ପ୍ରସ୍ତୁତି ଚାଲିଛି ଓ ସଚେତନତା ଚାଲିଛି । କୋରନା ଶେଷ ନହେବା ପର୍ଯ୍ୟନ୍ତ ଏହି ଏସଏସଜି ଗ୍ରୁପର କାମ ଶେଷ ହେବ ନାହିଁ ।

ରିପୋର୍ଟ – ଅଖଣ୍ଡ

(ଶ୍ରୀ ଅଖଣ୍ଡ ହେଉଛନ୍ତି ଜଣେ ଜଣାଶୁଣା ସାମ୍ବାଦିକ ଓ ସାମାଜିକ କର୍ମୀ । ଲାଡଲି ମିଡିଆ ଫେଲୋ ଭାବେ ସେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏଥିରେ ଥିବା ମତ ତାଙ୍କର ନିଜସ୍ୱ । ଲାଡଲି ଓ ୟୁଏନଏଫପିଏ ଏହାକୁ ସମର୍ଥନ କରିବା ଜରୁରୀ ନୁହେଁ)

Filed Under: Odia Tagged With: ଓଡିଶା

କରୋନା ଗହଳିରେ ଚର୍ଚ୍ଚାକୁ ଆସିନଥିବା କାହାଣୀ:ଭୋକ ଉପାସରେ ଆରପାରିକୁ ଚାଲିଗଲେ ଦୁଃଖି

September 7, 2020 By Sri Akhanda Leave a Comment

ନୟାଗଡ, ସେପ୍ଟେମ୍ବର ୭ ( ଲୋକାଲ ୱାୟାର) : କରୋନା ପରିସ୍ଥିତିକୁ ମୁକାବିଲା କରିବା ଲାଗି ସରକାର ଜାରି କରିଥିବା ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ କଟକଣା ଭିତରେ ବହୁ ଲୋକ ନିଜ ଜୀବିକା ହରାଇଥିବା ବେଳେ ନୟାଗଡ ଜିଲ୍ଲାରେ ଜଣେ ମହିଳା ଅନାହାରରେ ଗତ ଜୁନ ୨୪ରେ ପ୍ରାଣ ହରାଇଥିବା ତାଙ୍କ ପଡୋଶୀ ମାନେ କହିଥିବା ବେଳେ ସ୍ଥାନୀୟ ପ୍ରଶାସନ ଏହାକୁ ଖଣ୍ଡନ କରିରିଛନ୍ତି।

ଏହି ମହିଳା ଜଣକ ହେଲେ ନୂଆଗାଁ ବ୍ଲକ ଜାକେଡା ପଞ୍ଚାୟତର କଳିଆମ୍ବା ଗାଁର ଦୁଃଖି ଜାନୀ । ମୃତ୍ୟୁ ବେଳକୁ ତାଙ୍କ ବୟସ ଥିଲା ୪୬ ବର୍ଷ ।

ସେ କୌଣସି ରୋଗରେ ପୀଡିତ ନଥିଲେ । ପ୍ରଶାସନ ଏହାକୁ ସ୍ଵାଭାବିକ ଅଥବା ରୋଗ ଜନିତ ମୃତ୍ୟୁ ଭାବେ ଦେଖାଉଥିବା ବେଳେ ଦୁଃଖୀ ଜାନୀଙ୍କ ଅତୀତ ଦର୍ଶାଉଛି ତାଙ୍କ ସଂଘର୍ଷ ମୟ ଜୀବନର କଥା ।

କମ ବୟସରେ ବିବାହ

ପଡୋଶୀ କହନ୍ତି କମ୍ ବୟସରେ ତାଙ୍କ ବିବାହ କରିଦେଇଥିଲେ ପରିବାର ଲୋକ । ତାଙ୍କ ଶାଶୁଘର ଥିଲା ପାଖ ନେଳିସାହିରେ ।

ଶାଶୁଘରୁ ସେ ନିର୍ଯାତନା ପାଇଥିବା ଅଭିଯୋଗ ହୋଇଥିବା ବେଳେ ସେ ସହି ନପାରି ଦାଦନ ଖଟିବାକୁ ଚାଲିଯାଇଥିଲେ ଝାନସୀ ସହରକୁ ।

ସେଠାରେ କେବଳ ପେଟକୁ ଗଣ୍ଡେ ଖାଇବାକୁ ମିଳୁଥିଲା ଓ ଖଟଣି ଅଧିକ ଥିଲା । ଯାହା ହେଉ ସେଠାରେ ୭ ବର୍ଷ ରହି ଗାଁକୁ ଫେରିଲା ବେଳକୁ ତାଙ୍କର କେହି ନ ଥିଲେ।

ବାପା, ମା, ଭାଇଭଉଣୀମାନେ ସମସ୍ତେ ଆରପାରିକୁ ଚାଲିଯାଇଥିଲେ ।

ଦୁଃଖୀଙ୍କ ପାଖରେ କେବଳ ମୋଟ ୭ଟି ଜିନିଷ ହିଁ ତାଙ୍କର ସମ୍ବଳ ଥିଲା । ଏଥିରେ ଥିଲା ଖାଇବା ପାଇଁ ଦୁଇଟି ବାସନ, କୁଲା, ପ୍ଲାଷ୍ଟିକ୍ ବାଲଟି ଓ ଅନ୍ୟାନ୍ୟ ବାଉଁଶ ତିଆରି ସାମଗ୍ରୀ ।

ଗରିବଙ୍କ ପାଇଁ ସରକାରଙ୍କ ଥିବା ମାଳ ମାଳ ଯୋଜନା ଦୁଃଖୀ ଜାନିଙ୍କ ପାଖରେ ପହଞ୍ଚିବା ସାତ ସପନ ଥିଲା । ତାଙ୍କ ଘରେ ନ ଥିଲା ଚାଉଳ, ନା ପରିବା ନା ଅନ୍ୟ କିଛି ଖାଦ୍ୟଦ୍ରବ୍ୟ ।

ତାଙ୍କ ମୃତ୍ୟୁ ପରେ ସାହି ଲୋକ ଖୋଜିବା ବେଳେ ଗୋଟିଏ ପଲିଥିନରୁ ପାଇଥିଲେ ଆଧାରକାର୍ଡର ସ୍ଲିପ୍‌, ଭୋଟର କାର୍ଡ, ଅନ୍ନପୂର୍ଣ୍ଣା କାର୍ଡ, ଜମି ପଟ୍ଟା । ତାଙ୍କ ହାଣ୍ଡିଶାଳର ଚିତ୍ରରୁ ଜଣାପଡୁଥିଲା ଅନେକ ଦିନ ହେଲାଣି ଚୁଲି ଜଳିନି ।

ଲକଡାଉନ୍ ସମୟରେ କିଛି ମିଳିଲାନି :

ରାଜ୍ୟରେ କୌଣସି ସରକାରୀ କାମ ହେବା ପାଇଁ ଖୋଜାଲୋଡା ଦରକାର ପଡେ । କିନ୍ତୁ ଏକୁଟିଆ ମହିଳାଙ୍କ ପାଇଁ ଏସବୁ କାମ କିଏ ବା କରିବ ।

ତେବେ ୨୦୧୮ରେ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଘରଟିଏ ମିଳିଥିଲା ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ ତ୍ରିଲୋଚନ ସାହୁ । କିନ୍ତୁ ତାହା ସଂପୂର୍ଣ୍ଣ ହୋଇନଥିଲା ।

୨୦୧୬ରେ ତାଙ୍କୁ ଅନ୍ନପୂର୍ଣ୍ଣା କାର୍ଡ ମଧ୍ୟ ମିଳିଥିଲା । ଯେଉଁଥିରେ ତାଙ୍କୁ ୧୦ କିଲୋଗ୍ରାମ ଚାଉଳ ମିଳିବା କଥା । ତାଙ୍କୁ ଶେଷଥର ପାଇଁ ନଭେମ୍ବର ୨୦୧୮ରେ ହିଁ ଚାଉଳ ମିଳିଥିଲା ଏହା ମିଳିଥିବା ତାଙ୍କ କାଗଜପତ୍ରରୁ ଜଣା ପଡେ ।

ତାପରଠାରୁ ଆଉ ଚାଉଳ ମିଳିନାହିଁ ବୋଲି କାର୍ଡରୁ ଜଣାପଡିଛି । ବାରମ୍ବାର ଦୌଡିଦୌଡି ମଧ୍ୟ ତାଙ୍କୁ ଅନ୍ତୋଦୟ ଅନ୍ନ ଯୋଜନା କାର୍ଡ ମିଳିପାରିନଥିଲା ।

ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ଫେବୃୟାରୀ ୨୪ରେ ତାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ କାର୍ଡ ମିଳିଥିଲା । କିନ୍ତୁ ସେଥିରେ ତାଙ୍କୁ କୌଣସି ଚାଉଳ ମିଳିନଥିଲା ।

ଏମ୍‌ଜିଏନଆରଜି ଅଧିନରେ ମଧ୍ୟ ତାଙ୍କୁ ଜବ୍ କାର୍ଡ ଦିଆଯାଇନଥିଲା । ତେଣୁ ସେ କୌଣସି ରୋଜଗାର କରିପାରୁନଥିଲେ ।

