• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ସାକ୍ଷାତକାର

ସାକ୍ଷାତକାର: ଉଦାହରଣ ସାଜିଲେ ଆଦିବାସୀ ଝିଅ ଅର୍ଚ୍ଚନା: ସୁନ୍ଦରଗଡ଼ରୁ ଜାତିସଂଘ ଯାତ୍ରା

August 3, 2020 By Prativa Ghosh Leave a Comment

ଭୁବନେଶ୍ୱର, ଅଗଷ୍ଟ ୩(ଲୋକାଲ ୱାୟାର): ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ପ୍ରସ୍ତୁତ ଆକ୍ସନ୍ ପ୍ଲାନ୍ ର ମଙ୍ଗ ଧରିବ ଓଡ଼ିଶା ।

ରୋଲ୍ ମଡେଲ ହେବେ ଓଡ଼ିଶାର ଝିଅ ଅର୍ଚ୍ଚନା ସୋରେଙ୍ଗା । ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ସେ ଦେବେ ନୂଆ ନୂଆ ଚିନ୍ତାଧାରା ।

ଯାହାକୁ ନେଇ କାମ କରିବ ସାରା ବିଶ୍ୱ । ଜାତିସଂଘ ମହାସଚିବଙ୍କ ଜଳବାୟୁ ପରିବର୍ତ୍ତନ ନେଇ ଗଠିତ ୟୁଥ୍ ଆଡଭାଇଜରୀ କମିଟିର ଯୁବ ପରାମର୍ଶଦାତା ଭାବେ ମନୋନୀତ ହେବା ପରେ ସୃଷ୍ଟି ହୋଇଛି ଏହି ନୂଆ ସମ୍ଭାବନା ।

ଜାତିସଂଘର ଏହି ୭ ଜଣିଆ ଯୁବ ପରାମର୍ଶଦାତା କମିଟିରେ ଅର୍ଚ୍ଚନା ହେଉଛନ୍ତି ଏକମାତ୍ର ଭାରତୀୟ ।

ସୁନ୍ଦରଗଡ଼ ଜିଲ୍ଲା ବିରବନ୍ଧ ଗାଁର ଅର୍ଚ୍ଚନା ଖୁବ୍ କମ୍ ବୟସରେ ଅର୍ଚ୍ଚନା ଅତିକ୍ରମ କରିପାରିଛନ୍ତି ମିଳିତ ଜାତିସଂଘର ଲମ୍ବା ରାସ୍ତା ।

କିଛି ସମୟ ହେଉପଛେ, ତାଙ୍କର ଏହି ରୋମାଞ୍ଚକର ଯାତ୍ରାର ଅଂଶୀଦାର ହେବାକୁ ଚାହିଁଥିଲୁ ଆମେ ।

ଆଉ ଜାଣିବାକୁ ଚାହିଁଥିଲୁ ଆଦିବାସୀଙ୍କ ଜଙ୍ଗଲ, ଜମି, ଜଳ, ଜୀବନ, ଜୀବିକା, ଅଧିକାରକୁ ନେଇ ସେ କରୁଥିବା ଗବେଷଣା ବାବଦରେ ।

ଆଗାମୀ ଦିନରେ ଜଳବାୟୁ ପରିବର୍ତ୍ତନକୁ ନେଇ ସେ ଚିନ୍ତା କରୁଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ…

ପ୍ରଶ୍ନ: ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଆପଣଙ୍କ ରଣନୀତି କେମିତି ହେବ? ଆପଣ ଏ ଦିଗରେ ଜାତିସଂଘର ପରାମର୍ଶଦାତା କମିଟିକୁ କିପରି ସାହାଯ୍ୟ କରିବେ?

ଉତ୍ତର: ଜଳବାୟୁ ପରିବର୍ତ୍ତନକୁ ନେଇ ଅନେକ ଏବେ ବି ଅଜ୍ଞ । ଆମକୁ ମାନିବାକୁ ହେବ ଯେ ଜଳବାୟୁ ପରିବର୍ତ୍ତନ ହେଉଛି ।

ଏହାକୁ ସମସ୍ୟା ଭାବେ ଭାବିଲେ ହିଁ ସମାଧାନ କଥା ଚିନ୍ତା କରାଯାଇ ପାରିବ । ଜଳବାୟୁ ପରିବର୍ତ୍ତନ ଏମିତି ଏକ ସମସ୍ୟା ଯାହା ଚୁଟକିରେ ସମାଧାନ ହେବନି ।

ଏଥିପାଇଁ କେବଳ ରଣନୀତି କଲେ ବି ହେବନି । ଏହାର ସମାଧାନକୁ ଅଭ୍ୟାସରେ ପରିଣତ କରିବାକୁ ହେବ ।

ମୋ ମତରେ ଲୋକେ ପ୍ରଥମେ ଏନେଇ ସଚେତନ ହେବା ଜରୁରି । ଏଥିପାଇଁ ଏହାକୁ ପାଠ୍ୟକ୍ରମରେ ସାମିଲ କରିବାକୁ ହେବ ।

ସ୍କୁଲରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଯାଏଁ ସବୁ ପାଠ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନ ଏକ ବିଷୟ ହେବା ଦରକାର ।

ଯଦି ଆପଣ ସ୍ୱତନ୍ତ୍ର ଭାବେ ମୋ କଥା କହୁଛନ୍ତି ତେବେ ମୁଁ ଗ୍ରୀନ୍ ଇକୋନୋମିକୁ ଗୁରୁତ୍ୱ ଦେବି । ଏହାଦ୍ୱାରା ଆଦିବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିହେବ ।

ପ୍ରଶ୍ନ: ଜାତିସଂଘକୁ କ’ଣ ପରାମର୍ଶ ଦେବେ?

ଉ ର: ଜାତିସଂଘର ଯୁବପରାମର୍ଶଦାତା କମିଟିକୁ ବଛାଯିବା ପରେ ମୋ ଦାୟିତ୍ୱ ବଢ଼ିଯାଇଛି ।

ମୁଁ ଏବେ ଯୁବପିଢ଼ି ଓ ଜାତିସଂଘ ମଧ୍ୟରେ ବ୍ରିଜ୍ ଭଳି କାମ କରିବି । ଆସନ୍ତା ୨ ବର୍ଷ ଯାଏଁ ମୋର ଏହି ଦାୟିତ୍ୱ ରହିବ ।

ଜଳବାୟୁ ପରିବର୍ତ୍ତନ ପାଇଁ ଯୁବପିଢ଼ିଙ୍କୁ କିପରି ସଚେତନ କରାଯିବ । ଏହାକୁ ରୋକିବା ଦିଗରେ ସେମାନେ କିପରି ଭାବେ କାମ କରିବାକୁ ଚାହୁଁଛନ୍ତି ସେମାନଙ୍କ ସହ ଆଲୋଚନା କରି କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ଆମର ଦାୟିତ୍ୱ ରହିବ ।

ତା ଛଡ଼ା ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ ଯୁବପିଢ଼ିଙ୍କ ନୂଆ ନୂଆ ଆଇଡିଆ, ସେମାନେ କିପରି ଭାବେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରିବେ ସେସବୁର ତଦାରଖ କରିବା, ସେମାନଙ୍କ ଦକ୍ଷତାକୁ ବିକାଶ କରିବା ପାଇଁ ଆମେ କାମ କରିବୁ ।

ପ୍ରଶ୍ନ: ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ ଓଡ଼ିଶା ପାଇଁ କିଛି ଚିନ୍ତା କରିଛନ୍ତି?

ଉତ୍ତର: ଓଡ଼ିଶା ଆଉ ଓଡ଼ଶାବାସୀ ମୋ ରକ୍ତରେ । ମୁଁ ସବୁବେଳେ ସେମାନଙ୍କ ପାଇଁ ଚିନ୍ତା କରି ଆସିଛି । ମୁଁ ନିଜେ ଜଣେ ଆଦିବାସୀ ।

ତେଣୁ ଆମ ପରମ୍ପରା, ସଂସ୍କୃତି, ଐତିହ୍ୟକୁ ଜାବୁଡ଼ି ଧରି ବଞ୍ଚିବାକୁ ଚେଷ୍ଟା କରିଛି । ଓଡ଼ିଶାରେ ପିଲାବେଳୁ ବଢ଼ିଛି ।

ହେଲେ ଚାକିରି କଲା ପରେ ଓଡ଼ିଶାକୁ ପାଖରୁ ଦେଖିବାର ଓ ବୁଝିବାର ସୁଯୋଗ ପାଇଲି । ଅନେକ ଜିଲ୍ଲା ବୁଲିଛି ।

ଲୋକଙ୍କ ଜଙ୍ଗଲ, ଜମି, ପ୍ରକୃତି ପ୍ରତି ଭଲପାଇବା ହୃଦବୋଧ କରିଛି । ମୁଁ ଏସବୁକୁ ଆହୁରି ଆଗକୁ ନେବାକୁ ଚାହେଁ ।

ଆଦିବାସୀ ଲୋକ କିପରି ନିଜ ଜଙ୍ଗଲ, ଜମି ଅଧିକାରକୁ ଭଲ କରି ବୁଝିପାରିବେ, ପରିବେଶ ସୁରକ୍ଷା ପାଇଁ କାମ କରିବେ, ସେ ଦିଗରେ ମୁଁ ଗୁରୁତ୍ୱ ଦେବି ।

ପ୍ରଶ୍ନ: କେଉଁ ପରିଚିତି ଆପଣଙ୍କୁ ବେଶୀ ଖୁସି ଦେଉଛି, ଜଣେ ଆଦିବାସୀ ନା ଜଣେ ଜାତିସଂଘ ପରାମର୍ଶଦାତା?

ଉତ୍ତର: ହା ହା ହା….. । ସବୁ ପରିଚୟ ମୋ ପାଇଁ ସମାନ । ହେଲେ ଗୋଟିଏ ପରିଚୟ ମୋ ସହ ମୋ ଜନ୍ମରୁ ଅଛି ।

ଆଉ ସେଇଟା ହେଉଛି ମୁଁ ଜଣେ ଆଦିବାସୀ । ମୁଁ ଏଥିପାଇଁ ଖୁବ୍ ଗର୍ବିତ । ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଓ ଜଳବାୟୁ ପରିବର୍ତ୍ତନ ପାଇଁ ନିରନ୍ତର କାମ କରୁଥିବାରୁ ମୋତେ ଆଜି ଏ ସୁଯୋଗ ମିଳିଛି ।

ସେଥିପାଇଁ ହିଁ ମୁଁ ଜାତିସଂଘ ପରାମର୍ଶଦାତା କମିଟି ଭଳି ପ୍ଲାଟଫର୍ମରେ ନିଜର ଉପସ୍ଥିତି ଜାହିର କରିବାର ସୁଯୋଗ ପାଇଛି ।

ମୋ ମତରେ ଜଣେ ଯେତେ ଉପରକୁ ଯାଉ ନା କାହିଁକି, ଯେତେ ସଫଳତାର ଶିଢି ଚଢ଼ୁନା କାହିଁକି, ନିଜର ମା, ମାଟି ଓ ପରିଚୟକୁ ଭୁଲିଯିବା କଥା ନୁହେଁ ।

ପ୍ରଶ୍ନ: ସୁନ୍ଦରଗଡ଼ରୁ ମିଳିତ ଜାତିସଂଘ… ଏ ରୋମାଞ୍ଚକର ଯାତ୍ରା କେମିତି ଥିଲା?

ଉତ୍ତର: ଆଜି ମୁଁ ଯାହା ତା’ର ସମସ୍ତ ଶ୍ରେୟ ମୋ ପରିବାରର । ମୋ ବାପା ଓ ମା’ଙ୍କ ପାଇଁ ମୁଁ ଏ ରୋମାଞ୍ଚକର ଯାତ୍ରା ପାଇଁ ସୁଯୋଗ ପାଇଲି ।

ମୁଁ ମଧ୍ୟବିତ୍ତ ପରିବାରରୁ ଆସିଛି । ତଥାପି ମୋ ପାଠପଢ଼ା ଇଂରାଜୀ ମାଧ୍ୟମ ସ୍କୁଲରୁ ହୋଇଛି ।

ଅଭାବ ଭିତରେ ବି ପରିବାର ଲୋକେ ମୋତେ ପାଠପଢ଼ାର ସବୁ ସୁଯୋଗ ଦେଇଛନ୍ତି ।

ଯେତେବେଳେ ମୁଁ ଉଚ୍ଚଶିକ୍ଷା ପାଇଁ ମୁମ୍ବାଇ ସ୍ଥିତ ଟାଟା ଇନଷ୍ଟିଚୁ୍ୟଟ୍ ଅଫ୍ ସମାଜ ବିଜ୍ଞାନରେ ମାଷ୍ଟର ଡିଗ୍ରୀ କରିବାକୁ ଚାହିଁଲି ପରିବାର ଲୋକେ ସବୁପ୍ରକାର ସମର୍ଥନ ଦେଲେ ।

ଲୋକାଲ ୱାୟାର

Filed Under: Interview, Odia, Special, ବିଶେଷ, ସାକ୍ଷାତକାର Tagged With: Special, ଓଡିଶା, ବିଶେଷ, ସାକ୍ଷାତକାର

ରାଜଧାନୀରେ ମିନତି ସାବତଙ୍କ ହେରିଟେଜ୍ ଫ୍ୟାଶନ୍ ଷ୍ଟୁଡିଓ ‘ଗ୍ରିସା’ (ସାକ୍ଷାତକାର)

June 15, 2020 By Prativa Ghosh Leave a Comment

ଭୁବନେଶ୍ୱର, ଜୁନ୍ ୧୫(ଲୋକାଲ ୱାୟାର): ପ୍ରଥମ ଥର ପାଇଁ ରାଜଧାନୀ ଛାତିରେ ଛିଡ଼ା ହୋଇଛି ବଂଲୋ ଡିଜାଇନର ଷ୍ଟୁଡିଓ ।

ଯାହାର ନାଁ ରହିଛି ‘ଗ୍ରିସା’ । ନୟାପଲ୍ଲୀ ଏନ୍-୫ର ରେସିଡେନ୍ସିଆଲ୍ ଅଞ୍ଚଳରେ ଏହି ଡିଜାଇନର୍ ଷ୍ଟୁଡିଓ ବାହାରୁ ଯେତିକି ଆଣ୍ଟିକ୍ ଓ ହେରିଟେଜ୍ ଲୁକ୍ ଦେଉଛି ଭିତରେ ବି ସେତିକି ଆମୋଦିତ କରୁଛି ।

ପୋଷାକ ପରିଧାନକୁ ଗୁରୁତ୍ୱ ଦେଉଥିବା ଓ ଭଲ ପାଉଥିବା ପ୍ରତିଟି ଫ୍ୟାଶନ୍ ପ୍ରେମୀଙ୍କ ପାଇଁ ୱାନ୍ ଷ୍ଟପ୍ ସେଣ୍ଟର ପାଲଟିଛି ‘ଗ୍ରିସା’ ।

ଆଉ ଅର୍ବାନ୍ ଟ୍ରେଣ୍ଡ ସେଟରଙ୍କ ଏକମାତ୍ର ବିକଳ୍ପ ହୋଇ ପାରିଛି ଏହି ଷ୍ଟୁଡିଓ । ଯାହାକୁ ଛିଡ଼ା କରିବା ପଛରେ ରହିଛନ୍ତି ମହିଳା ଉଦ୍ୟୋଗୀ ମିନତି ସାବତ୍ ।

ଏଭଳି ଏକ ନୂଆ ଚିନ୍ତାଧାରା ନେଇ ପ୍ରତିଷ୍ଠିତ ହେରିଟେଜ୍ ଡିଜାଇନର୍ ଷ୍ଟୁଡିଓ ‘ଗ୍ରିସା’ ବାବଦରେ ମିନତିଙ୍କ ମୁହଁରୁ ଜାଣିବାକୁ ଚାହିଁଥିଲା ଲୋକାଲ ୱାୟାର..

ପ୍ରଶ୍ନ: ବଂଲୋ ଡିଜାଇନର୍ ଷ୍ଟୁଡିଓ କ’ଣ?

ଉତ୍ତର: ପ୍ରଥମତଃ ସାଧାରଣ ଦୋକାନ ଭଳି ଏହା ବିଲକୁଲ୍ ନୁହେଁ ।

ଗାଡ଼ି ମୋଟରର କେଁ କଟର ଠାରୁ ଦୂରରେ ରହି ଏକ ଘରୋଇ ପରିବେଶରେ ଗଢ଼ି ଉଠିଥିବା ଷ୍ଟୁଡିଓକୁ ବଙ୍ଗେଲୋ ଡିଜାଇନର ଷ୍ଟୁଡିଓ କୁହାଯାଏ ।

ତେବେ ଷ୍ଟୁଡିଓର ସ୍ୱାତନ୍ତ୍ର୍ୟ ହେଲା ଏହାର ହେରିଟେଜ୍ ଓ ଆଣ୍ଟିକ୍ ଲୁକ୍ ।

କେବଳ ଇଣ୍ଟେରିୟରର ଆଣ୍ଟିକ୍ ଲୁକ୍ ନୁହେଁ; ବରଂ ଏଠାରେ ସ୍ଥାନ ପାଇଥିବା ସମସ୍ତ ପ୍ରଡକ୍ଟ କଷ୍ଟମାଇଜଡ ଭାବେ ତିଆରି କରାଯାଇଥାଏ ।

ଷ୍ଟୁଡିଓରେ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର କୋଠରି ରହିବା ସହ ସେଠାରେ ବସି ସେମାନେ ଗପସପ ହେବାର ବି ସୁବିଧା ରହିଥାଏ ।

କିଛି କିଛି ବଂଲୋ ଷ୍ଟୁଡିଓରେ କାଫେ-ଡେ ଏରିଆ ବି ରହିଥାଏ ।

ପ୍ରଶ୍ନ: ଏମିତି ଅଭିନବ ଚିନ୍ତାଧାରା କାହିଁକି ଆସିଲା?

