କିମ୍ବଦନ୍ତୀ ଅନୁସାରେ ଭଗବାନ ଶିବ ଅଜାଣତରେ ଏକ ବାଛୁରୀକୁ ହତ୍ୟା କରିଥିବା ବେଳେ ଏଥିପାଇଁ ସେ ଅନୁତପ୍ତ ଥିଲେ ।
ଏହି ଅନୁତାପର ପ୍ରାୟଶ୍ଚିତ ସ୍ୱରପ ସେ ଗୋସାଗରେଶ୍ୱର ପୋଖରୀରେ ଗାଧୋଇଥିଲେ । ମହାଦେବଙ୍କ ଏହି ପଥକୁ ଆଜିବି ଲୋକମାନେ ଅନୁସରଣ କରୁଛନ୍ତି ।
ଯଦି କେହି ଅଜାଣତରେ ହେଉ ବା ଦୁର୍ଘଟଣା ବଶତଃ ହେଉ କୌଣସି ଗାଈର ମୃତ୍ଯୁ ପାଇଁ ଦାୟୀ ହୋଇଥାନ୍ତି ସେମାନେ ପରମ୍ପରା ଅନୁସାରେ ଏହି ଗୋସାଗରେଶ୍ୱର ପୋଖରୀରେ ଆସି ଗାଧୋଇ ନିଜ ପାପର ପ୍ରାୟଶ୍ଚିତ କରିଥାନ୍ତି ।
ବୈତାଳ ମନ୍ଦିରଠାରୁ ୨୦୦ ମିଟର ଦୂରରେ ଓ ଲିଙ୍ଗରାଜ ମନ୍ଦିରର ପଶ୍ଚିମ ପଟେ ୮୦୦ ମିଟର ଦୂରରେ ଏହି ପୋଖରୀ ଅଛି ।
ଯାହାକି ସ୍ଥାନୀୟ ଅଞ୍ଚଳରେ ଏକ ପବିତ୍ର ସ୍ନାନପୀଠ ଭାବେ ଗ୍ରହଣୀୟ । ଏପରିକି ଦୁର୍ଗାପୂଜା ସମୟରେ ମଧ୍ୟ ଏଠାକୁ ଆସିଥାନ୍ତି ।
ଗଙ୍ଗ ବଂଶୀୟ ଶେଷ ହେବା ପରେ ପରେ ଅର୍ଥାତ ପ୍ରାୟ ତ୍ରୟୋଦଶ ଶତାବ୍ଦୀ ସମୟର ଏହି ପୁରୁଣା ପବିତ୍ର ପୁଷ୍କରିଣୀ ଝର ଦ୍ୱାରା ଭର୍ତ୍ତି ହେଉଥିବା ବେଳେ ଏହା ବିନ୍ଦୁସାଗର ସହ ସଂଲଗ୍ନ ଥିବା ଜଣାଯାଏ ।
ଅର୍ଥାତ ପୂର୍ବରୁ ଗୋସାଗରେଶ୍ୱର ପୋଖରୀର ଅଧିକ ପାଣି ବିନ୍ଦୁସାଗରରେ ଯାଇ ମିଶୁଥିଲା । ମାତ୍ର ଗତ କିଛି ଦଶନ୍ଧି ହେବ ଗୋଶରେଶ୍ୱର ପୋଖରୀର ଜଳ ପ୍ରବାହ ସ୍ଥିର ରହିଛି ।
ନାଁ ପୋଖରୀ ଭିତରକୁ କେଉଁଠାରୁ ପାଣି ଆସି ପାରୁଛି ନାଁ ପୋଖରୀ ବାହାରକୁ ଏଠାରୁ କୌଣସି ପାଣି ବାହାରକୁ ଯାଇ ପାରୁଛି ।
ରକ୍ଷଣାବେକ୍ଷଣର ଅଭାବ, ଭୁଲ ଯୋଜନା ଓ ଖରାପ ପରିଚାଳନା ଯୋଗୁଁ ଏହି ପବିତ୍ର ପୋଖରୀର ପାଣି ପ୍ରବାହ ବନ୍ଦ ରହିଛି ।
ପୂର୍ବରୁ ରହିଥିବା ଝର ଓ ଜଳ ପ୍ରବାହ ରାସ୍ତାକୁ ବନ୍ଦ କରି ଦିଆଯାଇଛି । ଫଳରେ ପୂରା ମୌସୁମୀ ମାସ ଯାକ ବର୍ଷା ପାଣି ବାହାରକୁ ନ ବାହାରିପାରି ବନ୍ଦିର ଭିତରକୁ ପଶୁଛି ।
ଗୋସାଗରେଶ୍ୱର ପରିସର ବିଭିନ୍ନ ଦେବାଦେବୀଙ୍କ ୧୧ଟି ମନ୍ଦିରକୁ ନେଇ ଗଠିତ । ଏଠାରେ ମୁଖ୍ୟ ଦେବତା ଭାବେ ଶିବଙ୍କୁ ପୂଜା କରାଯାଇଥାଏ ।
