• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ପର୍ଯ୍ୟଟନସ୍ଥଳୀ

ଶୀଘ୍ର ରାଜ୍ୟର ୫ ସ୍ଥାନରେ ଇକୋ ରିଟ୍ରିଟ୍, ଓଡ଼ିଶା ବାଏ ରୋଡର ପର୍ଯ୍ୟଟକଙ୍କୁ ସମ୍ବର୍ଦ୍ଧନା

October 16, 2020 By Prativa Ghosh Leave a Comment

ଭୁବନେଶ୍ୱର, ଅକ୍ଟୋବର ୧୬(ଲୋକାଲ ୱାୟାର): କୋଣାର୍କ ପରେ ଏବେ ରାଜ୍ୟର ଆଉ ୫ଟି ସ୍ଥାନରେ ହେବ ଇକୋ ରିଟ୍ରିଟ୍ । ଏନେଇ ପର୍ଯ୍ୟଟନ କମିଶନର ବିଶାଲ୍ କୁମାର ଦେବ ଶୁକ୍ରବାର ସୂଚନା ଦେଇଛନ୍ତି ।

ରାଜ୍ୟର ଭିତରକନିକା, ରାମଚଣ୍ଡୀ, ସାତକୋଶିଆ, ଦାରିଙ୍ଗବାଡ଼ି, ହୀରାକୁଦରେ ଏହି ଇକୋ ରିଟ୍ରିଟ୍ କରାଯିବ ।

‘ଓଡ଼ଶା ବାଏ ରୋଡ୍’ କ୍ୟାମ୍ପେନ୍ ଅଧୀନରେ ଓଡ଼ିଶାର ଗ୍ରାମାଞ୍ଚଳ ପର୍ଯ୍ୟଟନର ପ୍ରଚାର ପ୍ରସାର ସହ ଆସନ୍ତା ଦିନରେ କିପରି ଏସବୁ ସ୍ଥାନରେ ଇକୋ ରିଟ୍ରିଟ୍ ଆୟୋଜନ କରାଯିବ ସେ ଉପରେ ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ ଗୁରୁତ୍ୱ ବାଢ଼ିଥିଲେ ।

ଏହି ଅବସରରେ ଓଡ଼ିଶା ବାଏ ରୋଡ୍ ରେ ଆସି ଓଡ଼ିଶାର ନୈସର୍ଗିକ ଶୋଭାରାଜିକୁ ଉପଭୋଗ କରିଥିବା କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏ ବାବଦରେ ମୁମ୍ବାଇରୁ ଆସିଥିବା ରୋଡି ପବନ କୁମାର ଦୁବେ କହିଛନ୍ତି, ମୁଁ ଓ ମୋ ସାଙ୍ଗ ରାଜିବ ଶାହା ମିଶି ଇଣ୍ଡିଆ ଏକ୍ସପେଡିସନରେ ବାହାରିଛୁ ।

ଆଜି ଆମର ୨୮ତମ ଦିନ । ଯେଉଁଥିରେ ଆମେ ଓଡ଼ିଶାରେ ପାଦ ଥାପିଛୁ । ଏହା ଆମ ଯାତ୍ରାର ୨୩ତମ ରାଜ୍ୟ ।

ଓଡ଼ିଶା ଆସି ମୋତେ ଖୁବ୍ ଖୁସି ଲାଗୁଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଓଡ଼ିଶା ବାଏ ରୋଡ୍ ନିଶ୍ଚିତ ଭାବେ ଆଗାମୀ ଦିନରେ ଗ୍ରାମାଞ୍ଚଳ ପର୍ଯ୍ୟଟନକୁ ସହାୟକ ହେବ ।

ଏତିକି କହିବି ଏବେ ଭ୍ରମଣ କରିବାରେ କୌଣସି ଅସୁବିଧା ନାହିଁ । ତେବେ ସତର୍କ ହୋଇ ଭ୍ରମଣ କରିବା ଦରକାର ।

ସଡ଼କ ପଥରେ ଗଲେ ଆମେ ପର୍ଯ୍ୟଟନ ସ୍ଥାନ ବୁଲିବା ସହ ସ୍ଥାନର ଖାଦ୍ୟପେୟ, ହସ୍ତତନ୍ତ, ହସ୍ତଶିଳ୍ପକୁ ଦେଖିପାରିବା, ନିଜ ପାଇଁ ଏଥିରୁ କିଛି କିଣି ପାରିବା ।

ଏହାଦ୍ୱାରା ଆମେ କେନ୍ଦ୍ର ସରକାରଙ୍କ ‘ଭୋକାଲ୍ ଫର୍ ଲୋକାଲ୍’ର ପ୍ରଚାର ବି କରି ପାରିବା । ଯାହାକି ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକଙ୍କ ପାଇଁ ସହାୟକ ହୋଇ ପାରିବ ।

ମିଳିଥିବା ସୂଚନା ଅନୁସାରେ କରୋନା ପରବର୍ତ୍ତୀ ସମୟରେ ଦେଶର ପର୍ଯ୍ୟଟନ ବୈଭବକୁ ପୁଣିଥରେ ଟ୍ରାକକୁ ଫେରାଇ ଆଣିବା ସହ ଏନେଇ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ପାଇଁ ଗୁଜରାଟରୁ ୬ ଜଣ ଯୁବକ ଆସି ଓଡ଼ିଶା ପହଞ୍ଚିଛନ୍ତି ।

୩୬ ଦିନରେ ୩୪ ରାଜ୍ୟ ବୁଲିବାର ଏହି ମିଶନ୍ ମୋଡ୍ ଆରମ୍ଭ ହୋଇଛି କାର୍ ରେ । ସେପ୍ଟେମ୍ବର ୧୮ରେ ଗାନ୍ଧୀ ନଗରରୁ ଆରମ୍ଭ ହୋଇଥବା ଏହି ଯାତ୍ରାରେ ଅଛନ୍ତି ରାଜୀବ ଶାହା(୫୬), ଥୋମାସ୍ କୋଶେ(୪୮), ନୀତିନ୍ ଗୁପ୍ତା (୩୭), ସଞ୍ଜୟ ପଟେଲ(୪୫), ପୱନ୍ ଦୁବେ (୪୫) ଓ ରୀତେଶ ପାରେଖ (୪୫) ।

ଏ ବାବଦରେ ଦଳର ସବୁଠାରୁ ବୟସ୍କ ରାଜୀବ କହନ୍ତି କରୋନା ଯୋଗୁଁ ପର୍ଯ୍ୟଟନ ଶିଳ୍ପ ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଛି । ଏହି ଶିଳ୍ପକୁ ପୁଣିଥରେ ଉତ୍ସାହିତ କରିବା ପାଇଁ ଓ ଲୋକମାନଙ୍କୁ ଏଥିପାଇଁ ସଚେତନ କରିବା ପାଇଁ ଆମେ ଏଭଳି ଏକ ମିଶନ୍ ମୋଡରେ ବାହାରିବାକୁ ଚିନ୍ତା କଲୁ ।

ସେ ଆହୁରି କହିଛନ୍ତି ଯେତେଯାଏଁ ଟିକା ଆସିନି ସେତେପର୍ଯ୍ୟନ୍ତ ଆମକୁ କରୋନା ସହ ବଞ୍ଚିବାକୁ ହେବ । ଆମେ ଏହି ଯାତ୍ରା ଦ୍ୱାରା ଲୋକଙ୍କୁ କହିବାକୁ ଚାହୁଁଛୁ ସମସ୍ତ ପ୍ରତିଷେଧକ ଗ୍ରହଣ କରି ତୁମେମାନେ ମଧ୍ୟ ଆମ ପରି ବୁଲିପାରିବ ।

ଅପରପକ୍ଷେ କରୋନା ପରବର୍ତ୍ତୀ ସମୟରେ କୋଣାର୍କ ବ୍ୟତୀତ ଅନ୍ୟ ୫ଟି ସ୍ଥାନରେ ଇକୋ ରିଟ୍ରିଟ୍ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଅଣ୍ଟା ଭିଡ଼ିଛି ।

ଏସବୁ ସ୍ଥାନରେ ଇକୋ ରିଟ୍ରିଟ୍ କରାଯାଇ ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକର୍ଷିତ କରାଯିବ । ସାତକୋଶିଆର ବଡ଼ମୂଳରେ ଏହା କରାଯିବାକୁ ସ୍ଥିର କରାଯାଇଥିବା ବେଳେ ଭିତରକନିକାର ନଳିତାପଟିଆରେ ଏହା କରାଯିବ ।

ଡିସେମ୍ବର ୧ରୁ ଫେବ୍ରୁଆରୀ ୨୮ ଭିତରେ ଏସବୁ ସ୍ଥାନରେ ଇକୋ ରିଟ୍ରିଟ୍ ଆୟୋଜିତ ହେବ । ଯେଉଁଠାରେ ପର୍ଯ୍ୟଟକଙ୍କ ରହଣି ପାଇଁ ବିଳାସପୂର୍ଣ୍ଣ ଟେଣ୍ଟ ସାଙ୍ଗକୁ କଟେଜ୍, ରେସ୍ତୋରାଁ, କ୍ରୀଡ଼ା କାର୍ଯ୍ୟକ୍ରମ ଆଦି କରାଯିବ ।

ଷ୍ଟାର୍ ହୋଟେଲ ର ସମସ୍ତ ସୁବିଧା ପର୍ଯ୍ୟଟକଙ୍କୁ ଏଠାରେ ମିଳିବ । ବିଶେଷ କରି ପର୍ଯ୍ୟଟକଙ୍କୁ ବିଳାସପୂର୍ଣ୍ଣ ଟେଣ୍ଟ ରେ ରହିବା ସହ ପ୍ରକୃତି କୋଳରେ ବିଭିନ୍ନ ରକମର ଖାଦ୍ୟ, ସ୍ପା, ଦୁଃସାହାସିକ କ୍ରୀଡ଼ା, ନେଚର ଟ୍ରେଲ୍ ଆଦିର ଅନୁଭୂତି ମିଳିବ ।

ଏହାସାଙ୍ଗକୁ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମୁ୍ୟଜିକାଲ୍ ନାଇଟ୍ ର ସୁବିଧା ମିଳିବ ।

ଲୋକାଲ ୱାୟାର

Filed Under: Odia, Special, ବିଶେଷ Tagged With: Special, ଓଡିଶା, ପର୍ଯ୍ୟଟନସ୍ଥଳୀ, ବିଶେଷ