ଉତ୍ତର: ଏଇଟା ନୂଆ ଚିନ୍ତାଧାରା ବୋଲି ଆପଣ କହିପାରିବେ । ତେବେ ଭୁବନେଶ୍ୱରରେ ପ୍ରଥମ ।

ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁରେ ଏଭଳି ଡିଜାଇନର ଷ୍ଟୁଡିଓ କିଛି ବର୍ଷ ହେଲାଣି ଗ୍ରାହକଙ୍କ ମନ ଜିଣି ପାରୁଛି ।

ମୁଁ ଯେହେତୁ କିଣାକିଣି କରିବାକୁ ଓ ନୂୂଆ ନୂଆ ଡିଜାଇନ୍ ର ପୋଷାକ ପିନ୍ଧିବାକୁ ଭଲ ପାଏ, ତେଣୁ ଯେବେ ରାଜ୍ୟ ବାହାରକୁ ଯାଏ ଏମିତି ଷ୍ଟୁଡିଓରୁ ପୋଷାକ କିଣି ଆଣେ ।

ନଚେତ ଅନଲାଇନ୍ ଉପରେ ନିର୍ଭର କରେ । ଏଥିରୁ ହିଁ ମୋ ମନରେ ଏଭଳି ଏକ ଷ୍ଟୁଡିଓ ରାଜଧାନୀରେ କରିବାକୁ ଇଚ୍ଛା ହେଲା ।

ଯେଉଁଥିରେ ମୋ ସମସ୍ୟା ଦୂର ହେବା ସହ ଓ ମୋ ସାଙ୍ଗସାଥୀଙ୍କ ଚାହିଦା ବି ପୂରଣ ହୋଇ ପାରିବ ।

ପ୍ରଶ୍ନ: ଆପଣ ନିଜେ ଜଣେ ଫ୍ୟାଶନ୍ ଡିଜାଇନର କି?

ଉତ୍ତର: ନା, ମୁଁ ଜଣେ ସାଧାରଣ ଏମବିଏ ପାସ୍ ଆଉଟ୍ । ରାଜଧାନୀରେ ପଢ଼ିଛି ବଢ଼ିଛି ।

ବିଜେବି କଲେଜରୁ ଇଂରାଜୀରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ପୁନେ ସ୍ଥିତ ସିମ୍ବୋସିସରେ ନାମ ଲେଖାଇଲି ।

ସେଠାରୁ ଏମବିଏ ଡିଗ୍ରୀ ପାଇ ଘରକୁ ଫେରିବା ପରେ କିଙ୍ଗଫିସର ଏୟାରଲାଇନ୍ସ ଓ ଟେଲିକମ୍ କମ୍ପାନୀରେ କିଛି ବର୍ଷ କାମ କଲି । ପରେ ମୋର ବିବାହ ହୋଇଗଲା ।

ପ୍ରଶ୍ନ: ବିବାହ ପରେ ତେବେ ଏଭଳି ବୃତ୍ତିରେ ପାଦ ଦେଇଛନ୍ତି?

ଉତ୍ତର: ବିବାହକୁ ୭ ବର୍ଷ ପୂରି ଗଲାଣି । ବିବାହ ପରେ ମୁଁ ପାରିବାରିକ ବ୍ୟବସାୟରେ ମନ ବଳାଇଲି ।

ହେଲେ ପୁଅ ଜନ୍ମ ପରେ ମୋତେ ଆଉ ସମୟ ମିଳିଲାନି । ଏବେ ପୁଅ ଦୁଇ ବର୍ଷର ହୋଇଗଲାଣି ।

ତେଣୁ ନିଜର କିଛି କରିବାକୁ ଇଚ୍ଛା କଲି । ଯାହାର ଫଳ ସ୍ୱରୂପ ରାଜଧାନୀରେ ‘ଗ୍ରିସା’ର ଆବିର୍ଭାବ ।

ପ୍ରଶ୍ନ: ପରିବାର ଓ ବୃତ୍ତି ଦୁଇଟିକୁ କେମିତି ପରିଚାଳିତ କରୁଛନ୍ତି?

ଉତ୍ତର: ଉତ୍ତ୍ୟ ମୋତେ ଏଥିପାଇଁ କେବେ କୌଣସି ସମସ୍ୟା ହୋଇନି । ବିବାହ ପରେ ମୁଁ ପାରିବାରକ ବ୍ୟବସାୟ ଦେଖାଶୁଣା କରୁଥିଲି ।

ଆମର ଏକ ଘରୋଇ ଶିକ୍ଷାନୁଷ୍ଠାନ ଅଛି । ପୂରା ପରିବାର ସେଥିରେ ଅଧିକାଂଶ ସମୟ ବିତାନ୍ତି ।

ଏବେ କିନ୍ତୁ ମୁଁ ନିଜର କିଛି କରିବାକୁ ଚାହିଁଲି ।

ଏନେଇ ଯେବେ ପ୍ରଥମ କରି ମୁଁ ପରିବାର ସଦସ୍ୟଙ୍କ ସହ ଆଲୋଚନା କଲି ସେମାନେ ସଙ୍ଗେ ସଙ୍ଗେ ରାଜି ହୋଇଗଲେ ।

ଶାଶୂ, ସ୍ୱାମୀ ସମସ୍ତେ ଏଥିପାଇଁ ମୋତେ ସହଯୋଗ କରନ୍ତି । ତେଣୁ କେବେ ଅସୁବିଧା ହୋଇନି ।

ତା ଛଡ଼ା ମୁଁ ଗ୍ରିସା ଫ୍ୟାଶନ୍ ଷ୍ଟୁଡିଓ ଭିତରେ ପୁଅ ପାଇଁ ଏକ ସ୍ୱତନ୍ତ୍ର କୋଠରୀ କରିଛି । ସେଇଠି ଆମେ ମା’ପୁଅ ସମୟ ବିତାଉ ।

ପ୍ରଶ୍ନ: ଏହା ଆପଣଙ୍କ ପାଇଁ ନିଶ୍ଚିତ ନୂଆ । ନିଜର ଏହି ନୂଆ ଷ୍ଟାର୍ଟଅପକୁ କିପରି ଆଗକୁ ନେଉଛନ୍ତି?

ଉତ୍ତର: ମୋ ମତରେ ସମସ୍ତେ ନିଜର ପ୍ୟାଶନ୍ ଫଲୋ କରିବା ଦରକାର । କୌଣସି ବି ପରିସ୍ଥିତିରେ ଏହାକୁ ବନ୍ଦ ହେବାକୂ ଦେବା ଉଚିତ ନୁହେଁ ।

ମୁଁ ବି ଦୀର୍ଘ ଦିନ ଧରି ମନରେ ପାଳିଥିବା ମୋ ସ୍ୱପ୍ନକୁ ଏବେ ପୂରଣ କରିବାକୁ ବାହାରିଛି । କୋଲକାତାରେ ମୋର ଜଣେ ବନ୍ଧୁ ଅଛନ୍ତି ।

ଯିଏ ମୋତେ ଏଥିପାଇଁ ସାହାଯ୍ୟ କରୁଛନ୍ତି । ତାଙ୍କ ସହ ପାର୍ଟନରସିପରେ ମୁଁ ଭୁବନେଶ୍ୱରରେ ‘ଗ୍ରିସା’ ଖୋଲି ପାରିଛି ।

ଏବେ ମୁଁ ୨୪ରୁ ଅଧିକ ଫ୍ୟାଶନ୍ ଡିଜାଇନରଙ୍କ ସହ ମିଶି ବିଭିନ୍ନ ଡିଜାଇନ୍ ପ୍ରସ୍ତୁତ କରୁଛି ।

ପ୍ରଶ୍ନ: କେଉଁ ସବୁ ଡିଜାଇନର ଏବେ ‘ଗ୍ରିସା’ ପାଇଁ କାମ କରୁଛନ୍ତି?

ଉତ୍ତର: ମାସାବା, ସ୍କାରଲେଟ୍ ସେଜ୍, ଲ୍ୟାବେଲ୍ ଗାର୍ଗି ଗୁପ୍ତା, ଗାଲାଙ୍ଗ ଗବଙ୍ଗ ଶାଢ଼ୀ, ବ୍ରାଣ୍ଡ ପ୍ରିତ୍ କୌର୍ କୋହ୍ଲାପୁରୀ, ଏସମି ଜୁଏଲରୀ, ସଙ୍କଳ୍ପ ବ୍ୟାଗ୍ ଭଳି ନାମୀ ଦାମୀ ଫ୍ୟାଶନ୍ ଡିଜାଇନରଙ୍କ ସହ କାମ କରୁଛୁ ।

ପ୍ରଶ୍ନ: ଏଥିରେ ଥିବା ପ୍ରଡକ୍ଟ କେଉଁ ବର୍ଗର ଗ୍ରାହକଙ୍କ ପାଇଁ?

ଉତ୍ତର: ଉଚ୍ଚ ମଧ୍ୟବିତ୍ତ ବର୍ଗର ଗ୍ରାହକଙ୍କ ପକେଟକୁ ‘ଗ୍ରିସା’ ଆଉଟଫିଟ୍ ସୁହାଇବ ।

କାରଣ ଏସବୁର ଦାମ୍ ୪ ହଜାର ଟଙ୍କାରୁ ଆରମ୍ଭ କରି ୩୦ ହଜାର ଟଙ୍କା ମଧ୍ୟରେ ରହିଛି । ସମସ୍ତ ପ୍ରଡକ୍ଟ ଆଣ୍ଟିକ୍ ଓ ଇଣ୍ଡୋ-ୱେଷ୍ଟର୍ଣ୍ଣ ଆଉଟଫିଟରେ ମାନିବ ।

ପ୍ରଶ୍ନ: ଜଣେ ଗ୍ରାହକ କେଉଁ ପ୍ରକାର ସାମଗ୍ରୀ ‘ଗ୍ରିସା’ରେ ପାଇବ?

ଉତ୍ତର: ବାହାଘର ପରିଧାନକୁ ଛାଡ଼ି ବାକି ସମସ୍ତ ପୋଷାକ ଏଠାରେ ଉପଲବ୍ଧ ।

ବିଶେଷ କରି ଇଣ୍ଡୋ ୱେଷ୍ଟର୍ଣ୍ଣ ଓ ୱେଷ୍ଟର୍ଣ୍ଣ ଡିଜାଇନକୁ ଆମେ ଗୁରୁତ୍ୱ ଦେଉଛୁ ।

ଜମ୍ପସୁଟ୍, ଡ୍ରେସ୍, ପ୍ୟାଣ୍ଟ, ଜ୍ୟାକେଟ୍, କ୍ରପଟପ୍, ଟୁ୍ୟନିକ୍, ଗାଉନ୍, ସାଟିନ୍ ଓ ମେଟାଲିକ୍ ଫ୍ୟାବ୍ରିକ୍, ଅଫ୍ ସୋଲଡର, ଡ୍ରାପଡ୍ ସ୍କଟ୍ ଆଦି ଷ୍ଟୋରରେ ଅଛି ।

ଏହାବାଦ୍ ଜଣେ ଚାହିଁଲେ ବିଭିନ୍ନ ଡିଜାଇନର ହାଇହିଲ୍ ଓ ଫ୍ଲାଟ୍ ଚପ୍ପଲ, ହ୍ୟାଣ୍ଡ ବ୍ୟାଗ୍ ଓ ସ୍ଲିଙ୍ଗ ବ୍ୟାଗ୍ ପାଇ ପାରିବ ।

ପ୍ରଶ୍ନ: ରାଜଧାନୀ ଭୁବନେଶ୍ୱରର ଲୋକମାନେ ଏହାକୁ କିଭଳି ପସନ୍ଦ କରୁଛନ୍ତି?

ଉତ୍ତର: ରାଜଧାନୀରେ ଗ୍ରାହକଙ୍କ ଅଭାବ ନାହିଁ । ମୁଁତ ଗତ ନଭେମ୍ବରରେ ଏହା ଆରମ୍ଭ କରିଛି । ମାର୍ଚ୍ଚରୁ ଲକ୍ ଡାଉନ ଚାଲିଛି ।

ତେବେ ଲକ୍ ଡାଉନ ପୂର୍ବରୁ ମୋର ଗ୍ରାହକଙ୍କ ସଂଖ୍ୟା ବେଶ୍ ବୃଦ୍ଧି ପାଇଥିଲା ।

ଏମିତିବି, ସମ୍ପର୍କୀୟ, ବନ୍ଧୁବାନ୍ଧବ ଏମାନେ ବି କିଛି କମ୍ ଗ୍ରାହକ ନୁହଁନ୍ତି । କରୋନା ସମୟ ଚାଲିଯିବା ପରେ ପୁଣି ଥରେ ସବୁ ସ୍ୱାଭାବିକ ହୋଇଯିବ ବୋଲି ଆଶା କରୁଛି ।

ଲୋକାଲ ୱାୟାର

Filed Under: Interview, Odia, Special, ବିଶେଷ, ସାକ୍ଷାତକାର Tagged With: Interview, Special, ଓଡିଶା, ବିଶେଷ, ଭୁବନେଶ୍ବର, ସାକ୍ଷାତକାର

ସାକ୍ଷାତକାର: ମୋ ଋତୁସ୍ରାବକୁ ନେଇ ମୁଁ ଗର୍ବିତ: ସାଲିନି ସାହୁ

June 4, 2020 By Prativa Ghosh Leave a Comment

ଭୁବନେଶ୍ୱର, ଜୁନ୍ ୪(ଲୋକାଲ ୱାୟାର): ଓଡ଼ିଶାର ଏକ ନିପଟ ମଫସଲ ଗାଁର ଝିଅ ସାଲିନୀଙ୍କ ପ୍ରଶଂସା ବଲିଉଡର ନାମୀ ଦାମୀ ଅଭିତନେତ୍ରୀଙ୍କ ମୁହଁରେ ହେବା ପରେ ଲୋକାଲ୍ ୱାୟାର ଟିମ୍ ଜାଣିବାକୁ ଚାହିଁଥିଲା ଏନେଇ ତାଙ୍କ ପ୍ରତିକ୍ରିୟା ।

ଆସନ୍ତୁ ଜାଣିବା ସେ କ’ଣ କହିଥିଲେ.. ..

ଏ ଶରୀର ମୋର । ଏହା ମୋତେ ପ୍ରକୃତିରୁ ମିଳିଛି । ମାସିକ ଋତୁସ୍ରାବ ବି ପ୍ରକୃତିର ଦାନ ।

ଯେତେବେଳେ ଏ ଶରୀର ପବିତ୍ର, ସେତେବେଳେ ଋତୁସ୍ରାବ ଅପବିତ୍ର କେମିତି ହେଲା? ଏହାକୁ ନେଇ ଏତେ ସଙ୍କୋଚ କାହିଁକି?

ଭୟ, ସମ୍ମାନ, ଲଜ୍ଜାର ପରିଧି ଭିତରେ ଏହାକୁ ସମାଜ କାହିଁକି ବାନ୍ଧିଛି? ମୋ ଋତୁସ୍ରାବକୁ ନେଇ ମୁଁ ଗର୍ବିତ । ମୋ ପରି ସବୁ କିଶୋରୀ ମହିଳାମାନେ ଏହାକୁ ନେଇ ଗର୍ବ କରିବା କଥା ।

ଏକବିଂଶ ଶତାବ୍ଦୀରେ ପାଦ ଦେଇ ବି ସଭ୍ୟ ସମାଜ ଏ ସମ୍ପର୍କରେ ଏ ଯାଏଁ ଖୋଲାଖୋଲି ଆଲୋଚନା କରିପାରୁନି?

ପ୍ରତିଟି ଝିଅ ମନରେ ଏମିତି ଅନେକ ପ୍ରଶ୍ନ ବାରମ୍ବାର ଆସୁଥିଲେ ବି କେତେବେଳେ ସାମାଜିକ ପରମ୍ପରା ଓ ଧର୍ମର ଦ୍ୱାହି ଦେଇ ତ ଆଉ କେତେବେଳେ ସମ୍ମାନ ଓ ସମ୍ପ୍ରଦାୟର ମାପକାଠି ଭିତରେ ଏସବୁ ଚାପି ହୋଇଯାଏ ।

ହେଲେ ଏବେବି ଅନେକ ମହିଳା ଅଛନ୍ତି ଯେଉଁମାନେ କି ଏଭଳି ଅନେକ ଅନାଲୋଚିତ ପ୍ରଶ୍ନର ଉତ୍ତର ଖୋଜିବାର ଆସ୍ପର୍ଦ୍ଧା କରିଛନ୍ତି ।

ତଥାକଥିତ ସମାଜ, ସଂସ୍କାର ଓ ସମ୍ମାନକୁ ଟିକେ ଆଡେଇ ଯାଇ ମହିଳା ପାଇଁ ଏ ସମାଜ ସୃଷ୍ଟି କରିଥିବା ଆଦବ୍ କାଏଦାକୁ ଚ୍ୟାଲେଞ୍ଜ କରି ପାରିଛନ୍ତି । ଆଉ ନିଜ ପାଇଁ ସୃଷ୍ଟି କରି ପାରିଛନ୍ତି ସ୍ୱତନ୍ତ୍ର ପରିଚୟ ।

ନୂଆପଡ଼ା ଅଞ୍ଚଳର ସାଲିନି ସାହୁ ହେଲେ ଏମିତି ଜଣେ ବାଳିକା ଯିଏକି ମାସିକ ଋତୁସ୍ରାବ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ସବୁବେଳେ ଚର୍ଚ୍ଚା ଆଲୋଚନା କରୁଛନ୍ତି ।

ତାଙ୍କ ଆଲୋଚନାର ପରିଧି ଏବେ ଗାଁରୁ ଟପି ସୀମା ସରହଦ ଡେଇଁଲାଣି । ନିକଟରେ ‘ମେନଷ୍ଟ୍ରୁଆଲ୍ ହାଇଜିନ୍ ଡେ’ ଅବସରରେ ସାଲିନିଙ୍କ ଏକ କବିତା ବେଶ ଚର୍ଚ୍ଚିତ ମଧ୍ୟ ହୋଇଛି ।

ଋତୁସ୍ରାବକୁ ନେଇ ସାଲିନି ଲେଖିଥିବା ଏହି କବିତା ଏବେ ବଲିଉଡ ଅଭିନେତ୍ରୀ ଦୀୟା ମିର୍ଜା ଓ ଟ୍ୱିଙ୍କିଲ୍ ଖାନ୍ନାଙ୍କ ଦ୍ୱାରା ଟ୍ୱିଟ୍ ମଧ୍ୟ ହୋଇଛି ।

ପ୍ରଶ୍ନ: ନିକଟରେ ଆପଣଙ୍କ କବିତା ଦୀୟା ମୀର୍ଜାଙ୍କ ଦ୍ୱାରା ଟ୍ୱିଟ ହୋଇଛି? ଏକଥା ଜାଣିବା ପରେ କେମିତି ଲାଗୁଛି?