ଲକଡାଉନ୍ ସମୟରେ ସେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମଧ୍ୟ କୌଣସି ସହାୟତା ପାଇପାରିଲେ ନାହିଁ ।

ଯାହା ତାଙ୍କୁ ଅନାହାର ଭିତରକୁ ଠେଲିଦେଇଥିଲା ବୋଲି ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ ସମିତ୍ ପଣ୍ଡା ।

ଭୋକ ଉପାସରେ ରହିବା ପରେ ଏହି ଅଭାବଗ୍ରସ୍ତ ମହିଳାଙ୍କ ମୃତ୍ୟୁ ଘଟିଥିବ ସେ କହିଛନ୍ତି।

ଚାରିଦିନ ଧରି ଖଇନଥିବା ଅଭିଯୋଗ

ଅନ୍ନପୂର୍ଣ୍ଣା ଯୋଜନାରେ ମିଳୁଥିବା ୧୦ କିଲୋ ଚାଉଳ ହିଁ ତାଙ୍କର ଜୀବିକା ନିର୍ବାହ କରିବାର ମୁଖ୍ୟ ସାଧନ ଥିଲା ।

କିନ୍ତୁ ଏହି କାର୍ଡକୁ ମଧ୍ୟ ବାତିଲ କରିଦିଆଯାଇଥିଲା ବୋଲି ପଡୋଶୀ ଶୀଶିଳା କହିଛନ୍ତି । ତେଣୁ ଦୁଃଖୀଙ୍କ ଦୁଃଖ ଆହୁରି ବଢିଯାଇଥିଲା ।

ସେ ଜଙ୍ଗଲରୁ କାଠ, ଫଳ ଆଦି ଆଣି ଅନ୍ୟମାନଙ୍କୁ ବିକି କିଛି ପଇସା ପାଏ ଓ ସେଥିରେ ଚଳେ । ମଝିରେ ମଝିରେ ସାହିଲୋକଙ୍କ ଘରେ ଖାଇଦିଏ ।

ତେବେ କାହାକୁ ଖାଇବାକୁ ସେ ସହଜରେ ମାଗେନାହିଁ, ବଂର ଭୋକରେ ଶୋଇପଡେ ।

ଗାଁର ଆଶାକର୍ମୀ ଶାନ୍ତିଲତା ମଲ୍ଲିକଙ୍କ କହିଛନ୍ତି ଯେ, ଦୁଃଖୀ ଅତି ପତଳା ଓ ଦୁର୍ବଳ ଥିଲେ ମଧ୍ୟ ତାଙ୍କ ଦେହରେ କୌଣସି ରୋଗ ନଥିଲା ।

ଅଙ୍ଗନବାଡି କର୍ମୀ ବାସନ୍ତି ବେହରା କୁହନ୍ତି, ଲକଡାଉନର ପ୍ରଥମ ପର୍ଯ୍ୟାୟରେ ଅଳ୍ପ ଦିନ ପାଇଁ ଦୁଃଖୀଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଥିଲା । କିନ୍ତୁ ପଡୋଶୀମାନେ ଏହାକୁ ଅସ୍ୱୀକାର କରିଛନ୍ତି ।

ଜୁନ୍ ୨୧ରେ ସୂର୍ଯ୍ୟ ପରାଗ ପଡିଥିଲା, ସେହି ଦିନରୁ ସେ କିଛି ବି ଖାଇନଥିଲା ।

ଘରେ ଚାଉଳ ଆଦି ନଥିବାରୁ ରୋଷେଇ ହୋଇପାରିନଥିଲା । ଭୋକରେ ରହି ରହି ୨୪ ତାରିଖରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ।

କନ୍ଧ ରିତିନୀତି ଅନୁଯାୟୀ ତାଙ୍କର ଶେଷକୃତ୍ୟ ହୋଇପାରିନଥିଲା ।

ତାଙ୍କର କେହି ଉତ୍ତରାଧିକାରୀ ନଥିବାରୁ ଅଗ୍ନିରେ ସତ୍କାର ହେବା ପରିବର୍ତେ ତାଙ୍କୁ ମାଟିରେ ପୋତି ଦିଆଯାଇଥିଲା ।

ଦାୟୀ କିଏ ?

ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ କାହାକୁ ଭୋକରେ ମରିବାକୁ ଦିଆଯିବ ନାହିଁ ।

କିନ୍ତୁ ଭୋକରେ କେହି ମଲେ, ସେଥିପାଇଁ ଦାୟୀ କିଏ, କାହିଁକି ଏଭଳି ଘଟିଲା ତାହାର ତଦନ୍ତ ହେବା ଉଚିତ ବୋଲି ଜଣେ ସାମାଜିକ କର୍ମୀ କହିଛନ୍ତି ।

ଦୁଃଖୀଙ୍କ ମୃତ୍ୟୁ ଘଟଣାରେ ମଧ୍ୟ ସେୟା ଘଟିଛି । ବ୍ଲକସ୍ତରୀୟ ଅଫିସରମାନେ ସବୁ କାଗଜପତ୍ର ପ୍ରସ୍ତୁତ କରି ନିଜକୁ ଦୋଷହୀନ ବୋଲି ସଫେଇ ଦେଇସାରିଥିବା ସେ ଅଭିଯୋଗ କରିଛନ୍ତି  ।

ଏହି ଘଟଣାର ତଦନ୍ତ କରାଯାଇନାହିଁ । କୋଭିଡ୍ ସମୟରେ ଜଣେ ଏକୁଟିଆ ମହିଳାଙ୍କ ଭୋକପାଉସରେ ପ୍ରାଣ ଛାଡିଯାଉଛି, ତାହାର ଅନୁସନ୍ଧାନ କରିବା ବଦଳରେ ଏହାକୁ ଏକ ସ୍ୱାଭାବିକ ମୃତ୍ୟୁ ବା ରୋଗଜନିତ ମୃତ୍ୟୁ ବୋଲି କହି ବନ୍ଦ କରିଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।

ଓଡିଶା ରିଲିଫ୍ କୋଡ୍ ଅନୁଯାୟୀ ଅନାହର ମୃତ୍ୟୁ ଅଭିଯୋଗ କ୍ଷେତ୍ରରେ ତହସିଲଦାର କିମ୍ବା ଅଧିକ ପାହ୍ୟାର ଅଫିସରଙ୍କ ଦ୍ୱାରା ଏହାର ତଦନ୍ତ ହେବ ଏବଂ ପୋଷ୍ଟମର୍ଟମ ରିପୋର୍ଟକୁ ମଧ୍ୟ ତଦନ୍ତ ବେଳେ ଗୁରୁତ୍ୱ ଦିଆଯିବ ବୋଲି ସରକାର କହିଛନ୍ତି।

କିନ୍ତୁ ଏସବୁ କିଛି କରାଯାଇନ ଥିବା ସେ ଅଭିଯୋଗ କରିଛନ୍ତି।

(ଶ୍ରୀ ଅଖଣ୍ଡ ହେଉଛନ୍ତି ଜଣେ ଜଣାଶୁଣା ସାମ୍ବାଦିକ ଓ ସାମାଜିକ କର୍ମୀ । ଲାଡଲି ମିଡିଆ ଫେଲୋ ଭାବେ ସେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏଥିରେ ଥିବା ମତ ତାଙ୍କର ନିଜସ୍ୱ । ଲୋକାଲ ୱାୟାର,ଲାଡଲି ଓ ୟୁନଏଫପିଏ ଏହାକୁ ସମର୍ଥନ କରିବା ଜରୁରୀ ନୁହେଁ)

Filed Under: Odia, ବିଶେଷ Tagged With: ଓଡିଶା, କରୋନା, ନୟାଗଡ଼, ବିଶେଷ

କରୋନା ପ୍ରଭାବ:ରାଜ୍ୟରେ ବଢୁଛି ବାଲ୍ୟ ବିବାହ, ଧାର୍ ଟଙ୍କା ବଦଳରେ ନାବାଳିକା କନ୍ୟା ଦାନ !