ଚିଲିକା, ମହାନଦୀ, ଭିତରକନିକା, ସାତକୋଶିଆ ଓ ହୀରାକୁଦରେ ଚାଲିବ ‘ଡେ କ୍ରୁଜ୍’

May 28, 2020 By Prativa Ghosh Leave a Comment

ଭୁବନେଶ୍ୱର, ମେ ୨୮(ଲୋକାଲ ୱାୟାର): ଖୁବ୍ ଶୀଘ୍ର ରାଜ୍ୟରେ ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ‘ଡେ କ୍ରୁଜ୍’ ବ୍ୟବସ୍ଥା ଆରମ୍ଭ ହେବ ବୋଲି ରାଜ୍ୟ ପପର୍ଯ୍ୟଟନ ବିଭାଗର ଜଣେ ଅଧିକାରୀ ଗୁରୁବାର କହିଛନ୍ତି ।

ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଆଜିଠାରୁ ଦରଖାସ୍ତ ଆହ୍ୱାନ କରିଛି । ବିଶେଷ କରି ଚିଲିକା, ମହାନଦୀ, ଭିତରକନିକା, ସାତକୋଶିଆ ଗଣ୍ଡ ଓ ହୀରାକୁଦ ଡ୍ୟାମରେ ଏହି ସୁବିଧା ଉପଲବ୍ଧ ହେବ ।

ଏହା ଦ୍ୱାରା ପର୍ଯ୍ୟଟକ ଓଡ଼ିଶା ପ୍ରତି ମୁହାଁଇବେ ବୋଲି ପର୍ଯ୍ୟଟନ ବିଭାଗ ଆଶାବାଦୀ ରହିଛି ।

ରାଜ୍ୟ ପର୍ଯ୍ୟଟନ ବିଭାଗର ଏହି ପୋଷ୍ଟ ଲକ୍ ଡାଉନ୍ ପରବର୍ତ୍ତୀ ଯୋଜନା ଦ୍ୱାରା କେବଳ ପର୍ଯ୍ୟଟକଙ୍କ ମନୋରଞ୍ଜନ ହେବନି ବରଂ ଏହାଦ୍ୱାରା ରାଜ୍ୟର ଅର୍ଥନୀତି ଓ ହୋଟେଲ ଶିଳ୍ପ, ସ୍ଥାନୀୟ ଲୋକ ବେଶ ଉପକୃତ ହେବେ ।

ଏ ବାବଦରେ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ କୁମାର ଦେବ କହିଛନ୍ତି, କରୋନା ପରେ ଅର୍ଥାତ୍ ପୋଷ୍ଟ ଲକ୍ ଡାଉନ୍ ପରବର୍ତ୍ତୀ ସମୟରେ ଆମର ଟାର୍ଗେଟ୍ ହେଲେ ଦେଶୀୟ ପର୍ଯ୍ୟଟକ ।

ଏମାନଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବା ପାଇଁ ଆମେ ଅନେକ ଗୁଡ଼ିଏ ଯୋଜନା କରୁଛୁ । କୋଲକାତା ଓ ବନାରସ୍ ଭଳି ଓଡ଼ିଶାରେ ମଧ୍ୟ ଖୁବ୍ଶୀଘ୍ର ରିଭର୍ କ୍ରୁଜ୍ ଚଳାଇବାକୁ ଆମେ ଚିନ୍ତା କରୁଛୁ । ପର୍ଯ୍ୟଟନ ନୀତି-୨୦୨୦ରେ ଏନେଇ ବିସ୍ତୃତ ଯୋଜନା ରହିଛି ।

ସେ ଆହୁରି ମଧ୍ୟ କହିଛନ୍ତି, ଆମ ରାଜ୍ୟରେ ୪୮୨ କିଲୋମିଟରର ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି ରହିଛି । ଏଥିସହ ୫ଟି ମୁଖ୍ୟ ନଦୀ, ଜଳଭଣ୍ଡାର ଓ ଅନ୍ୟ ୱାଟରବଡି ରହିଛି । ଯେଉଁଥିରେ ପର୍ଯ୍ୟଟନର ବିକାଶ ପାଇଁ ଭରପୂର ସୁଯୋଗ ରହିଛି ।

ଏଥିପାଇଁ ଆମେ ବିଭିନ୍ନ ଛୋଟ ବଡ଼ ନିବେଶକଙ୍କ ଠାରୁ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ରିପୋର୍ଟ ମାଗିଛୁ । ୱାଟର ସ୍ପୋର୍ଟସ୍, ଆଡଭେଞ୍ଚର ସ୍ପୋର୍ଟସ୍, ହାଉସ୍ ବୋଟ, କ୍ରୁଜ୍ ଟୁରିଜିମ୍ ପ୍ରୋଜେକ୍ଟ, ଆକ୍ୱାରିୟମ୍, ଆକ୍ୱା ପାର୍କ ଭଳି ପ୍ରକଳ୍ପକୁ ଆମେ ଏଥିରେ ଗୁରୁତ୍ୱ ଦେବୁ ।

ଯେହେତୁ ରାଜ୍ୟ ସରକାର ଓଡ଼ିଶା ବୋଟ୍ ରୁଲ୍ ୨୦୧୭ ପ୍ରଣୟନ କରି ସାରିଛନ୍ତି ତେଣୁ କ୍ରୁଜ୍ ଭେସେଲ୍, କ୍ରୁଜ୍ ଟର୍ମିନାଲ୍ ଭଳି ପ୍ରକଳ୍ପ ପାଇଁ ମଧ୍ୟ ଜଣେ ଆବେଦନ କରିପାରିବେ ।

ଏଥିପାଇଁ ଜୁନ୍ ୨୪ ତାରିଖ ଯାଏଁ ସମୟ ରହିଛି । ପର୍ଯ୍ୟଟନ ବିଭାଗ ନିଜ ଟ୍ୱିଟର ପେଜ୍ ରେ ମଧ୍ୟ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛି । ତେଣୁ ଜଣେ ଚାହିଁଲେ ସେଠାରୁ ଏ ସମ୍ପର୍କରେ ଅବଗତ ହୋଇ ପାରିବ ।

ପ୍ରାଥମିକ ପର୍ଯ୍ୟାୟରେ ମହାନଦୀରେ ଏହି ବ୍ୟବସ୍ଥା ଆରମ୍ଭ ହେବ । ଧୀରେ ଧୀରେ ଏହାକୁ ଚିଲିକା, ଭିତରକନିକା ଓ ସାତକୋଶିଆରେ ଚଳାଇବାକୁ ବିଭାଗ ଯୋଜନା କରୁଛି ।

ଏହାଛଡ଼ା ଆଗାମୀ ଦିନରେ ଆମେ ପୁଣିଥରେ ରାଜ୍ୟରେ ସର୍ଫିଂ ଫେଷ୍ଟିଭାଲ ଆରମ୍ଭ କରିବାକୁ ଚିନ୍ତା କରୁଛୁ । ଓଡ଼ିଶାରେ କର୍ପୋରେଟ ହାଉସ୍ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଦୁଇଟି ଗୋଲ୍ଫ କୋର୍ସ ମଧ୍ୟ ତିଆରି କରାଯିବାକୁ ଯୋଜନା ରଖାଯାଇଛି ।

୧୧୬୫ ବର୍ଗ କିଲୋମିଟର ପରିବ୍ୟାପ୍ତ ଚିଲିକାରେ ପାଖାପାଖି ୨୫ଟି ଛୋଟ ବଡ଼ ଦ୍ୱୀପ ରହିଛି ।

ଏହାକୁ ନେଇ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ବିଭାଗ ଏଯାଏଁ କୌଣସି ବିଧିବଦ୍ଧ ଯୋଜନା କରିନାହିଁ ।

ବିଶେଷ କରି ଭିତ୍ତିଭୂମିର ଅଭାବ ଯୋଗୁଁ ଏସବୁ ସମ୍ଭବ ହୋଇ ପାରିନି । ତେଣୁ ୨୦୧୭ ମସିହାରୁ ରିଭର କ୍ରୁଜ୍ ଯୋଜନା କରାଯାଉଥିଲେ ବି ତାହା ଫଳପ୍ରଦ ହୋଇ ପାରିନି ।

ଏବେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଜଙ୍ଗଲ ଓ ପରିବେଶ ବିଭାଗର ମିଳିତ ସହଯୋଗରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।

ଜଙ୍ଗଲ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଆଇପିଓ ଗ୍ଲୋବାଲ୍ ନାମକ ସଂସ୍ଥା ଚିଲିକାର ବିକାଶ ପାଇଁ ୭୫୭ କୋଟି ଟଙ୍କାର ଏକ ପ୍ରକଳ୍ପ ଦେଇଥିଲା ।

ଯେଉଁଥିରେ ଚିଲିକାରେ ୧୦ଟି ମୁଖ୍ୟ ପ୍ରକଳ୍ପ କରାଯାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ଯୋଜନା ଥିଲା ।

ରିଭର୍ କ୍ରୁଜ୍ କୁ ଛାଡ଼ିଦେଲେ ସେଠାରେ ବିଳାସପୂର୍ଣ୍ଣ ହୋଟେଲ ନିର୍ମାଣ କରାଯିବାର ଯୋଜନା ରହିଥିଲା ।

ଏକ ଆଇକନିକ ଟାୱାର ସହ ସାତପଡ଼ାରେ ଡବଡ୍ ଫ୍ଲାଗସିପ୍ ପ୍ରୋଜେକ୍ଟ କରିବାକୁ ଏଥିରେ ଯୋଜନା ରହିଥିଲା ।

ଏଥିସହ ଫରେଷ୍ଟ ନେଚର ଟ୍ରେଲ୍, ଟ୍ରି ୱାକ ଓ ହର୍ଡଲ୍ ଟ୍ରେଲ୍ ଭଳି କାର୍ଯ୍ୟକ୍ରମ ରଖାଯାଇଥିଲା । ମଙ୍ଗଳାଯୋଡ଼ି ସ୍ଥିତ ଧାନୀ ଜଙ୍ଗଲରେ ଏଭଳି ପ୍ରକଳ୍ପ କରାଯିବାର ଥିଲା । ସେସବୁ ଏବେ ସଫଳ ହେବ ବୋଲି ସେ ଆଶା କରିଛନ୍ତି ।

ଲୋକାଲ ୱାୟାର

Filed Under: Odia, Special, ପର୍ଯ୍ୟଟନସ୍ଥଳୀ, ବିଶେଷ Tagged With: Special, ଓଡିଶା, ପର୍ଯ୍ୟଟନସ୍ଥଳୀ, ବିଶେଷ