ଉତ୍ତର: ବଲିଉଡ ଅଭିନେତ୍ରୀ ମୋ କବିତା ଟ୍ୱିଟ୍ କରିଛନ୍ତି ଜାଣି ଖୁସି ଲାଗିଲା ନିଶ୍ଚିତ । ହେଲେ ମୁଁ ଏଥିରେ ଆତ୍ମହରା ନୁହେଁ ।

କାରଣ ଆଗକୁ ଅନେକ କିଛି କରିବାର ଅଛି । ଏଇ ଏଇ ତ ଆରମ୍ଭ କରିଛି କାମ ।

ମୁଁ ଯେବେଠାରୁ ‘ସେକ୍ସୁଆଲ୍ ରି-ପ୍ରଡକ୍ଟିଭ୍ ହେଲଥ ରାଇଟ୍’କୁ ନେଇ ଜାଣିଛି ଓ ଏନେଇ ବିଧିବଦ୍ଧ ତାଲିମ ପାଇଛି ସେବେଠାରୁ ଏସବୁ ପ୍ରସଙ୍ଗକୁ ନେଇ କବିତା ଲେଖିବା ଆରମ୍ଭ କରିଛି ।

୨୦୧୬ ମସିହାରୁ ମୋର ଏଭଳି ପ୍ରୟାସ ଆରମ୍ଭ ହୋଇଛି । ତେବେ ‘ୟଙ୍ଗ ଚେଞ୍ଜମେକର୍’ ନାଁରେ ଆମର ଏକ ଗ୍ରୁପ୍ ଅଛି ।

ଯେଉଁଠାରେ ମୁଁ ଏ କବିତା ପୋଷ୍ଟ କରିଥିଲି । ହୁଏତ ସେହିଠାରୁ ହିଁ କେହି ତାଙ୍କ ନିକଟକୁ ପଠାଇଥିବ । ଆଉ ପରବର୍ତ୍ତୀ ସମୟରେ ତାହାକୁ ଦୀୟା ମିର୍ଜା ଟ୍ୱିଟ୍ କରିଥାଇ ପାରନ୍ତି ।

ପ୍ରଶ୍ନ: ଏ ଅଭିଯାନର ଆାରମ୍ଭ କେମିତି ହେଲା?

ଉତ୍ତର: ୨୦୧୬ ମସିହା କଥା । ଜ୍ୟୋତି ବିହାର ସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ମୁଁ ପୋଷ୍ଟ ଗ୍ରାଜୁଏସନ୍ କରୁଥାଏ । ଡିଷ୍ଟାନ୍ସରେ ପାଠ ପଢ଼ୁଥିବାରୁ ଘରେ ଥାଏ ।

ସେଭ୍ ଦ ଚିଲଡ୍ରେନ୍ ଓ ଆଶା ଓଡିଶା ନାମରେ ଦୁଇଟି ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ଆମ ଗାଁକୁ ଆସି କିଶୋରୀ ବାଳିକାମାନଙ୍କୁ ଲାଇଫ୍ ସ୍କିଲ୍ (ଜୀବନ କୌଶଳ) ଶିକ୍ଷା ଦେବା ପ୍ରସଙ୍ଗରେ କହିଲେ ।

ଆମେ ସବୁ କିଶୋରୀମାନେ ଗଲୁ । ଆମ ଭିତରୁ ସେମାନେ ୧୦ ଜଣଙ୍କୁ ଚୟନ କରି ୫ ଦିନିଆ ତାଲିମ ଦେଲେ ।

ସେଠାରୁ ଆସିବା ପରେ ମୋତେ ଗାଁରେ ଡିସକସନ୍ ଲିଡର ଭାବେ ବାଛି ଅନ୍ୟ କିଶୋରୀ ମହିଳାଙ୍କୁ ତାଲିମ ଦେବାକୁ କହିଲେ ।

ସେବେଠାରୁ ହିଁ ଏହି ଅଭିଯାନର ସୂତ୍ରପାତ ବୋଲି କହି ହେବ ।

ପ୍ରଶ୍ନ: ପରେ ଏହାକୁ କିପରି ବଢ଼ାଇଲେ?

ଉତ୍ତର: ଜୀବନ କୌଶଳ ତାଲିମ୍ ନେବା ପରେ ଗାଁରେ ଆସି କିଶୋରୀ ମହିଳାମାନଙ୍କୁ ସେମାନଙ୍କ ଅଧିକାର,ସେମାନେ କିପରି ସୁରକ୍ଷିତ ଜୀବନ ବଞ୍ଚିବେ ସେ ନେଇ ତାଲିମ ଦେଉଥିଲି ।

ନାଚ ଗୀତରେ ଆମେ ଅନେକ କଥା ଜାଣୁଥିଲୁ । ଧୀରେ ଧୀରେ ମୁଁ ଏସଆରଏଚଆର୍ (ସେକ୍ସୁଆଲ୍ ରି ପ୍ରଡକ୍ଟିଭ୍ ହେଲଥ୍ ରାଇଟ୍) ବାବଦରେ ତାଲିମ୍ ନେଲି ।

ଗାଁରେ ଛୋଟ ଛୋଟ ଦଳ କରି ସେମାନଙ୍କ ସହ ମାସିକ ଋତୁସ୍ରାବ ଭଳି ସମ୍ବେଦନଶୀଳ ପ୍ରସଙ୍ଗ ବାବଦରେ ଆଲୋଚନା କରିବା ଆରମ୍ଭ କଲି ।

ଗାଁରେ ମଦର ଟେରେସା ଯୁବତୀ ସଙ୍ଗଠନ ନାଁରେ ଏକ ଫେଡେରେସନ୍ ବି ଗଢ଼ିଲି । ୨୦୧୯ରେ ୟୁଥ୍ ଚେଞ୍ଜମେକର୍ ଭାବେ ଭାରତକୁ ପ୍ରତିନିଧିତ୍ୱ କଲି । ଆଉ ସେବେଠାରୁ କେବେ ପଛକୁ ଫେରି ଚାହିଁନି ।

ପ୍ରଶ୍ନ: ନୂଆପଡ଼ାରୁ କାନାଡାର ଯାତ୍ରା କେମିତି ଥିଲା?

ୟଙ୍ଗ ଚେଞ୍ଜମେକର୍ ଭାବେ ସେଭ୍ ଦ ଚିଲଡ୍ରେନ୍ ପକ୍ଷରୁ ମୋତେ କାନାଡ଼ା ଯିବାକୁ ବଛାଯାଇଥିଲା । ସେଠାରେ ‘ୱିମେନ୍ ଡେଲିଭର୍ ଇଭେଣ୍ଟ’ରେ ଭାଗ ନେବାର କାର୍ଯ୍ୟକ୍ରମ ଥାଏ ।

ସାରା ଦେଶର ବିଭିନ୍ନ ସ୍ଥାନରୁ ୟଙ୍ଗ୍ ଚେଞ୍ଜ୍ ମେକର୍ ମାନେ ଆସିଥାନ୍ତି । ସେଠାରେ ଆମେ ସମସ୍ତେ କିଶୋରୀ ଅଧିକାର ବାବଦରେ ଚର୍ଚ୍ଚା ଆଲୋଚନା କଲୁ ।

ଏକ ପ୍ୟାନେଲ୍ ଡିସକସନ୍ ରେ ମଧ୍ୟ ମୁଁ ଅତିଥି ଭାବେ ରହିଥିଲି ।

ଯେଉଁଠାରେ ମୋତେ ଓଡ଼ିଶାରେ ବାଲ୍ୟ ବିବାହର ସ୍ଥିତି, ତାକୁ ରୋକିବା ନେଇ ଆମେ କରୁଥିବା ବିଭିନ୍ନ କାର୍ଯ୍ୟ ବାବଦରେ କହିବାର ସୁଯୋଗ ପାଇଥିଲି । ସେ ସ୍ମୃତି ସବୁଦିନ ମୋ ମନରେ ରହିବ ।

ପ୍ରଶ୍ନ: ୟଙ୍ଗ ଚେଞ୍ଜ୍ ମେକର୍ ଭାବେ ଆପଣ କ’ଣ କ’ଣ କରନ୍ତି?

ଉତ୍ତର: ମୁଁ ଜଣେ ୟଙ୍ଗ୍ ଚେଞ୍ଜ୍ ମେକର୍ ଭାବେ ମହିଳାଙ୍କ ଅଧିକାର ବିଶେଷ କରି କିଶୋରୀ ଅଧିକାରର ପ୍ରସଙ୍ଗ ଉଠାଇଥାଏ । କିଶୋରୀମାନଙ୍କୁ ଏ ବାବଦରେ ସଶକ୍ତ କରିବା ମୋର ପ୍ରଥମ କାମ ।

ତା ଛଡ଼ା ଆମେ ମଦର ଟେରେସା ଫେଡେରେସନ୍ ମାଧ୍ୟମରେ ଗାଁରେ କିଶୋରୀ ବାଳିକାଙ୍କୁ ଏକଜୁଟ୍ କରି ସେମାନଙ୍କୁ ଜୀବନକୌଶଳ ଓ ଏସଆରଏଚଆର୍ ବାବଦରେ ତାଲିମ୍ ଦେଉଛୁ ।

ଗାଁର ଆଶାଦିଦିଙ୍କଠାରୁ ପ୍ୟାଡ୍ ସଂଗ୍ରହ କରି ଗାଁର କିଶୋରୀମାନଙ୍କୁ ତାହା ବାଣ୍ଟୁଛୁ । ନୂଆପଡ଼ା ଓ ଆଖପାଖ ୮ ଖଣ୍ଡ ଗାଁର କିଶୋରୀମାନଙ୍କୁ ବାଲ୍ୟ ବିବାହ ନ କରିବାକୁ କାଉନସେଲିଂ କରୁଛୁ ।

ପ୍ରଶ୍ନ: ଏ ଯାଏଁ କେତେ ବାଲ୍ୟ ବିବାହ ରୋକି ପାରିଛନ୍ତି?

ଉତ୍ତର: ପାଖାପାଖି ୧୨ଟି ବାଲ୍ୟ ବିବାହକୁ ମୁଁ ଓ ମୋ ଟିମ୍ ରୋକିବାରେ ସଫଳ ହୋଇଛୁ ।

ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର ଓ କ୍ଲଷ୍ଟର କୋର୍ଡିନେଟରଙ୍କ ସହଯୋଗରେ ଏସବୁ ସମ୍ଭବ ହୋଇ ପାରିଛି । ଲକ୍ ଡାଉନ୍ ପୂର୍ବରୁ ଆମେ ଗାଁରେ ଏକ ବାଲ୍ୟ ବିବାହ ବନ୍ଦ କରାଇଛୁ ।

ଲକ୍ ଡାଉନ୍ ସମୟରେ ବି ଏହା ଯେପରି ନ ହୁଏ ସେଥିପାଇଁ ସମସ୍ତେ ହ୍ୱାଟସଆପ୍ ମାଧ୍ୟମରେ ସକ୍ରିୟ ରହୁଛୁ ।

ମଝିରେ ମଝିରେ ଘରକୁ ଘର ବି ଯାଉଛୁ । ବିଭିନ୍ନ ସୃଜନଶୀଳ କାର୍ଯ୍ୟ ଦ୍ୱାରା ସମସ୍ତେ ବ୍ୟସ୍ତ ରହିବାକୁ ଚେଷ୍ଟା କରୁଛୁ । ସବୁକିଛି ଏବେ ଆମେ ଅନ୍ ଲାଇନ୍ ରେ ମନିଟରିଂ କରୁଛୁ ।

ପ୍ରଶ୍ନ: ଗାଁରେ କିଶୋରୀ ବାଳିକାଙ୍କୁ କିପରି କାଉନସେଲିଂ କରୁଛନ୍ତି?

ଉତ୍ତର: ଆମେ କିଶୋରୀ ବାଳିକାଙ୍କୁ ସେମାନଙ୍କ ବିବାହର ଉପଯୁକ୍ତ ସମୟ ବାବଦରେ ଅବଗତ କରାଉଛୁ ।

ଶୀଘ୍ର ବାହାହେବାର କୁପରିଣାମ ବାବଦରେ କହିବା ସହ ନିଜ ଗୋଡ଼ରେ ସେମାନେ କିପରି ନିଜେ ଛିଡ଼ା ହେବେ ସେଥିପାଇଁ ଭୋକେସନାଲ୍ ଟ୍ରେନିଂର ବ୍ୟବସ୍ଥା ବି କରୁଛୁ ।

ପ୍ରଶ୍ନ: ନୂଆପଡ଼ା ଭଳି ଏକ ଆଦିବାସୀ ଗାଁରୁ ଆସି ଏସବୁ କରିବାରେ କେବେ ଅସୁବିଧା ହୋଇନି?

ଉତ୍ତର: ପ୍ରଥମେ ପ୍ରଥମେ ହୋଇଛି । ସାହି ପଡ଼ିଶାରେ ଲୋକେ କହୁଥିଲେ । ହେଲେ ଯେହେତୁ ମୁଁ ପୋଷ୍ଟ ଗ୍ରାଜୁଏସନ୍ କରୁଥିଲି ତେଣୁ ବେଶୀ ଅସୁବିଧା ହେଲାନି ।

ଲୋକେ ଶୀଘ୍ର ଗ୍ରହଣ କରିଗଲେ । ପ୍ରଥମେ ପ୍ରଥମେ କିଛି କହିବା ପାଇଁ ଡାକିଲେ ଆସୁନଥିଲେ । ବେଲଜ୍ୟା ପରି ଋତୁସ୍ରାବ କଥା କହୁଛି ବୋଲି ବି କହୁଥିଲେ ।

ଟଙ୍କା ପଇସା ମିଳୁଥିବାରୁ ମୁଁ ଏମିତି କରୁଛି ବୋଲି କହୁଥିଲେ । ହେଲେ ଧୀରେ ଧୀରେ ଲୋକେ ବୁଝିଲେ । ଏବେ ଥରେ ଡାକିଲେ ସବୁ ଆସୁଛନ୍ତି । ଆଉ ବେଶୀ ଅସୁବିଧା ହେଉନି ।

ପ୍ରଶ୍ନ: ନିଜ ପରିବାର ଲୋକଙ୍କ ସହଯୋଗ କେମିତି ମିଳେ?

ଉତ୍ତର: ଆଦିବାସୀ ଅଧ୍ୟୁଷିତ ନୂଆପଡ଼ା ଜିଲ୍ଲା ବୁଢ଼ିପାଲି ପଞ୍ଚାୟତ ଜିଙ୍ଗରା ଗାଁରେ ମୋ ଘର । ବାପା ଖେମକି ସାହୁ ଓ ମା’ ସରୋଜ ବାଳା ସାହୁଙ୍କ ତୃତୀୟ କନ୍ୟା ମୁଁ ।

ଦୁଇ ଭଉଣୀ ବାହା ହୋଇ ସାରିଛନ୍ତି । ବାପା ଚାଷ କରନ୍ତି । ଚାଷ ହିଁ ପାଠପଢ଼ାର ଏକମାତ୍ର ସାହା ଭରସା । ଏମିତି ଅଭାବ ଅନଟନ ଭିତରେ ଖରିଆରୋଡ ଶିଶୁମନ୍ଦିରରେ ମାଟ୍ରିକ ପାଠପଢ଼ା ଶେଷ ହୁଏ ।

ପରେ ନୂଆପଡ଼ା ସ୍ଥିତ ନ୍ୟାସନାଲ୍ କଲେଜରୁ ଗ୍ରାଜୁଏସନ୍ ଓ ପରେ ବୁର୍ଲା ସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଡିଷ୍ଟାନ୍ସରେ ପିଜି ।

ଏବେ ଗୁରୁକୂଳ ଆର୍ଯ୍ୟନ୍ ପବ୍ଲିକ୍ ସ୍କୁଲ ଆମସେନାରେ ୫ ବର୍ଷ ହେଲାଣି ଶିକ୍ଷକତା କରୁଛି । ତା’ ସାଙ୍ଗେ ଏସବୁ କାମ ।

ବାପା, ମା’ ମୂଳରୁ ହିଁ ମୋତେ ସାହାସ୍ ଦେଇଛନ୍ତି । କେବେ ବାରଣ କରି ନାହାନ୍ତି । ତେଣୁ କେବେ ଅସୁବିଧା ହୋଇନି ।

ଲୋକାଲ ୱାୟାର

 

Filed Under: Interview, Odia, Special, ବିଶେଷ, ସାକ୍ଷାତକାର Tagged With: Interview, Special, ଓଡିଶା, ବିଶେଷ, ସାକ୍ଷାତକାର

ସାକ୍ଷାତକାର: ଭଲ ସିନେମା ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିକୁ ଆଗକୁ ନେବ: ଅକ୍ଷୟ ପରିଜା

May 21, 2020 By LocalWire Leave a Comment

ଭୁବନେଶ୍ୱର, ମେ ୨୧(ଲୋକାଲ ୱାୟାର): ଚଳଚ୍ଚିତ୍ର ଦୁନିଆର ବିଷିଷ୍ଟ ପ୍ରଯୋଜକ ଅକ୍ଷୟ କୁମାର ପରିଜା । ଓଲିଉଡରୁ ବଲିଉଡ ପର୍ଯ୍ୟନ୍ତ ସବୁଠି ତାଙ୍କର ଉପସ୍ଥିତି ।

ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅନେକ ପୁରସ୍କାର ପାଇ ଓଡ଼ିଶାର ଗୌରବ ବୃଦ୍ଧି କରିଥିବା ଶ୍ରୀ ପରିଜା ବଙ୍ଗଳାରେ ସିନେମା କରି ବି ରେକର୍ଡ କରିଛନ୍ତି ।

ସେହି ନିର୍ମାତା ତଥା ପ୍ରଯୋଜକ ‘ଲୋକାଲ ୱାୟାର’କୁ ଏକ ସାକ୍ଷାତକାରରେ ଓଡ଼ିଆ ସିନେମା ଶିଳ୍ପକୁ ନେଇ ଅନେକ କଥା କହିଛନ୍ତି…

–ମହାମାରୀ କରୋନାରେ ପ୍ରଭାବିତ ସିନେମା ଶିଳ୍ପର ଭବିଷ୍ୟତ କ’ଣ?