August 7, 2020 By Sri Akhanda Leave a Comment

କରୋନା ମହାମାରୀ ଲୋକମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେବା ସହ ପୂର୍ବରୁ ଥିବା କେତେକ ସାମାଜିକ ବ୍ୟାଧିକୁ ଆହୁରି ଉତ୍କଟ କରିଦେଇଛି ।

ବାଲ୍ୟ ବିବାହ ଭଳି ଘଟଣା ଏବେ ସାମ୍ନାକୁ ଆସୁଛି । ମହାମାରୀ ସମୟରେ ଲୋକମାନଙ୍କ ଆର୍ଥିକ ସ୍ଥିତି ଖରାପ ହୋଇଯାଇଥିବା ବେଳେ ଭବିଷ୍ୟତରେ ଝିଅକୁ ବିବାହ କରିପାରିବେ କି ନାହିଁ ବୋଲି ଚିନ୍ତା କରି ଖୁବ୍ କମ୍ ବୟସରେ ସେମାନଙ୍କୁ ବିବାହ ବନ୍ଧନରେ ବାନ୍ଧିଦେବାକୁ ଚାହୁଛନ୍ତି ।

କୋଭିଡ୍ ସମୟରେ ଏଭଳି ଅବସ୍ଥା ଝିଅମାନଙ୍କର ସ୍ୱପ୍ନକୁ ଭାଙ୍ଗିରୁଜି ଚୁର୍‌ମାର୍ କରିଦେବାକୁ ବସିଛି ।

ସ୍କୁଲ ପଢୁଆ ଝିଅ ଅଧିକ ପ୍ରଭାବିତ :

ଆମ ଦେଶରେ ମହିଳାମାନଙ୍କର ବିବାହ କରିବାର ବୟସ ସୀମା ହେଉଛି ୧୮ ବର୍ଷ ଓ ପୁରୁଷମାନଙ୍କ ପାଇଁ ୨୧ ବର୍ଷ ।

ଏହା ଠାରୁ କମ୍ ବୟସ୍କ ବ୍ୟକ୍ତିଙ୍କ ବିବାହକୁ ବାଲ୍ୟ ବିବାହ ବୋଲି ଧରାଯାଏ ଓ ଏହା ଏକ ଦଣ୍ଡନୀୟ ଅପରାଧ । ତେବେ ଆମ ଦେଶରେ ଝିଅମାନେ ଅଧିକ ବାଲ୍ୟ ବିବାହର ଶିକାର ହେଉଛନ୍ତି ।

ସ୍କୁଲରେ ପଢିବା ଲେଖିବା ବୟସରେ ସେମାନଙ୍କୁ ବିବାହ କରିଦେଇ ପିତାମାତାମାନେ ଆର୍ଥିକ ବୋଝରୁ ମୁକ୍ତ ହେବାକୁ ଚାହୁଁଛନ୍ତି ।

କାରଣ ଆମ ପରମ୍ପରା ଓ ରୀତିନୀତି ଅନୁଯାୟୀ ବିବାହ କରିବା ଲାଗି ଅଧିକ ଅର୍ଥ ଖର୍ଚ୍ଚ ହୋଇଥାଏ ଏବଂ ବର ପକ୍ଷକୁ ଯୌତୁକ ଦେବାକୁ ପଡିଥାଏ, ଯାହା ମଧ୍ୟ ଏକ ଦଣ୍ଡନୀୟ ଅପରାଧ ।

ତେବେ ଏସବୁ ଝିନଝଟ୍‌ରୁ ମୁକୁଳିବା ପାଇଁ ନାବାଳିକା ମାନଙ୍କୁତଥାକଥିତ ‘ଭଲପ୍ରସ୍ତାବ’ ମିଳିଲେ ସେମାନଙ୍କୁ ବିବାହ କରିଦିଆଯାଉଛି ।

କୋଭିଡ୍ ସମୟରେ ଲୋକମାନଙ୍କର ମଧ୍ୟରେ ଭୟର ବାତାବରଣ ଥିବା ସମୟରେ ବି ବାଲ୍ୟ ବିବାହ ପାଇଁ ଅନେକ ଉଦ୍ୟମ ହୋଇଛି ।

କେତେକ ଧରାପଡିଛନ୍ତି ଏବଂ ଆଉ କେତେକ ଶିଶୁ ବୟସରେ ପାରିବାରିକ ଜଂଜାଳ ଓ ବୋଝ ଭିତରେ ଘାଂଟିହେବାକୁ ବାଧ୍ୟ ହୋଇଛନ୍ତି ।

ପୁରୀ ଜିଲ୍ଲାରେ ଏମତି କିଛି ଘଟଣା ଜିଲ୍ଲା ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି) ନିକଟରେ ରିପୋର୍ଟ କରାଯାଇଥିଲା ।

ସେହି ସବୁ ବାଲ୍ୟ ବିବାହକୁ ରୋକାଯିବା ସହ ଏହା ପଛରେ ଥିବା ସାମାଜିକ କାରଣ ମଧ୍ୟ ସାମ୍ନାକୁ ଆସିଛି ।

ଗତ ମଇ ମାସ ୯ ତାରିଖରେ ବ୍ରହ୍ମଗିରି ବ୍ଲକ ଅଧିନ କାଣ୍ଡଗୋଦା ପଂଚାୟତର ଗୋଦରବିନ୍ଧା ଗାଁରେ ଏମିତି ଏକ ବିବାହ ହେଉଥିବାର ଖବର ମିଳିଥିଲା ।

ଘଟଣାରୁ ଜଣାପଡିଲା ଦଶମ ଶ୍ରେଣୀରେ ପଢୁଥିବା ୧୬ ବର୍ଷର ଜଣେ ଛାତ୍ରୀକୁ ପରିବାର ଲୋକେ ବିବାହ କରାଉଛନ୍ତି ।

ଏହି ଛାତ୍ରୀଜଣଙ୍କର ବାପା ଜଣେ ଦାଦନ ଶ୍ରମିକ । ସେ ଦିଲ୍ଲୀରେ କାମ କରୁଥିଲେ । କରୋନା ମହାମାରୀ ସମୟରେ ସେ ଘରକୁ ଫେରିଆସିଛନ୍ତି ।

ଯାହା ଅର୍ଥ ରୋଜଗାର ହୋଇଥିଲା ପୂର୍ବ କରଜ ସୁଝିବାରେ ଖର୍ଚ୍ଚ ହୋଇଗଲା । ଆଉ ଠିକ୍ ଏତିକି ବେଳେ ତାଙ୍କ ଝିଅ ପାଇଁ ଏକ ବିବାହ ପ୍ରସ୍ତାବ ଆସିଲା ଓ ସେଥିରେ ପରିବାର ଲୋକେ ରାଜି ହେଲେ ।

ବ୍ୟାଙ୍କ୍‌ରେ ଚତୁର୍ଥ ଶ୍ରେଣୀ ଅସ୍ଥାୟୀ କର୍ମଚାରୀ ଭାବେ କାମ କରୁଥିବା ଗାଁ ପାଖର ୩୮ ବର୍ଷ ବୟସ୍କ ଯୁବକଙ୍କ ସହ ବିବାହ ହେଉଥିଲା ।

ମନ୍ଦିରରେ ଭୋଜିଭାତ ରନ୍ଧା ସରିଥିଲା । ଲଗ୍ନ ବେଳାକୁ ଅପେକ୍ଷା ଥିଲା । ସେଠାରେ ସିଡବ୍ଲ୍ୟୁସିର ସଦସ୍ୟ ଓ ପୁଲିସ୍ ପହଂଚି ଏହାକୁ ରୋକିଥିଲେ ।

“ପାଖରେ ଟଙ୍କା ନଥିବାରୁ ଆମେ ଏଭଳି ନିଷ୍ପତି ନେଇଥିଲୁ । ସେମାନେ ଆମଠାରୁ କିଛି ଯୌତୁକ ମଧ୍ୟ ନେଉନାହାନ୍ତି ।

ପୁଣି ଆମକୁ ଚାକିରିଆ ଜ୍ୱାଇଁ ମଧ୍ୟ ମିଳିବ” – ଏମିତି କିଛି ଭାଷାରେ ବିବାହର କାରଣ ବଖାଣିଥିଲେ ଝିଅର ବାପା ।

ଝିଅଟି ଏବେ ଦଶମ ଶ୍ରେଣୀ ପାସ୍ କରିଛି । ସେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଥିବା ମଧ୍ୟ କହିଛି । ବିବାହ ହୋଇଥିଲେ ହୁଏତ ଝିଅର ଏହି ଆଶା ପୂରଣ ହୋଇପାରିନଥାନ୍ତା ।

ସେହି ବ୍ଲକର ଆଉ ଗୋଟିଏ ଘଟଣା ହେଉଛି ଗଡରୋଡଙ୍ଗ ଗାଁର । ଯୁକ୍ତ ଦୁଇରେ ପଢୁଥିବା ଜଣେ ୧୬ ବର୍ଷିୟ ଝିଅ ମଧ୍ୟ ବିବାହ ହେବାରୁ ବର୍ତି ଯାଇଛି ।

ମଇ ୨୦ ତାରିଖରେ ତାଙ୍କର ବିବାହ ହେଉଥିଲା । ଝିଅ ବୟସର ଦୁଇଗୁଣରୁ ଅଧିକ ବୟସ୍କ ଜଣେ ଯୁବକଙ୍କ ସହ ବିବାହ ହେଉଥିଲା ।

ଏଥିପାଇଁ ସେହି ଯୁବକ ୩୫ ହଜାର ଟଙ୍କା ନେଇଥିଲେ । ଝିଅର ବାପା ଜଣେ ଦିନମଜୁରିଆ ଓ ଅତ୍ୟନ୍ତ ଗରିବଶ୍ରେଣୀର ।

ଧାର କରଜ କରି ୫୦ ହଜାର ଟଙ୍କା ଯୋଗାଡ କରି ଝିଅର ବିବାହ କରାଇବାକୁ ଚାହୁଁଥିଲେ ବୋଲି ସେ କହିଛନ୍ତି । ତେବେ ଏହାକୁ ମଧ୍ୟ ସିଡବ୍ଲ୍ୟୁସି ରୋକିବାରେ ସଫଳ ହୋଇଛି ।