ପୋଷ୍ଟ ଲକ୍ ଡାଉନରେ ଏନଏଚ୍-୧୬ରେ ବୁଲି ପାରିବେ ଏହି ସବୁ ପର୍ଯ୍ୟଟନସ୍ଥଳ

May 26, 2020 By Prativa Ghosh Leave a Comment

ଭୁବନେଶ୍ୱର, ମେ ୨୬(ଲୋକାଲ ୱାୟାର): ସମୁଦ୍ର ହେଉକି, କିତ୍ତିୀରାଜି । ବଣ ପାହାଡ଼ ଘେରା ୪ ଥାକିଆ ରାସ୍ତା ହେଉ କି ବିସ୍ତୀର୍ଣ୍ଣ ଜଳରାଶି ।

ମନ ଖୋଜୁଥାଏ ସବୁବେଳେ କିଛି ନୂଆ ଦେଖିବାକୁ । କିଛି ନୂଆ ଖୋଜିବାକୁ । ନୂଆ ଅନୁଭୂତି ସାଉଁଟିବାକୁ ।

ମନ ଭିତରେ ଥିବା ଏହି ଅନ୍ତର୍ନିହିତ ଅନୁସନ୍ଧିସ୍ନୁ ଇଚ୍ଛା ହିଁ ତାକୁ ଆଖ୍ୟା ଦିଏ ପର୍ଯ୍ୟଟକର ।

ଆପଣ ଯଦି ବାସ୍ତବିକ ଏମିତି ମନ ନେଇ କିଛି ନୂଆ ଜାଗା ଖୋଜିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କରୋନାର ଲକ୍ ଡାଉନ ପରେ ବଦଳାଇବାକୁ ପଡ଼ିବ ଭ୍ରମଣର ପରିଭାଷା ।

ଯାହାକି ଚିରାଚରିତ ସମୁଦ୍ର ବେଳାଭୂମି କି ପରିବେଶ ପର୍ଯ୍ୟଟନ ଭିତରେ ସୀମିତ ନୁହେଁ । ବରଂ ତାଠାରୁ ଢେର ଊଦ୍ଧ୍ୱର୍ରେ ।

ପର୍ଯ୍ୟଟନର ଏଭଳି ଏକ ନୂଆଦିଗ ହେଉଛି ହାଇୱେ ଟୁରିଜିମ୍ । ପାଠକଙ୍କୁ ପର୍ଯ୍ୟଟନର ଏହି ନୂଆ ଦିଗ ସହ ପରିଚୟ କରାଇବା ପାଇଁ ଆମେ ଚଳିତ ଥର ଏନଏଚ୍ ୧୬ ବା ଜାତୀୟ ରାଜପଥ ୧୬ ଉପରେ ଫୋକସ୍ କରୁଛୁ ।

ମେ’ ୩୧ । ସରି ସରି ଆସୁଛି ଲକ୍ ଡାଉନ୍ ସମୟ । ଯଦିଓ ସବୁକିଛି କୋହଳ ନ ହୁଏ ତଥାପି କିଛି ସ୍ଥାନକୁ ଯିବାର ଅବକାଶ ତ ନିଶ୍ଚିତ ଭାବେ ଜୁଟିବ ।

ଲୋକଙ୍କ ସହ ମିଶିବା, ରାସ୍ତାକଡ଼ ଖାଇବାର ସ୍ୱାଦ ଚାଖି ନ ହେଲେ ବି ପ୍ରକୃତିର ମନୋରମ ଦୃଶ୍ୟକୁ ମନଭରି ଦେଖିହେବ ।

ଜାତୀୟ ରାଜପଥର କଳା ମିଚି ମିଚି ପିଚୁ ରାସ୍ତାରେ ଗଲା ବେଳେ ଟିକେ ଗାଡ଼ିର ଚକା ଖସାଇ କୌଣସି ଏକ ଗାଁ ଭିତରକୁ ପଶିହେବ । ଦୀର୍ଘଦିନ ଧରି ଲକ୍ ଡାଉନର ବନ୍ଦ ଦରଜା ଭିତରେ ରହିଥିବା ମନକୁ ମିଳିବ ଟିକେ ଆଶ୍ୱସ୍ତି ।

ଏମିତି ଟିକେ ନିରୋଳା ଓ ଅନ୍ତରଙ୍ଗ ମୂହୁର୍ତ୍ତକୁ ଅପେକ୍ଷା କରି ରହିଥିବା ହଜାର ହଜାର ପ୍ରକୃତି ପ୍ରେମୀଙ୍କ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ‘ରୋଡ ଟ୍ରିପ୍ ଓଡିଶା’ କ୍ୟାମ୍ପେନ୍ ।

ଯେଉଁଥିରେ ରାଜପଥ ଓ ଏହାର ଆଖପାଖ ୧୦ କିଲୋମିଟର ପରିଧି ଭିତରର ପର୍ଯ୍ୟଟନ ସ୍ଥଳୀକୁ ଗୁରୁତ୍ୱ ଦିଆଯାଉଛି ।

ଯେ କୌଣସି ଜାତୀୟ ରାଜପଥର ୧୦ କିଲୋମିଟର ଭିତରେ ଥିବା ସ୍ଥାନୀୟ ପର୍ଯ୍ୟଟନ ସ୍ଥଳୀକୁ ଖୋଜି ବାହାର କରିବା, ସେଠାକାର ଲୋକଙ୍କ ପରମ୍ପରା ଓ ସଂସ୍କୃତିକୁ ଜାଣିବା, ବୁଝିବା, କ୍ୟାମେରା ଫ୍ରେମରେ ବାନ୍ଧିବା ସହ ସେମାନଙ୍କ ସହ ଅନ୍ତରଙ୍ଗ ଆଳାପ କରିବା, ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଇବା ଏବେ ପର୍ଯ୍ୟଟନର ଟ୍ରେଣ୍ଡ ବୋଲି କହନ୍ତି ପର୍ଯ୍ୟଟନ ଅଧିକାରୀ ଶଶାଙ୍କ ରଥ ।

ସେ କହନ୍ତି ଯଦିଓ ଓଡ଼ିଶାରେ ପର୍ଯ୍ୟଟନର ଏଭଳି ଦିଗକୁ ଉନ୍ମୋଚନ କରିବାକୁ କେହି ମନ ବଳାଇ ନାହାନ୍ତି ତଥାପି ସରକାର ଏ ଦିଗରେ ଚିନ୍ତା କରି ପାରିବେ ।

ଓଡ଼ିଶାର ପରିଚୟ କେବଳ ପୁରୀ, କୋଣାର୍କ ଚିଲିକା ନୁହେଁ । କି ବୌଦ୍ଧ ପର୍ଯ୍ୟଟନ ସ୍ଥଳୀ ନୁହେଁ । ଅନେକ କିଛି ଅଛି । ହେଲେ ଏଥିପାଇଁ ବ୍ରାଣ୍ଡିଂ ଦରକାର ।

କିଭଳି ଭାବେ ପ୍ୟାକେଜିଂ ଦ୍ୱାରା ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶା ଡାକି ହେବ ସେ ଦିଗରେ ମିଳିତ ପ୍ରୟାସ ହେବା ଦରକାର ।

ହାଇୱେ ଟୁରିଜିମର ବିକାଶ ପାଇଁ ରାଜ୍ୟରେ ଅନେକ ସ୍ଥାନ ଅଛି । ତା ଭିତରେ ଆମେ ଏନଏଚ୍-୧୬କୁ ଉଦାହରଣ ଭାବେ ନେଇ ପାରିବା ।

ଭୁବନେଶ୍ୱରର ଖଣ୍ଡଗିରିରୁ ଆରମ୍ଭ କରି ଗୋପାଳପୁର ସମୁଦ୍ର ବେଳାଭୂମି ପର୍ଯ୍ୟନ୍ତ ବ୍ୟାପିଥିବା ଏହି ଜାତୀୟ ରାଜପଥ ହାଇୱେ ଟୁରିଜିମର ଅନ୍ତର୍ଭୁକ୍ତ ହୋଇ ପାରିବ ।

ଏହା ଭିତରେ ଜଣେ କେବଳ ଧାର୍ମିକ ପର୍ଯ୍ୟଟନ ନୁହେଁ ବରଂ ବେଳାଭୂମି ପର୍ଯ୍ୟଟନ, ଐତିହ୍ୟ ପର୍ଯ୍ୟଟନ, ପରିବେଶ ପର୍ଯ୍ୟଟନର ମଜା ନେଇ ପାରିବେ ।

ଖଣ୍ଡଗିରିରୁ ଗୋପାଳପୁର ଭିତରେ ଜଣେ ଅତି କମ୍ ରେ ୧୦ରୁ ଅଧିକ ପର୍ଯ୍ୟଟନ ସ୍ଥଳୀ ବୁଲି ପାରିବ ।

ଖଣ୍ଡଗିରି-ଉଦୟଗିରି ସ୍ଥିତ ଜୈନ କୀର୍ତ୍ତିରାଜିଠାରୁ ଆରମ୍ଭ କରି ନାରାୟଣୀ, ମଙ୍ଗଳାଯୋଡ଼ି, ବରକୁଳ, ତାମ୍ପରା, ଅର୍କିଡ ହାଉସ୍, କାଳିଯାଇ, ଖଲ୍ଲିକୋଟ ରାଜପ୍ରାସାଦ, ନର୍ମଳଝର, ଡ୍ୟାମ୍, ପୋତାଗଡ଼ ଦୁର୍ଗ, ପର୍ତ୍ତୁଗୀଜଙ୍କ ଦ୍ୱାରା ପ୍ରସ୍ତୁତ ବ୍ରିଟିସ୍ ସିମେଟ୍ରି ସହ ଗୋପାଳପୁର ସମୁଦ୍ର ବେଳାଭୂମିରେ ପହଞ୍ଚି ପାରିବ ।

ପର୍ଯ୍ୟଟନର ବ୍ରାଣ୍ଡିଂ କଥା ଚିନ୍ତାକଲେ ଆମକୁ ଅନେକଗୁଡ଼ିଏ ଦିଗକୁ ଦୃଷ୍ଟିରେ ରଖିବାକୁ ପଡ଼ିବ । ଯେପରିକି ସେଠାରେ କେବଳ ପର୍ଯ୍ୟଟନ ସ୍ଥଳୀ ଥିଲେ ହେବନି ।