-ଆମକୁ ଆଗାମୀ ଦିନରେ ତିଷ୍ଠି ରହିବାକୁ ହେବ । ତେବେ ପ୍ରତିଶ୍ରୁତିବଦ୍ଧ ହୋଇ କାମ କରିବାକୁ ହେବ । ଠକିଲେ ଠକି ଯିବା । ପଛରେ ପଡ଼ିଥିବା ।

ଏଥିପାଇଁ ଏକମାତ୍ର ଉପାୟ ହେଉଛି ଭଲ ସିନେମା ନିର୍ମାଣ କରିବା । ମହାବାତ୍ୟାରୁ ଗତ ବର୍ଷ ଫନି ପର୍ଯ୍ୟନ୍ତ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିର ବହୁତ କ୍ଷତି ହୋଇଛି ।

କିଛି ସିଙ୍ଗଲ୍ ସ୍କ୍ରିନ୍ ବନ୍ଦ ହୋଇଗଲା । ଅନେକ ମଲ୍ଟିସ୍କ୍ରିନରେ ପରିଣତ ହେଲା । ଏହାବାଦ୍ ଭଲ ସିନେମା ନିର୍ମାଣ ହେଉନାହିଁ ।

ସମସ୍ତେ ସହଜ ରାସ୍ତାରେ ଚାଲିଛନ୍ତି । ଆଜି କମ୍ ବଜେଟରେ ଟେଲିଭିଜନ ସଂସ୍ଥା ଟେଲି ଫିଲ୍ମ କରି ଚଲାଇଛନ୍ତି । ଟିଭି, ଓଟିଟି ପ୍ଲାଟଫର୍ମର ପ୍ରଭାବ ବି ଏହା ଉପରେ ପଡ଼ିଛି ।

ତା’ପରେ ଆମର ମାନସିକତା ଏମିତି ହୋଇଯାଇଛି ଆମେ ସେହି କପି ଧାରାରେ ଚାଲିଛେ । ଭଲ ସିନେମା ଆସୁନାହିଁ କି ଆସିଲେ ଯାଉ ନାହିଁ ।

ରିମେକ୍ ହେଉ ମନା ନାହିଁ, କିନ୍ତୁ ନିଜସ୍ୱ ଶୈଳୀ ରହିବା ଦରକାର । ଯେ ପର୍ଯ୍ୟନ୍ତ ଗୁଣାତ୍ମକ ଓ ପରିମାଣାତ୍ମକ ଭାବେ ଭଲ ସିନେମା ନିର୍ମାଣ ନକରିଛେ ସେ ପର୍ଯ୍ୟନ୍ତ କେହି ପଚାରିବେ ନାହିଁ ।

– ଏହି ସଙ୍କଟରୁ ଉଦ୍ଧାର ପାଇବା ପାଇଁ ଓଡ଼ିଆ ସିନେମାକୁ କ’ଣ କରିବାକୁ ହେବ?

-ବହୁତ ଦିନ ଲାଗିବ । କେବଳ ଏଥିରୁ ନୁହେଁ ଭବିଷ୍ୟତ ପାଇଁ ଓଡ଼ିଆ ସିନେମା ପ୍ରସ୍ତୁତ ହେବା ଦରକାର । ଆଗକୁ ଯିବାକୁ ହେଲେ ଏକମାତ୍ର ମାଧ୍ୟମ ଭଲ ସିନେମା ।

ଯେମିତି ପ୍ରତିବର୍ଷ ଜାତୀୟ, ଅନ୍ତର୍ଜାତୀୟସ୍ତରର ସମସ୍ତ ଫେଷ୍ଟିଭାଲ୍ ଓ ପୁରସ୍କାର ଲାଗି ମନୋନିତ ହେବ । ଦର୍ଶକଙ୍କ ପାଖରେ ପହଞ୍ଚିବ, ତା’ର ବି ବାଟ ହେବା ଜରୁରି ।

ଏହାବାଦ୍ ଅନେକ ନିର୍ମାତା କମ୍ ବଜେଟରେ ବି ବହୁତ ଭଲ ସିନେମା କରି ଦେଖାଇଛନ୍ତି । ମୋର ବେଙ୍ଗଲୀରେ ୭ଟି ସିନେମା ସବୁ ହିଟ୍ ।

ଦୁଇ-ତିନିଟି ଓଟିଟି ପ୍ଲାଟଫର୍ମରେ ବି ଭଲ ସମର୍ଥନ ଓ ପ୍ରଶଂସା ପାଇଛି ।

ନିକଟରେ ୟୁଟୁ୍ୟବରେ ରିଲିଜ୍ ହୋଇଥିବା ‘ଦୁହିତା’ ବି ବହୁତ ଭଲ ସଫଳତା ପାଇ ଚାଲିଛି ।

ଯଦି ସମ୍ଭାବନା ଅଛି ତେବେ ସୁଯୋଗରେ ପରିଣତ କରିବାରେ ଅସୁବିଧା କେଉଁଠି?

ମୋର ପେସା ବ୍ୟବସାୟଧର୍ମୀ ସିନେମା କରିବା କିନ୍ତୁ ନିଶା କଳାତ୍ମକ ସିନେମା ନିର୍ମାଣ । ଠିକ୍ କରିଛି ୩ବର୍ଷରେ ଥରେ କଳାତ୍ମକ ସିନେମା କରିବି ।

ଯଦି ମୋତେ ସମସ୍ତଙ୍କୁ ଏକାଠି କରି ସିନେମା କରିବାକୁ ପଡ଼ୁଛି ତା’ପରେ ବି କରୁଛି । କିନ୍ତୁ ଅନ୍ୟମାନଙ୍କର ପୂରା ଟିମ୍ ଅଛି ସେମାନେ ଭଲ ସିନେମା କରୁନାହାନ୍ତି ।

କାରଣ ମାନସିକତା ଦରକାର । ବଡ଼ କଥା ହେଲା ଆମ ଦର୍ଶକଙ୍କୁ ଷ୍ଟାର୍ ଦରକାର, ଆକ୍ଟର୍ ନୁହେଁ । ସେହି ହିସାବରେ ସବୁ ଚାଲିଛି ।

–ସରକାରଙ୍କ ସହାୟତାର ଆବଶ୍ୟକତା ରହିଛି?

-ସରକାର କରୁଛନ୍ତି, କରିବେ । କିନ୍ତୁ ଆମ ଇଣ୍ଡଷ୍ଟ୍ରି ପାଇଁ ଆମକୁ କିଛି କରିବାକୁ ହେବ । ଆମ ଇଣ୍ଡଷ୍ଟ୍ରିର ଦାୟିତ୍ୱ ସମ୍ପୂର୍ଣ୍ଣ ରୂପେ ଆମର ।

–ଏଥିପାଇଁ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି କେତେ ସହାୟକ ହେବ?

ଏହି ନୀତି ବହୁତ ସୁନ୍ଦର ନୀତି । ଯାହାକୁ ସର୍ବଭାରତୀୟସ୍ତରରେ ପ୍ରଶଂସା କରାଯାଇଛି ।

ସେଥିରେ ଯାହା ଅଛି ବହୁତ ଲାଭ ପାଇବ ଓଡ଼ିଆ ଚଳଚ୍ଚିତ୍ର ଜଗତ ।

ବାହାର ନିର୍ମାତା ବି ଲାଭ ପାଇବେ । ବଡ଼ କଥା ହେଲା ଏହି ନୀତି ଦ୍ୱାରା ପୂର୍ବ ପରି କେହି ଠକି ପାରିବେନି ।

–ଆପଣଙ୍କ ପରି ଅନ୍ୟମାନେ ବି କର୍ମଚାରୀଙ୍କ ଲାଗି ଏଭଳି ପଦକ୍ଷେପ ନେବା ଦରକାର?

-ଯେତେବେଳେ ମୁଁ ଏହିଭଳି ସଙ୍କଟ ସମୟରେ ମୋ ସିନେମା, ସିରିଏଲ୍ ନିର୍ମାଣାଧୀନ ଟିମର ସଦସ୍ୟମାନଙ୍କୁ ସହଯୋଗ କଲି, ସେମାନଙ୍କ ସାଥୀରେ ଛିଡ଼ା ହେଲି ଅନ୍ୟମାନେ ପରିହାସ କଲେ ।

କିନ୍ତୁ ଏହା ହେବା ଅନୁଚିତ । ଯେଉଁମାନଙ୍କ ପାଇଁ ଆମେ ସଫଳତା ପାଉଛେ ସେମାନଙ୍କ କଥା ନିହାତି ବୁଝିବା ଦରକାର । ଇଣ୍ଡଷ୍ଟ୍ରିକୁ ଆଗକୁ ଯିବାରେ ସେମାନଙ୍କର ଅବଦାନ ବେଶି ରହିଛି ।

–ସିନେମା ଜଗତର ଉନ୍ନତି ନେଇ ଆପଣଙ୍କ ମତ?

-ସରକାର ସ୍କିଲ୍ ଓଡ଼ିଶା ମାଧ୍ୟମରେ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଟେକ୍ନିସିଆନଙ୍କୁ କୁଶଳୀ ହେବା ଲାଗି ନିର୍ମାଣ ଶ୍ରମିକଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରନ୍ତୁ ।

ଫଳରେ ବହୁତ ପରିବର୍ତ୍ତନ ଆସିବ । ମନୋରଞ୍ଜନ ଦୁନିଆ ବହୁତ ବ୍ୟାପକ ।

ଯାତ୍ରାରୁ ସିନେମା ପର୍ଯ୍ୟନ୍ତ ହଜାର ହଜାର ନିର୍ମାଣ ଶ୍ରମିକ, ଟେକ୍ନିସିଆନ୍ କାମ କରୁଛନ୍ତି ।

ତେଣୁ ମୋର ଆଶା ସରକାର ସଚେତନ ହୋଇ ଏଥିପ୍ରତି ବିଶେଷ ଗୁରୁତ୍ୱ ଦେବେ ।

ଲୋକାଲ ୱାୟାର

Filed Under: Interview, Odia, ମନୋରଞ୍ଜନ, ସାକ୍ଷାତକାର Tagged With: ଓଡିଶା, ମନୋରଞ୍ଜନ, ସାକ୍ଷାତକାର

ବାଣିଜ୍ୟିକ ଓ ଶ୍ରମ ଭିତ୍ତିକ ଶିଳ୍ପ ବିଦ୍ୟୁତ୍ ଚାହିଦା ହ୍ରାସ , ଲକଡାଉନ ଉଠିବା ପରେ ଚାହିଦା ବଢିବ: ପ୍ରମୁଖ ସଚିବ (ସାକ୍ଷାତକାର)

May 6, 2020 By LocalWire Leave a Comment

ବର୍ତ୍ତମାନ କରୋନା ପ୍ରତିହତ କରିବା ପାଇଁ ଜାରି ଲକଡାଉନ୍ ଯୋଗୁଁ ବାଣିଜ୍ୟିକ ଓ ଶ୍ରମ ଭିତିକ ଶିଳ୍ପ ବିଦ୍ୟୁତ୍ ଚାହିଦା ବେଶ ହ୍ରାସ ପାଇଥିବା ବେଳେ ଲକ୍ ଡାଉନ୍ ଉଠିବା ପରେ ତାହା ବୃଦ୍ଧି ପାଇବା ସମ୍ଭାବନା ରହିଛି , ରାଜ୍ୟ ବିଦ୍ୟୁତ୍ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏକ ସାକ୍ଷାତକାର ରେ ମଙ୍ଗଳବାର କହିଛନ୍ତି।

ପ୍ରସ୍ତୁତ ସାକ୍ଷାତକାରର ମୁଖ୍ୟ ଅଂଶ ।

ପ୍ରଶ୍ନ-୧. ଜଳ ଓ ତାପଜ ବିଦ୍ୟୁତ୍ ବ୍ୟତୀତ ଶକ୍ତି ଉତ୍ପାଦନର ବିକଳ୍ପ ଉତ୍ସ ଭାବେଆପଣଙ୍କ କାର୍ଯ୍ୟସୂଚୀରେ କଣ ସବୁ ଯୋଜନା ରହିଛି?

ଉତ୍ତର: ଏବେ ଆମ ରାଜ୍ୟ ୬୬୪ ମେଗାୱାଟ ଅକ୍ଷୟ ଶକ୍ତି ଯୋଗ୍ୟ ବିଦ୍ୟୁତ୍ ପାଉଛି ।

ସେଥିରୁ ୪୩୯ ମେଗାୱାଟ ବିଦ୍ୟୁତ୍ ରାଜ୍ୟରେ ଥିବା ପ୍ରକଳ୍ପରୁ ମିଳୁଥିବା ବେଳେ ୨୨୫ ମେଗାୱାଟ ଶକ୍ତି ରାଜ୍ୟ ବାହାରରୁ ମିଳୁଛି ।

ରାଜ୍ୟ ସୌର ଉତ୍ସରୁ ପ୍ରାୟ ୪୩୭ ଓ ଅଣସୌର ଉତ୍ସରୁ ୨୨୭ ମେଗାୱାଟ ବିଦ୍ୟୁତ୍ ଶକ୍ତି ଅକ୍ଷୟ ଶକ୍ତି କ୍ରୟ ଦାୟିତ୍ୱ (ଆରପିଓ) ପୂରଣ କରିବା ଉଦ୍ଦେଶ୍ୟରେ କିଣୁଛି ।

ରାଜ୍ୟ ନିୟାମକ ଆୟୋଗ (ଓଇଆରସି)ଙ୍କ ନିର୍ଦ୍ଧାରିତ ଆରପିଓ ଲକ୍ଷ୍ୟ ପୂରଣ, ଆର୍ଥିକ ବର୍ଷ ୨୦୧୯-୨୦ ଅନୁଯାୟୀ ୧୧ ପ୍ରତିଶତ ବର୍ଦ୍ଧିତ ଢାଂଚା (ସୌର ଶକ୍ତି ୫.୫ ପ୍ରତିଶତ, ଅଣ ସୌରଶକ୍ତି -୫.୫ ପ୍ରତିଶତ) ପାଇଁ ରାଜ୍ୟ ବିଭିନ୍ନ ଉପଲବ୍ଧ ଅକ୍ଷୟ ଶକ୍ତି ଉତ୍ସରୁ ବିଦ୍ୟୁତ୍ ପାଉଛି ।

ଏମଏନଆରଇ ଦ୍ୱାରା ସୂଚୀତଦୀର୍ଘକାଳୀନ ଆରପିଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ମଧ୍ୟ ପ୍ରୟୋଜନୀୟ ଅକ୍ଷୟ  ଯୋଗ୍ୟ ଶକ୍ତିର ମୂଲ୍ୟାୟନ କରିଛି ।

୨୫.୧୧.୨୦୧୬ରେ ପାରିତ ଓଡିଶା ଅକ୍ଷୟ ଯୋଗ୍ୟ ଶକ୍ତି ନୀତି ୨୦୧୬ ଅନୁଯାୟୀ ରାଜ୍ୟ ନିଜ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ରାଜ୍ୟର ଅକ୍ଷୟ ଯୋଗ୍ୟ ଶକ୍ତି ଆବଶ୍ୟକତା ପୂରଣ ପାଇଁ ସମୁଦାୟ ୧୨୪୯ ମେଗାୱାଟ କ୍ଷମତାର ଅକ୍ଷୟ ଯୋଗ୍ୟ ଶକ୍ତି କାର୍ଯ୍ୟାନ୍ୱୟନର ବିଭିନ୍ନ ପର୍ଯ୍ୟାୟରେ ରହିଛି ।

ଦୁଇ ବର୍ଷର ସମୟସୀମା ମଧ୍ୟରେ ରାଜ୍ୟ ଭିତରେ ଓ ବାହାରେ ଏହା କମିଶନ ହେବ ।

ଏଥିରୁ ୮୯୨ ମେଗାୱାଟ ସୌର ଶକ୍ତି, ୬୬ ମେଗାୱାଟ କ୍ଷୁଦ୍ର ଜଳ ବିଦ୍ୟୁତ୍, ୨୫୦ ମେଗାୱାଟ ବାୟୁ ବିଦ୍ୟୁତ୍ ଓ ୧୬ ମେଗାୱାଟ ବାୟୋମାସ ।

ଏମଏନଆରଇ, ଭାରତ ସରକାରଙ୍କ ପିଏମ କୁସୁମ, ସିପିଏସୟୁ, ଆରଟିଏସ-୨ ଭଳି ବିଭିନ୍ନ ଯୋଜନା ଅନୁଯାୟୀ ନୂତନ ସୌର ପ୍ରକଳ୍ପଯୋଜନା ସକ୍ରିୟ ବିଚାରାଧୀନ ରହିଛି ।

ପ୍ରଶ୍ନ-୨. ଆମ ରାଜ୍ୟର ବର୍ତମାନ ଚାହିଦା କଣ ଓ ଏହି ଦୃଶ୍ୟପଟ୍ଟରେ ଉନ୍ନତି ଆଣିବା ପାଇଁ ଆପଣ କଣ ଯୋଜନା କରିଛନ୍ତି?

