ବାରିପଦା, ଡିସେମ୍ବର ୨୯ (ଲୋକାଲ ୱାୟାର): କର୍ମଚାରୀ ଓ ସୁରକ୍ଷା ଅଭାବରୁ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଶିକାରୀଙ୍କ ଗଡ ପାଲଟିଛି ।
ଅବାଧ ଶିକାର ଯୋଗୁଁ ୨୫୭୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ଅଭୟାରଣ୍ୟରୁ ହାତୀ ଓ ଅନ୍ୟ ବନ୍ୟପ୍ରାଣୀ ଜନବସତି ଆଡକୁ ଚାଲି ଆସୁଛନ୍ତି ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଅଭୟାରଣ୍ୟର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ କର୍ମଚାରୀ ଅଭାବ ଯୋଗୁଁ ଶିକାର ରୋକା ଯାଇ ପାରୁନାହିଁ ।
ସୋମବାର ୧୦.୫ କିଲୋଗ୍ରାମ ସମ୍ବର ମାଂସ ଜବତ କରିବା ଘଟଣା ଅଭୟାରଣ୍ୟର ଢିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି ।
ବାରିପଦା ରେଞ୍ଜର ଏଲଡି ବେହେରା ମାଂସ ଜବତ କରିଥିଲେ ମଧ୍ୟ ଶିକାରୀ ଫେରାର ହୋଇଯାଇଛି ।
ପୂର୍ବରୁ ଶିକାର ଅଭିଯୋଗରେ ଡିସେମ୍ବର ୧୧ରେ ଓଡିଶା ପୁଲିସର ଦୁଇ କନଷ୍ଟେବଲ ଗିରଫ ହୋଇଥିଲେ । ସେମାନଙ୍କ ନିକଟରୁ ହରିଣ ମାଂସ ଓ ଶିକାରରେ ବ୍ୟବହୃତ ବନ୍ଧୁକ ଜବତ ହୋଇଥିଲା ।
ଉଭୟେ ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟା ଥାନାରେ କାର୍ଯ୍ୟରତ ଥିଲେ । ଏଥିରୁ ବନ ବିଭାଗର ପାରିଲା ପଣିଆ ସ୍ପଷ୍ଟ ହେଉଛି ।
ପୂର୍ବରୁ ବନ ବିଭାଗ ପକ୍ଷରୁ ଅଭୟାରଣ୍ୟ ପାଖରେ ଥିବା ଗାଁଗୁଡ଼ିକର ନିୟମିତ ଯାଞ୍ଚ ହେଉଥିଲା । ହେଲେ କିଛି ବର୍ଷ ହେବ ତାହା ବନ୍ଦ ହୋଇଯାଇଛି ।
ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ସୁରକ୍ଷା ଅଭାବରୁ ଅଭୟାରଣ୍ୟରୁ ବ୍ୟାପକ ଶିକାର ହେଉଛି ବୋଲି ପରିବେଶବିତମାନେ ଅଭିଯୋଗ କରିଛନ୍ତି ।
ତେବେ ଶିକାର ରୋକିବା ପାଇଁ ବନ ବିଭାଗ ତରଫରୁ କଡାକଡି ପାଟ୍ରୋଲିଂ ହେଉଛି ବୋଲି ବାରିପଦା ବନ୍ୟପ୍ରାଣୀ ଡିଭିଜନର ଡିଏଫଓ ସନ୍ତୋଷ କୁମାର ଯୋଶୀ କହିଛନ୍ତି ।
ଲୋକାଲ ୱାୟାର