ବରଂ ଲୋକଙ୍କ ପାଇଁ ରହିବା ଓ ଖାଇବାର ବ୍ୟବସ୍ଥା ଥିବା ଦରକାର । ଯାହାକି ହାଇୱେ ୧୬ର ଏହି ରାସ୍ତାରେ ଅଛି । ଖଣ୍ଡଗିରିରୁ ମାତ୍ର ୨୯ କିଲୋମିଟର ଦୂରରେ ବାମ ପଟେ ଗଲେ ପଡ଼ିବ ବରୁଣେଇ ପାହାଡ଼ ।

ମନ୍ଦିର ଉପରକୁ ଯିବା ପାଇଁ ହେଲେ ଏନଏଚ୍-୧୬ରୁ ୨ କିଲୋମିଟର ଭିତରକୁ ଯିବାକୁ ପଡ଼ିବ । ଦୁଇ ପାଖରେ ଘଞ୍ଚ ଜଙ୍ଗଲ ସାଙ୍ଗକୁ ପାହାଡ କାଠି ଉପରକୁ ଚଢ଼ିବାର ମଜା ନିଆରା ।

ସେହିପରି ମାତ୍ର ୩୭ କିଲୋମିଟର ଗଲେ ପଡ଼ିବ ଅଟ୍ରି ଉଷ୍ମ ପ୍ରସ୍ରବଣ । ଏନଏଚ୍ ୧୬ରୁ ମାତ୍ର ୧୩ କିଲୋମିଟରରେ ରହିଥିବା ଏହି ଉଷ୍ମ ପ୍ରସ୍ରବଣରେ ଚର୍ମରୋଗ ଭଲ ହେବା ପାଇଁ ଜଣେ ଗାଧୋଇବା ସହ ରହିପାରିବେ ।

ଭୁବନେଶ୍ୱରରୁ ମାତ୍ର ୬୨.୮ କିଲୋମିଟର ଦୂର ଓ ଏନଏଚ୍ ୧୬ରୁ ମାତ୍ର ସାଢ଼େ ୪ କିଲୋମିଟର ଭିତରକୁ ଗଲେ ପଡ଼ିବ ମଙ୍ଗଳାଯୋଡ଼ି ।

ପକ୍ଷୀଙ୍କ ଭୂସ୍ୱର୍ଗ କୁହାଯାଉଥିବା ଏହି ସ୍ଥାନକୁ ବୁଲିବା ପାଇଁ ସବୁଠାରୁ ଉକ୍ରୃଷ୍ଟ ସମୟ ହେଉଛି ନଭେମ୍ବରରୁ ଫେବ୍ରୁଆରୀ ।

ତେବେ ଜଣେ ଚାହିଁଲେ ମଙ୍ଗଳାଯୋଡ଼ି କୂଳରେ ବସି ଗ୍ରୀଷ୍ମକାଳୀନ ସୂର୍ଯ୍ୟାସ୍ତର ମଜାବି ନେଇ ପାରିବ ।

ପରକୁ ପର ଉଗ୍ରତାରା ଓ ତା’ପରେ ବରକୂଳ ଯାଇ ସେଠାରେ ଚିଲିକାର ସ୍ନିଗ୍ଧ ଶୀତଳ ଜଳ ଓ ତାର ପ୍ରାକୃତିକ ପରିବେଷ୍ଟନୀର ମଜା ନେଇ ପାରିବେ ।

ଯଦିଓ ଏବେ ଚିଲିକା ପର୍ଯ୍ୟଟନକଙ୍କ ପାଇଁ ଖୋଲିନି ତେବେ ଏହାକୁ ଖୁବ୍ ଶୀଘ୍ର ଖୋଲିବା ପାଇଁ ପର୍ଯ୍ୟଟନ ବିଭାଗ ଯୋଜନା କରୁଛି ।

ପର୍ଯ୍ୟଟନ କେବଳ ମନୋରଞ୍ଜନର ଆଧାର ନୁହେଁ । ବରଂ ଏହା ଏକ ବଳିଷ୍ଠ ଚିନ୍ତାଧାରା ।

ଲୋକଙ୍କୁ ନିଜପ୍ରତି ଆକୃଷ୍ଟ କରିବା, ନିଜ ସଂସ୍କୃତି ଓ ପରମ୍ପରାରେ ସାମିଲ କରିବା, ଚାଲି ଚଲଣରେ ହଜାଇଦେବା ହେଉଛି ବାସ୍ତବିକ ପର୍ଯ୍ୟଟନର ବିକାଶ ।

ଲୋକଙ୍କ ସହ, ଲୋକଙ୍କ ପାଇଁ ଓ ଲୋକଙ୍କ ଦ୍ୱାରା କରାଯାଉଥିବା ସାମୁହିକ ବିକାଶ ହିଁ ପର୍ଯ୍ୟଟନର ଲକ୍ଷ୍ୟ ହେବା ଉଚିତ୍ । ଏହା ଭିତରେ ସବୁ ଲକ୍ଷ୍ୟ ।

କେମିତି ଯିବେ

ହାଇୱେ ୧୬କୁ ଅଧିକ ଭଲ ଭାବେ ଖୋଜିବା ପାଇଁ ଆପଣ ଟ୍ୟାକ୍ସି ଓ ବାଇକ୍ ବ୍ୟବହାର କରିପାରିବେ ।

କ’ଣ ଦେଖିବେ

ଖଣ୍ଡଗିରିରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ଆପଣ ନିମ୍ନରେ ଥିବା ଗୋଟିଏ ପରେ ଗୋଟିଏ ସ୍ଥାନ ଦେଖିବା ସହ ସେଠାକାର ପ୍ରାକୃତିକ ପରିବେଶର ମଜା ନେଇ ପାରିବେ ।

ଏହାସହ ନିଜର ସମୃଦ୍ଧ ଇତିହାସ, ଏହାର ପରମ୍ପରା ଓ ସଂସ୍କୃତି ବାବଦରେ ନିଜକୁ ସମୃଦ୍ଧ କରିପାରିବେ ।

(ଖଣ୍ଡଗିରି-ଉଦୟଗିରି)- ଜୈନ କୀର୍ତ୍ତିରାଜି

(ବରୁଣେଇ)-ବଣ ପାହାଡ଼ ଘେରା ପ୍ରାକୃତିକ ପରିବେଶ, ମା’ ବରୁଣେଇଙ୍କ ପୀଠ, ଖୋର୍ଦ୍ଧାଗଡ଼

(ଅଟ୍ରି)- ଉଷ୍ମ ପ୍ରସ୍ରବଣ

(ମଙ୍ଗଳାଯୋଡ଼ି)-ପକ୍ଷୀଙ୍କ ଭୂସ୍ୱର୍ଗ, ବିଦେଶାଗତ ପକ୍ଷୀ,ନୌକାବିହାର

(ଉଗ୍ରତାରା)-ଭଗବତୀଙ୍କ ପୀଠ,

(ବରକୁଳ)- କାଳିଯାଇ, ନଳବଣ, ବ୍ରେକ୍ ଫାଷ୍ଟ ଆଇଲ୍ୟାଣ୍ଡ, ହନିମୁନ୍ ନାରାୟଣୀ-ପାହାଡ଼ ଉପରେ ମାଙ୍କ ମନ୍ଦିର, ଆଇଲ୍ୟାଣ୍ଡ, ଡଲଫିନ୍ ପଏ , ଚଢ଼େଇ ହଗା ପାହାଡ

(ଖଲ୍ଲିକୋଟ)- ଦ୍ୱିତୀୟ ମନ୍ଦିରମାଳିନୀ ସହର, ପୁରାତନ ଜଗନ୍ନାଥ ମନ୍ଦିର, ଖଲ୍ଲିକୋଟ ରାଜପ୍ରାସାଦ, ରାଧାକୃଷ୍ଣ ମନ୍ଦିର, ନିର୍ମଳଝର ।

(ରମ୍ଭା)- ବୋଟିଂ, ଜଳକ୍ରୀଡ଼ା



(ପୋତାଗଡ)- ପୁରାତନ ଦୁର୍ଗ, ପର୍ତ୍ତୁଗୀଜ୍ ମାନଙ୍କର କବର ।

(ତାମ୍ପରା)- ଜଳକ୍ରୀଡ଼ା ପାଇଁ ପ୍ରସ୍ତୁତ ହେଉଥିବା ନୂତନ ସ୍ଥାନ ।

(ଆର୍ଯ୍ୟପଲ୍ଲୀ)-ସମୁଦ୍ର ବେଳାଭୂମି

(ଗୋପାଳପୁର)-ସମୁଦ୍ର ବେଳାଭୂମି

ଲୋକାଲ ୱାୟାର

Filed Under: Odia, Special, ପର୍ଯ୍ୟଟନସ୍ଥଳୀ, ବିଶେଷ Tagged With: Special, ଓଡିଶା, ପର୍ଯ୍ୟଟନସ୍ଥଳୀ, ବିଶେଷ

‘ଦେଖୋ ଆପନା ଦେଶ’ରେ ଓଡ଼ିଶାର ଲୁକ୍କାୟିତ ଶୋଭାରାଜି

May 12, 2020 By Prativa Ghosh Leave a Comment

ଭୁବନେଶ୍ୱର, ମେ ୧୨(ଲୋକାଲ ୱାୟାର): ଦେଶର ପର୍ଯ୍ୟଟନ ବୈଭବର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ଦେଖୋ ଆପନା ଦେଶ୍’ୱେବନାୟାରରେ ମଙ୍ଗଳବାର ଓଡ଼ିଶାର ଲୁକ୍କାୟିତ ଶୋଭାରାଜିର ଉପସ୍ଥାପନ କରାଯାଇଛି ।

ବରିଷ୍ଠ ଟୁର୍ ଅପରେଟର ବେଞ୍ଜାମିନ୍ ସାଇମନ୍ ଓ ଐତିହାସିକ ଜିତୁମିଶ୍ର ଏହି କାର୍ଯ୍ୟକ୍ରମରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିବା ବେଳେ ଆରମ୍ଭରେ ପର୍ଯ୍ୟଟନ ସଚିବ ବିଶାଲ ଦେବ ଓଡ଼ିଶାର ସଂକ୍ଷିପ୍ତ ବିବରଣୀ ଦେବାକୁ ଯାଇ ଆସନ୍ତି ଦିନରେ ଅର୍ଥାତ ପୋଷ୍ଟ ଲକ୍ ଡାଉନ୍ ସମୟରେ ରାଜ୍ୟ ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବାବଦରେ ଆଲୋଚନା କରିଥିଲେ ।