ଉତ୍ତର: ମେ ୨୦୨୦ରେ ୪୩୫୦ ମେଗାୱାଟ (ପିକ ଟାଇମ ବା ବ୍ୟସ୍ତ ସମୟ) ଓ ୩୮୫୦ ମେଗାୱାଟ (ଲିନ ଟାଇମ ବା ସ୍ୱାଭାବିକ ସମୟ) ଚାହିଦା ରହିବ ବୋଲି ଏସଏଲଡିସି ଅନୁମାନ କରିଛନ୍ତି ।

ବର୍ତମାନ ଲକଡାଉନ୍ ପ୍ରଭାବ ଯୋଗୁଁ ବାଣିଜ୍ଯିକ ଓ ଶ୍ରମ ଭିତିକ ଶିଳ୍ପ ବିଦ୍ୟୁତ୍ ଚାହିଦା ବେଶ ହ୍ରାସ ପାଇଛି ।

ଲକଡାଉନ ଉଠିବା ପରେ ଏହି ବିଦ୍ୟୁତ୍ ଚାହିଦା ବଢିବ ।

ଗ୍ରିଡକୋ ଏବେ ବଳକା ବିଦ୍ୟୁତ୍ ବିକ୍ରି କରୁଛି ।

ଭବିଷ୍ୟତରେ ଯେପରି ରାଜ୍ୟର ଗ୍ରାହକମାନେ ପ୍ରଭାବିତ ନହୁଅନ୍ତି ସେଥିପ୍ରତି ନଜର ରଖି ବ୍ୟବସାୟ ବଢାଇବାକୁ ଲକ୍ଷ୍ୟ ରଖିଛି ।

ସାନ୍ଧ୍ୟକାଳୀନ ବ୍ୟସ୍ତ ସମୟରେ ରାଜ୍ୟ ୫୦୨୦ ମେଗାୱାଟ ବିଦ୍ୟୁତ୍ ଶକ୍ତି ବିଭିନ୍ନ ଉତ୍ସ (ଜଳ-୧୪୯୦ ମେଗାୱାଟ, ତାପଜ- ୨୦୩୦ ମେଗାୱାଟ, ଅକ୍ଷୟ ଯୋଗ୍ୟ ବିଦ୍ୟୁତ୍ ଶକ୍ତି-୫୦ ମେଗାୱାଟ, କେନ୍ଦ୍ରୀୟ ଭାଗ-୧୪୫୦ ମେଗାୱାଟ)ରୁ ପାଉଛି ।

ରାଜ୍ୟର ବିଦ୍ୟୁତ୍ ଚାହିଦା ପୂରଣ ପାଇଁ ୨୦୩୧ ସୁଦ୍ଧା ଉଭୟ ଅକ୍ଷୟ ଯୋଗ୍ୟ ଓ ଅଣ ଅକ୍ଷୟ ଯୋଗ୍ୟ ଶକ୍ତି ଉତ୍ପାଦନ ଦକ୍ଷତା ୫୮୪୪ ମେଗାୱାଟ ବୃଦ୍ଧି କରିବାକୁ ରାଜ୍ୟ ଲକ୍ଷ୍ୟ ରଖିଛି ।

ଭବିଷ୍ୟତର ଚାହିଦା ପୂରଣ ପାଇଁ ରାଜ୍ୟ ଅକ୍ଷୟ ଯୋଗ୍ୟ ଶକ୍ତି (ଆଇଇ) ଉପରେ ଧ୍ୟାନ କେନ୍ଦ୍ରିତ କରୁଛି ।

କାରଣ ଏହା ବିଦ୍ୟୁତ୍ ଶକ୍ତିର ସ୍ୱଚ୍ଛ ଓ ସବୁଜ ଉତ୍ସ ।

କୋଇଲା ପ୍ଲାଂଟ ପାଇଁ କଠୋର ନିର୍ଗମନ ନିୟମ ଯୋଗୁଁ ଅଙ୍ଗାରକ ପଦଚିହ୍ନ (କାର୍ବନ ଫୁଟ ପ୍ରିଂଟ) କମାଇବା ସହ ରାଜ୍ୟ ସବୁଜ ଶକ୍ତି ଉତ୍ପାଦନକୁ ପ୍ରୋତ୍ସାହନ ଦେଉଛି ।

ବିଭିନ୍ନ ଉତ୍ସରୁ ରାଜ୍ୟର ଅକ୍ଷୟ ଯୋଗ୍ୟ ଶକ୍ତି (ଆରଇ) ଉତ୍ପାଦନ କ୍ଷମତା ଓ ଉପକ୍ରମ ହେଲା

ଓଡିଶାର ସବୁଜ ଶକ୍ତି

କ୍ରମିକ ନମ୍ବର-୧

ଉତ୍ପାଦନର ପ୍ରକାର- ଜଳ

ସ୍ଥାପିତ କ୍ଷମତା (ମେଗାୱାଟ)- ୨୦୬୩

୨୦୩୦ ସୁଦ୍ଧା ଅତିରିକ୍ତ ଲକ୍ଷ୍ୟ (ମେଗାୱାଟ)-୬୩

କ୍ରମିକ ନମ୍ବର-୨

ଉତ୍ପାଦନର ପ୍ରକାର- ହାଇଡ୍ରୋ ପମ୍ପ ଷ୍ଟୋରେଜ ବିଦୁ୍ୟତ କେନ୍ଦ୍ର

ସ୍ଥାପିତ କ୍ଷମତା (ମେଗାୱାଟ)- ୦

୨୦୩୦ ସୁଦ୍ଧା ଅତିରିକ୍ତ ଲକ୍ଷ୍ୟ (ମେଗାୱାଟ)-୧୩୨୦

କ୍ରମିକ ନମ୍ବର- ୩

ଉତ୍ପାଦନର ପ୍ରକାର- କ୍ଷୁଦ୍ର ଜଳ ବିଦୁ୍ୟତ ପ୍ରକଳ୍ପ (ଏସଏଚଇପି)

ସ୍ଥାପିତ କ୍ଷମତା (ମେଗାୱାଟ)- ୫୭

୨୦୩୦ ସୁଦ୍ଧା ଅତିରିକ୍ତ ଲକ୍ଷ୍ୟ (ମେଗାୱାଟ)-୨୧୯

କ୍ରମିକ ନମ୍ବର- ୪

ଉତ୍ପାଦନର ପ୍ରକାର- ପୃଷ୍ଠ ସୌରଶକ୍ତି

ସ୍ଥାପିତ କ୍ଷମତା (ମେଗାୱାଟ)- ୩୩୭

୨୦୩୦ ସୁଦ୍ଧା ଅତିରିକ୍ତ ଲକ୍ଷ୍ୟ (ମେଗାୱାଟ)-୫୬୦୨

କ୍ରମିକ ନମ୍ବର- ୫

ଉତ୍ପାଦନର ପ୍ରକାର- ପ୍ରବାହିତ ସୌରଶକ୍ତି

ସ୍ଥାପିତ କ୍ଷମତା (ମେଗାୱାଟ)- ୦

୨୦୩୦ ସୁଦ୍ଧା ଅତିରିକ୍ତ ଲକ୍ଷ୍ୟ (ମେଗାୱାଟ)-୨୦୦୦୦

କ୍ରମିକ ନମ୍ବର- ୬

ଉତ୍ପାଦନର ପ୍ରକାର- ଗ୍ରୀଡ ସଂଯୁକ୍ତ ଛାତ ଉପରୁ ମିଳୁଥିବା ସୌରଶକ୍ତି

ସ୍ଥାପିତ କ୍ଷମତା (ମେଗାୱାଟ)- ୪

୨୦୩୦ ସୁଦ୍ଧା ଅତିରିକ୍ତ ଲକ୍ଷ୍ୟ (ମେଗାୱାଟ)-୧୯

କ୍ରମିକ ନମ୍ବର- ୭

ଉତ୍ପାଦନର ପ୍ରକାର- ଜୈବ ଶକ୍ତି

ସ୍ଥାପିତ କ୍ଷମତା (ମେଗାୱାଟ)- ୨୦

୨୦୩୦ ସୁଦ୍ଧା ଅତିରିକ୍ତ ଲକ୍ଷ୍ୟ (ମେଗାୱାଟ)-୧୮୦

ସମୁଦାୟ -୨୪୮୧ -୨୭୪୦୩

ପ୍ରଶ୍ନ-୩. ରାଜ୍ୟର ଗ୍ରାମାଚଂଳ ଓ ସହରାଚଂଳରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ କଣ ଯୋଜନା ରହିଛି?

ଉତ୍ତର- ରାଜ୍ୟର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର, ଆଇପିପି, କେନ୍ଦ୍ରୀୟ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରୁ ରାଜ୍ୟର ଭାଗ ଓ ଅନ୍ୟ ଉତ୍ସରୁ ମିଳୁଥିବା ବିଦ୍ୟୁତ୍ ଶକ୍ତି ରାଜ୍ୟର ଚାହିଦା ପୂରଣ ପାଇଁ ଯଥେଷ୍ଟ ।

ଏହାବ୍ୟତୀତ ରାଜ୍ୟରେ ବ୍ୟାପକ ବିଦ୍ୟୁତକରଣ ଯୋଗୁଁ ଚାହିଦା ଓ ଯୋଗାଣରେ ହୋଇଥିବା ପର୍ଯ୍ୟାପ୍ତ ବୃଦ୍ଧି ଯୋଗୁଁ ରାଜ୍ୟରେ ପ୍ରସାର ଓ ବିତରଣ ନେଟୱର୍କର ଆନୁଷଙ୍ଗିକ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଠି ।

ଓଡିଏସଏସପି, ଓଡିଏଏଫଏଫପି, ଏସସିଆରଆଇପିଏସ, ଆରଜିଜିଭିୱାଇ-୨, ଡିଡିୟୁଜିଜେୱାଇ, ଆଇପିଡିଏସ, ଆର-ଏପିଡିଆରପି, ସୌଭାଗ୍ୟ ଭଳି ସରକାରୀ ଯୋଜନାରେ ବିତରଣ ବ୍ୟବସ୍ଥାରଉନ୍ନତିକରଣ କରାଯାଇଛି ।

ମୁଖ୍ୟ ଯୋଜନାଗୁଡିକ କାର୍ଯ୍ୟକାରୀ ହେବା ପରେ ରାଜ୍ୟର ବର୍ଦ୍ଧିତ ଚାହିଦା ମେଂଟାଇବାକୁ ବିଦ୍ୟୁତ୍ ଭିତିଭୂମି ପ୍ରସ୍ତୁତ ହୋଇପାରିବ ।

ପ୍ରସାର ପ୍ରକଳ୍ପ

୧. ରେଡିଅଲ ଟୁ ରିଙ୍ଗ ରୂପାନ୍ତରଣ ପ୍ରକଳ୍ପ (ଆରଆରସିପି)-୧୧ଟି
ସୁଯୋଗ: ବିଶ୍ୱସନୀୟତା- ପ୍ରତିବନ୍ଧକ ହ୍ରାସ- ଏକାଧିକ ଉତ୍ସ ସଂଯୋଗୀକରଣ

୨. ବିପର୍ଯ୍ୟୟ ମୁକାବିଲା କେନ୍ଦ୍ର (ଡିଆରସି)-୭ଟି
ସୁଯୋଗ: ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଶୀଘ୍ର ପୁନଃ ବିଦ୍ୟୁତ୍ ଯୋଗାଣ

୩. ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍ ବ୍ୟବସ୍ଥା (ଡିଆରପିଏସ)-୬ଟି
ସୁଯୋଗ: ବିପର୍ଯ୍ୟୟ ପ୍ରତିରୋଧ ସୁନିଶ୍ଚିତ କରିବା-ପ୍ରାକୃତିକ ବିପର୍ଯ୍ୟୟ ବେଳେ ପ୍ରସାରଣ ଭିତିଭୂମିର କ୍ଷତି ହ୍ରାସ

୪. ସ୍ମାର୍ଟ ଗ୍ରିଡ: ଏଏମଆଇ, ଜିଆଇଏସ, ଓପିଜିଡବ୍ଲୁ, ଏସସିଏଡିଏ-୯ଟି
ସୁଯୋଗ: ସ୍ମାର୍ଟ ନେଟୱର୍କ ବ୍ୟବସ୍ଥା- ଅଧିକ କାର୍ଯ୍ୟକ୍ଷମ, ବିଶ୍ୱସନୀୟ ଓସ୍ୱଳ୍ପ ବିନିଯୋଗରେ ବିଦ୍ୟୁତ୍ ଯୋଗାଣ

୫. ଜେଆଇସିଏ (୧୪ଟି)
ସୁଯୋଗ: ୧୩ତମ ଯୋଜନା ଅନୁଯାୟୀ ରାଜ୍ୟର ଚାହିଦା ୫୦୦୦ରୁ ୧୦୯୦୦ ମେଗାୱାଟ ପୂରଣ

୬. ଇକ୍ୱିଟି କ୍ୟାପିଟାଲ ଇନଫୁ୍ୟଜନ
ସୁଯୋଗ: କେବିକେ/ଆଦିବାସୀ ଜିଲ୍ଲାର ଅଣସେବା କ୍ଷେତ୍ରରେ ବିଦ୍ୟୁତ୍ ଯୋଗାଣ ଉନ୍ନତ କରିବା

୭. ରାଜ୍ୟ ରାଜଧାନୀ ଅଂଚଳ ବିଦ୍ୟୁତ୍ ବ୍ୟବସ୍ଥା ଉନ୍ନତିକରଣ (ଏସସିଆରଆଇପିଏସ) (ପ୍ରସାରଣ ଅଂଶ)

ସୁଯୋଗ: ଅଣ୍ଡରଗ୍ରାଉଣ୍ଡ କେବଲିଂ ମାଧ୍ୟମରେ ଭୁବନେଶ୍ୱର ଓ କଟକରେ ବାତ୍ୟା ନିରୋଧୀ ବିଦ୍ୟୁତ୍ ନେଟୱର୍କ

ବିତରଣ ପ୍ରକଳ୍ପ

୧. ଓଡିଶା ବିତରଣ ବ୍ୟବସ୍ଥା ଦୃଢୀକରଣ ପ୍ରକଳ୍ପ (ଓଡିଏସଏସପି)
ସୁଯୋଗ: ୪୭୪ଟି ୩୩/୧୧ କେଭି ସବ୍ଷ୍ଟେସନ ନିର୍ମାଣ, ସଂଯୁକ୍ତ ୩୩ କେଭି ଓ ୧୧ କେଭି ଲାଇନ

୨. ସମନ୍ୱିତ ବିଦ୍ୟୁତ୍ ଉନ୍ନତିକରଣ ଯୋଜନା (ଆଇପିଡିଏସ)

ପ୍ରଶ୍ନ-୪. ଅତୀତରେ ହୋଇଥିବା ବାତ୍ୟା ଫନି ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଗ୍ରାମାଚଂଳ ଓ ସହରାଚଂଳରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ କିଛି କୁହନ୍ତୁ ।

ଉତ୍ତର- ପ୍ରାକୃତିକ ବିପର୍ଯ୍ୟୟ ବେଳେ ସହରାଚଂଳ ଓ ଗ୍ରାମାଚଂଳରେ ପୁନଃ ବିଦୁ୍ୟତ ଯୋଗାଣ ପାଇଁ ସରକାର ମାନକ ସଂଚାଳନ ପ୍ରକ୍ରିୟା (ଏସଓପି) ଜାରି କରିଛନ୍ତି ।

ପ୍ରଶ୍ନ ୫. ପ୍ରସାରଣ କ୍ଷତି ହ୍ରାସ କରିବା ପାଇଁ ଆପଣ କି କି ଆଧୁନିକ ପ୍ରଯୁକ୍ତି ଆପଣାଇବେ?

ଉତ୍ତର: ପ୍ରସାରଣ ଲାଇନରେ କ୍ଷତି କମାଇବା ଉଦେ୍ଦଶ୍ୟରେ ଅତିରିକ୍ତ ଇଏଚଭି ଲାଇନ କିମ୍ବା ବିକଳ୍ପ ସମାନ୍ତରାଳ ରାସ୍ତା ନିର୍ମିତ ହୋଇଛି ।

ଅଧିକାଂଶ ଇଏଚଭି ଲାଇନର ୬୦ ପ୍ରତିଶତ ଅଧିକ ତାପଜ ବିଦୁ୍ୟତ ପରିବହନ କ୍ଷମତା ରହିଛି । ସାଧାରଣ ସ୍ଥିତିରେ ଲାଇନର ଆଇଟୁଆର କ୍ଷତି ହ୍ରାସ ଓ ପ୍ରଣାଳୀ ଜରୁରୀକାଳୀନ ପରିସ୍ଥିତିରେ ବିଶ୍ୱସନୀୟତା ବଢାଏ ।

ଯେଉଁ କିଛି କ୍ଷେତ୍ରରେ କରିଡର ପ୍ରତିବନ୍ଧକ ପରିଲକ୍ଷିତ ହେଉଛି ସେଠାରେ ଜେଡ-ଏସିଏସଆର କଣ୍ଡକ୍ଟର ପରିବର୍ତେ କମ୍ କ୍ଷତି କରୁଥିବା ଏଚଟିଏଲଏସ କଣ୍ଡକ୍ଟର ଲଗାଯାଉଛି ।

ଅତିରିକ୍ତ ଟ୍ରାନ୍ସଫର୍ମର ସ୍ଥାପନ କରି କିମ୍ବା ଟ୍ରାନ୍ସଫର୍ମର କ୍ଷମତା ବୃଦ୍ଧି କରିଟ୍ରାନ୍ସଫର୍ମର ଲୋଡିଂକୁ ଏହାର ଦକ୍ଷତାର ୬୫ ପ୍ରତିଶତରେ ସୀମିତ ରଖାଯାଇଛି । ଏହା ଟ୍ରାନ୍ସଫର୍ମର କ୍ଷତିକୁ କମାଉଛି ।

ଦୁଇ ପର୍ଯ୍ୟାୟରେ ପ୍ରସାରଣ କ୍ଷତି ଏଡାଇବା ପାଇଁ ଦୋହରା ଟ୍ରାନଫର୍ମେସନ ସତ୍ୱେ ୨୨୦ କେଭିରୁ ୩୩ କେଭି, ୨୨୦ରୁ ୧୩୨ ଭେିଓ ୧୩୨ରୁ ୩୩ କେଭି କରାଯାଇଛି ।

୩୩ କେଭି ସ୍ତରରେ କ୍ଷତି କମାଇବା ପାଇଁ ନୂଆ ଲୋଡ କେନ୍ଦ୍ରଗୁଡିକରେ ଅଧିକ ୧୩୨/୩୩ କେଭି ସବଷ୍ଟେସନ ନିର୍ମିତ ହୋଇଛି ।