ଏଠାରେ ଥିବା ଅନ୍ୟ ମନ୍ଦିରଗୁଡ଼ିକ ହେଲା ଇଶାଣେଶ୍ୱର ମନ୍ଦିର, ନରସିଂହ, ପରଦେଶ୍ୱର ଓ ଶନିଶ୍ୱର ମନ୍ଦିର । ଏଗୁଡ଼ିକରେ ମଧ୍ୟ ଶିବଙ୍କୁ ପୂଜା କରାଯାଇଥାଏ ।
ଏଠାକାର ତିନି ମନ୍ଦିର ପରିତ୍ୟକ୍ତ ଅବସ୍ଥାରେ ଥିବା ବେଳେ ପରବର୍ତ୍ତୀ ସମୟରେ ଏଠାରେ ଏକ ମଣ୍ଡପ ମଧ୍ୟ ପ୍ରତିଷ୍ଠା କରାଯାଇଛି ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଦୀର୍ଘଦିନ ଧରି ପୋଖରୀରେ ପାଣି ଜମା ହୋଇ ରହୁଥିବାରୁ ଏହା ମୁଖ୍ୟ ମନ୍ଦିରର ମୂଳଦୁଆକୁ ଦୁର୍ବଳ କରି ଦେଉଛି ।
ଏବେ ତ ମନ୍ଦିରର ଅନେକ ସ୍ଥାନରେ ଗାତ ବି ସୃଷ୍ଟି ହେବା ଆରମ୍ଭ ହେଲାଣି । ଲଗାଣ ବର୍ଷା ଯୋଗୁଁ ମନ୍ଦିର ପରିସରରେ ଥିବା ସମସ୍ତ ଛୋଟବଡ଼ ମନ୍ଦିରର ଗର୍ଭଗୃହରେ ବର୍ଷା ପାଣି ପଶୁଛି ।
ବର୍ଷା ପାଣି ଜମା ହୋଇ ରହୁଥିବାରୁ ଏହା ପରିସରରେ ଥିବା ମଣ୍ଡପ ଗୋଟିଏ ଆଡକୁ ଢଳିବା ଭଳି ପରିସ୍ଥିତି ଦେଖାଦେଇଛି ।
ଜମା ହୋଇ ରହୁଥିବା ପାଣି ପ୍ରଦୂଷିତ ହୋଇଯାଇଛି । ସାଧାରଣ ଭାବେ ଦୈନନ୍ଦିନ ବ୍ୟବହାର ପାଇଁ ପୂର୍ବରୁ ଲୋକେ ଏହି ପାଣିକୁ ବ୍ୟବହାର କରୁଥିବା ବେଳେ ଏବେ ସେସବୁ ବନ୍ଦ କରି ଦେଇଛନ୍ତି ।
ପୂର୍ବରୁ ଏହା ଲୋକଙ୍କ ପାଇଁ ପାନୀୟ ଜଳର ଉତ୍ସ ଥିଲା । ମନ୍ଦିର ପରିସରରେ ଥିବା ନଳକୂଅ ଉପରେ ଲୋକେ ନିର୍ଭର କରୁଥିଲେ । ହେଲେ ଏବେ ଭୂତଳ ଜଳସ୍ତର ଦୂଷିତ ହୋଇଯାଇଥିବାରୁ ଲୋକେ ଏହାକୁ ବ୍ୟବହାର କରୁ ନାହାନ୍ତି ।
ମିଳିଥିବା ସୂଚନା ଅନୁସାରେ ୧୯୯୯ ମସିହାରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଏହି ମନ୍ଦିର ମରାମତି କରିଥିଲେ । ସେ ସମୟରେ ଏହାର ଚାରିପାଖରେ ଏକ କାନ୍ଥ ତିଆରି କରାଯାଇଥିଲା ।
ଯାହାକି ପରବର୍ତ୍ତୀ ସମୟରେ ପୋଖରୀ ଭିତରକୁ ପ୍ରାକୃତିକ ଜଳ ପ୍ରବାହକୁ ବନ୍ଦ କରି ଦେଇଥିଲା ।
ବର୍ତ୍ତମାନ ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ନିୟମିତ ବ୍ୟବଧାନରେ ପମ୍ପ ଲଗାଇ ବର୍ଷା ଜଳ ବାହାରକୁ କରୁଛନ୍ତି । ହେଲେ ତାହା ଫଳପ୍ରଦ ନୁହେଁ ବୋଲି ସେ କହିଛନ୍ତି ।
ଏନେଇ ସ୍ଥାନୀୟ ଲୋକମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ସାକ୍ଷାତ କରି ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି । ହେଲେ କୌଣସି ସୁଫଳ ମିଳିନି ।