ନିଜର ସଂକ୍ଷିପ୍ତ ବକ୍ତବ୍ୟରେ ବିଶାଲ ରୋଡ୍ ସୋ ଠାରୁ ଆରମ୍ଭ କରି ଖାଦ୍ୟମେଳା, କୋଣାର୍କ ଇକୋ ରିଟ୍ରିଟ୍ ଭଳି ଆଗାମୀ ଦିନରେ ଦେବ୍ରିଗଡ଼ ଓ ସାତକୋଶିଆରେ କରାଯିବାକୁ ଥିବା ଏଭଳି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବାବଦରେ ଆଲୋକପାତ କରିଥିଲେ ।

୭୦ଟି ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯାଇ ସେଠାରେ ପର୍ଯ୍ୟଟକଙ୍କ ପାଇଁ ଭିତ୍ତିଭୂମିର ବିକାଶ କରାଯିବାକୁ ବିଭାଗ ଚିନ୍ତା କରୁଥିବା କହିଥିଲେ ।

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ଏଡିଜି ରୁପିନ୍ଦର ବ୍ରାରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଓଡ଼ିଶାରେ ଲୁଚି ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ, କଳା କାରିଗରୀ ପ୍ରତି ଟୁର୍ ଅପରେଟରମାନେ ଅନୁଶୀଳନ କରିବାର ଆବଶ୍ୟକତା ରହିଥିବା କହିଥିଲେ ।

କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ସହ ବରିଷ୍ଠ ଟୁର୍ ଅପରେଟର ସମ୍ପୂର୍ଣ୍ଣ ଓଡ଼ିଶା ସମସାମୟିକ ସମୟରେ କିପରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ପାରିବ ସେ ବାବଦରେ ବୁଝାଇଥିଲେ ।


ଏହି ଅବସରରେ ସେ ମନ୍ଦିର ମାଳିନୀ ସହରର ସ୍ୱତନ୍ତ୍ରତା ସହ ଉଦୟପୁର ବେଳାଭୂମି କିପରି ଆଗାମୀ ଦିନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ପାରିବ ସେ ବାବଦରେ ଆଲୋକପାତ କରିଥିଲେ ।

ଭିତରକନିକା, ଶିମିଳିପାଳ, ହୀରାକୁଦ, ଗୋପାଳପୁର ଯଦିଓ ପର୍ଯ୍ୟଟକଙ୍କ ମାନସପଟରେ ଅଛି ତେବେ ଏହି ସମୟରେ ଓଡିଶାର ବିଭିନ୍ନ କ୍ଲଷ୍ଟରର ପ୍ରଚାର ହେବା ଦରକାର ।

ଟୁର୍ ଅପରେଟରମାନେ ମଧ୍ୟ ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ କ୍ଲଷ୍ଟର ପ୍ୟାକେଜ୍ କରି ଓଡ଼ିଶାର ଗ୍ରାମୀଣ ଚିତ୍ରକୁ ଦେଖାଇ ପାରିବେ ବୋଲି ସାଇମନ୍ କହିଥିଲେ ।


ଐତିହାସିକ ତଥା ପ୍ରତ୍ନତତ୍ତ୍ୱବିତ୍ ଜିତୁ ମିଶ୍ର ଓଡ଼ିଶାର ଆଦିବାସୀଙ୍କ ଜୀବନ କାହାଣୀ, ସେମାନଙ୍କ ପୋଷାକ, ସେମାନଙ୍କ ଗହଣା, ଖାଦ୍ୟ ଶସ୍ୟ, ଚାଷ କରିବା ପ୍ରଣାଳୀ କିପରି ଆଗାମୀ ପିଢ଼ିଙ୍କୁ ଆକର୍ଷିତ କରିବ ଓ ଓଡ଼ିଶା ପର୍ଯ୍ୟଟନ ବିଭାଗ, ବିଭିନ୍ନ ଟୁର୍ ଅପରେଟର କିପରି ଏହାର ଚିତ୍ର ପର୍ଯ୍ୟଟକଙ୍କ ମାନସପଟରେ ଆଙ୍କି ପାରିବେ ସେ ବାବଦରେ ଆଲୋକପାତ କରିଥିଲେ ।

୫୯ ମିନିଟ ୧୧ ସେକେଣ୍ଡର ଏହି ଭିଡିଓ ଏବେ ୟୁଟୁ୍ୟବ୍ ରେ ଥିବା ବେଳେ ମାତ୍ର ୨ ଘଣ୍ଟାରେ ୧୦ ହଜାର ଲୋକ ଦେଖି ସାରିଛନ୍ତି ।

ଲୋକାଲ ୱାୟାର

Filed Under: Odia, ପର୍ଯ୍ୟଟନସ୍ଥଳୀ Tagged With: ଓଡିଶା, ପର୍ଯ୍ୟଟନସ୍ଥଳୀ

ପର୍ଯ୍ୟଟନ ଯୋଜନା: ଇକୋ ରିଟ୍ରିଟ୍ ହବ୍ ହେବ ଓଡ଼ିଶା

May 8, 2020 By LocalWire Leave a Comment

ଭୁବନେଶ୍ୱର, ମେ ୮ (ଲୋକାଲ ୱାୟାର): ଇକୋ-ରିଟ୍ରିଟ୍ ହବ୍ ହେବ ଓଡ଼ିଶା ।

ଏଥିପାଇଁ ଦାରିଙ୍ଗବାଡ଼ି, ଡେବ୍ରିଗଡ଼, ସାତକୋଶିଆ, କୋଣାର୍କ, ମହାନଦୀ ଶଯ୍ୟା, ନରାଜ ଏବଂ ଧବଳେଶ୍ୱର ଉପଯୁକ୍ତ ସ୍ଥାନ ହୋଇଥିବାବେଳେ ସେହିସବୁ ସ୍ଥଳୀର ଉନ୍ନତୀକରଣ କରାଯିବ ।

ମହାମାରୀ କରୋନା ଯୋଗୁ ବିଶେଷ ମାତ୍ରାରେ ପ୍ରଭାବିତ ହୋଇଥିବା ପର୍ଯ୍ୟଟନ ଶିଳ୍ପରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଯୋଜନା କରିଛନ୍ତି ।

ଗୁରୁବାର ଲୋକସଭା ଭବନରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଉପସ୍ଥିତ ଥିଲେ ।

ଲକ୍ ଡାଉନ୍ ପରେ ପର୍ଯ୍ୟଟନ ସ୍ଥିତିରେ ସୁଧାର ଆସିବା ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ସରକାର ଯୋଜନା କରୁଛନ୍ତି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବ ।

ରମ୍ଭା, ଚିଲିକା-ସାତପଡ଼ା, ଭିତ୍ତରକନିକା ଜାତୀୟ ଉଦ୍ୟାନ, ଚନ୍ଦ୍ରଭାଗା, ତଳସାରି ବେଳାଭୂମିର ଉନ୍ନତୀକରଣ ଲାଗି ବୈଠକର ନିଷ୍ପତ୍ତି ହୋଇଛି ।

ଏଥିସହିତ ଇକୋ-ରିଟ୍ରିଟ୍ ହବ୍, ବୁଦ୍ଧିଷ୍ଟ ସର୍କିଟ୍ ଏବଂ ଶାମୁକା ପ୍ରକଳ୍ପର ବିକାଶ ଉପରେ ଗୁରୁତ୍ୱାରୋପ କରାଯିବ ।


ପର୍ଯ୍ୟଟନର ପ୍ରଚାର, ପ୍ରସାର ପାଇଁ ଯେଉଁ ଯୋଜନା ହେବ ସେଥିରେ ହୋମ୍ ଷ୍ଟେ, ହେରିଟେଜ୍ ହସ୍ପିଟାଲଟି, ହାଉସ୍ ବୋଟସ ଆଦି ସାମିଲ ରହିବ ।

ଯୋଜନା ପ୍ରସ୍ତୁତି ଏବଂ କାର୍ଯ୍ୟକାରୀ ସମୟରେ ବିଭିନ୍ନ ସରକାରୀ ଅନୁଷ୍ଠାନ ଓ ଉପଭୋକ୍ତାମାନଙ୍କୁ ସାମିଲ କରିବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି ।

ପଡ଼ୋଶୀ ରାଜ୍ୟ ଏବଂ ଦେଶର ପ୍ରମୁଖ ସହର ଓ ବିଦେଶରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ରୋଡ୍ ଶୋ’ କରିବ । ଦେଶୀୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ।

ସେମାନେ କିପରି ସଡ଼କ ପଥରେ ରାଜ୍ୟର ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଆସିପାରିବେ ତାହା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ ।

କୋଲକାତା, ରାଞ୍ଚି, ଭାଇଜାଗ୍, ରାୟପୁର, ବିଳାସପୁର, ଦୁର୍ଗ-ଭିଲାଇ, ଜାମସେଦପୁର, ବୋକାରୋ ଆଦି ଅଞ୍ଚଳକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ଥା ଓ ପର୍ଯ୍ୟଟନସ୍ଥଳକୁ ଏହି ଭିତ୍ତିରେ ଉନ୍ନତୀକରଣ କରାଯିବ ।

ଏଥିପାଇଁ ସ୍ୱତନ୍ତ୍ର ଅଭିଯାନ କରାଯିବ । ତାରି ମାଧ୍ୟମରେ ଓଡ଼ିଶାର ପର୍ଯ୍ୟଟନ ସାଙ୍ଗକୁ ଓଡ଼ିଆ ଖାଦ୍ୟ, ପାନୀୟ ଓ ରୋଡ୍ ସୋ’ରେ ଖାଦ୍ୟ ମେଳାର ଆୟୋଜନ ହେବ ।

ବିଦେଶର ପ୍ରମୁଖ ୬ଟି ମେଟ୍ରୋ ସହରରେ ରୋଡ୍ ସୋ’ ମାଧ୍ୟମରେ ଏହିସବୁ କାର୍ଯ୍ୟକ୍ରମ କରାଯାଇ ପର୍ଯ୍ୟଟକଙ୍କୁ ଆକର୍ଷିତ କରାଯିବ । ପର୍ଯ୍ୟଟକଙ୍କ ପାଇଁ ଓଡ଼ିଶା ସବୁଠୁ ନିରାପଦ ସ୍ଥାନ ବୋଲି ବାର୍ତ୍ତା ଦିଆଯିବ ।

ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ କହିଛନ୍ତି, ମହାମାରୀ କରୋନା ଯୋଗୁ ଓଡ଼ିଶା ପର୍ଯ୍ୟଟନ ଦ୍ୱାରା ଜଡ଼ିତ ସମସ୍ତ ହୋଟେଲ, ରେସ୍ତୋରାଁ, ରିସର୍ଟ, ଟୁର୍ ଅପରେଟର୍ସ, ଦୁଃସାହସିକ କ୍ରୀଡ଼ା, ବୋଟ୍ ଅପରେଟର୍ସମାନେ ପ୍ରଭାବିତ ହୋଇଛନ୍ତି ।