ଏହାଦ୍ୱାରା ୩୩ କେଭିରେ ପ୍ରବାହିତ ଲୋଡ (ଅଧିକ ବିଦ୍ୟୁତ୍ ଶକ୍ତି ଓ ଅଧିକ ଆଇଟୁଆର କ୍ଷତି) ୧୩୨ କେଭିରେ କମ୍ କ୍ଷତିରେ ପ୍ରବାହିତ ହେଉଛି ।

ସେହିପରି ଉତ୍ତମ ବିଦ୍ୟୁତ୍ ଶକ୍ତି ପ୍ରବାହନ କ୍ଷମତା ସମ୍ପନ୍ନ ଅଧିକ ସଂଖ୍ୟକ ୩୩ କେଭି ଏକ୍ସପ୍ରେସ ଫିଡର ନିର୍ମାଣ ହୋଇଛି ଓ ଏହି ଟ୍ରଙ୍କ ଫିଡର ଜମ୍ପର ବିଦ୍ୟୁତ୍ କ୍ଷତିକୁ କମାଇଥାଏ ।

ନିର୍ଦ୍ଧିଷ୍ଟ ସମୟ ଅନ୍ତରାଳରେ ପ୍ରସାରଣ ଲାଇନ ଓ ସବଷ୍ଟେସନର ଥର୍ମାଲ ସ୍କାନିଂ ହଟସ୍ପଟ ଓ ଉତ୍ତାପ ହ୍ରାସ ଦୂରାଏ ।

ପ୍ରସାରଣ କ୍ଷତିର କାରଣଗୁଡିକୁ ନୀରିକ୍ଷଣ କରାଯାଏ ଓ ଯେତେବେଳେ ଅଧିକ କ୍ଷତି ପରିଲକ୍ଷିତ ହୁଏ ଉପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ କରାଯାଏ ।

ପ୍ରସାରଣ ନେଟୱର୍କର ମାସିକ ବିଦ୍ୟୁତ୍ ଅଡିଟ ନିୟମିତ ଭାବେ ହୁଏ ଓ ଆବଶ୍ୟକ ସ୍ଥଳେ ଏହାକୁ ସଜଡା ଯାଇଥାଏ ।

ସେହିପରି ବିତରଣ ନେଟୱର୍କରେ କ୍ଷତି ହ୍ରାସ ପାଇଁ ବିତରଣ ନେଟୱର୍କର ପାଇଲଟ ଫିଡରରେ ସମୀକ୍ଷା ହୁଏ ।

ପ୍ରଶ୍ନ-୬. ଆଗାମୀ ଦଶନ୍ଧିରେ ରାଜ୍ୟର ଶିଳ୍ପ ଓ ଗ୍ରାମୀଣ କ୍ଷେତ୍ରର ଚାହିଦାପୂରଣ ପାଇଁ ଆପଣଙ୍କର କଣ ଯୋଜନା ରହିଛି ।

ଉତ୍ତର- ରାଜ୍ୟର ଶିଳ୍ପ ଓ ଗ୍ରାମୀଣ କ୍ଷେତ୍ରର ଚାହିଦା ପୂରଣ ପାଇଁ ରାଜ୍ୟ ସରକାର ଅନେକଗୁଡିଏ ପଦକ୍ଷେପ ନେଇଛନ୍ତି ।

ବିଦ୍ୟୁତ୍ ଉତ୍ପାଦନ କ୍ଷମତା ବୃଦ୍ଧି, ପ୍ରସାରଣ ଓ ବିତରଣ ନେଟୱର୍କ ଦୃଢୀଭୂତ କରି ଭବିଷ୍ୟତର ଚାହିଦା ପୂରଣ କରାଯିବ ।

ବର୍ତମାନ ରାଜ୍ୟରେ ବଳକା ବିଦ୍ୟୁତ୍ ଉତ୍ପାଦନ ହେଇଛି ।

ଅକ୍ଷୟ ଶକ୍ତି ଉତ୍ସଗୁଡିକର ଅତିରିକ୍ତ ଉତ୍ପାଦନ କ୍ଷମତା ବଢାଯାଉଛି ।

ଆଗାମୀ ୩ରୁ ୪ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୪୦ଟି ଗ୍ରିଡ ସବଷ୍ଟେସନ କମିଶନ ହେବ । ଯାହା ପ୍ରସାରଣ ଭିତିଭୂମିକୁ ଦୃଢ କରିବ ।

ଓଡିଏସଏସପି, ଓଡିଏଏଫଏଫପି, ଏସସିଆରଆଇପିଏସ, ଆରଜିଜିଭିୱାଇ-୨, ଡିଡିୟୁଜିଜେୱାଇ, ଆଇପିଡିଏସ, ଆର-ଏପିଡିଆରପି, ସୌଭାଗ୍ୟ ଭଳି ସରକାରୀ ଯୋଜନାରେ ବିତରଣ ବ୍ୟବସ୍ଥା ସୁଦୃଢ କରାଯାଉଛି । ଏହା ବିଦୁ୍ୟତ ଯୋଗାଣ ବିଶ୍ୱସନୀୟତାକୁ ବହୁଗୁଣରେ ବୃଦ୍ଧି କରିବ ।

ପ୍ରଶ୍ନ-୭. ମହାମାରୀ ବେଳେ ବିଦ୍ୟୁତ୍ ଗ୍ରାହକଙ୍କ ପାଇଁ ଆପଣଙ୍କ ବିଭାଗ ତରଫରୁ କି କି ରିଲିଫ ପ୍ୟାକେଜ ଓ ରିହାତି ପଦକ୍ଷେପ ଗ୍ରହଣ କରାଯାଇଛି?

ଉତ୍ତର:- କୋଭିଡ-୧୯ ବେଳେ ବିଦୁ୍ୟତ କ୍ଷେତ୍ରରେ ସ୍ଥିରତା ଓ ବିଦ୍ୟୁତ୍ ଉପଭୋକ୍ତାଙ୍କ ଲାଭକୁ ଦୃଷ୍ଟିରେ ରଖି ବିଭାଗ ତରଫରୁ ନିମ୍ନ ପଦକ୍ଷେପଗୁଡିକ ଗ୍ରହଣ କରାଯାଇଛି ।

୧. ସମସ୍ତ ଏଲଟି ଉପଭୋକ୍ତା ଯେଉଁମାନେ କୌଣସି ଏରିଅର ସହ ବର୍ତମାନ ବିଦ୍ୟୁତ୍ ଦେୟ ଏପ୍ରିଲରୁ ମେ ୨୦୨୦ (ସମସ୍ତ ପ୍ରକାର ଦେୟ ପଇଠ)ରେ ପଇଠ କଲେ ୪ ପ୍ରତିଶତ ରିହାତି ପାଇବେ । ସେମାନେ ନିଜ ବିଦ୍ୟୁତ୍ ବିଲ ଉପରେ ପାଉଥିବା ରିହାତି ବ୍ୟତୀତ ଏହି ଅତିରିକ୍ତ ରିହାତି ପାଇବେ ।

୨. କ୍ଷୁଦ୍ର ଶିଳ୍ପଗୁଡିକ ପାଇଁରିହାତି ସମୟ ସୀମା ଲକଡାଉନ ସରିବା ଯାଏଁ ବଢାଯାଇଛି ।

୩. କ୍ଷୁଦ୍ର ଶିଳ୍ପଗୁଡିକ ଲକଡାଇନ ବେଳେ ଅନଲାଇନ ଦେୟ ପଇଠ କଲେ ସେମାନଙ୍କୁ ୪ ପ୍ରତିଶତ ରିହାତି ପାଇବେ ।

୪. ୧୧୦ କେଭିଏ କଂଟ୍ରାକ୍ଟ ଚାହିଦା (ସିଡି) ଥିବା ବଡ ଗ୍ରାହକ ଲକଡାଉନ ବେଳେ ପ୍ରକୃତ ଚାହିଦା ଅନୁଯାୟୀ ଦେୟ ପଇଠ କରିବେ । (ହୋଟେଲ ଓ ଅନ୍ୟ ଉପଭୋକ୍ତା ଯେଉଁମାନେ ଫିକ୍ସଡ ଚାର୍ଜ ଭାବେ ୮୦ ପ୍ରତିଶତ ସିଡି ପଇଠ କରନ୍ତି)

ଇଏସବିଓ ଅଧିନିୟମ ୨୦୧୪ ଅନୁଯାୟୀ ଜାରି କଂଟ୍ରାକ୍ଟର ଲାଇସେନ୍ସର ବୈଧତା, ଏସସିସି ଓ ୱାର୍କମେନ ପରମିଟ ଯାହାର ନବୀକରଣ ୧୫.୦୩.୨୦ରୁ ୩୦.୬.୨୦୨୦ ମଧ୍ୟରେ ହେବାର ଥିଲା ବିଦୁ୍ୟତ ସୁପରିଚାଳନା ପାଇଁ ସେହି ସମୟକରୁ ୩୦.୦୬.୨୦୨୦ ଯାଏଁ ବଢାଇ ଦିଆଯାଇଛି ।

ଲୋକାଲ ୱାୟାର

Filed Under: Interview, Odia, ସାକ୍ଷାତକାର Tagged With: Interview, Special, ଓଡିଶା, ବିଶେଷ, ସାକ୍ଷାତକାର

ସାକ୍ଷାତକାର: ଓଡ଼ିଶାକୁ ଭୋକମୁକ୍ତ କରିବା ଆମର ଲକ୍ଷ୍ୟ- ‘ସାଇ’ ଫାଉଣ୍ଡେସନ ଟ୍ରଷ୍ଟ ପ୍ରତିଷ୍ଠାତା

March 4, 2020 By Priyanka Mahanta Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୦୪ (ଲୋକାଲ୍ ୱାୟାର୍): ଅସହାୟ ଭୋକିଲାଙ୍କୁ ମାଗଣାରେ ଖାଦ୍ୟ ଯୋଗାଉଥିବା ସାଇ ଫାଉଣ୍ଡେସନ ଟ୍ରଷ୍ଟ ଓଡ଼ିଶାରେ ପ୍ରଥମ ଫୁଡ୍ ବ୍ୟାଙ୍କ ଖୋଲିବା ସହ ପ୍ରତିଦିନ ଶହଶହ ଲୋକଙ୍କୁ ପେଟକୁ ଦାନା ଯୋଗାଇଆସୁଛି।

ଏହି ମହତ ପ୍ରୟାସ ଲାଗି ଏହି ଟ୍ରଷ୍ଟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବାବେଳେ ସାଇ ଫାଉଣ୍ଡେସନ ଟ୍ରଷ୍ଟର ପ୍ରତିଷ୍ଠାତା ପିନାକୀ ମହାନ୍ତିଙ୍କ ସହ ଲୋକାଲ ୱାୟାରର ସ୍ବତନ୍ତ୍ର ସାକ୍ଷାତକାର ।

ସାଇ ଫାଉଣ୍ଡେସନ ଟ୍ରଷ୍ଟର ଉଦ୍ଦେଶ୍ୟ କଣ ?

-ଅନ୍ନଦାନ ମହାପୁଣ୍ୟ ବାର୍ତ୍ତା ନେଇ ଆମେ ସାଇ ଫାଉଣ୍ଡେସନ ଟ୍ରଷ୍ଟ କରିଛୁ ।

ମୁଁ ତା’ର ପ୍ରତିଷ୍ଠାତା ଥିବା ବେଳେ ମୋର କିଛି ବନ୍ଧୁ ଏଥିରେ ବିଶେଷ ସହଯୋଗ କରୁଛନ୍ତି ।

ଫୁଡ୍ ବ୍ୟାଙ୍କ ଭଳି ଏକ ନିଆରା ଚିନ୍ତାଧାରା ଆପଣଙ୍କ ମନକୁ କେମିତି ଆସିଲା, ଏଥିପାଇଁ ଆପଣ କାହାଠାରୁ ପ୍ରେରଣା ପାଇଛନ୍ତି ?

-ଦିନେ ଖାଇବା ନେଇ ଆମେ କିଛି ବସ୍ତିକୁ ଯାଇଥିଲୁ ଆଉ ସେଠାରେ୨୦ ଜଣ ଲୋକଙ୍କୁ ଆମେ ଖାଇବାକୁ ଦେଇଥିଲୁ।

ଏହି ସମୟରେ ଭୁବନେଶ୍ବର ଅଶୋକ ମାର୍କେଟ ପାଖରେ ଶୋଇଥିବା ଭୋକିଲା ଲୋକଙ୍କୁ ଆମେ ଖାଦ୍ୟ ଯୋଗାଇବାରେ ବିଫଳ ହୋଇଥିଲୁ ।

ସେହି ଭୋକିଲା ଲୋକଙ୍କୁ ଦେଖି ଆମେ ଏହି ଫୁଡ୍ ବ୍ୟାଙ୍କ ଆରମ୍ଭ କରିଥିଲୁ ।

କେଉଁ ସ୍ଥାନରୁ ଆପଣ ଖାଦ୍ୟ ପଦାର୍ଥ ସଂଗ୍ରହ କରୁଛନ୍ତି ?

-ବିଭିନ୍ନ ବାହାଘର କି ଅନ୍ୟ ଭୋଜି ସରିବା ପରେ ଆମେ ସେମାନଙ୍କଠାରୁ ବଳକା ଖାଦ୍ୟ ଆଣିଥାଉ।

ଏଥିପାଇଁ ଆମେ ୨ଟି ଗାଡ଼ି ମଧ୍ୟ ରଖିଛୁ ।

ଏଥିରେ କେଉଁ କେଉଁ ପ୍ରକାର ଖାଦ୍ୟ ରହୁଛି ଓ ଗୋଟିଏ ଦିନରେ କେତେ ଲୋକ ଖାଉଛନ୍ତି?

-ଆମେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ଆଣିଥାଉ ।

ଏଥିପାଇଁ ଭିନ୍ନ ଭିନ୍ନ ଫ୍ରିଜର୍ ବ୍ୟବହାର କରିଥାଉ ।

୧୫୦ରୁ ୨୦୦ ଭୋକିଲା ଲୋକଙ୍କ ପ୍ରତିଦିନ ଖାଇବାକୁ ଦେଇଥାଉ ।

ଏହି ଖାଦ୍ୟ ଆପଣ ଲୋକଙ୍କୁ ସଂପୂର୍ଣ୍ଣ ମାଗଣାରେ ଯୋଗାଉଛନ୍ତି ନା ସେମାନଙ୍କଠାରୁ କିଛି ଅର୍ଥ ନେଉଛନ୍ତି ?

-ଏହି ଖାଦ୍ୟ ଆମେ ମାଗଣାରେ ବିଭିନ୍ନ ବସ୍ତି ଓ ରାସ୍ତାକଡରେ ରହୁଥିବା ଭୋକିଲା ଲୋକଙ୍କୁ ଦେଇଥାଉ ।

ଏହାକୁ ଆପଣ କେମିତି ପରିଚାଳନା କରୁଛନ୍ତି ଓ କେଉଁ କେଉଁ ସ୍ଥାନରେ ଫୁଡ ବ୍ୟାଙ୍କ ରହିଛି ?

-ବଡ଼ ବଡ଼ ହୋଟେଲ, ବାହାଘର କିମ୍ବା ଜନ୍ମଦିନ ଭୋଜିରେ ଖାଦ୍ୟ ବଳିଗଲେ ଆୟୋଜକମାନେ ମୋବାଇଲ ଆପରେ ଆମକୁ ଯୋଗାଯୋଗ କରିଥାନ୍ତି ଏବଂ ୬୦ ଟଙ୍କା ଲେଖାଏଁ ପଠାଇଥାନ୍ତି ।

ଏହାପରେ ଆମେ ଯାଇ ତାଙ୍କଠାରୁ ଖାଦ୍ୟ ଆଣିଥାଉ ।

ଖାଦ୍ୟ ବାଣ୍ଟି ସାରିବା ପରେ ଆମେ ସେମାନଙ୍କୁ ଫଟୋ ପଠାଇ ଜଣାଇ ଦେଇଥାଉ ଯେ ଆପଣଙ୍କ ଖାଦ୍ୟ ବାଣ୍ଟି ଦିଆଯାଇଛି।

ଖାଦ୍ୟକୁ ଭୋଜିରୁ ଆଣିବା ପରେ ଆମେ ଏହାକୁ ପରଦିନ ବାଣ୍ଟିଥାଉ ।

ଏବେ ଆମର ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ଓ ବାରିପଦାରେ ଚାଲିଛି ।

ଅନ୍ୟ ୧୦ଟି ଜାଗାରେ ରୋଟରି କ୍ଲବ୍ ସହିତ ମିଶି ଆମେ ଫୁଡବ୍ୟାଙ୍କ କରିଛୁ ।

ଖାଦ୍ୟକୁ ଆପଣ କେମିତି ସଂରକ୍ଷିତ ରଖୁଛନ୍ତି ଆଉ କେଉଁଠି?

-ଖାଦ୍ୟକୁ ସଂରକ୍ଷିତ ରଖିବା ପାଇଁ ଆମେ ଫ୍ରିଜର୍ ବ୍ୟବହାର କରିଥାଉ ।

ଏଥିସହିତ ଷ୍ଟିଲ୍ ବାସନ ମଧ୍ୟ ବ୍ୟବହାର କରାଯାଇଥାଉ ।

ଏହାକୁ ଆମ ସ୍ବେଚ୍ଛାସେବୀମାନେ ସବୁବେଳେ ସଫା ରଖିଥାନ୍ତି ।

ଆଗକୁ ଆଉ କ’ଣ ଯୋଜନା ରଖିଛନ୍ତି ?

