ଭୁବନେଶ୍ୱର, ଫେବ୍ରୁଆରୀ ୧୯(ଲୋକାଲ ୱାୟାର): କେନ୍ଦ୍ର ସରକାର ଦେଉଥିବା ବିପୁ, ଅନୁଦାନକୁ ଖର୍ଚ୍ଚ କରିବାରେ ରାଜ୍ୟ ସରକାର ବିଫଳ ହେଉଛନ୍ତି ବୋଲି ବୁଧବାର ଭୁବନେଶ୍ୱରରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ରାମ ମାଧବ କହିଛନ୍ତି ।
ସେ କହିଛନ୍ତି, ଚଳିତବର୍ଷର କେନ୍ଦ୍ରୀୟ ସାଧାରଣ ବଜେଟ୍ ଦ୍ୱାରା ଭାରତବର୍ଷର କୃଷକ, ମହିଳା, ଯୁବକ,ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନେ ଅଧିକ ଲାଭାନ୍ୱିତ ହେବେ ।
ବିଶେଷଭାବରେ ଓଡ଼ିଶା ଭଳି ରାଜ୍ୟରେ ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନ ଏହି ବଜେଟରୁ ସବୁଠୁ ବେଶୀ ଲାଭ ପାଇପାରିବେ ।
ଓଡ଼ିଶା ସରକାର କେନ୍ଦ୍ରୀୟ ଯୋଜନାରେ ସାମିଲ ହେବା ପାଇଁ ଆବଶ୍ୟକ ପ୍ରସ୍ତାବ ପଠାଉ ନାହାଁନ୍ତି କି କେନ୍ଦ୍ରୀୟ ଅନୁଦାନକୁ ସଠିକ ଭାବରେ ଖର୍ଚ୍ଚ କରିପାରୁ ନାହାଁନ୍ତି ।
ରାଜ୍ୟସରକାର ଅନେକ ଯୋଜନାରେ କେନ୍ଦ୍ର ଦେଇଥିବା ଅନୁଦାନର ମାତ୍ର ୪ ରୁ ୬ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି ।
ଚଳିତବର୍ଷ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ, କେନ୍ଦ୍ରୀୟ ଅନୁଦାନ ଏବଂ ରେଳ ବିକାଶ ପାଇଁ ୭୩,୫୯୬ କୋଟି ଟଙ୍କାର ଅନୁଦାନ ଓଡ଼ିଶାକୁ ମିଳିବାକୁ ଯାଉଛି ।
ରାଜ୍ୟର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ମିଳିତ ଉଦ୍ୟମରେ କାର୍ଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି ।
କିନ୍ତୁ କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରିନପାରି ରାଜ୍ୟସରକାର ସବୁବେଳେ କେନ୍ଦ୍ର ଉପରେ ଦୋଷ ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ସେ କହିଛନ୍ତି, କେନ୍ଦ୍ର ସରକାର ଷ୍ଟାର୍ଟ ଅର୍ପ ପ୍ରୋଗ୍ରାମକୁ ପୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଉଚ୍ଚଶିକ୍ଷା କ୍ଷେତ୍ରରେ ବିଦେଶ ପୁଂଜି ନିବେଶ କରିବା ପାଇଁ ନିଷ୍ପତ୍ତି ହୋଇଛି, ଯାହା ଆଗାମୀ ଦିନରେ ବିଶ୍ୱ ସ୍ତରୀୟ ଶିକ୍ଷାନୁଷ୍ଠାନ ସ୍ଥାପନ ହେବାରେ ସହାୟକ ହେବ ।
ମତ୍ସ୍ୟ ଉତ୍ପାଦନ, ସୋଲାର କ୍ଷେତ୍ରରେ, ଜଳ ସଂଶାଧନ କ୍ଷେତ୍ରରେ ବଜେଟ ପ୍ରାବଧାନ ରହିଛି ।
ଜଳ ସଂଶାଧନ କ୍ଷେତ୍ରରେ ୩.୫ ଲକ୍ଷ କୋଟି ରହିଛି ।
ଓଡିଶାର ବିଭିନ୍ନ ଜିଲ୍ଲାରେ ପାଣିର ସମସ୍ୟା ରହିଛି । ଯଦି ରାଜ୍ୟସରକାର କିଛି ଭଲ ପ୍ରୋଜେକ୍ଟ ଆଣନ୍ତି ତେବେ କେନ୍ଦ୍ର ସରକାର ପୂର୍ଣ୍ଣ ସହାୟତା ଦେବା ପାଇଁ ପ୍ରସ୍ତୁତ ।
୨୦୦ ଲକ୍ଷ କୋଟି ମତ୍ସ୍ୟ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି ।
ଓଡ଼ିଶା ପାଇଁ ମଧ୍ୟ ଏହା ଏକ ବଡ଼ ଲାଭକାରୀ ହୋଇ ପାରିବ ।
ଦେଶର ପ୍ରତ୍ନତତ୍ୱ ବିଭାଗର ବିକାଶ ପାଇଁ ଶିକ୍ଷା ସଂସ୍ଥାନ ଖୋଲା ଯିବ, ଏହାର ଫାଇଦା ମଧ୍ୟ ଓଡିଶା ରାଜ୍ୟସରକାର ନେଇ ପାରିବେ ବୋଲି ଶ୍ରୀ ମାଧବ କହିଛନ୍ତି ।
ଆୟୁଷ୍ମାନ ଯୋଜନାର ଫାଇଦା ଓଡିଶାବାସୀ ଉଠାଇ ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ଦେଶରେ ୨୦ ହଜାରରୁ ଉର୍ଦ୍ଧ୍ୱ ମେଡିକାଲକୁ ଆୟୁଷ୍ମାନ ଭାରତ ମାଧ୍ୟମରେ ଯୋଡାଯାଇଛି ।
ଓଡିଶାରେ ୬୦ ପ୍ରତିଶତରୁ ଉର୍ଦ୍ଧ୍ୱ ପଛୁଆ ବର୍ଗ ଲୋକ ବସବାସ କରୁଛନ୍ତି ।
ଏହି ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଥିଲେ ସେମାନଙ୍କୁ ବଡ ଫାଇଦା ମିଳି ପାରିଥାନ୍ତା ବୋଲି ଶ୍ରୀ ମାଧବ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଏବଂ ଗଣମାଧ୍ୟମ ବିବାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଲୋକାଲ ୱାୟାର