କୋଭିଡ୍-୧୯ ପାଇଁ ସମସ୍ତେ ବହୁସଂଖ୍ୟାରେ ବୁକିଂ ବାତିଲ କରିଛନ୍ତି । ତେଣୁ ଲକ୍ ଡାଉନ୍ ଉଠିବା ପରେ ଅର୍ଥ ପ୍ରଦାନକରୀ ସଂସ୍ଥାମାନଙ୍କ ସହ ଆଲୋଚନା କରି ସହାୟତା ଲୋଡ଼ାଯିବ ।

ବୈଠକରେ ପର୍ଯ୍ୟଟନ ବିଭାଗର ନିଦେ୍ର୍ଦଶକ ସଚିନ ଆର୍ ଯାଦବ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନଗିମ ପ୍ରତିନିଧି ମଣ୍ଡଳି ଉପସ୍ଥିତ ଥିଲେ ।

ଲୋକାଲ ୱାୟାର

Filed Under: Odia, ପର୍ଯ୍ୟଟନସ୍ଥଳୀ Tagged With: ଓଡିଶା, ପର୍ଯ୍ୟଟନସ୍ଥଳୀ

ପର୍ଯ୍ୟଟନ ସ୍ଥିତି ସୁଧାରିବାକୁ ବିକଳ୍ପ ହେବ ଦେଶୀୟ ପର୍ଯ୍ୟଟନ

May 5, 2020 By LocalWire Leave a Comment

ଭୁବନେଶ୍ୱର, ମେ ୫(ଲୋକାଲ ୱାୟାର): ମହାମାରୀ କରୋନା ଖାଲି ଜନଜୀବନକୁ ବଦଳାଇ ଦେଇନି ବରଂ ଅର୍ଥନୀତିକୁ ଦୋହଲାଇ ଦେଇଛି । ଏହାର ସିଧାସଳଖ ପ୍ରଭାବ ପର୍ଯ୍ୟଟନ ଶିଳ୍ପ ଉପରେ ପଡ଼ିଛି ।

ବିଭିନ୍ନ ଦେଶ ନିଜର ପର୍ଯ୍ୟଟନ ସ୍ଥିତିକୁ ସଜାଡ଼ିବାକୁ ଅଙ୍କ କଷା ଆରମ୍ଭ କରି ଦେଇଥିଲାବେଳେ ଓଡ଼ିଶାରେ ଦେଶୀୟ ପର୍ଯ୍ୟଟନକୁ ଲକ୍ଷ୍ୟ ରଖି ଆଗକୁ ବଢ଼ିବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ପୂର୍ବରୁ କେହି ଏହି ସମସ୍ୟାର ସମ୍ମୁଖୀନ ହୋଇନଥିବାବେଳେ ସ୍ଥିତି ସୁଧାରିବା ପରେ ପର୍ଯ୍ୟଟକଙ୍କ ପାଇଁ ବିକଳ୍ପ ହେବ ଦେଶୀୟ ପର୍ଯ୍ୟଟନ ।

ପର୍ଯ୍ୟଟନର ଉନ୍ନତି ପାଇଁ ଏଭିତରେ ସରକାର ଯେତିକି ବୈଠକ କଲେଣି ସେଥିରେ ଅନେକ ନୂଆ ଯୋଜନା ସହିତ ପରିବାର ପର୍ଯ୍ୟଟନ କଥା ସାମ୍ନାକୁ ଆସିଛି । ଯାହା ଏହି ଦେଶୀୟ ପର୍ଯ୍ୟଟନ ବ୍ୟବସ୍ଥାକୁ ବେଶି ସୁହାଇବ ।

ବର୍ତ୍ତମାନ ବିଦେଶ ଯିବା ସମ୍ପୂର୍ଣ୍ଣ ବାରଣ ଏବଂ ବନ୍ଦ ଥିଲାବେଳେ କଟକଣା ଉଠିଲା ପରେ ବି ଯେ ସବୁକିଛି ଠିକ୍ ହେବ ତାହା ଭାବିବା ଭୁଲ ହେବ ।

ତେଣୁ ଏହି କ୍ଷେତ୍ରରେ ଏହାକୁ ଏକ ସୁଯୋଗ ଭାବେ ନେଇ ଦେଶୀୟ ପର୍ଯ୍ୟଟନକୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି ।

ରାଜ୍ୟରେ ଅନେକ ପର୍ଯ୍ୟଟନ ସ୍ଥଳୀ, ଐତିହ୍ୟ ସ୍ଥଳୀ, ପରିବେଶ ପର୍ଯ୍ୟଟନ ସହ ବିଭନ୍ନ ରାଜବାଟୀ ରହିଛି । ଯାହା ଅନେକ ଦେଖି ନାହାନ୍ତି ଏବଂ ବୁଲି ନାହାନ୍ତି ।

ସେହିମାନଙ୍କ ପାଇଁ ଏହା ଏକ ସୁଯୋଗ ହେବ ଏବଂ ସରକାର ଏହାକୁ ବେଶି ପ୍ରାଧାନ୍ୟ ଦେବେ । କେରଳ ଭଳି ଆମ ରାଜ୍ୟରେ ବହୁ ସୁନ୍ଦର ଜଙ୍ଗଲ ତଥା ପରିବେଶ ପର୍ଯ୍ୟଟନ ରହିଛି ।

ରାଜସ୍ଥାନ ଭଳି ଐତିହ୍ୟ ସମ୍ପନ୍ନ ଜାଗା ରହିଛି । ବିଦେଶୀ ପର୍ଯ୍ୟଟକ ଆସିଲେ ମଧ୍ୟ ଏହାକୁ ବୁଲି ଦେଖିପାରିବେ ।

ଯଦି ରାଜ୍ୟ ପର୍ଯ୍ୟଟନକୁ ଠିକ୍ ଭାବରେ ପ୍ରଚାର କରାଯାଏ ଏବଂ ରୋଡ୍ ସୋ’ ଅନୁଷ୍ଠିତ ହୁଏ ତେବେ ବିଦେଶୀ ଆକୃଷ୍ଟ ହେବା ସ୍ୱାଭାବିକ ।

ଏଥିସହିତ ପର୍ଯ୍ୟଟନ କ୍ଷେତ୍ର ପାଇଁ ଦକ୍ଷ ଲୋକଙ୍କୁ ପ୍ରସ୍ତୁତ କରିବା ।
ସୁଦୂରପ୍ରସାରୀ ଯୋଜନା ପାଇଁ ପର୍ଯ୍ୟଟନ ବଜେଟ୍ ବଢ଼ାଇବାକୁ ପଡ଼ିବ ।

ଏ ସମ୍ପର୍କରେ ଟ୍ରାଭେଲ୍ ଆଟ ବ୍ଲୁର ମୁଖ୍ୟ ଚଣ୍ଡୀ ପଟ୍ଟନାୟକ କହିଛନ୍ତି, ଋତୁ ଭିତ୍ତିରେ ଶୀତଦିନିଆ ପର୍ଯ୍ୟଟନ ଉପରେ ନଜର ରହିବ । ଏଥିପାଇଁ ଚିରାଚରିତ ୪ରାତି ୭ଦିନିଆ ଟୁର୍ ପ୍ୟାକେଜ୍ କଲେ ହେବ ନାହିଁ ।

ଜଙ୍ଗଲ ଓ ପରିବେଶ ପର୍ଯ୍ୟଟନ, ଥିମ୍ ବେସଡ ପର୍ଯ୍ୟଟନ ସମେତ କିଛି ନୂଆ କଥା ଯୋଡ଼ିବାକୁ ପଡ଼ିବ । ଏହା ହିଁ ଦେଶୀ ପର୍ଯ୍ୟଟନ କ୍ଷେତ୍ର ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରିବ ।

ରାଜ୍ୟରେ ଦେଶୀୟ ପର୍ଯ୍ୟଟନ କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରିଛି । ତେଣୁ ସରକାର କିଛି ନୂଆ ଖସଡ଼ା ପ୍ରସ୍ତୁତ କରନ୍ତୁ । ଯାହା ପର୍ଯ୍ୟଟନ ଶିଳ୍ପକୁ ନୂଆ ରୂପ ଦେବ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ପର୍ଯ୍ୟଟନସ୍ଥଳୀ

ମା’ କାଳିଜାଈ ପୀଠର ନବୀକରଣ

April 19, 2020 By LocalWire Leave a Comment

ଭୁବନେଶ୍ୱର, ଏପ୍ରିଲ ୧୮(ଲୋକାଲ ୱାୟାର): ପ୍ରକୃତିମୟୀ ଚିଲିକାର ମା’ କାଳୀଜାଈ ପୀଠ ଏବେ ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହୋଇଛି ।

ଏନେଇ ଆକାଶମାର୍ଗରୁ ଏକ ଫଟୋ ଟ୍ୱିଟର୍ ଏବଂ ସୋସିଆଲ୍ ମିଡିଆର ବିଭିନ୍ନ ସାଇଡରେ ଅପଲୋଡ୍ କରାଯାଇ ପୀଠର ନବୀକରଣ ସମ୍ପର୍କରେ ଉଲ୍ଳେଖ କରାଯାଇଛି ।

ମରାଳ ମାଳିନୀ ନୀଳାମ୍ବୁ ଚିଲିକା ଭିତରେ କାଳୀଜାଈ ପୀଠ ଏବଂ ସ୍ଥାନୀୟ ପାହାଡ଼ ପ୍ରତି ପର୍ଯ୍ୟଟକଙ୍କ ଏକ ଭିନ୍ନ ଆକର୍ଷଣ ରହିଛି ।

ସେଥିପାଇଁ ଦୈନିକ ଶହ ଶହ ସଂଖ୍ୟାରେ ଉଭୟ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ପୀଠର ଘାଟ ଓ ଚୁତଃପାଶ୍ୱର୍କୁ ସୌନ୍ଦର୍ଯ୍ୟକରଣ କରାଯାଇଛି ।

କାଳିଜାଈ ଠାକୁରାଣୀଙ୍କ ପୀଠକୁ ରାଜ୍ୟ ସରକାର ଉନ୍ନତିକରଣ ପାଇଁ ଯେଉଁ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ତାହା ଆଗାମୀ ଦିନରେ ପର୍ଯ୍ୟଟକଙ୍କୁ ନିଶ୍ଚିତ ଭାବରେ ଆକୃଷ୍ଟ କରିବ ବୋଲି ଚିଲିକା ଡେଭଲପମେଣ୍ଟ ଅଥରିଟି (ସିଡିଏ) ପକ୍ଷରୁ କୁହାଯାଇଛି ।