-ଗୁରୁଦ୍ୱାରାରେ ଯେପରି ଲଙ୍ଗର ବ୍ୟବସ୍ଥା ହୋଇଥାଏ, ଆମ ମନ୍ଦିରଗୁଡିକରେ ମଧ୍ୟ ସେପରି ବ୍ୟବସ୍ଥା କରିବାକୁ ଯୋଜନା କରିଛୁ ।

ପୁରୀ ଜଗନ୍ନାଥ ମନ୍ଦିର ଆଗରେ ଆମେ ଦୁଇଟି ଫ୍ରିଜର୍ ରଖିବା ଯୋଜନା କରୁଛୁ ।

ଯଦି ଅବଢା ବଳିଯାଏ, ତାକୁ ସେମାନେ ସେଠାରେ ଆଣି ରଖିବେ ।

ଯିଏ ଆସିବ, ସେଥିରୁ ଖାଇ ପାରିବେ ।

ଏହାସହ ଆମେ ‘ଶ୍ରଦ୍ଧା ଅର୍ପଣ’ କାର୍ଯ୍ୟକ୍ରମ ଆରମ୍ଭ କରିଛୁ, ଯେଉଁଥିରେ ଲୋକମାନେ ଚାଉଳ ଓ ଡ଼ାଲି କି ଅନ୍ୟ କିଛି ଜିନିଷ ଦାନ କରିବେ ।

ଏହାକୁ ନେଇ ଏହା ହଜାରେ ଲୋକଙ୍କ ପାଇଁ ରୋଷେଇ ବ୍ୟବସ୍ଥା କରାଯାଇଛି ।

ଲୋକାଲ୍ ଓ୍ବାୟାର୍

Filed Under: Interview, Odia, Special, ବିଶେଷ, ସାକ୍ଷାତକାର Tagged With: Interview, Special, ଓଡିଶା, ସାକ୍ଷାତକାର

ସାକ୍ଷାତକାର: ଓଡ଼ିଆ ସଂସ୍କୃତି ଓ ଲୋକକଳାକୁ ବିଭିନ୍ନ ମହଲରେ ପରିଚିତ କରାଇବାରେ ଲାଗି ନାଜିଆ

March 3, 2020 By Ashmeera kanungo Leave a Comment

ଭୁବନେଶ୍ବର, ମାର୍ଚ୍ଚ ୩ (ଲୋକାଲ ୱାୟାର): ଗାଁଗହଳିରେ ଥିବା ଓଡିଆ ଲୋକକଳାକୁ ଉପହାର ମାଧ୍ୟମରେ ବିଭିନ୍ନ ସ୍ଥାନରୁ ଆଣି ଗୋଟିଏ ସ୍ଥାନରେ ଏକତ୍ରିତ କରାଇଛନ୍ତି ଲଭଲି ଅବସେସନ୍ସର ନାଜିଆ ଅଲି ।

ଭୁବନେଶ୍ବର ପଟିଆସ୍ଥିତ ତାଙ୍କର ଏହି ଉପହାର ଷ୍ଟୋରରେ ରହିଛି ବିଭିନ୍ନ ଅଞ୍ଚଳର କଳାକାରଙ୍କ ହାତ ତିଆରି ସାମଗ୍ରୀ, ପଟ୍ଟଚିତ୍ର ଓ ଟେରାକୋଟା ସାଙ୍ଗକୁ ଆହୁରି ଅନେକ କଳାକୃତି।

କର୍ପୋରେଟ୍ ଜଗତରେ ଓଡ଼ିଆ ଲୋକକଳା ଓ କାରିଗରଙ୍କୁ ପରିଚିତ କରାଇଥିବା ନାଜିଆଙ୍କ ସହ ଲୋକାଲ ୱାୟାରର ସ୍ଵତନ୍ତ୍ର ସାକ୍ଷାତକାର ।

ଲଭଲି ଅବସେସନ୍ସର ମୁଖ୍ୟ କାର୍ଯ୍ୟ କଣ ?

– ଆମେ ତୃଣମୂଳ ସ୍ତରରେ କଳାକାର ଓ ସେମାନଙ୍କ ହସ୍ତକଳା ସହ ସମ୍ପର୍କ ସ୍ଥାପନ କରୁ ଓ ଆମ ରାଜ୍ୟର ବିଭିନ୍ନ ହସ୍ତକଳାକୁ ଆଣି କର୍ପୋରେଟ କ୍ଷେତ୍ର ସହ ତାକୁ ପରିଚୟ କରାଉ।

ନାଜିଆ ଓ ଲଭଲି ଅବଶେସନ୍ସର କିପରି ଜଡିତ ?

-ରାଉରକେଲାରେ ସ୍କୁଲରେ ପଢିବା ସମୟରେ ଦେଖିଛି, ବିଶେଷତଃ ଓଡିଆମାନଙ୍କ ଉପହାରର ଭୂମିକା ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ।

ହାତଲେଖା କାଗଜ ଖଣ୍ଡେ ହେଲେ ମଧ୍ୟ ଅନେକ ଲୋକ ତାକୁ ସାଇତି ରଖନ୍ତି, ସେବେଠାରୁ ଉପହାର ପ୍ରତି ମୋର ଆକର୍ଷଣ ବଢିଯାଇଥିଲା ।

ଓଡିଶାରେ କଳାକାରମାନେ ଏତେ ସୁନ୍ଦର ସୁନ୍ଦର ହସ୍ତକଳା ତିଆରି କରନ୍ତି ଯେ, ସେମାନେ ହିଁ ରାଜ୍ୟ ପାଇଁ ଏକ ଉପହାର ଭଳି ମନେ ହୁଅନ୍ତି।

ତେଣୁ ସେମାନଙ୍କ ହାତ ତିଆରି ସାମଗ୍ରୀ ଲୋକଲୋଚନକୁ ଆଣିବା ନାଜିଆ ଓ ଲଭଲି ଅବସେସନ୍ସ ଦୁହିଁଙ୍କର ଉଦ୍ଦେଶ୍ୟ।

କେବେଠାରୁ କଳାକାର ଓ ଲୋକଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିଆସୁଛନ୍ତି ଓ ଏହି ଅନୁଭୂତି କିପରି ?

-୨୦୧୫ରେ ମୁଁ ଏଥିରେ ହାତ ଦେଇଥିଲି।

 

ଆମେ ପ୍ରଥମେ କଳାକାରଙ୍କ ସହ ଯୋଗାଯୋଗ କରି ନିଜ ବନ୍ଧୁମାନଙ୍କ ମଧ୍ୟରେ ଏହାକୁ ପରିଚିତ କରାଇଥିଲୁ ।

ପ୍ରଥମ ଦୁଇ ବର୍ଷ ସେତେ ଭଲ ବ୍ୟବସାୟ ହୋଇପାରିନଥିଲା ଆଉ ଲୋକଙ୍କ ନିକଟବର୍ତ୍ତୀ ହେବା ଖୁବ ସଂଘର୍ଷମୟ ରହିଥିଲା ।

ମାତ୍ର ପରେ ୨୦୧୭ରେ ବିଭିନ୍ନ ଚିତ୍ରକଳା, ହସ୍ତକଳା, ପଟ୍ଟଚିତ୍ର ଓ ଆଦିବାସୀ କଳାକାରଙ୍କ ବିଭିନ୍ନ କରୁକଳା ଲୋକଙ୍କ ପସନ୍ଦଯୋଗ୍ୟ ହୋଇପାରିଲା ।

ବର୍ତ୍ତମାନ ଲୋକେ ସୋସିଆଲ ମିଡିଆ ଓ ୱେବସାଇଟ୍ ମାଧ୍ୟମରେ ଅର୍ଡର୍ ଦେଉଛନ୍ତି।

ଆଗାମୀ ଦିନରେ କଣ ଯୋଜନା ରହିଛି ?

-ଆଗାମୀ ଦିନରେ ରାଜ୍ୟ ପର୍ଯ୍ୟଟନ ବିଭାଗ ସହିତ ସହବନ୍ଧିତ ହୋଇ ପର୍ଯ୍ୟଟକଙ୍କ ଜାଣିବା ପାଇଁ ବିଭିନ୍ନ ସ୍ଥାନରେ କଳାକାରଙ୍କ ପ୍ରଚାର ପାଇଁ ସେଠାରେ ବିଭିନ୍ନ କଳାକୃତି ପ୍ରଦର୍ଶନ କରିବାର ଯୋଜନା ରହିଛି ।

କେବଳ ଭୁବନେଶ୍ବରରେ ନୁହେଁ, ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଓଡ଼ିଆ ଲୋକକଳାକୁ ପରିଚିତ କରାଇବା ପାଇଁ ଏପରି ଅନେକ ଦୋକାନ ଓ ଶୋ-ରୁମ କରିବାକୁ ଆଶା ରଖିଛି ।

ବର୍ତ୍ତମାନ ଅଦାନି, ବେଦାନ୍ତ ଗ୍ରୁପ, ଇଣ୍ଡିଆନ ଅଏଲ୍, ଏମ୍.ଏସ୍.ଏମ୍.ଇ, ଡବ୍ଲୁଟିସି ଭୁବନେଶ୍ବର ଆଦିରେ ଆମ ଉପହାର ପହଞ୍ଚାଇ ପାରିଛୁ ।

ଲଭଲି ଅବସେସନ୍ସ ଷ୍ଟୋରକୁ ନେଇ କଣ କହିବେ ?

-ଲଭଲି ଅବସେସନ୍ସରେ କେବଳ ଓଡିଆ ହସ୍ତକଳା ଓ ଚିତ୍ରକଳା ନାହିଁ, ବିଭିନ୍ନ ପ୍ରକାର ଫୁଲତୋଡା, ବୁକେ ଇତ୍ୟାଦି ମଧ୍ୟ ରହିଛି।

ଆମେ ସବୁ ସାମଗ୍ରୀ ସୋସିଆଲ ମିଡିଆରେ ସ୍ଥାନୀୟ କରିଛୁ।

ମୁଖ୍ୟତଃ ତିନିଜଣ ଏହିସବୁ ଉପହାର, ଫୁଲତୋଡା ଓ ବିଭିନ୍ନ ସୁନ୍ଦର ଉପହାର ପ୍ରସ୍ତୁତ କରିବାରେ ସହଯୋଗ କରୁଛନ୍ତି।

ଲୋକାଲ ୱାୟାର୍

Filed Under: Interview, Odia, Special, ବିଶେଷ, ସାକ୍ଷାତକାର Tagged With: Interview, Special, ଓଡିଶା, ଖୋର୍ଦ୍ଧା, ବିଶେଷ, ଭୁବନେଶ୍ବର, ସାକ୍ଷାତକାର

ସାକ୍ଷାତକାର: ସାନ୍ତାଳୀ ଓ ଓଡିଆ ଭାଷା ପାଇଁ ଉଦ୍ୟମ ଜାରି ରଖିବି: ଡକ୍ଟର ଦମୟନ୍ତୀ ବେଶ୍ରା

March 3, 2020 By Naresh Pattanayak Leave a Comment

କେନ୍ଦୁଝର ମାର୍ଚ ୩(ଲୋକାଲ ୱାୟାର) ଚଳିତ ବର୍ଷ ଜାନୁୟାରୀ ୨୫ ରେ ପଦ୍ମଶ୍ରୀ ପାଇବା ପାଇଁ ଡକ୍ଟର ଦମୟନ୍ତୀ ବେଶ୍ରା ଙ୍କ ନାମ ଘୋଷଣା ହେବା ପରେ ତାଙ୍କ କେନ୍ଦୁଝର ଜିଲା ସଦର ବ୍ଲକ ଦନାପୁର ଶ୍ୱଶୁର ଘର ଗ୍ରାମରେ ଖୁସିରେ ଲହରୀ ଖେଳିଯାଇଥିଲା ।

ତାଙ୍କ ଶ୍ୱଶୁର ଘରକୁ ସେ ଶନିବାର ଆସିଥିଲେ । ଗ୍ରାମର ମହିଳା ଓ ପୁରୁଷ ମାନେ ତାଙ୍କୁ ପାରମ୍ପାରିକ ନୃତ୍ୟଗୀତ କରି ଗ୍ରାମ ମୁଣ୍ଡରୁ ପାଛୋଟି ନେଇଥିଲେ ।

ତାଙ୍କ ସହିତ ତାଙ୍କ ସ୍ୱାମୀ ତଥା ଗ୍ରାମର ସୁନା ପୁଅ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଗଙ୍ଗାଧର ହାଁସଦା ଆସିଥିଲେ ।

ଏହି ଅବସରରେ ଡକ୍ଟର ବେଶ୍ରା ଙ୍କୁ ସାକ୍ଷାତ ବେଳେ ସେ କହିଥିଲେ ଯେ ପଦ୍ମଶ୍ରୀ ସମ୍ମାନ ଘୋଷଣା କୁ ନେଇ ଖୁସି ବ୍ୟକ୍ତ କରିଥିଲେ ଏବଂ କହିଥିଲେ ଯେ ଏହି ସମ୍ମାନ ତାଙ୍କର ଭାଷା ଓ ସାହିତ୍ୟ ପ୍ରତି ଅଧ୍ୟବସାୟ କୁ ମିଳିଛି ।

ତାଙ୍କ ବାପ ଘର ମୟୁରଭଞ୍ଜ ଓ ଶ୍ୱଶୁର ଘର କେନ୍ଦୁଝର ଜିଲା ଦନାପୁର ଗ୍ରାମରେ । ଲିଟରେଚର ଓ ଶିକ୍ଷା ପାଇଁ ଏହି ସମ୍ମାନ ମିଳିବାକୁ ଯାଉଛି ବୋଲି ସେ କହିଥିଲେ ।

କବିତା ସଂକଳନ ପାଇଁ ସେ ୨୦୦୯ ମସିହାରେ ସାହିତ୍ୟ ଏକାଡେମୀ ଆଓାର୍ଡ ପାଇଥିବା କହିଛନ୍ତି । ସେ ଏବେ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟ, ବାରିପଦା ଓଡିଆ ବିଭାଗ ମୁଖ୍ୟ (ଏଚଓଡି) ଭାବରେ କାମ କରୁଛନ୍ତି ।

ଲେଖାଲେଖି ବହୁ ଆଗରୁ କରୁଥିଲି । କିନ୍ତୁ ପ୍ରଥମ ଥର ପାଇଁ ବହି ୧୯୯୪ ରୁ ପବ୍ଲିକେସନ ଆରମ୍ଭ ହୋଇଛି ।

ଅଦ୍ୟାବଧି ତାଙ୍କର ରଚିତ ସାନ୍ତାଳୀ ଭାଷାରେ ୨୦ ଖଣ୍ଡ, ଓଡିଆ ରେ ୮ ଖଣ୍ଡ ବହି ପବ୍ଲିକେସନ ହୋଇଛି ।

ଏହା ଛଡା ସେ ବହୁ ବହି ଅନୁବାଦ କରିବା ସହ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପୁସ୍ତକ ସଂପାଦନା କରିଛନ୍ତି ବୋଲି ତାଙ୍କ ସହିତ ଆଳାପ ସମୟରେ ସେ କହିଥିଲେ ।

ବିଶେଷ କରି ଆଦିବାସୀ ସଂସ୍କୃତି, ଭାଷା, ସାହିତ୍ୟ ଓ ପରମ୍ପରା ଉପରେ ଅଧିକ ଲେଖିଥିବା କହିଛନ୍ତି । ଚାକିରୀ ୨ ବର୍ଷ ରହିଲା । ଏହା ପରେ ମଧ୍ୟ ସେ ଲେଖାଲେଖି କରି ଓ ଏହା ମାଧ୍ୟମରେ ସଚେତନତା କରିବା ପାଇଁ ଶେଷ ଜୀବନ କଟାଇବେ ।

ନ୍ୟାସନାଲ ବୁକ ଟ୍ରଷ୍ଟ ପାଇଁ ଏବେ କାମ କରୁଛନ୍ତି । ଓଡିଆ ଓ ସାନ୍ତାଳୀ ଭାଷା ସାହିତ୍ୟ ପାଇଁ ଲେଖା ଜାରି ରହିବ ବୋଲି କହିଥିଲେ । ଭବିଷ୍ୟତ ପାଇଁ ସ୍ୱତନ୍ତ୍ର ଯୋଜନା କରିନଥିଲେ ହେଁ ଏହି ସବୁ କ୍ଷେତ୍ରରେ ହିଁ କାମ ଜାରି ରଖିବେ ବୋଲି କହିଛନ୍ତି ।

ବିଶେଷ କରି ସକାଳୁ ଉଠିଲା ପରେ ଲେଖାଲେଖି କରିଥାନ୍ତି । ସେହିପରି ଛୁଟି ଦିନରେ ଦିନରେ ସମୟ ପାଇଲେ ଲେଖାଲେଖି କରିଥାନ୍ତି । ତାଙ୍କ ସ୍ୱାମୀ ବ୍ୟାଙ୍କ ଚାକିରୀ ରୁ ଅବସର ନେଇଛନ୍ତିା

ସେ ମଧ୍ୟ ଜଣେ ସୁନାମଧନ୍ୟ ଲେଖକ ଭାବରେ ପରିଗଣିତ ହୋଇ ପାରିଛନ୍ତି ।

ସେ ମଧ୍ୟ ତାଙ୍କର ଗଳ୍ପ ସଂକଳନ ପାଇଁ ୨୦୧୧ ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି ।

ସେ ବିଶେଷ କରି ଉପନ୍ୟାସ, ଗଳ୍ପ, ନାଟକ, ପ୍ରବନ୍ଧ ଲେଖନ୍ତି ।

ପାଖାପାଖି ୧୪ ଟି ବହୁ ସେ ଲେଖିଥିବା ବେଳେ ଲେଖା ଜାରି ରହିଛି ।

ସେ ସାନ୍ତାଳୀ ଭାଷା ର ସାହିତ୍ୟ ଏକାଡେମୀ ର କନଭେନର ଥିଲେ ।

ପୁଅ ରାଜ୍ୟ ସରକାର ଅଧିନରେ ମୟୁରଭଞ୍ଜ ଜିଲା ସାରସକଣା ବ୍ଲକରେ ଡବ୍ଲ୍ୟଇଓ ଚାକିରୀ କରୁଥିବା ବେଳେ ଝିଅ ନୂଆଦିଲ୍ଲୀ ସ୍ଥିତ ଜେଏନୟୁରେ ଏମଫିଲ କରୁଛନ୍ତି । ଲେଖାଲେଖି ମାଧ୍ୟମରେ ସମାଜ ସେବା କରିବା ସହ ଏକ ନୂତନ ଦିଗଦର୍ଶନ ଦେବାକୁ ଉଦ୍ୟମ କରୁଛୁ ।

