ଭୁବନେଶ୍ୱର, ଫେବ୍ରୁଆରୀ ୨୮(ଲୋକାଲ ୱାୟାର): ନିକଟରେ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣା ପରୀକ୍ଷା ଉପରେ କୌଣସି ପ୍ରଭାବ ପକାଇ ନାହିଁ ବୋଲି ଗୁରୁବାର କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ।
ଶ୍ରୀ ପାତ୍ର କହିଛନ୍ତି, ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣା ପରୀକ୍ଷାର୍ଥୀ କିମ୍ବା ପରୀକ୍ଷା ଉପରେ ତିଳେମାତ୍ର ପ୍ରଭାବ ପକାଇ ନାହିଁ । ରାଜ୍ୟବ୍ୟାପି ସମସ୍ତ କେନ୍ଦ୍ରରେ ସୁଚାରୁ ରୂପେ ପରୀକ୍ଷା ପରିଚାଳନା ହେଉଛି ।
ଯଦି ବା ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ହେଲା, ଉତ୍ତର କେମିତି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ବୋଲି ଓଲଟି ଶ୍ରୀ ପାତ୍ର ଗଣମାଧ୍ୟମକୁ ପ୍ରଶ୍ନ କରିଛନ୍ତି ।
ତେବେ ଓଏମଆର ସିଟରେ ତ୍ରୁଟି ସାମାନ୍ୟ ତ୍ରୁଟି ପରିଲକ୍ଷିତ ହୋଇଥିବା ସେ ସ୍ୱୀକାର କରିଥିଲେ । ଏ ସମ୍ପର୍କରେ ବୋର୍ଡ ପକ୍ଷରୁ ତାଙ୍କୁ ସୂଚିତ କରାଯାଇଛି ଏବଂ ଏହି କାରଣରୁ ଓଏମଆର ସିଟର ମୂଲ୍ୟାୟନ ଅଫ୍ ଲାଇନରେ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ ୧୧ ଜଣଙ୍କୁ ବୋର୍ଡ ନିଲମ୍ବିତ କରିଥିବା ବେଳେ ୫ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ତେବେ ପରେ ଅନ୍ୟ ଦୁଇଟି ବିଷୟରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ପ୍ରଚାର ହୋଇ ଥିଲେ ମଧ୍ୟ ତାହାର ସତ୍ୟତା ନଥିବା ଜଣାପଡ଼ିଥିଲା ।
ଲୋକାଲ ୱାୟାର