ଧାର୍ ଟଙ୍କା ବଦଳରେ ବିବାହ :
ପୁରୀ କୁମ୍ଭାରପଡା ଥାନାରେ ଗତ ଜୁଲାଇ ୨୧ ତାରିଖରେ ୧୫/୧୬ ବର୍ଷ ବୟସ୍କ ଦୁଇ ଜଣ ଝିଅ ଆସି ପହଂଚିଥିଲେ ।

ସେମାନଙ୍କ ଭିତରୁ ଜଣଙ୍କୁ ବିବାହ କରିଦେବାପାଇଁ ସେମାନଙ୍କ ବାପା ମା’ ମାନେ ଚାହୁଁଛନ୍ତି ବୋଲି ସେମାନେ ଥାନା ଅଧିକାରୀଙ୍କ ଆଗରେ କହିଥିଲେ ।

ବିବାହ ହେବାକୁ ଥିବା ଝିଅଟି ନବମରୁ ପାଠପଢା ଛାଡିଦେଇଥିଲେ । ବାଲେଶ୍ୱରର ଜଣେ ଯୁବକ ତାଙ୍କ ଘରକୁ ଯିବା ଆସିବା କରନ୍ତି ।

ସେ ବାପାଙ୍କୁ ୫୦ ହଜାର ଟଙ୍କା ଧାର୍ ଦେଇଥିଲେ । କୋଭିଡ୍ ସମୟରେ ସେ ଟଙ୍କା ମାଗିଥିଲେ । ଝିଅର ବାପା ଜଣେ ସଫେଇ କର୍ମଚାରୀ ।

ତାଙ୍କ ପାଖରେ ସଂଚୟ ବୋଲି କିଛି ନାହିଁ । ଅନେକ ସମୟରେ ସେ ମଦ ପିଇ ମାତାଲ ଅବସ୍ଥାରେ ଥାନ୍ତି ।

ତେଣୁ ଝିଅ ବାହା କରାଇଦେଲେ ପଚାଶ ହଜାର ଧାର୍ ଟଙ୍କା ଛାଡ ହୋଇଯିବ ବୋଲି ଯୁବକ କହିଥିଲେ ।

ତେଣୁ ୧୫ ବର୍ଷର ଝିଅକୁ ସେହି ୩୦ ବର୍ଷର ଯୁବକ ସହ ବିବାହ ପାଇଁ ସ୍ଥିର କରାଯାଇଥିଲା ।

ତେବେ ଏକଥା ଝିଅ ଜାଣି ପାରି ତା ସାଙ୍ଗକୁ ଡକାଇ ଦୁହେଁ ଥାନାରେ ଏ ସମ୍ପର୍କରେ ଜଣାଇଥିଲେ । ସିଡବ୍ଲ୍ୟୁସିର ଉଦ୍ୟମ କ୍ରମେ ଝିଅଟିକୁ ଉଦ୍ଧାର କରାଯାଇଥିଲା ।

ଏବେ ଝିଅଟି ଘରେ ରହିଛି ଏବଂ ପ୍ରତି ସପ୍ତାହରେ ଶିଶୁ କଲ୍ୟାଣ ସମିତିରେ ଝିଅକୁ ଦେଖା କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସିଡବ୍ଲ୍ୟୁସିର ସଦସ୍ୟ ରମାଶଙ୍କର ପାତ୍ର କହିଛନ୍ତି ।

ସତର୍କ ରହିବାକୁ ନିର୍ଦ୍ଦେଶ:

ଏହି ସମୟରେ ବାଲ୍ୟ ବିବାହ, ଶିଶୁ ଚାଲାଣ ଓ ଶିଶୁ ନିର୍ଯାତନା ଅଧିକ ହେବାର ଆଶଙ୍କା ପ୍ରକାଶ କରିଥିଲେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।

ସବୁ ରାଜ୍ୟମାନଙ୍କୁ ଚିଠି ଦେଇ ସତର୍କ ରହିବା ସହ ବ୍ଲକ ଓ ପଂଚାୟତସ୍ତରରେ ମନିଟିରିଂ ବ୍ୟବସ୍ଥାକୁ କଡାକଡି କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ।

ସେହି ଅନୁସାରେ ପୁରୀ ଜିଲ୍ଲାରେ ବିଶେଷକରି ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକରେ ଏଥିପ୍ରତି ତୀକ୍ଷଣ ଦୃଷ୍ଟି ରଖାଯାଇଥିଲା ବୋଲି କୁହନ୍ତି ସିଡବ୍ଲ୍ୟୁସିର ସଦସ୍ୟ ଆଡଭୋକେଟ୍ ରମାଶଙ୍କର ପାତ୍ର ।

ଏଥିପାଇଁ ବିଡିଓ, ସିଡିପିଓ ଓ ଥାନା ଅଧିକାରୀଙ୍କୁ ଲିଖିତ ନିର୍ଦ୍ଦେଶ ଦିଆଯାଇଥିଲା । ଯେହେତୁ ସରପଂଚମାନେ ହେଉଛନ୍ତି ପଂଚାୟତ ଶିଶୁ କଲ୍ୟାଣ ସମିତିର ସଭାପତି ।

ସେମାନଙ୍କୁ ଆଲର୍ଟ କରାଯାଇଥିଲା । ଯାହା ଫଳରେ ବାଲ୍ୟ ବିବାହ ସମ୍ପର୍କରେ ଆମ ପାଖରେ ଅଧିକରୁ ଅଧିକ ରିପୋର୍ଟିଂ ହୋଇଥିଲା ।

ଗତ ଜୁଲାଇ ମାସ ଭିତରେ ଆମେ ପ୍ରାୟ ୧୦ରୁ ଅଧିକ ଏଭଳି ଘଟଣାରେ ବିବାହକୁ ରୋକିଛୁ । ତେବେ ଅଧିକାଂଶ କ୍ଷେତ୍ରରେ ଦାରିଦ୍ର‌୍ୟ ଏକ ମୁଖ୍ୟକାରଣ ବୋଲି କହିଛନ୍ତି ଶ୍ରୀ ପାତ୍ର ।

ତେବେ ପରିବାର ଲୋକଙ୍କୁ ବୁଝାଇବା ପରେ ସେମାନେ ବିବାହରୁ ବିରତ ରୁହନ୍ତି ଏବଂ ସାବାଳିକା ନହେବା ପର୍ଯ୍ୟନ୍ତ ବିବାହ କରିବେ ନାହିଁ ବୋଲି ଲିଖିତ ଆକାରରେ ଦେଇଛନ୍ତି ।

ସେମାନଙ୍କ ଉପରେ ଅଙ୍ଗନବାଡୀ କର୍ମୀ ଓ ପଂଚାୟତ ପ୍ରତିନିଧିଙ୍କର ନଜର ମଧ୍ୟ ରହୁଛି ।

ଓଡିଶା ୧୫ ନମ୍ବର :

ବାଲ୍ୟ ବିବାହ ଦୃଷ୍ଟିରୁ ଦେଶରେ ଆମ ରାଜ୍ୟ ୧୫ ତମ ସ୍ଥାନରେ ରହିଛି । ରିପୋର୍ଟ ହେଉଥିବା ଝିଅମାନଙ୍କର ବାଲ୍ୟ ବିବାହ ଆଧାରରେ ଏହି ହାର ଏବେ ୨୧% ରୁ ଅଧିକ ରହିଛି ।

ଜାତୀୟସ୍ତରରେ ଏହି ହାର ପ୍ରାୟ ୨୭% । ପୁଅମାନଙ୍କ କ୍ଷେତ୍ରରେ ବାଲ୍ୟବିବାହର ହାର ରାଜ୍ୟରେ ୧୧% ଓ ଜାତୀୟସ୍ତରରେ ୨୦% ।

ତେବେ ଆଉ ଅନେକ ମାମଲା ରିପୋର୍ଟିଂ ହୋଇପାରୁନାହିଁ ବୋଲି ଅନେକ ମତ ଦିଅନ୍ତି । ତେବେ ଓଡିଶାର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡଖଣ୍ଡରେ ଏହି ହାର ବେଶ୍ ଅଧିକ ।

୨୦୧୯ ମସିହାରେ ରାଜ୍ୟ ସରକାର ବାଲ୍ୟ ବିବାହ ରୋକିବା ଲାଗି ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି ।

୨୦୨୪ ସୁଦ୍ଧା ଝିଅମାନଙ୍କ ବାଲ୍ୟ ବିବାହ ୧୦% ଓ ପୁଅମାନଙ୍କ ୬%କୁ ହ୍ରାସ କରିବା ପାଇଁ ଉଦ୍ୟମ କରାଯିବ ।

୨୦୩୦ ସୁଦ୍ଧା ରାଜ୍ୟରୁ ବାଲ୍ୟ ବିବାହ ସଂପୂର୍ଣ୍ଣ ଭାବେ ଶେଷ କରିବା ଲାଗି ଏଥିରେ ଲକ୍ଷ୍ୟ ରଖାଯାଇଛି ।

