ଭୁବନେଶ୍ୱର,ଡିସେମ୍ବର ୪(ଲୋକାଲ ୱାୟାର): ଧାନ ସଂଗ୍ରହ ବାବଦରେ ଏ ପର୍ଯ୍ୟନ୍ତ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ୧୩ ଶହ ଜଣ ଚାଷୀଙ୍କ ମତାମତ କଲ୍ ସେଣ୍ଟର ଜରିଆରେ ସଂଗ୍ରହ କରାଯାଇଥିବା ଓଡ଼ିଶା ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟ ସୂତ୍ରରୁ କୁହାଯାଇଛି ।
ଗତ ନଭେମ୍ବର ୩୦ ତାରିଖରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି ଓ ମାଲକାନଗିରିର ୨୦ ଜଣ ଚାଷୀଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ ।
ଡିସେମ୍ବର ୧ ତାରିଖରେ କଲ୍ ସେଣ୍ଟର ଜରିଆରେ ବରଗଡ଼, କଳାହାଣ୍ଡି, ସୁବର୍ଣ୍ଣପୁର ଓ ସମ୍ବଲପୁରର ୪୧୫ ଜଣ ଚାଷୀଙ୍କ ସହ ସେମାନଙ୍କ ପଂଜିକୃତ ମୋବାଇଲ ନମ୍ବରରେ ଧାନ ସଂଗ୍ରହ, ଟୋକେନ ଏବଂ ଆକାଉଣ୍ଟକୁ ଅର୍ଥ ପ୍ରଦାନ ବାବଦରେ ଅଧିକାରୀମାନେ କଥା ହୋଇଥିଲେ ।
ସେମାନଙ୍କ ମଧ୍ୟରୁ ୪୦୮ ଜଣ ଚାଷୀ ଆଗୁଆ ଟୋକେନ ପାଇଥିବା ଓ ୩୮୦ ଜଣ ସନ୍ଧ୍ୟା ସୁଦ୍ଧା ଆକାଉଣ୍ଟରେ ଅର୍ଥ ପାଇଥିବା କହିଥିଲେ ।
ଡିସେମ୍ବର ୨ ତାରିଖରେ ବରଗଡ଼, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାର ୭୦୫ ଜଣ ଚାଷୀଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା ।
ସେମାନଙ୍କ ମଧ୍ୟରୁ ୬୯୨ ଜଣ ଆଗୁଆ ଟୋକେନ ପାଇଥିବା ଏବଂ ୬୫୫ ଜଣ ସନ୍ଧ୍ୟା ସୁଦ୍ଧା ଆକାଉଣ୍ଟରେ ଅର୍ଥ ପାଇଥିବା କହିଥିଲେ ।
ଡିସେମ୍ବର ୩ ତାରିଖରେ ବରଗଡ଼, ନୂଆପଡ଼ା, ସମ୍ବଲପୁର, ବଲାଙ୍ଗିର ଓ ମାଲକାନଗିରି ଜିଲ୍ଲାର ୨୬୭ ଜଣ ଚାଷୀଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲା ।
ଏମାନଙ୍କ ମଧ୍ୟରୁ ୨୬୬ ଜଣ ଆଗୁଆ ଟୋକେନ ପାଇଥିବା ଏବଂ ୨୨୯ ଜଣ ସନ୍ଧ୍ୟା ସୁଦ୍ଧା ଆକାଉଣ୍ଟରେ ଅର୍ଥ ପାଇଥିବା ଜଣାଇଥିଲେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଲୋକାଲ ୱାୟାର