ଆଇସିଜେଡଏମପି ପାଣ୍ଠିରେ ଏହି ସ୍ଥଳର ଉନ୍ନତିକରଣ କରାଯାଇଛି । ଏମିତିରେ ରାଜ୍ୟ ସରକାର ଚିଲିକାର ଉନ୍ନତିକରଣ ପାଇଁ ସ୍ୱତନ୍ତ୍ର ଅର୍ଥରାଶି ପ୍ରଦାନ କରିଛନ୍ତି ।

ମହାମାରୀ କରୋନା ପାଇଁ ଲକ୍ ଡାଉନ୍ ଘୋଷଣାର ବହୁ ପୂର୍ବରୁ ଏହି ପୀଠର ଉନ୍ନତିକରଣ କାର୍ଯ୍ୟ ଶେଷ ହୋଇଛି । ହେଲେ ଲକ୍ ଡାଉନ୍ ପାଇଁ ଏହା ଲୋକଲୋଚନକୁ ଆସିପାରିନାହିଁ ।

କଟକଣା ଉଠିଲା ପରେ ଏହା ବିଶ୍ୱ ଦରବାରରେ ପ୍ରଦର୍ଶିତ କରାଯିବ ବୋଲି ସିଡିଏ ପକ୍ଷରୁ ସୂଚନା ଦିଆଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ପର୍ଯ୍ୟଟନସ୍ଥଳୀ

ବିଶେଷ : ଜାଣିଛନ୍ତି କି ଓଡ଼ିଶାର ତିନି ତ୍ରିବେଣୀ ସଙ୍ଗମକୁ

February 27, 2020 By LocalWire Leave a Comment

ଭୁବନେଶ୍ଵର, ଫେବ୍ରୁଆରି ୨୭ (ଲୋକାଲ ୱାୟାର): ଯେଉଁ ସ୍ଥାନରେ ତିନିଟି ନଦୀ ଏକାଠି ହୋଇଥାନ୍ତି, ସେହି ତ୍ରିବେଣୀ ସଙ୍ଗମକୁ ହିନ୍ଦୁ ଧର୍ମରେ ପବିତ୍ର ସ୍ଥାନ ବୋଲି କୁହାଯାଏ।

ଏହି କ୍ରମରେ ଆହ୍ଲାବାଦଠାରେ ଥିବା ଗଙ୍ଗ, ଯମୁନା ଓ ସରସ୍ବତୀ ନଦୀର ମିଳନସ୍ଥଳରେ ଆମେ ମୃତ ପରିବାର ପରିଜନଙ୍କ ଅସ୍ଥି ବିସର୍ଜନ କରିବା ପରମ୍ପରା ପୁରାତନ କାଳରୁ ଚଳିଆସୁଛି।

ତେବେ ଆମ ଓଡ଼ିଶାରେ ବି ରହିଛି କେତେକ ତ୍ରିବେଣୀ ସଙ୍ଗମ, ଓଡ଼ିଶାର ଏଭଳି କିଛି ତ୍ରିବେଣୀ ସଙ୍ଗମ ଉପରେ ଆସନ୍ତୁ ନଜର ପକାଇବା।

ମହାନଦୀ-ତେଲ ନଦୀ- କର୍ପୁର ନଦୀ

ରାଜ୍ୟର ଅନ୍ୟତମ ଐତିହ୍ୟସମ୍ପନ୍ନ ସହର ତଥା ସୁବର୍ଣ୍ଣପୁର ଜିଲ୍ଲାର ସଦରମହକୁମା ସୁବର୍ଣ୍ଣପୁର ସହରକୁ ମହାନଦୀ ଓ ତେଲନଦୀ ତିନିପଟୁ ଘେରି ରହିଛି ଆଉ ଏହି ସହରରେ ଏହି ଦୁଇ ନଦୀଙ୍କ ସହ ମିଳିତ ହୋଇଛି କର୍ପୁର ନଦୀ ବା ଅଙ୍ଗ ନଦୀ।

ତେଲ ଓ ମହାନଦୀର ମିଳନ ସ୍ଥଳରେ ରହିଛି ପ୍ରସିଦ୍ଧ ଶୈବପୀଠ ରାମେଶ୍ବର ମନ୍ଦିର, ଯାହା ବେଶ୍ ପ୍ରଚୀନ ଓ ଇତିହାସ ପ୍ରସିଦ୍ଧ।

ଆହ୍ଲାବାଦ ବା ପ୍ରୟାଗରେ ଗଙ୍ଗା ଯମୁନା-ସରସ୍ଵତୀଙ୍କ ଭଳି ଏଠାରେ ମଧ୍ୟ ତିନି ନଦୀ ମିଶିଥିବାରୁ ଧର୍ମ ବିଶ୍ବାସ ଅନୁସାରେ କେହି କେହି ସୁବର୍ଣ୍ଣପୁରକୁ ତୀର୍ଥର ମାନ୍ୟତା ଦିଅନ୍ତି।

ଏହାକୁ ସାକ୍ଷାତ୍ ବାରାଣସୀ, ଦ୍ଵିତୀୟ ପ୍ରୟାଗ କ୍ଷେତ୍ର ତଥା ପର୍ଶୁରାମ ମାଟି ବୋଲି କୁହାଯାଏ।

ପୃଥିବୀର ପ୍ରାଚୀନ ସଭ୍ୟତା ସବୁ ନଦୀକୂଳରେ ଗଢିଉଠିଥିବାବେଳେ ଐତିହାସିକମାନେ କହନ୍ତି, ସୁବର୍ଣ୍ଣପୁରେ ମଧ୍ୟ ବହୁ ପ୍ରାଚୀନ କାଳରେ ଏକ ସଭ୍ୟତା ଗଢ଼ିଉଠିଥିଲା।

ଏଠାରେ ପ୍ରାଚୀନ କୋଶଳର ରାଜଧାନୀ ରହିଥିବାବେଳ ଭଞ୍ଜବଂଶ, ସୋମବଂଶ, ତେଲୁଗୁ ଚୌଡ, କଳଚୁରୀ, ଗଙ୍ଗବଂଶ, ଭଞ୍ଜବଂଶ, ଓ ଚୌହାନ ବଂଶର ରାଜାମାନେ ଏହାକୁ ଶାସନ କରିଥିବା ଇତିହାସ କୁହେ।

ସୋମବଂଶୀ ରାଜା ଜନ୍ମେଜୟ ମହାଭବଗୁପ୍ତ (ଖ୍ରୀ.୮୪୯-୮୮୫)ଙ୍କ ତାମ୍ରପତ୍ରରେ ପ୍ରଥମେ ସୁବର୍ଣ୍ଣପୁର ରାଜଧାନୀର ନାମ ଉଲ୍ଲେଖ ହୋଇଥିବା କୁହାଯାଏ।

ଏହି ସହରରେ ୧୦୮ଟି ଛୋଟ ବଡ଼ ମନ୍ଦିର ରହିଛି।

କେମିତି ଯିବେ

ଭୁବନେଶ୍ଵରଠାରୁ ସୁବର୍ଣ୍ଣପୁର ସହରର ଦୂରତା ୨୮୦ କିଲୋମିଟର ।

ପ୍ରତିଦିନ ଏଠାକୁ ବସ୍ ଚଳାଚଳ କରେ।

ସୁବର୍ଣ୍ଣପୁରକୁ ରେଳପଥ ସଂଯୋଗ ନଥିବାବେଳେ ଏହାର ୪୨ କିଲୋମିଟର ଦୂରରେ ବଲାଙ୍ଗିର ରେଳଷ୍ଟେସନ, ୮୦ କିଲୋମିଟର ଦୂରରେ ସମ୍ବଲପୁର ରେଳଷ୍ଟେସନ ଓ ୭୫ କିଲୋମିଟର ଦୂରରେ ରେଢାଖୋଲ ରେଳ ଷ୍ଟେସନ୍ ରହିଛି।

ମହାନଦୀ-କୁସୁମି-କୁଆଁରିଆ

ନୟାଗଡ଼ ଜିଲ୍ଲାର କଣ୍ଟିଲୋ ପ୍ରସିଦ୍ଧ ନୀଳମାଧବ ମନ୍ଦିର ପାଇଁ ସାରା ଦେଶରେ ପରିଚିତି ହାସଲ କରିଛି।

ଏକ ବ୍ରହ୍ମାଦ୍ରୀ ପର୍ବତ ଭାବେ ପରିଚିତ ଏକ ମୁଣ୍ଡିଆ ଉପରେ ଆମେ ଏବେ ଦେଖୁଥିବା ମନ୍ଦିର ଅଷ୍ଟମ ଶତାବ୍ଦୀରେ ନିର୍ମିତ ହୋଇଥିବା ଐତିହାସିକମାନେ କହନ୍ତି।

ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ଓ ବିଗ୍ରହ ସ୍ଥାପନ ପଛରେ ଯେଉଁ କାହାଣୀ ରହିଛି, ସେହି କାହାଣୀ ସହ ଏହି ସ୍ଥାନ ସଂପୃକ୍ତ।

ନୀଳମାଧବଙ୍କୁ ପୁରୀ ନେବା ପାଇଁ ରାଜାଙ୍କ ଆଦେଶରେ ବିଦ୍ୟାପତି ଏଠାକୁ ଆସି ଶବରରାଜା ବିଶ୍ୱାବସୁଙ୍କ ଝିଅକୁ ବିବାହର କରି ଏଠାରୁ ଠାକୁରଙ୍କୁ ନେବା କାହାଣୀ ସମସ୍ତେ ଜାଣନ୍ତି।

ଏହି କ୍ରମରେ ଏଠାରେ ମଧ୍ୟ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା ହୁଏ।

ଏଠାରେ ଶ୍ରୀ ନୀଳମାଧବଙ୍କ ବିଗ୍ରହ ଇନ୍ଦ୍ରନୀଳ ପଥରରେ ତିଆରି ହୋଇଛି।

ଏଠାକାର ଚମତ୍କାରିତା ହେଉଛି, ଏଠାରେ ସବୁବେଳେ ଠାକୁରଙ୍କ ପାଦରୁ ପାଣି ଝରୁଥାଏ।

ଏହି କଣ୍ଟିଲୋ ନୀଳମାଧବଙ୍କ ବେଢ଼ାରୁ ଏକ ପାହାଚ ନଦୀ କୂଳକୁ ପଡ଼ିଛି, ଯେଉଁଠାରେ ମହାନଦୀ, କୁସୁମି ଓ କୁଆଁରିଆ ନଦୀ ଏକାଠି ହୋଇଛନ୍ତି।