ତେବେ କୋଭିଡ୍ ସମୟରେ ବାଲ୍ୟ ବିବାହ ରୋକିବା ପାଇଁ ଯେତିକି ସତର୍କତା ଅବଲମ୍ବନ କରାଯିବାର ଥିଲା ତାହା ହୋଇନାହିଁ ବୋଲି ସମାଜସେବୀ ସୁଦର୍ଶନ ପ୍ରଧାନ କହିଛନ୍ତି ।

କାରଣ ରାଜ୍ୟରେ ବିଭିନ୍ନ ସ୍ଥାନରେ ଅଭାବ ଅନଟନରୁ ଝିଅମାନେ ବାଲ୍ୟ ବିବାହର ଶିକାର ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ସଚେତନତା ଲୋଡା :

ବାଲ୍ୟ ବିବାହ ସମ୍ପର୍କରେ ଏବେ ବି ବ୍ୟାପକ ସଚେତନତା ଲୋଡା । ଏହା ନହେଲେ ଲୋକମାନଙ୍କର ମାନସିକସ୍ତରରେ ପରିବର୍ତନ ବହୁତ ବିଳମ୍ବ ହେବ ।

ଝିଅମାନଙ୍କୁ ଏବେ ବି ଅନେକ ବୋଝ ବୋଲି ଭାବୁଛନ୍ତି ଏବଂ ତାଙ୍କୁ ଯେତେ ଶୀଘ୍ର ବିବାହ କରିଦେବାକୁ ଚାହୁଛନ୍ତି ବୋଲି କହନ୍ତି ପୂର୍ବତନ ଜିଲ୍ଲା ଜଜ୍ ଉମାଚରଣ ମିଶ୍ର । ଝିଅ ସମାଜ ପାଇଁ ବୋଝ ନୁହେଁ ।

ସମସ୍ତେ ଦେଶର ନାଗରିକ ଓ ସମସ୍ତଙ୍କର ସମାନ ଅଧିକାର ରହିଛି । ତେଣୁ ପରିବାର ଲୋକେ ସେମାନଙ୍କୁ ପୁଅ ଭଳି ସମାନ ସୁବିଧା ସୁଯୋଗ ପ୍ରଦାନ କରନ୍ତୁ ବୋଲି ସେ କହିଛନ୍ତି ।

ସେହିଭଳି ବାଲ୍ୟ ବିବାହ ଘଟଣାରେ ପୁଲିସ୍ ନିଜ ଆଡୁ ମାମଲାକୁ ହାତକୁ ନେଇ ପଦକ୍ଷେପ ନେବା ଦରକାର ।

ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟକୁ ଠିକ୍ ଭାବେ କାର୍ଯ୍ୟକାରୀ କରାଗଲେ ଅନେକ ମାତ୍ରାରେ ଶିଶୁ ନିର୍ଯାତନା, ବାଲ୍ୟ ବିବାହ ହ୍ରାସ ପାଇବ ବୋଲି ସେ ପରାମର୍ଶ ଦେଇଛନ୍ତି ।

ରିପୋର୍ଟ – ଅଖଣ୍ଡ

(ଶ୍ରୀ ଅଖଣ୍ଡ ହେଉଛନ୍ତି ଜଣେ ଜଣାଶୁଣା ସାମ୍ବାଦିକ ଓ ସାମାଜିକ କର୍ମୀ । ଲାଡଲି ମିଡିଆ ଫେଲୋ ଭାବେ ସେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏଥିରେ ଥିବା ମତ ତାଙ୍କର ନିଜସ୍ୱ । ଲାଡଲି ଓ ୟୁନଏଫପିଏ ଏହାକୁ ସମର୍ଥନ କରିବା ଜରୁରୀ ନୁହେଁ)

Filed Under: Odia, Special, ବିଶେଷ Tagged With: Special, ଓଡିଶା, ବିଶେଷ

ଘରୋଇ ହିଂସା ରୋକିବାକୁ ପୁଷ୍ପାଦିଦିଙ୍କ ଅଭିନବ ପ୍ରୟାସ

July 14, 2020 By Sri Akhanda Leave a Comment

ଭୁବନେଶ୍ୱର, ଜୁଲାଇ ୧୪ (ଲୋକାଲ ୱାୟାର) : କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ସରକାର ଲୋକଙ୍କୁ ଘରୁ ବାହାରିବା ଉପରେ କଟକଣା ଲଗାଇଛି ।

ଲୋକେ ଅଧିକାଂଶ ସମୟ ଘରେ ରହୁଥିବାରୁ ଗ୍ରାମଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ସବୁଠାରେ ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି ।

ଏହାକୁ ରୋକିବା ପାଇଁ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ଗଜପତି ଜିଲ୍ଲାର କୋଭିଡ୍ ଯୋଦ୍ଧା ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳୀ ପଣ୍ଡା ।

୪୬ ବର୍ଷୀୟା ପୁଷ୍ପାଞ୍ଜଳୀ ରାଜଧାନୀ ଭୁବନେଶ୍ୱରରୁ ପ୍ରାୟ ୩୦୦ କିଲୋମିଟର ଦୂର ଗଜପତି ଜିଲ୍ଲା ଗୋସାଣୀ ବ୍ଲକ କେରାଣ୍ଡିପୁର ପଂଚାୟତ ଅଧିନସ୍ଥ ବି.ସୀତାପୁର ଗାଁର ଅଙ୍ଗନବାଡି କର୍ମୀ ଭାବେ କାର୍ଯ୍ୟ କରନ୍ତି । ସେହି ଅଞ୍ଚଳରେ ସେ ପୁଷ୍ପା ଅପା ଭାବେ ବେଶ୍ ପରିଚିତ ।

ଘର ଘର ବୁଲି ବୁଝାଉଛନ୍ତି :

ମହାମାରୀ ସମୟରେ ପୁଷ୍ପା ଦିଦି କରୋନା ସଂକ୍ରମଣ ବିଷୟରେ ସ୍ଥାନୀୟ ଲୋକଙ୍କୁ ସଚେତନ କରିବା ସହ ଏହି ଘଡି ସନ୍ଧି ମୂହୁର୍ତ୍ତରେ ମହିଳା ଓ ଶିଶୁମାନଙ୍କ ଉପରେ ଯେପରି ନିର୍ଯାତନା ନ ହେବ, ସେଥିପ୍ରତି ମଧ୍ୟ ବେଶ୍ ଗୁରୁତ୍ୱ ଦେଉଛନ୍ତି ।

କରୋନା ସମୟରେ ପୁରୁଷମାନେ ଅଧିକାଂଶ ସମୟ ଘରେ ରହୁଥିବାରୁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡା ବଢିବା ସହ ହାତାହାତି ପର୍ଯ୍ୟନ୍ତ ମଧ୍ୟ କଥା ଯାଉଛି ।

ଏହା ଜାଣିବା ପରେ ପୁଷ୍ପା ଅପା ପ୍ରଥମେ ଘର ଘର ବୁଲି ସ୍ତ୍ରୀ ଓ ପୁରୁଷମାନଙ୍କୁ ବୁଝାଇବାକୁ ଚେଷ୍ଟା କଲେ ।

ବିଶେଷକରି ନିଶାଗ୍ରସ୍ତ ପୁରୁଷମାନଙ୍କୁ ବୁଝାଇ ସ୍ତ୍ରୀ ପରିବାର ସହ ଖୁସୀରେ ରହିବାକୁ ବିଭିନ୍ନ ପରାମର୍ଶ ଦେଲେ । ଏଥିରେ ସେ ସଫଳ ମଧ୍ୟ ହୋଇଥିବା କହିଛନ୍ତି ।

ପିଲାଙ୍କ ପାଇଁ ପ୍ରକଳ୍ପ :

ପିଲାମାନେ ଘରେ ରହି କୌଣସି ପାଠ୍ୟ ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ ହୋଇ ପାରୁନାହାନ୍ତି ।
ଫଳରେ ସେମାନେ କୌଣସି ଭୁଲ୍ କାମ କରିବାରୁ ପିତାମାତାଙ୍କ ଆକ୍ରୋଶର ଶିକାର ହେଉଥିବା ଜାଣିବାକୁ ପାଇଥିଲେ ପୁଷ୍ପା ଅପା ।

ଏହା ଜାଣିବା ପରେ ପୁଷ୍ପା ୩ରୁ ୧୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏକ ଅଭିନବ ପ୍ରଚେଷ୍ଟା ଆରମ୍ଭ କଲେ । ପିଲାମାନଙ୍କୁ ବିଭିନ୍ନ ପ୍ରକଳ୍ପ କରିବା ପାଇଁ ଶିକ୍ଷା ଦେଲେ ।

ଏଥିରେ ମଧ୍ୟ ପିଲାଙ୍କ ଆଗ୍ରହ ବଢିଲା । ସେମାନଙ୍କ ମା’ ମାନେ ମଧ୍ୟ ପିଲାମାନଙ୍କୁ ଏଥିରେ ସାହାଯ୍ୟ କଲେ ।