ବିଶେଷ କରି ସାନ୍ତାଳୀ ଭାଇଭଉଣୀ ମାନେ କିପରି ଆଗକୁ ବଢିପାରିବେ ଓ ସାନ୍ତାଳୀ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ପରମ୍ପରା କିପରି ଆଗେଇ ପାରିବ ସେ ନେଇ ପ୍ରୟାସ କରିବା ସହ ଓଡିଆ ଭାଷା ଓ ସାହିତ୍ୟର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ପ୍ରୟାସ ଜାରି ରଖିଛୁ ।

ନୃତ୍ୟଗୀତ ଆମ ପରମ୍ପରା ଜନ୍ମରୁ ରହିଛି । ଏଣୁ ତାହାକୁ ଛାଡି ପାରିବୁ ନାହିଁ । ଏହାକୁ ସତପ୍ରବୃତ ଭାବରେ ଆସିଥାଏ ଏବଂ ସବୁ ପ୍ରକାର ଭେଦଭାବ ଭୁଲି ନୃତ୍ୟଗୀତ କରିଥାଉ ।

ଲୋକାଲ ୱାୟାର

Filed Under: Interview, Odia, ସାକ୍ଷାତକାର Tagged With: Interview, ଓଡିଶା, କେନ୍ଦୁଝର, ସାକ୍ଷାତକାର

ସାକ୍ଷାତକାର:ଟ୍ରାଫିକ ନିୟମ ଅନୁସାରେ ପାର୍କିଂ ନ କଲେ ଫାଇନ: ମନ୍ତ୍ରୀ

February 29, 2020 By Ashmeera kanungo Leave a Comment

ଭୁବନେଶ୍ବର, ଫେବ୍ରୁଆରି ୨୯ (ଲୋକାଲ ୱାୟାର): ଭୁବନେଶ୍ବରରେ ଟ୍ରାଫିକ ନିୟମ ଅନୁସାରେ ଗାଡି ପାର୍କିଂକରୁ ନ ଥିବା ଲୋକଙ୍କୁ ଦଣ୍ଡିତ କରାଯିବ ଓ ଉଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଲୋକାଲ ୱାୟାରକୁ ଶନିବାର କହିଛନ୍ତି ।

ସଚେତନତା ସତ୍ବେ ବହୁ ଲୋକ ନିୟମ ଅନୁସାରେ ଗାଡି ପାର୍କିଂ କରୁନ ଥିବା ସାମନାକୁ ଆସିଥିବା ସେ ଦର୍ଶାଇଛନ୍ତି।

ଶନିବାର ସଂଶୋଧିତ ମଟର ଯାନ ଆଇନ କୋହଳ ଅବଧି ଶେଷ ହେଉଥିବାବେଳେ ଗତ ଛଅ ମାସ ଭିତରେ ଅଧିକାଂଶ ଆବେଦନକାରୀଙ୍କୁ ଗାଡି ଲାଇସେନ୍ସ ମିଳିସାରିଥିବା ପରିବହନ ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ମାର୍ଚ୍ଚ ପହିଲାରୁ ଅର୍ଥାତ୍ ରବିବାରଠାରୁ ନିୟମ କଡ଼ାକଡ଼ି ଲାଗୁହେବ।

ତେବେ ଆଜି ଯେପରି ବିଭିନ୍ନ ସ୍ଥାନରେ ଗାଡି କାଗଜପତ୍ର ଯାଞ୍ଚ ହେଉଛି, ରବିବାରଠାରୁ ମଧ୍ୟ ସେହିପରି ଯଥାରୀତି ତଦାରଖ କରାଯିବ, ତେଣୁ ଏହାକୁ ନେଇ ଆତଙ୍କିତ ହେବାର ନାହିଁ ବୋଲି ସେ କହିଛନ୍ତି ।

ତେବେ କୋହଳ ସମୟ ସୀମା ଶେଷ ହୋଇଯାଇଥିବାରୁ ଲୋକେ ଗାଡି କାଗଜପତ୍ର ଓ ହେଲମେଟ ପ୍ରତି ଯତ୍ନବାନ ହେବା ନିହାତି ଆବଶ୍ୟକ ।

ଗାଡିଚାଳକ ସହ ପଛରେ ବସିଥିବା ଲୋକ ମଧ୍ୟ ହେଲମେଟ ପିନ୍ଧିବା ଉଚିତ, ଏଥିପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରାଗଲେ ସୁଦ୍ଧା ଲୋକେ ଏଥିପ୍ରତି ସତର୍କ ହେଉନଥିବା ସେ କହିଛନ୍ତି।

ନିଜକୁ ତଥା ଅନ୍ୟକୁ ସୁରକ୍ଷା ଦେବା ଉପରେ ମନ୍ତ୍ରୀ ଜୋର୍ ଦେଇଛନ୍ତି।

ବାରମ୍ବାର କହିବା ପରେ ମଧ୍ୟ ଯଦି ଲୋକେ ସତର୍କ ନ ହେଲେ ଚାଲାଣ ସହ ନିୟମ ଖିଲାପକାରୀଙ୍କୁ ଆଇନତଃ ଦଣ୍ଡ ଦିଆଯିବ ।

ରାଜ୍ୟସରକାର ଗାଡି କାଗଜପତ୍ର ପ୍ରସ୍ତୁତ ପାଇଁ ଲୋକଙ୍କୁ ୬ ମାସ ସମୟ ଦେଇସାରିଛନ୍ତି।

ଏହି ଅବଧି ସରିଆସିଲା ବେଳକୁ ଯେଉଁମାନେ ଆବେଦନ କରିଥିଲେ, ସେମାନଙ୍କୁ ମଧ୍ୟ ଖୁବ ଶୀଘ୍ର ଲାଇସେନ୍ସ ମିଳିଯିବ ବୋଲି ସେ ସୂଚନା ଦେଇଛନ୍ତି।

ଲୋକାଲ ୱାୟାର୍

Filed Under: Odia, ସାକ୍ଷାତକାର Tagged With: ଓଡିଶା, ଭୁବନେଶ୍ୱର

ସାକ୍ଷାତକାର: ମୋ ଜୀବନ ଜୀଇଁବା ଯୋଗ୍ୟ ବୋଲି ଆଶ୍ୱାସନା ଦେଲା ପଦ୍ମ ପୁରସ୍କାର: ବଟକୃଷ୍ଣ ସାହୁ

February 24, 2020 By Sonali Singh Leave a Comment

ଭୁବନେଶ୍ୱର, ଫେବ୍ରୁଆରୀ ୨୪ (ଲୋକାଲ ୱାୟାର): ମାଛ ଚାଷୀ ବଟକୃଷ୍ଣ ସାହୁ ୨୦୨୦ ବର୍ଷ ପାଇଁ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ସାରକଣା ଗାଁର ବାସିନ୍ଦା ବଟକୃଷ୍ଣ ସାହୁଙ୍କୁ ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ହ୍ୟାଚେରି ମାଲିକ ଭାବେ ବିବେଚନା କରାଯାଏ ।

ମାଛ ଚାଷରେ ବିଜ୍ଞାନକୁ ସାମିଲ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଲୋକାଲ ୱାୟାର ସହ ତାଙ୍କ ସାକ୍ଷାତକାରର କିୟଦଂଶ-

ଲୋକାଲ ୱାୟାର: ଆପଣ ନିଜ ଅଞ୍ଚଳରେ କେବେ ଚାଷ ଆରମ୍ଭ କଲେ?

ସାହୁ: ୧୯୮୬ରେ ଚାଷ ଆରମ୍ଭ କରିଥିଲି । ପ୍ରଥମେ ମୁଁ ସାଧାରଣ ଚାଷବାସ କରୁଥିଲି । ମୋର ସ୍ୱଳ୍ପ ଜମିରେ ଧାନ, ଆଳୁ, ଡାଲି ଓ ଅନ୍ୟ ଶସ୍ୟ ଚାଷ କରୁଥିଲି ।

ମୋର ୧୫ ଏକର ଚାଷ ଜମି ଥିଲା । ଚାଷବାସରୁ ମୁଁ ବର୍ଷକୁ ପ୍ରାୟ ୧୨ ହଜାର ଟଙ୍କା ରୋଜଗାର କରୁଥିଲି ।

ଏହା ସହିତ ମୁଁ ଭାଗଚାଷ ମଧ୍ୟ କରୁଥିଲି । ତେବେ ଏହା ସେତେଟା ଲାଭଜନକ ନଥିଲା ।

ଲୋକାଲ ୱାୟାର: ମାଛ ଚାଷ ଆରମ୍ଭ କରିବାର ଯୋଜନା କେମିତି ଆପଣଙ୍କ ମନକୁ ଆସିଲା?

ସାହୁ: ଆମ ଅଞ୍ଚଳରେ ପୋଖରୀ ଥିବା ଲୋକଙ୍କ ଠାରୁ ଆମେ ମାଛ କିଣୁଥିଲୁ ।

ହେଲେ ଅଧିକାଂଶ ମାଛ ବଜାରରେ ବିକ୍ରି ହୋଇ ଯାଉଥିବାରୁ ସ୍ଥାନୀୟ ଲୋକେ ମାଛ ପାଇବାରୁ ବଞ୍ଚିତ ହେଉଥିଲେ ।

ମୋତେ ତାହା ଭଲ ଲାଗିଲା ନାହିଁ । ନିଲାମରେ ତିନି ବର୍ଷ ପାଇଁ ପୋଖରୀ ନେଲି ।

ବ୍ୟବସାୟ ଓ ଜୀବିକାର୍ଜନ ଉଦ୍ଦେଶ୍ୟରେ ମାଛ ଚାଷ ସମ୍ପର୍କରେ ମୋର ସେତେଟା ଧାରଣା ନଥିଲା ।

ଲୋକାଲ ୱାୟାର: ଆପଣ କିପରି ମାଛ ଚାଷ ବିସ୍ତାର କଲେ ଓ ଅଧିକ ଲାଭ ପାଇଲେ?

ସାହୁ: କୃଷି ବିଜ୍ଞାନ କେନ୍ଦ୍ର, ଖୋର୍ଦ୍ଧା ଓ ଭୁବନେଶ୍ୱରରେ ଥିବା କେନ୍ଦ୍ରୀୟ ମଧୁର ଜଳ ମାଛଚାଷ ସଂସ୍ଥାନର ବୈଜ୍ଞାନିକମାନଙ୍କ ସହ ଆଲୋଚନା କଲି ।

ସେମାନଙ୍କୁ କହିଲି ୧୨ ହଜାର ଟଙ୍କା ବିନିଯୋଗ କରି ତିନି ବର୍ଷ ପାଇଁ ପୋଖରୀ ନିଲାମ ନେଇଛି ।

ବୈଜ୍ଞାନିକମାନେ ମତେ ଆଶ୍ୱାସନା ଦେଲେ ଯଦି ସେମାନଙ୍କ ପ୍ରଦର୍ଶିତ ପ୍ରଯୁକ୍ତି ବ୍ୟବହାର କରିବି ତେବେ ବର୍ଷକ ପୂର୍ବରୁ ବିନିଯୋଗ ଅର୍ଥ ଫେରି ପାଇବି ।

ଲୋକାଲ ୱାୟାର: ଆପଣ କେଉଁ ସବୁ ପ୍ରଯୁକ୍ତି ଆପଣାଇଲେ?

ସାହୁ: ବଡ଼ ମାଛ ଜାଲ ବ୍ୟବହାର କରି ଶିକାରୀ ମାଛଙ୍କୁ ନିପାତ କଲି ।

ପୋଖରୀ ଚାରିପଟେ ବାଡ଼ ବୁଲାଇବା ସହ ଅନ୍ୟ ପ୍ରଯୁକ୍ତି ବ୍ୟବହାର କଲି ।

ପ୍ରଥମ ବର୍ଷରେକେବଳ ନିଲାମ ରାଶି ନୁହେଁ କିଛି ଲାଭ ମଧ୍ୟ ପାଇଲ ।

ପୂର୍ବରୁ ଆମ ପାଖରେ ଉତମ ପରିବହନ ବ୍ୟବସ୍ଥା ଓ ଅକ୍ସିଜେନ ସିଲିଣ୍ଡର ନଥିଲା । ବିକ୍ରି ପୂର୍ବରୁ ମାଛ ମରି ଯାଉଥିବାରୁ ଆମର କ୍ଷତି ହେଉଥିଲା ।

ଲୋକାଲ ୱାୟାର: ଅଧିକ ମାଛ ଉତ୍ପାଦନ ପାଇଁ ଆପଣ କୌଣସି କୃତ୍ରିମ ପଦ୍ଧତି ଆପଣାଇ ଥିଲେ କି?

ସାହୁ: ମଞ୍ଜି ଉତ୍ପାଦନ ବଢ଼ାଇବା ପାଇଁ ମୁଁ ମାଛ ଗ୍ରନ୍ଥୀରେ ଇଂଜେକ୍ସନ ଦେବା ଶିଖିଲି ।

ହ୍ୟାଚେରିରେ ଜାଆଁଳ ପ୍ରଜନନ ବଢ଼ାଇଲି । ମାଛ ମଞ୍ଜି ଓ ଛୋଟ ମାଛ ଉତ୍ପାଦନ ଆରମ୍ଭ କଲି ।

ଗୋଟିଏ ପୋଖରୀରେ ୪ ଲକ୍ଷ ମାଛ ମଞ୍ଜି ରଖିଲି ଓ ସେଥିରୁ ୭ ହଜାର ଟଙ୍କା ଲାଭ ପାଇଲି ।

କିଛି ପ୍ରଯୁକ୍ତିର ମିଶ୍ରଣରୁ ମିଳିଥିବା ପ୍ରାରମ୍ଭିକ ସଫଳତା ଆମ ଆତ୍ମବିଶ୍ୱାସ ବଢ଼ାଇଲା ।

ଧୀରେ ଧୀରେ ପଡ଼ିଆ ଜମି କିଣି ସେଗୁଡ଼ିକୁ ମାଛ ଚାଷ ପୋଖରୀରେ ପରିଣତ କଲି ।

୧୯୯୪ରେ ଆଠଟି ପୋଖରୀର ମାଛ ଚାଷ କଲି । ୧୯୯୮ରେ ଗୋଲାକାର ହ୍ୟାଚେରି ଆରମ୍ଭ କଲି ।

ପ୍ରାକୃତିକ ବିପର୍ଯ୍ୟୟରେ ପୋଖରୀଗୁଡ଼ିକ ନଷ୍ଟ ହୋଇ ଯାଇଥାଏ । ଏବେ ହ୍ୟାଚେରି ଓ ମତ୍ସ୍ୟ ପାଳନରୁ ମୋର ବାର୍ଷିକ ୧୨ ଲକ୍ଷ ଟଙ୍କା ରୋଜଗାର ହେଉଛି ।

ଲୋକାଲ ୱାୟାର: ପାରମ୍ପରିକ ଚାଷ ଅପେକ୍ଷା ମାଛ ଚାଷକୁ ଆପଣ ଅଧିକ ଲାଭଜନକ ବୋଲି ଭାବୁଛନ୍ତି କି?

ସାହୁ: ହଁ । ପାରମ୍ପରିକ ଚାଷ ଅପେକ୍ଷା ମାଛ ଚାଷରେ ଅପେକ୍ଷାକୃତ କମ୍ କ୍ଷତି ହୁଏ ।

ଏଥିରୁ ଅଧିକ ଲାଭ ମିଳେ । ଆମକୁ କେବଳ ମାଛ ଚାଷରେ ବୈଜ୍ଞାନିକ ପଦ୍ଧତି ଆପଣାଇବାକୁ ପଡ଼ିବ ।

ମୁଁ ଏହି ଅଞ୍ଚଳରେ ପ୍ରଥମେ ଆରମ୍ଭ କରିଥିଲି ଓ ଏବେ ମୋ କାମ ଦେଖି ବହୁ ଚାଷୀ ମାଛ ଚାଷ ପ୍ରତି ଆକୃଷ୍ଟ ହେଲେଣି ।

ମାଛ ଚାଷରେ ବ୍ୟବହୃତ ନୂତନ ପ୍ରଯୁକ୍ତି ସମ୍ପର୍କରେ ମୁଁ ସେମାନଙ୍କୁ ତାଲିମ ଦେଉଛି ।

ଲୋକାଲ ୱାୟାର: ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହେବା ପରେ ଆପଣଙ୍କ ଜୀବନ କିପରି ପରିବର୍ତ୍ତିତ ହୋଇଛି?

ସାହୁ: ଓଡ଼ିଶାର ଛୋଟ ଗାଁରେ ରହୁଥିବା ଚାଷୀ ପାଇଁ ଏହା ବହୁତ ବଡ଼ ପ୍ରୋତ୍ସାହନ । ଏହି ଅଞ୍ଚଳର କୌଣସି ଚାଷୀ ପ୍ରଥମ ଥର ପାଇଁ ପଦ୍ମ ପୁରସ୍କାର ପାଇବେ ।

ସମଗ୍ର ଅଞ୍ଚଳ ଏବେ ଖୁସି । ବହୁ ଲୋକ ଓ ସଂଗଠନ ମୋତେ ସମ୍ବର୍ଦ୍ଧିତ କରିବାକୁ ଡାକୁଛନ୍ତି । ମୁଁ ବେଶ ଉଲ୍ଲସିତ ।

ଏବେ ଲାଗୁଛି ମୋ ଜୀବନ ଜୀଇଁବା ଉପଯୁକ୍ତ । ଏହା ମୋତେ ବେଶ ସଂତୃପ୍ତି ପ୍ରଦାନ କରିଛି ଓ ମୋ ଭିତରେ ଆତ୍ମବିଶ୍ୱାସ ଭରି ଦେଇଛି ।

ଲୋକାଲ ୱାୟାର

Filed Under: Interview, Odia, ସାକ୍ଷାତକାର Tagged With: Interview, ଓଡିଶା, ସାକ୍ଷାତକାର

  • Go to page 1
  • Go to page 2
  • Go to page 3
  • Go to page 4
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire