ଭବାନୀପାଟଣା, ଫେବ୍ରୁଆରି ୧୪ (ଲୋକାଲ ୱାୟାର): ରାସ୍ତା ଖଣ୍ଡେ କରିବା ଲାଗି ପ୍ରଶାସନ ପାଖରେ ଗୁହାରୀ କଲେ ବି ନଶୁଣିବାରୁ ନିଜ ଉଦ୍ୟମରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଟୁରିସେମେଲ ଗାଁଲୋକେ ରାସ୍ତା ନିର୍ମାଣ କରୁଛନ୍ତି।
ହାତରେ ଖଣତି ଓ କୋଦାଳ ଆଉ ମୁଣ୍ଡରେ ଝୁଡି ଧରି ସକାଳୁ ସକାଳୁ ଗାଁର ଶତାଧିକ ମହିଳା ଓ ପୁରୁଷ ଗଲା କିଛିଦିନ ହେଲା ଶ୍ରମଦାନ କରି ରାସ୍ତା ତିଆରି କାମରେ ଲାଗିଛନ୍ତି।
ଟୁରିସେମେଲ ଗାଁରେ ରହନ୍ତି ପ୍ରାୟ ୫୦ ପରିବାର ଓ ଲୋକସଂଖ୍ୟା ୨୫୦।
ହେଲେ ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ ଲୋକେ ଦୀର୍ଘଦିନରୁ ସ୍ଥାନୀୟ ଲୋକପ୍ରତିନିଧିଙ୍କଠାରୁ ଜିଲ୍ଲା ପ୍ରଶାସନକୁ ଗୁହାରି ବିଫଳ ହେବାରୁ ନିଜେ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି।
ପରିବାରରୁ ଜଣେ ଲେଖାଏଁ ସଦସ୍ୟ ଦୈନିକ ଶ୍ରମଦାନ କରି ପ୍ରାୟ ୫ କିଲୋମିଟର ପାହାଡ କାଟି ରାସ୍ତା ନିର୍ମାଣ କରବେ ଓ ପୁଇଗୁଡା ପର୍ଯ୍ୟନ୍ତ ରାସ୍ତା ସଂଯୋଗ କରିବେ ବୋଲି କହିଛନ୍ତି।
ଯେଉଁ ପରିବାର ସଦସ୍ୟ ଶ୍ରମଦାନରେ ଭାଗ ନେବେନାହିଁ, ସେମାନଙ୍କୁ ଦୈନିକ ୧୦୦ ଟଙ୍କା ଜରିମାନା ବ୍ୟବସ୍ଥା ବି ଗାଁଲୋକେ କରିଛନ୍ତି ।
ସେମାନଙ୍କର ଆଶା, ଆସନ୍ତା ୩ ମାସ ମଧ୍ୟରେ ଏହି ରାସ୍ତା ସମ୍ପୂର୍ଣ୍ଣ ହେବ ଏବଂ ସେମାନଙ୍କର ଦୁଃଖ ଯିବ।
ଲୋକାଲ୍ ଓ୍ବାୟାର୍