ଏବେ ପିଲାମାନେ ବିଭିନ୍ନ ପ୍ରକାର ପ୍ରକଳ୍ପ କରୁଛନ୍ତି । ଚାରି ବର୍ଷର ଏ.ଯଶବନ୍ତୀ ସୁନ୍ଦର କାଗଜ ଫୁଲ ତିଆରି କରିଛନ୍ତି । ତାଙ୍କ ମା ତାଙ୍କୁ ଏଥିରେ ସାହାଯ୍ୟ କରିଛନ୍ତି ।

ସେହିପରି ୬ ବର୍ଷର ଜ୍ୟୋସ୍ନା ମାଟିରେ ଛୋଟ ଛୋଟ ଦୀପ, ପଶୁପକ୍ଷୀର ମୂର୍ତ୍ତୀ ତିଆରି କରିଛନ୍ତି ।

୬ ବର୍ଷର ବର୍ଷାରାଣୀ ଛୋଟ ରଥ ତିଆରି କରଛନ୍ତି । ବର୍ଷାଙ୍କ ଏହି ରଥ ସମସ୍ତଙ୍କ ମନକୁ ପାଇଛି ।

ବର୍ଷାରାଣୀଙ୍କ ମା’ ପିଙ୍କି କୁହନ୍ତି, “ଏମାନଙ୍କର ଏସବୁ କାମରେ ଏମତି ମନ ଲାଗିଛି ଯେ ଆମେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରୁଛୁ ।

ପିଲାମାନଙ୍କର କାମ ଆମକୁ ବହୁତ ଭଲ ଲାଗୁଛି ।” ପିଲାମାନେ କରୋନା ସମ୍ପର୍କରେ ସଚେତନତାମୂଳକ ଚିତ୍ର ମଧ୍ୟ ଆଙ୍କିଛନ୍ତି ।”

ଏବେ ସରକାର ଛୋଟପିଲାମାଙ୍କୁ ଘରୁ ନ ବାହାରିବାକୁ କହିଥିବାରୁ ସେମାନେ ଘରେ ରହି ଏସବୁ ପ୍ରକଳ୍ପ କରିବାରେ ସମୟ ବିତାଉଛନ୍ତି ।

ଏହା ଦ୍ୱାରା ସେମାନଙ୍କ ସୃଜନଶୀଳତା ବଢୁଛି ବୋଲି କହନ୍ତି ପୁଷ୍ପା । ଏଥିପାଇଁ ପୁଷ୍ପା ଅପାଙ୍କୁ ପ୍ରଶଂସା କରିଛନ୍ତି ଗ୍ରାମବାସୀ ।

ଏ ସବୁ କାମ କରିବା ଭିତରେ ପୁଷ୍ପା ଅନେକ ସମୟରେ ନିଜ ଘର କାମରେ ମଧ୍ୟ ସମସ୍ୟା ଦେଖାଦିଏ ।

ହେଲେ ସ୍ୱାମୀ ତାରାପ୍ରସାଦଙ୍କ ସହଯୋଗ ଯୋଗୁଁ ସେ ସମସ୍ତ କାର୍ଯ୍ୟ କରିବାରେ ସଫଳ ହୋଇଥାନ୍ତି ବୋଲି ପୁଷ୍ପା କହିଛନ୍ତି।

ଏହି କାମ ଭିତରେ କୋଭିଡ୍ ମୁକାବିଲା ପାଇଁ ମାସ୍କ ପ୍ରସ୍ତୁତି ଓ ବଣ୍ଟନ, ଗର୍ଭବତୀ ମହିଳାମାନଙ୍କ ଯତ୍ନ, ନବଜାତକ ଓ ପ୍ରସୂତିମାନଙ୍କୁ ଖାଦ୍ୟ ବଣ୍ଟନ, ହାତଧୁଆ ସଚେତନତା ଆଦି କାର୍ଯ୍ୟର ସେ ଅବହେଳା କରିନାହାନ୍ତି ।

ସେଥିପାଇଁ ଆଜି ଏହି କରୋନା ଯୋଦ୍ଧା ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି ।

(ଶ୍ରୀ ଅଖଣ୍ଡ ହେଉଛନ୍ତି ଜଣେ ଜଣାଶୁଣା ସାମ୍ବାଦିକ ଓ ସାମାଜିକ କର୍ମୀ । ।ଲୋକାଲ ୱାୟାର ପାଇଁ ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ସେ ଲାଡଲି ମେଡିଆ ଫେଲୋସିପ ପାଇଛନ୍ତି । ତେବେ ଏହା ଲେଖକଙ୍କ ସମ୍ପୂର୍ଣ ନିଜସ୍ଵ ଲେଖା ଓ ଏହି ମତ ସହ ଲାଡଲି ଓ ୟୁଏନଏପିର କୌଣସି ସମ୍ପର୍କ ନାହିଁ ।

Filed Under: Odia, Special, ବିଶେଷ Tagged With: Special, ଓଡିଶା, କରୋନା, ବିଶେଷ

କରୋନା ଯୋଦ୍ଧା: ନିଜ କଥା ଭୁଲି ଲଢ଼ୁଛନ୍ତି, ଯାଉ ପଛେ ଜୀବନ

July 8, 2020 By Sri Akhanda Leave a Comment

ଭୁବନେଶ୍ୱର, ଜୁଲାଇ ୮ (ଲୋକାଲ ୱାୟାର) : କରୋନା ସଂକ୍ରମଣରୁ ନିଜକୁ ଓ ନିଜ ପରିବାରର ସୁରକ୍ଷା ପାଇଁ ଲୋକମାନେ ଘରୁ ବାହାରକୁ ପାଦ କାଢୁ ନ ଥିବା ବେଳେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି, ଆଶା କର୍ମୀ ଓ ପୁଲିସ ଆଦି କର୍ମଚାରୀ ଓ ସ୍ଵେଚ୍ଛାସେବୀ ଆଦି ଯୋଦ୍ଧା ମାନେ ନିଜ କର୍ମକୁ ପ୍ରାଥମିକତା ଦେଇ ଲୋକଙ୍କ ନିକଟରେ ସୁରକ୍ଷା କବଚ ଭାବେ ଛିଡା ହୋଇଛନ୍ତି ।

ଏହି ପ୍ରକ୍ରିୟାରେ କେହି କେହି ନିଜର ଆତ୍ମୀୟ ସ୍ଵଜନଙ୍କୁ ହରାଇ ଥିବା ବେଳେ କାହାର ପ୍ରାଣ ଯାଇଛି। ଜାଣନ୍ତୁ ଏପରି କିଛି ମହିଳା କରୋନ ଯୋଦ୍ଧାଙ୍କ ନିଜ କଥା ।

ଝିଅକୁ ହରାଇ ହାରିନାହାନ୍ତି ଗୌରୀ :

କରୋନା ସମୟରେ ଗୌରୀଙ୍କ ଉପରେ ଦୁନିଆର ସବୁଠାରୁ ବଡ ଦୁଃଖ ମାଡି ବସିଥିଲା । ପୁରୀ ଜିଲ୍ଲା ପିପିଲି ଥାନାରେ କାମ କରୁଥିବା ହୋମ ଗାର୍ଡ ଗୌରୀ ବେହେରା ।

ମହାମାରୀ ଡ୍ୟୁଟି କରୁଥିବା ବେଳେ ଅଷ୍ଟମ ଶ୍ରେଣୀରେ ପଢୁଥିବା ନିଜର ଏକମାତ୍ର ଝିଅ ଲୋପାମୁଦ୍ରା ହରାଇଥିଲେ ।

୨୦୨୦ ଅପ୍ରେଲ ୧୫ ତାରିଖ ଅପରାହ୍ନରେ ପିପିଲି ବଜାରରେ ଡ୍ୟୁଟିରେ ବ୍ୟସ୍ତଥାନ୍ତି ଗୌରୀ ।

ପନିପରିବା ମାର୍କେଟ୍ ଓ ମାଛହାଟରେ କିଭଳି ଲୋକେ ସାମାଜିକ ଦୂରତା ବଜାୟ ରଖିବେ, ତାହା ସୁନିଶ୍ଚିତ କରୁଥାନ୍ତି ।

ଏହି ସମୟରେ ଝିଅର ମୃତ୍ୟୁ ଖବର ପାଇ ସେ କିଛି ସମୟ ପାଇଁ ସ୍ଥାଣୁ ପାଲଟିଯାଇଥିଲେ ।

ଜଣେ ମା’ ହୋଇ ଝିଅର ମୃତ୍ୟୁ ଖବର କେମିତି ବା ସହିପାରିଥାନ୍ତେ ! ଏପଟେ ନିଜର କର୍ତ୍ତବ୍ୟ, ଆଉ ସେପଟେ ରୋଗିଣା ଝିଅ ।

ସେ କିନ୍ତୁ ନିଜ କାର୍ଯ୍ୟକୁ ପ୍ରାଥମିକତା ଦେଇ ୟୁନିଫର୍ମ ପିନ୍ଧି କରୋନା ମୁକାବିଲା ପାଇଁ ଠିଆ ହୋଇଥିଲେ ।