ଯଦି ତୁରନ୍ତ ଏନେଇ କୌଣସି ପଦକ୍ଷେପ ଗ୍ରହଣ ନ କରାଯାଏ ତେବେ ଏହାର ମୂଳଦୁଆ ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ବିଶିଷ୍ଟ ଐତିହାସିକ ତଥା ଗବେଷକ ଅନିଲ୍ ଧୀର କହିଛନ୍ତି ।
ମା’ ଯୋଗେଶ୍ୱରୀ ଯୁବ ସଙ୍ଗଠନର ସଚିବ ପ୍ରଫୁଲ୍ଲ ସ୍ୱାଇଁ କହିଛନ୍ତି ଗୋସାଗରେଶ୍ୱର ପୋଖରୀର କାଦୁଅକୁ ଆମେ ଅନେକ ଥର ସଫା କରିଛୁ ।
କିନ୍ତୁ ଯଦି ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ସ୍ଥାୟୀ ସମାଧାନ ନ କରନ୍ତି ତେବେ ଆଗକୁ ମନ୍ଦିରର ଅନେକ କ୍ଷତି ହେବ ।
ଇନଟାକ୍ ର ପ୍ରକଳ୍ପ ସଂଯୋଜକ ତଥା ଗବେଷକ ଅନୀଲ ଧୀର କହିଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଥିବା ସମସ୍ତ ପବିତ୍ର ପୁଷ୍କରିଣୀ ଏବେ ଅବ୍ୟବସ୍ଥିତ ଓ ଅବହେଳିତ ।
ଗଙ୍ଗା-ଯମୁନା ଠାରୁ ଆରମ୍ଭ କରି ବଡ଼ କୂଅ, କପିଳେଶ୍ୱର ଅଞ୍ଚଳର କପିଳ କୁଣ୍ଡ, ମଣିକର୍ଣ୍ଣିକା, କୁକୁଟେଶ୍ୱର, କେଦାରଗୌରୀ ଓ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ପୁଷ୍କରିଣୀ, କୋଟିତୀର୍ଥ, ପାପନାଶିନୀ, ସୁନ୍ଦରେଶ୍ୱର, ଯମେଶ୍ୱର, ମହାଭୋଇଶାସନ, ଗୋଦାବରୀ ପୁଷ୍କରିଣୀ ଆଦି ସମସ୍ତ ପୋଖରୀର ତୁରନ୍ତ ଯତ୍ନନେବା ଆବଶ୍ୟକ ।
ଏସବୁ ପୁଷ୍ପରିଣୀରେ ଏବେ କୁଢ଼କୁଢ଼ ଅଳିଆ ଆବର୍ଜନା, ପ୍ଲାଷ୍ଟିକ ଓ ଘରୋଇ ବର୍ଜ୍ୟବସ୍ତୁ ଭାସୁଥିବା ବେଳେ ଏସବୁ ସଫା ହେବା ଦରକାର ।
ଏ ବାବଦରେ ପରିବେଶବିତ୍ ବିଶ୍ୱଜିତ ମହାନ୍ତି କହିଛନ୍ତି ଲୋକମାନେ ବୋରୱେଲ୍ ଖୋଳିଦେବା ଦ୍ୱାରା ଅନେକ ସ୍ଥାନରେ ପ୍ରାକୃତିକ ଝର ସବୁ ଶୁଖିଯାଇଛି ।
ଏଦିଗରେ ସାହି କମିଟି, ସ୍ଥାନୀୟ କ୍ଲବଗୁଡ଼ିକ ଆଗେଇ ଆସି ଏସବୁ ଜଳଉତ୍ସଗୁଡ଼ିକର ପୁନଃଉତ୍ଥାପନ ଦିଗରେ କାମ କରିବା ଦରକାର ।
ଗୋସାଗରେଶ୍ୱର ପୋଖରୀ ତୁରନ୍ତ ମରାମତି ହେବା ଦରକାର । କାରଣ ପୋଖରୀ ଚାରିପାଖରେ ଥିବା ମନ୍ଦିର ସବୁ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ଅଛି ।