ଭୁବନେଶ୍ୱର,ନଭେମ୍ବର ୨୫(ଲୋକାଲ ୱାୟାର): ନୟାଗଡ଼ ଜିଲ୍ଲା ଯଦୁପୁରର ଅଶୋକ ସାହୁ ଏବଂ ସୌଦାମିନୀଙ୍କ ଝିଅ ପରୀକୁ ଅପହରଣ ଓ ହତ୍ୟା କରାଯାଇଛି ଏବଂ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ ବୋଲି ବୁଧବାର ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିଜ ବିବୃତିରେ କହିଛନ୍ତି ।
ସେ କହିଛନ୍ତି, ଯଦୁପୁର ଗ୍ରାମରେ ଗତ ଜୁଲାଇ ୨୩ ତାରିଖ ଅପରାହ୍ଣରେ ଅଖାବସ୍ତାରେ ବନ୍ଧା ହୋଇଥିବା ଜଣେ ଝିଅର ମୃତଦେହ ମିଳିଥିଲା । ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ତୁରନ୍ତ ତାହାର ତଦନ୍ତ କରିଥିଲେ ।
କଟକ ଏସସିବିରେ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲେ ମଧ୍ୟ ମୃତ୍ୟୁର କାରଣ ଜଣାପଡ଼ିନଥିଲା । ତେବେ ପ୍ରାୟ ୭ ଦିନ ତଳେ ମୃତ୍ୟୁ ହୋଇଥିବା କୁହାଯାଇଥିଲା ।
ଡିଏନଏ ପରୀକ୍ଷାରୁ ଝିଅଟି ଅଶୋକଙ୍କ ଝିଅ ପରୀ ବୋଲି ଚିହ୍ନଟ ହୋଇଥିଲା । ଏହି ମାମଲାର ତଦନ୍ତରେ ୪ ଜଣଙ୍କ ପଲିଗ୍ରାଫ୍ ପରୀକ୍ଷା ସହ ସନ୍ଦିଗ୍ଧଙ୍କ କଲ୍ ରେକର୍ଡ ଯାଞ୍ଚ କରାଯାଇଛି ।
ସନ୍ଦିଗ୍ଧଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ ହୋଇଛି ଏବଂ ୩୪ ଜଣଙ୍କୁ ପଚରାଉଚରା କରାଯାଇଛି । ଏହି ମାମଲାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚ କରିବ ବୋଲି ସେ କହିଥିଲେ ।
ଲୋକାଲ ୱାୟାର