ସେ କହିଛନ୍ତି, “ବର୍ଦି ପିନ୍ଧି ମୁଁ ସବୁବେଳେ ଭଲ କାମ କରିଆସିଛି । ପରିବାରର ଅଭାବ ଅନଟନ ଓ ସମସ୍ୟା ମୋ ଡ୍ୟୁଟିକୁ ପ୍ରଭାବିତ କରିପାରିନାହିଁ ।

ମୋର ବଡ ସମ୍ପଦ ଝିଅକୁ ହରାଇଲି । କିନ୍ତୁ ସେହି ଝିଅ ମୋତେ ସମସ୍ତଙ୍କ ପାଖରେ ପରିଚିତ କରାଇଦେଲା ।”

ଜଣେ ମହିଳା ଭାବେ ମଧ୍ୟ ତାଙ୍କୁ କମ୍ ସଂଘର୍ଷ କରିବାକୁ ପଡିନି । ଏହି ଘଟଣା ପରେ ତାଙ୍କର ସବୁ କାହାଣୀ ସାମ୍ନାକୁ ଆସିଥିଲା ।

ବିବାହର କିଛି ବର୍ଷ ପରେ ତାଙ୍କ ସ୍ୱାମୀ ତାଙ୍କୁ ଛାଡିଦେଇଥିଲେ । ଛୋଟ ଝିଅ ଓ ବୁଢା ବାପାମାଙ୍କୁ ନେଇ ତାଙ୍କର ସଂସାର ।

ହୋମଗାର୍ଡମାନଙ୍କର ଭୂମିକା ଓ କାର୍ଯ୍ଯ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ସେମାନଙ୍କ ଦରମା ଅଧିକ ନୁହେଁ ।

ନିଜର କ୍ୟାନସର ପିଡୀତା ଝିଅର ଚିକିତ୍ସା ଓ ଘର ଖର୍ଚ୍ଚ ପରେ ତାଙ୍କ ପାଖରେ ଅର୍ଥ ଅଭାବ ଦେଖାଦିଏ । ଏବେ ବି ଚାଳ ଛପର ଓ ପଲିଥିନ୍ ବନ୍ଧା ଘରେ ରହୁଛନ୍ତି ।

ସରକାରଙ୍କ ଅଧିନରେ କାମ କରୁଥିବାରୁ କୌଣସି ସରକାରୀ ସାହାଯ୍ୟ ଓ ସୁବିଧା ମିଳିନାହିଁ ।

କରୋନା ସମୟରେ ମଧ୍ୟ ସେମାନଙ୍କୁ କିଛି ଅତିରିକ୍ତ ସହୟତା ମିଳିଲା ନାହିଁ ।

ଝିଅର ମୃତ୍ୟୁ ପରେ ତାଙ୍କ ପାଖକୁ କିଛି ସଂସ୍ଥା ଓ ପୁଲିସ୍ ବିଭାଗ ସହାୟତାର ହାତ ବଢାଇଥିଲେ ।

କିନ୍ତୁ ଝିଅର ଚିକିତ୍ସା ପାଇଁ ତାଙ୍କୁ କେବେ ବି ସହାୟତା ମିଳିନାହିଁ । ଝିଅକୁ ହରେଇବାର ପ୍ରାୟ ତିନିମାସ ହେଲାଣି ।

ଏବେ ବି ତାର ଫଟୋକୁ ଧରି ବାହୁନି ବାହୁନି କାନ୍ଧୁଛନ୍ତି ଗୌରୀ । କିନ୍ତୁ ଡ୍ୟୁଟିକୁ ଠିକ୍ ସମୟରେ ଯାଉଛନ୍ତି ଓ ପିପିଲି ବଜାରରେ କେତେବେଳେ ଟ୍ରାଫିକ ପୋଷ୍ଟ ସମ୍ଭାଳୁଛନ୍ତି ତ ଆଉ କେତେ ବେଳେ ଭିଡ ନିୟନ୍ତ୍ରଣ କରୁଛନ୍ତି ।

ସମସ୍ତଙ୍କ ଧାରଣା ମହିଳାମାନେ ଏଭଳି କଠିନ ପରିସ୍ଥିତିରେ ଶୀଘ୍ର ଭାଙ୍ଗି ପଡନ୍ତି । କିନ୍ତୁ ଏ ଧାରଣକୁ ସେ ଭୁଲ ପ୍ରମାଣିତ କରିଛନ୍ତି ।

ପ୍ରତିକୂଳ ପରିସ୍ଥିତି ଓ ପୁରୁଷର ସହାୟତା ବିନା ସେ ସବୁ ଆହ୍ୱାନକୁ ଗ୍ରହଣ କରିଛନ୍ତି ଓ ଆଗେଇ ଚାଲିଛନ୍ତି । କରୋନା ସମୟରେ ତାଙ୍କର ସାହସ ଓ ନିଷ୍ଠା ପାଇଁ ଖୋଦ୍ ପୁଲିସ୍ ଡିଜି ତାଙ୍କୁ ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅଭିନନ୍ଦନ ଜଣାଇଥିଲେ ।

ଗର୍ଭବତୀ ସମୟରେ ଡ୍ୟୁଟି :

କରୋନା ଲଢେଇରେ ଆଉ ଜଣ ଉଦାହରଣ ହେଉଛନ୍ତି ସମ୍ବଲପୁର ଟାଉନ୍ ଥାନାର ସବ ଇନସ୍ପେକ୍ଟର ଟେରେସା ଖେସ ।

ମାର୍ଚ୍ଚରେ ସେ ସାତ ମାସର ଗର୍ଭବତୀ ଥାଇ ମଧ୍ୟ ଛୁଟି ନନେଇ ଡ୍ୟୁଟି କରିଥିଲେ ।

ମଇ ମାସ ୫ ତାରିଖ ପର୍ଯ୍ୟନ୍ତ ସେ ଛୁଟି ନେଇ ନଥିଲେ । କାରଣ ଏହି ସମୟରେ ଥାନାରେ ତାଙ୍କର ଆବଶ୍ୟକତା ଥିଲା ।

ଥାନା ଅଧିକାରୀ ଓ ଅନ୍ୟ ଅଫିସରମାନେ ଲକଡାଉନ୍ ପାଇଁ ବାହାରେ ଡ୍ୟୁଟି କରୁଥିବାରୁ ଥାନାରେ ଜଣେ ଅଫିସର ରହିବା ଜରୁରୀ ଥିଲା । ଟେରେସାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । ସେ ତାକୁ ସୂଚାରୁରୂପେ ତୁଲାଇଥିଲେ ।

ଘରେ ପାଂଚ ବର୍ଷର ଝିଅ ତନିସା ଓ ପେଟରେ ବଢୁଥିବା ସନ୍ତାନ ଉଭୟଙ୍କ ଯତ୍ନ ତାଙ୍କ ଉପରେ ଥିଲା ।

ସେ ଏହି ପ୍ରତିନିଧିଙ୍କୁ କହିଛନ୍ତି, “ଥାନାରେ କାମ କରିବାକୁ କେହି ବାଧ୍ୟ କରିନଥିଲେ ମଧ୍ୟ କରୋନା ପରିସ୍ଥିତିକୁ ଦେଖି ମୁଁ ଡ୍ୟୁଟି କରିବାକୁ ମନସ୍ଥ କରିଥିଲି । ସେତେବେଳେ ମୁଁ ଜଣେ ମା ଭାବେ ପିଲାଙ୍କ ଯତ୍ନ ନେଇପାରିଲି ନାହିଁ ।

କିନ୍ତୁ କରୋନା ସମୟରେ ସମସ୍ତେ ଘରେ ରହୁଥିଲା ବେଳେ ଆମେ କାମ କରିବା ହିଁ ମୋତେ ଖୁସୀ ଦେଉଥିଲା ।”

ତାଙ୍କର ଏହି କାମ ଯୋଗୁ ପୁଲିସ୍ ଡିଜି ସମ୍ବଲପୁର ଗସ୍ତ ସମୟରେ ତାଙ୍କୁ ଭେଟି ତାଙ୍କ କଥା ପଚାରି ବୁଝିବା ସହିତ ତାଙ୍କୁ ପ୍ରଶଂସା କରିଥିଲେ ।

ମେ ୨୮ ତାରିଖରେ ତାଙ୍କର ଦ୍ୱିତୀୟ ଝିଅ ଏ ଦୁନିଆକୁ ଆସିଛି । ଏବେ ପିଲାମାନଙ୍କୁ ଅଧିକ ସମୟ ଦେଉଛନ୍ତି । କିନ୍ତୁ ପୁଣି ଆଉ ପାଂଚ ମାସ ପରେ ନିଜ ଡ୍ୟୁଟିକୁ ଫେରିବାକୁ ପଡିବ ବୋଲି କୁହନ୍ତି ଟେରେସା ।

ସବୁ ସହିଛନ୍ତି ଗାଁର ଯୋଦ୍ଧା :

