କଟକ,ଏପ୍ରିଲ ୨୧ (ଲୋକାଲ ୱାୟାର) : କଟକ ଜିଲ୍ଲାର ତିନି ଗୁରୁତ୍ୱପୂର୍ଣ୍ଣ ଯଥା ବାରବାଟୀ-କଟକ, ଚୌଦ୍ବାର-କଟକ ଓ କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୩ ତାରିଖ ଦିନ ତୃତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଥିବା ବେଳେ ଏଥର ଏଠାରେ ଭିନ୍ନ ସମୀକରଣ ଦେଖିବାକୁ ମିଲୁଛି ।
ବିଗତ ନିର୍ବାଚନରେ ବାରବାଟୀ-କଟକରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ହେଇଥିଲା।
ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତର।ୟ କଂଗ୍ରେସ ପ୍ରାର୍ଥୀ ଇଂ ମହମ୍ମଦ ମୋକିମଙ୍କୁ ୧୪ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହରାଇଥିଲେ । ବିଜେପି ପ୍ରାର୍ଥୀ ବହୁ ପଛରେ ଥିଲେ ।
ଏଥର ବିଜେଡି ଓ କଂଗ୍ରେସ ପୁରୁଣା ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ପ୍ରାର୍ଥୀ ପରିବର୍ତ୍ତନ କରି ପୁନର୍ବାର ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କୁ ଛିଡା କରାଇଛି ।
ଏଣୁ ଏଠାରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବାର ସମ୍ଭାବନା ରହିଛି । ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ଏଠାରେ ପୂର୍ବ ଥର ଭଳି ବିଜେଡି-କଂଗ୍ରେସ ମଧ୍ୟରେ ହିଁ ଲଢାଇ ହେବ ।
ସେହିପରି ଚୌଦ୍ବାର-କଟକରେ ପୂର୍ବାପେକ୍ଷା ସମୀକରଣ ବଦଳିଛି । ଏଥର ନିର୍ବାଚନରେ କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ବଦଳାଇଛି ।
ବିଜେଡିର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସ୍ଥାନରେ ପୁଅ ସୌଭିକ ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଜଣେ ଅଭିଜ୍ଞ ଅବସରପ୍ରାପ୍ତ ଆଇଏଏସ ଡ. ଜଗଦୀଶ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ।
କିନ୍ତୁ ରାଜନୈତିକ ସମୀକ୍ଷକଙ୍କ ଅନୁସାରେ ଏଠାରେ ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦୀ ଏଥର କଂଗ୍ରେସ ବା ବିଜେପି ଅଥବା ସ୍ବାଧୀନ ହେବେ ତାହା କହିବା ମୁସ୍କିଲ ।
ସେହିପରି କଟକ ସଦର ସଂରକ୍ଷିତ ଆସନରେ ମୁଖ୍ୟତଃ ବିଜେଡିର ପ୍ରତିଦ୍ୱନ୍ଦୀ ବିଜେପି ହେବ ବୋଲି କୁହାଯାଉଛି ।
ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଓ ବିଜେପି ପ୍ରାର୍ଥୀ ଦିଲ୍ଲୀପ ମଲ୍ଲିକଙ୍କ ମଧ୍ୟରେ କଡା ଟକ୍କର ହେଉଛି । କଂଗ୍ରେସ ପ୍ରାର୍ଥୀ ବଦଳାଇ ଅଭିଷେକ ମହାନନ୍ଦଙ୍କୁ ଆଣିଛି ।
ବିଜେପି ଏହି ନିର୍ବାଚନ ମଣ୍ଡଳୀରେ ବିଜେଡିର ଜଣେ ବ୍ଲକ ଅଧ୍ୟକ୍ଷ ଓ ତିନି ଜଣ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ନିଜ ପଟକୁ ନେଇ ବେଶ ଶକ୍ତିଶାଳୀ ହୋଇପାରିଛି ।
ଲୋକାଲ ୱାୟାର