ବ୍ରହ୍ମପୁର, ସେପ୍ଟେମ୍ବର ୨୧(ଲୋକାଲ ୱାୟାର): ପିଲାମାନଙ୍କ ମାନସିକ ଓ ଶାରିରୀକ ଅଭିବୃଦ୍ଧିରେ କୃମି ଯେପରି ବାଧକ ନ ହେବ ସେଥିପାଇଁ ଜାତୀୟ ଅଭିଯାନର ଅଂଶସ୍ୱରୂପ ଗଞ୍ଜାମ ଜିଲ୍ଲାରେ ୧୯ ବର୍ଷରୁ କମ୍ ବୟସର ପିଲାମାନଙ୍କୁ କୃମିନାଶକ ବଟିକା ବଣ୍ଟନ ସୋମବାରଠାରୁ ଆରମ୍ଭ ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।
ଜିଲ୍ଲାରେ ସେପ୍ଟେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଆଲବେଣ୍ଡାଜୋଲ୍ ଟାବଲେଟ ବଣ୍ଟନ ଅଭିଯାନ ଫଳରେ ୮.୮୬ ଲକ୍ଷ ପିଲା ଉପକୃତ ହେବେ ବୋଲି ଟାବଲେଟ ବଣ୍ଟନ ଆରମ୍ଭ କରି କହିଛନ୍ତି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଉମାଶଙ୍କର ମିଶ୍ର ।
୩ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ସିରାପ ଦିଆଯାଉଥିବା ବେଳେ ୩ରୁ ୧୯ ବର୍ଷର ପିଲାମାନଙ୍କୁ ୪୦୦ ଏମଜିର ଟାବଲେଟ ଖାଇବାକୁ ଦିଆଯାଉଛି ।
କୋଭିଡ-୧୯ ପାଇଁ ସମସ୍ତ ସ୍କୁଲ ବନ୍ଦ ଥିବାରୁ ଅଭିଭାବକମାନଙ୍କୁ ଏହା ଦିଆଯିବ ଏବଂ ସେମାନେ ଔଷଧ ବାଣ୍ଟୁଥିବା କର୍ମୀମାନଙ୍କ ସମ୍ମୁଖରେ ପିଲାମାନଙ୍କୁ ତାହା ଖୁଆଇବେ ବୋଲି କହିଛନ୍ତି ଡିଏମଆରସିଏଚର ଡେପୁଟି ମ୍ୟାନେଜର ଶକ୍ତି କୁମାର ଦିଗଲ କହିଛନ୍ତି ।
ଗତବର୍ଷ ସମସ୍ତ ସ୍କୁଲରେ ପ୍ରାୟ ୯୮% ପିଲାଙ୍କୁ ସ୍ୱାସ୍ଥ୍ୟକର୍ମୀମାନେ ଏହି କୃମିନାଶକ ବଟିକା ବଣ୍ଟନ କରିଥିଲେ ।
କିନ୍ତୁ ଏବେ ସ୍କୁଲ ବନ୍ଦ ଥିବାରୁ ଘରକୁ ଘର ବୁଲି ସ୍ୱାସ୍ଥ୍ୟକର୍ମୀମାନେ ବଟିକା ବାଣ୍ଟିବେ ।
ଏହି କାମରେ ୪୧୬ ଜଣ ଏମଏନଏମ, ୨୦୧୧ ଜଣ ଆଶା କର୍ମୀ, ୩୭୪୦ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ମିଶାଇ ମୋଟ ୬ ହଜାର ଜଣଙ୍କୁ ନିୟୋଜିତ କରାଯାଇଛି ।
କେତେକ ସ୍ଥାନରେ ଶିକ୍ଷକମାନେ ମଧ୍ୟ ସେମାନଙ୍କୁ ସହାୟତା କରିବେ ।
ଏଥିସହ ସ୍ୱାସ୍ଥ୍ୟକର୍ମୀମାନେ ଅଭିଭାବକମାନଙ୍କୁ ଏହି ବଟିକାର ଆବଶ୍ୟକତା ଏବଂ ସ୍ୱାସ୍ଥ୍ୟ ସମ୍ପେର୍କରେ ସଚେତନ ମଧ୍ୟ କରାଇବେ ।
ସାଧାରଣତଃ ଦୂଷିତ ପାନୀୟ ଜଳ, ଅସ୍ୱଚ୍ଛ ପରିମଳ ଏବଂ ଅସ୍ୱଚ୍ଛ ଶୌଚାଳୟ ଯୋଗୁ ପିଲାମାନଙ୍କ ଦେହରେ କୃମି ହୋଇଥାଏ ।
ବଣ୍ଟନ ହେଊଥିବା ଟାବଲେଟ ଖାଇବାର କିଛି ଦିନ ପରେ କୃମି ଗୁଡ଼ିକ ଦେହରୁ ବାହାରି ଯାଇଥାଏ ।
ଲୋକାଲ ୱାୟାର