ଓଡିଶାର ଗାଁ ଗହଳିରେ କରୋନା ସମ୍ପର୍କରେ ସଚେତନତା ଓ ଏହାକୁ ରୋକିବା ଲାଗି ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା କରିବା ଦିଗରେ ଅଙ୍ଗନବାଡି ଓ ଆଶା କର୍ମୀମାନେ ଆଗଧାଡିର ଯୋଦ୍ଧା ଭାବେ କାମ କରୁଛନ୍ତି ।

କିନ୍ତୁ ଏଥିପାଇଁ ସେମାନଙ୍କୁ ଅନେକ କିଛି ସହିବାକୁ ପଡିଛି । ଅନେକ ଏହି ଲଢେଇରେ ସେମାନଙ୍କର ଜୀବନ ମଧ୍ୟ ହରାଇଛନ୍ତି ।

ନୟାଗଡ ଜିଲ୍ଲା ବାଣିଗୋଛା ଥାନା ଅନ୍ତର୍ଗତ ଗେଲିଗେଣ୍ଡାର ଆଶା କର୍ମୀ ମାଧୁରୀ ନାୟକଙ୍କ ଉପରକୁ କିଛି ଲୋକ ପେଜ ଫୋପାଡି ବିରୋଧ କରିଥିଲେ ।

ସେ କରୋନା ନ ହେବାକୁ କଣ ସବୁ ପଦକ୍ଷେପ ନେବାକୁ ହେବ ତାହା ଘର ଘର ବୁଲି ବୁଝାଉଥିଲେ ।

ସେହିପରି ରଣପୁର ଥାନା ଅନ୍ତର୍ଗତ ବିନୋଦପଡାର ଆଶାକର୍ମୀ ନଳିନୀ ପ୍ରଧାନଙ୍କ ଉପରେ ଗତ ମଇ ୧୦ ତାରିଖରେ ଆକ୍ରମଣ ହୋଇଥିଲା ।

ଜଣେ ଭୁବନେଶ୍ୱର ଫେରନ୍ତାଙ୍କୁ ହୋମ୍ ଆଇସୋଲେସନ୍ ରେ ରହିବା ପାଇଁ ସେ ବୁଝାଉଥିଲେ ।

ଏହା ପରେ ତାଙ୍କୁ ସଂପୃକ୍ତ ପରିବାର ଲୋକେ ଆକ୍ରମଣ କରିଥିଲେ । ଆଗଧାଡିର ଏହି କର୍ମୀମାନେ ଗାଁର ସବୁ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ କରିଛନ୍ତି ।

କିନ୍ତୁ କୋଭିଡ୍ ସମୟରେ ଏମାନଙ୍କ ପରାମର୍ଶ ଶୁଣିବାକୁ ଅନେକ ବ୍ୟକ୍ତି ମାନସିକ ପ୍ରସ୍ତୁତ ନୁହନ୍ତି ।

କାରଣ ଏବେ ବି ମହିଳାମାନଙ୍କ ପରାମର୍ଶ ଗ୍ରହଣ କରିବାକୁ ବହୁ ପୁରୁଷ ଓ ସାଂପ୍ରତିକ ସମାଜ କୁଣ୍ଠାବୋଧ କରୁଛନ୍ତି ।

ସେମାନଙ୍କ ମନରେ ଧାରଣା ଯେ ଜଣେ ମହିଳା ଆମକୁ କଣ ବୁଝାଇବ ? ଏହି ଧାରଣ ହିଁ ସେମାନଙ୍କ ମନରେ ଏହି ମହିଳା କର୍ମୀଙ୍କ ପ୍ରତି ଆକ୍ରୋଶ ସୃଷ୍ଟି କରୁଛି ।

ଗଂଜାମ ଜିଲ୍ଲାର ବୁଗୁଡା ବ୍ଲକର ଖୋଳଖାଳି ଗାଁର ଅଙ୍ଗନବାଡି କର୍ମୀ ଭାରତୀ ସ୍ୱାଇଁ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ କାମ କରୁଥିଲେ ।

ଏହି ସମୟରେ ସେ ଅସୁସ୍ଥ ହୋଇ ପ୍ରାଣ ହରାଇଲେ । ଅନ୍ୟମାନଙ୍କ କଥା ବୁଝୁ ବୁଝୁ ସେ ନିଜ କଥା ଭୁଲିଯାଇଥିଲେ ।

ପୁରୀ ଜିଲ୍ଲା କଣାସ ବ୍ଲକର କାଙ୍କପୁର ଗାଁର ଅଙ୍ଗନବାଡି କର୍ମୀ ବାସନ୍ତୀ ସାମଲ(୩୫) ମଧ୍ୟ ଏହି କରୋନା ଡ୍ୟୁଟି କରି ପ୍ରାଣ ହରାଇଛନ୍ତି ।

ଦେଇପୁର ପଂଚାୟତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେ ନିୟୋଜିତ ଥିଲେ । ଘର ଘର ବୁଲି କରୋନା ସଚେତନତା ସହିତ ଗାଁ ପରିମଳ କାମ ମଧ୍ୟ ତୁଲାଉଥିଲେ ।

ଅସୁସ୍ଥ ହେବା ପରେ ତାଙ୍କୁ କୋଭିଡ୍ ପରୀକ୍ଷା ପାଇଁ ନିଆଯିବା ସମୟରେ ଜୁଲାଇ ୭ରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ୧୨ ବର୍ଷର ଗୋଟିଏ ଝିଅ ୧୧ ବର୍ଷର ଗୋଟିଏ ପୁଅ ଅଛି ।

ଏ ସବୁ କର୍ମୀମାନେ ଯେଉଁମାନେ ଅନ୍ୟମାନଙ୍କ ପାଇଁ ନିଜ ପରିବାର ଛାଡି ଦିନ ରାତି କରୋନା ମୁକାବିଲା ପାଇଁ ଲାଗିଛନ୍ତି, ତାଙ୍କ ପାଇଁ ସରକାର କୌଣସି ଅତିରିକ୍ତ ସହାୟତା ଦେଉନାହାନ୍ତି ।

ଏଭଳିକି ମୃତ କର୍ମଚାରୀଙ୍କ ପାଇଁ ସରକାର ଆର୍ଥିକ ସହାୟତା ଘୋଷଣା କରିଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଏମାନଙ୍କୁ ସାହାଯ୍ୟ ଦିଆଯାଉନାହି ।

ଆଉ ଏହା ଦ୍ୱାରା ବିଶେଷ ପ୍ରଭାବିତ ହେଉଛନ୍ତି ଆଶା ଓ ଅଙ୍ଗନବାଡି କର୍ମୀ ।

ସରକାର ଏ ଦିଗରେ ନିଶ୍ଚିତ ଧ୍ୟାନ ଦେବା ଦରକାର । ସେହିଭଳି କରୋନା ଡ୍ୟୁଟି କରି କିଛି ଶିକ୍ଷକ ମଧ୍ୟ କରୋନା ଲଢେଇରେ ପ୍ରାଣ ହରାଇଛନ୍ତି ।

କିନ୍ତୁ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଶିକ୍ଷକମାନଙ୍କୁ କରୋନା ଯୋଦ୍ଧା ବୋଲି ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ ।

ଏହି କରୋନା ଯୋଦ୍ଧାମାନଙ୍କର କାହାଣୀ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି ଓ ଆଗାମୀ ଦିନରେ ମଧ୍ୟ ଯୋଗାଇବ ।

(ଶ୍ରୀ ଅଖଣ୍ଡ ହେଉଛନ୍ତି ଜଣେ ଜଣାଶୁଣା ସାମ୍ବାଦିକ ଓ ସାମାଜିକ କର୍ମୀ । ।ଲୋକାଲ ୱାୟାର ପାଇଁ ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ସେ ଲାଡଲି ମେଡିଆ ଫେଲୋସିପ ପାଇଛନ୍ତି । ତେବେ ଏହା ଲେଖକଙ୍କ ସମ୍ପୂର୍ଣ ନିଜସ୍ଵ ଲେଖା ଓ ଏହି ମତ ସହ ଲାଡଲି ଓ ୟୁଏନଏପିର କୌଣସି ସମ୍ପର୍କ ନାହିଁ ।

ଲୋକାଲ ୱାୟାର

Filed Under: Odia, Special, ବିଶେଷ Tagged With: Special, ଓଡିଶା, କରୋନା, ବିଶେଷ

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

କ୍ୟାନସର ରୋଗୀଙ୍କ ପାଇଁ ଚୁଟି ଦାନ କଲେ ଶ୍ରୁତି

ବାରିପଦାରେ ଗତ କିଛି ବର୍ଷ ହେବ ୟୁନିସେକ୍ସ ସେଲୋନ୍ ଅରମ୍ଭ ହୋଇଛି । ତେଣୁ ମୁଁ ସେମାନଙ୍କୁ ଯାଇ ଚୁଟି ଦାନ ବାବଦରେ ପଚାରିଥିଲି ।

ସେଠାରୁ ନିରାଶ ହେବା ପରେ ମୁଁ ମୋର ଜଣେ ସିନିୟର ଆନନ୍ଦମୟୀ ଦିଦିଙ୍କ ସହ ସଂସ୍ପର୍ଶରେ ଆସିଲି ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire