ଭୁବନେଶ୍ବର, ମାର୍ଚ୍ଚ ୪ (ଲୋକାଲ ୱାୟାର): ଶାସନ ବ୍ୟବସ୍ଥାର ବିକେନ୍ଦ୍ରିକରଣ ବଦଳରେ ରାଜ୍ୟ ସରକାର ସଚିବାଳୟରେ କେନ୍ଦ୍ରୀକରଣ କରିବା ସହ ପଞ୍ଚାୟତର କ୍ଷମତାକୁ ସଙ୍କୁଚିତ କରୁଥିବା ବୁଧବାର ରାଜ୍ୟ ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସମୀର କହିଛନ୍ତି ଯେ, ବିଜେଡି ସରକାର ପଞ୍ଚାୟତିରାଜ ବ୍ୟବସ୍ଥାକୁ ଦଳର ସ୍ୱାର୍ଥରକ୍ଷା ଓ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ବ୍ୟବହାର କରିବା ସହ ଅଫିସରରାଜ ଚଳାଇବା ପାଇଁ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ଅଣଦେଖା କରୁଛନ୍ତି।
ମାର୍ଚ୍ଚ ୫ ବିଜୁବାବୁଙ୍କୁ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିଲେ ବି ବାସ୍ତବରେ ସରକାର ଯୋଜନାବଦ୍ଧ ଭାବେ ପଞ୍ଚାୟତକୁ ପଙ୍ଗୁ କରିବାରେ ଲାଗିଛନ୍ତି ବୋଲି ସେ ଅଭିଯୋଗ ବାଢ଼ିଛନ୍ତି। ପଞ୍ଚଚାୟତଗୁଡ଼ିକୁ କେନ୍ଦ୍ର ସରକାର ସିଧାସଳଖ ୪୦ ଲକ୍ଷରୁ ୧ କୋଟି ଟଙ୍କାର ଅନୁଦାନ ଦେଉଛନ୍ତି ଓ ଏହାକୁ ଖର୍ଚ୍ଚ କରିବା କ୍ଷମତା ପଞ୍ଚାୟତକୁ ଦିଆଯାଇଛି ।
ହେଲେ ରାଜ୍ୟ ସରକାର ଅନ୍ୟ ବାଟରେ ଖର୍ଚ୍ଚା କରୁଥିବା ସେ କହିଛନ୍ତି। ପଞ୍ଚାୟତକୁ ସିଧାସଳଖ ମିଳୁଥିବା ଅନୁଦାନରୁ ୯୪ ଭାଗ ଅର୍ଥ କେନ୍ଦ୍ର ସରକାର ଦେଉଥିବାବେଳେ ମାତ୍ର ୬ ପ୍ରତିଶତ ଅର୍ଥ ରାଜ୍ୟ ସରକାର ଦେଉଥିବା ସମୀର କହିଛନ୍ତି । ସେହିପରି ଗ୍ରାମସଭାକୁ ଅକାମୀ କରିଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।
ଗତ ୧୭ ଫେବ୍ରୁଆରିରେ ପ୍ରିନ୍ସିପାଲ ସେକ୍ରେଟାରି ସମସ୍ତ ଜିଲ୍ଲାପାଳ ଓ ପ୍ରକଳ୍ପ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଯେ ବିଡିଓମାନେ ପଞ୍ଚାୟତରେ ଅର୍ଥ କମିଶନ ସୁପାରିଶ ଆଧାରରେ ମିଳୁଥିବା ଅର୍ଥକୁ କେମିତି ଖର୍ଚ୍ଚ କରାଯିବ, ତାର ଦାୟିତ୍ୱ ନିଅନ୍ତୁ । ୨୦ ବର୍ଷ ପରେ ସରକାର କାହିଁକି ପଞ୍ଚାୟତକୁ ସକ୍ଷମ କରିପାରିନାହାନ୍ତି ଓ ମାନବ ସମ୍ବଳ ବୃଦ୍ଧି କରିବାରେ କିଏ ବାଧକ ସାଜିଛି ବୋଲି ସମୀର ପ୍ରଶ୍ନ କରିଛନ୍ତି ।
ଲୋକାଲ୍ ଓ୍ବାୟାର୍