ଭୁବନେଶ୍ୱର, ଜୁନ୍ ୨୮(ଲୋକାଲ ୱାୟାର): ରାଜ୍ୟ ବିଧାନସଭାରେ ଶୁକ୍ରବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆଗତ କରିଥିବା ୧.୩୯ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟରେ ଅଭିବୃଦ୍ଧି ଲକ୍ଷ୍ୟ ୮ରୁ ୮.୫% ଥିବା ଜଣାପଡ଼ିଛି ।
ବଜେଟ୍ ପ୍ରସ୍ତାବ ଅନୁସାରେ ଏ ବର୍ଷ ମୋଟ ରାଜସ୍ୱ ଆୟ ୧ ଲକ୍ଷ ୧୫ ହଜାର କୋଟି ଟଙ୍କା ହେବ ।
ଏଥିରେ ବ୍ୟୟ ବରାଦ ଅଛି ୧ ଲକ୍ଷ ୩୯ ହଜାର କୋଟି ଟଙ୍କା । ରାଜ୍ୟର ନିଜସ୍ୱ ଟିକସ ଆୟ ପ୍ରାୟ ୧୨.୦୨ % ହାରରେ ବୃଦ୍ଧି ହେବ ବୋଲି ଆଶା ରଖାଯାଇଛି ।
ମୋଟ ନିଜସ୍ୱ ଆୟ ୩୮,୮୫୦ରୁ ବଢ଼ି ୪୫,୫୦୦ ହଜାର କୋଟି ଟଙ୍କା ହେବ ।
ଅଣ ଟିକସ ଆୟ ୧୧ % ଅର୍ଥାତ୍ ୧୧ ହଜାର ୨୫୦ କୋଟିରୁ ବୃଦ୍ଧି ପାଇ ୧୨ ହଜାର ୫୦୦ କୋଟି ଟଙ୍କା ହେବ ।
ଯୋଜନା ବ୍ୟୟ ବରାଦ ପ୍ରାୟ ୧୩ % ଅର୍ଥାତ୍ ୬୨ ହଜାର କୋଟି ଟଙ୍କାରୁ ବଢ଼ି ୭୦ ହଜାର କୋଟି ଟଙ୍କା ହେବ ।
ଆୟ ୧୩ % ବୃଦ୍ଧି ଏବଂ ବ୍ୟୟ ୧୬ % ବୃଦ୍ଧି ହେବ । ସରକାର ୨୩ ହଜାର ୫୮୪ କୋଟି ଟଙ୍କା ଋଣ କରିବେ ।
ବର୍ଷ ଶେଷ ବେଳକୁ ମୋଟ ଋଣ ବୋଝ ୧ ଲକ୍ଷ ୬ ହଜାର କୋଟିକୁ ଟପିଯିବ ବୋଲି ହିସାବ କହୁଛି ।
ରାଜ୍ୟ ଯୋଜନା ପ୍ରାୟ ୩୧% ବୃଦ୍ଧି ହେବ । ଗତବର୍ଷ ୩୨ ହଜାର କୋଟି ଥିବା ବେଳେ ଏବର୍ଷ ୪୨ ହଜାର କୋଟି ଟଙ୍କାର ପ୍ରସ୍ତାବ ରହିଛି ।
ପ୍ରଶାସନିକ ଖର୍ଚ୍ଚ ଅଟକଳ ୫୦ ହଜାର ୭୬୧ କୋଟିରୁ ବଢ଼ି ୫୭ ହଜାର ୩୧୦ କୋଟି ଟଙ୍କା ଛୁଇଁବ ।
ଏଥିରୁ ଋଣ ପରିଶୋଧ ବାବଦରେ ଖର୍ଚ୍ଚ ହେବ ୬,୫୦୦ କୋଟି ଟଙ୍କା ।
ଲୋକାଲ ୱାୟାର