ତେଣୁ ଏହା ହେଉଛି ଓଡ଼ିଶାର ଅନ୍ୟତମ ତ୍ରିବେଣୀ ସଙ୍ଗମ।

କେମିତି ଯିବେ

ଭୁବନେଶ୍ୱରଠାରୁ ନୟାଗଡ଼ ୮୦ କିଲୋମିଟର ବାଟ ହୋଇଥିବାବେଳେ ନୟାଗଡ଼ ସହରଠାରୁ କଣ୍ଟିଲୋ ୪୪ କିଲୋମିଟର ଦୂରରେ ଅବସ୍ଥିତ।

ଭୁବନେଶ୍ବରରୁ ବସ୍ କିମ୍ବା ଟ୍ୟାକ୍ସି ଯୋଗେ ମଧ୍ୟ ଆପଣ ଏଠାକୁ ଯାଇ ତ୍ରିବେଣୀ ସଙ୍ଗମ ଦେଖିବା ସାଙ୍ଗକୁ ନୀଳମାଧବଙ୍କ ଦର୍ଶନ କରି ଆସିପାରିବେ।

ସାବେରୀ-ସିଲେରୁ-ଗୋଦାବରୀ

ଓଡ଼ିଶାର ସୀମାନ୍ତ ମାଲକାନଗିରି ଜିଲ୍ଲାର ମୋଟୁଠାରେ ରହିଛି ରାଜ୍ୟର ଆଉ ଏକ ତ୍ରିବେଣୀ ସଙ୍ଗମ।

ଛତିଶଗଡ ଓ ଆନ୍ଧ୍ରପ୍ରଦେଶ ସୀମାନ୍ତର ସାବେରୀ ଓ ସିଲେରୁ ନଦୀର ମିଳିତ ସଂଗମରେ ଗୋଦାବରୀ ନଦୀ ସୃଷ୍ଟି ହୋଇଥିବାବେଳେ ଏହି ତିନି ନଦୀକୁ ମିଶାଇ ଏହାକୁ ତ୍ରିବେଣୀ ସଙ୍ଗମ ବୋଲି କୁହାଯାଏ।

ଏହି ସ୍ଥାନକୁ ମୁଗି ପଏଣ୍ଟ ବୋଲି ସ୍ଥାନୀୟ ଲୋକେ କୁହନ୍ତି।

ଏଠାରୁ ଡାହାଣ ପଟେ ସାବେରୀ ନଦୀ ପାର ହେଲେ ଛତିଶଗଡ ଓ ତେଲେଙ୍ଗାନା ପଡୁଥିବାବେଳେ ବାମପଟେ ସିଲେରୁ ନଦୀ ପାର ହେଲେ ଆନ୍ଧ୍ରପ୍ରଦେଶର ଚିନ୍ତୁରୁ ବଜାର ପଡ଼େ।

ଏଭଳି ଭାବରେ ଏହି ସଙ୍ଗମରେ ଓଡ଼ିଶା, ଆନ୍ଧ୍ର ଓ ଛତିଶଗଡର ପର୍ଯ୍ୟଟକଙ୍କୁ ଆପଣ ଦେଖିବାକୁ ପାଇବେ।

ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ଶହ ଶହ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ।

ସେଥିପାଇଁ ପିକନିକ ଋତୁରେ ଏଟାରେ ବହୁତ ଭିଡ଼ ହୁଏ।

କେମିତି ଯିବେ

ଭୁବନେଶ୍ବରରୁ ବସ୍‌ ଯୋଗେ ମାଲକାନଗିରିର ମୋଟୁରେ ପହଞ୍ଚିଲେ ମୋଟୁ ବସ୍‌ଷ୍ଟାଣ୍ଡରେ ଓହ୍ଲାଇ ତ୍ରିବେଣୀ ସଙ୍ଗମ ସ୍ଥଳକୁ ଯାଇହେବ।

ବସ୍‌ଷ୍ଟାଣ୍ଡରୁ ଏହି ସ୍ଥାନର ଦୂରତା ଅଧ କିଲୋମିଟର ବାଟ।

ପର୍ଯ୍ୟଟକ ଛତିଶଗଡରୁ ଆସିଲେ ସେ ଡଙ୍ଗାଯୋଗେ ସାବେରୀ ନଦୀ ପାରି ହୋଇ ଏଠାରେ ପହଞ୍ଚିପାରିବେ।

ସେହିପରି ଆନ୍ଧ୍ରରୁ ଆସିଲେ ସିଲେରୁ ନଦୀ ପାର ହୋଇ ତ୍ରିବେଣୀ ସଙ୍ଗମ ସ୍ଥଳକୁ ଯାଇପାରିବେ।

ଲୋକାଲ୍ ଓ୍ବାୟାର୍

Filed Under: Odia, Special, ପର୍ଯ୍ୟଟନସ୍ଥଳୀ, ବିଶେଷ Tagged With: Special, ଓଡିଶା, ପର୍ଯ୍ୟଟନସ୍ଥଳୀ, ବଲାଙ୍ଗିର, ବିଶେଷ, ଭୁବନେଶ୍ଵର, ମାଲକାନଗିରି, ସୁବର୍ଣ୍ଣପୁର

ବିଶେଷ : ନୂତନ ପର୍ଯ୍ୟଟନସ୍ଥଳୀ ଘଟକେଶ୍ୱର

February 26, 2020 By Hrusikesh Mohanty Leave a Comment

ଘଟକେଶ୍ୱର, ଫେବ୍ରୁଆରି ୨୬ (ଲୋକାଲ ୱାୟାର):ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକର ଆଦିବାସୀ ଅଧ୍ୟୁଷିତ ଘଟକେଶ୍ୱର ଗାଁ ଏବେ ବେଶ ଚର୍ଚ୍ଚାରେ ରହିଛି ।

ଗୋଟିଏ ପାଶ୍ୱର୍ରେ ବାରମାସୀ ଗହକଟା ନାଳ ବୋହି ଯାଉଥିବା ବେଳେ ଅନ୍ୟ ପଟେ ଗାଁକୁ ଘେରି ରହିଛି ପୂର୍ବଘାଟ ପର୍ବତମାଳାର କେରାଣ୍ଡିମାଳ ପାହାଡ ।

ପାହାଡ ଉପରେ ରହିଛି ପ୍ରାକୃତିକ ଦୃଶ୍ୟରେ ଭରା ପ୍ରଭୁ ଘଟକେଶ୍ୱର (ମହାଦେବ)ଙ୍କ ପ୍ରାଚୀନ ମନ୍ଦିର । ସ୍ଥାନଟି ପିକନିକ ପାଇଁ ବେଶ ଅନୁକୂଳ ବ୍ରହ୍ମପୁର-ଚିକିଟି ରାସ୍ତାରେ ଥିବା ଘଟକେଶ୍ୱରରେ ବର୍ଷସାରା ପ୍ରାକୃତିକ ଦୃଶ୍ୟରାଜି ପରିଲକ୍ଷିତ ହୁଏ ।

ଶୀତ ଦିନେ, ବିଶେଷ କରି ଶ୍ରାବଣ ଓ କାର୍ତିକ ମାସରେ ଏହି ସ୍ଥାନକୁ ପର୍ଯ୍ୟଟକଙ୍କ ଆଗମନ ଅଧିକ ହୋଇଥାଏ ।

ସେହିପରି ଶିବରାତ୍ରୀ ଉପଲକ୍ଷେ ଶହ ଶହ ଭକ୍ତଙ୍କ ଗହଳି ପ୍ରଭୁ ଘଟକେଶ୍ୱରଙ୍କ ପୀଠରେ ଜମିଥାଏବୋଲି ଘଟକେଶ୍ୱର ବିକାଶ କମିଟିର ସମ୍ପାଦକ ରବୀନ୍ଦ୍ର ନାଥ ସାହୁ କହିଛନ୍ତି ।

ବ୍ରହ୍ମପୁର ଅଂଚଳର ପ୍ରାଚୀନ ମନ୍ଦିରଗୁଡିକ ମଧ୍ୟରୁ ଅନ୍ୟତମ ପ୍ରଭୁ ଘଟକେଶ୍ୱରଙ୍କ ମନ୍ଦିର ମହୁରୀ ରାଜାନାରାୟଣ ନରେନ୍ଦ୍ର ଦେବଙ୍କ ଦ୍ୱାରା ପ୍ରାୟ ୫ ଶହ ବର୍ଷ ପୂର୍ବେ ଜଙ୍ଗଲ ଭିତରେ ନିର୍ମିତ ହୋଇଥିଲା ।

ରାଜ୍ୟକୁ ପ୍ରଭାବିତ କରିଥିବା ଅନେକ ବାତ୍ୟା ଓ ସମୟର ମୁକସାକ୍ଷୀ ଏହି ମନ୍ଦିରଟି । ଶାନ୍ତ ବାତାବରଣ ପାଇଁ ଲୋକେ ସ୍ଥାନଟିକୁ ପସନ୍ଦ କରିଥାନ୍ତି ବୋଲି କହିଛନ୍ତି ଘଟକେଶ୍ୱର ବିକାଶ କମିଟିର ଉପସଭାପତି ଚନ୍ଦ୍ରଧ୍ୱଜ ସାହୁ ।

ବୟସ୍କ ଲୋକେ କହନ୍ତି ଦିନେ ଏହି ଅଂଚଳରେ ମହାବଳ ବାଘ, ହାତୀ, ଚିତାବାଘ, ବିଭିନ୍ନ ପ୍ରକାରର ସାପ ଓ ଅନ୍ୟ ଜୀବଜନ୍ତୁ ବିଚରଣ କରୁଥିଲେ ।

ଆଖପାଖ ଗାଁ ଲୋକେ ମୁଖ୍ୟ ରାସ୍ତା ଠାରୁ ମାତ୍ର ୩୦୦ ମିଟର ଦୂରତାରେ ଥିବା ମନ୍ଦିରକୁ ରାସ୍ତା ନିର୍ମାଣ କରିବା ସହ ସ୍ଥାନଟି ସଫା କରିଛନ୍ତି ।

ଘଂଚ ଜଙ୍ଗଲ ଘେରା ଏହି ସ୍ଥାନଟି ପରିବେଶ ପର୍ଯ୍ୟଟନ ପ୍ରେମୀଙ୍କ ପସନ୍ଦର ସ୍ଥାନ ପାଲଟିଛି । ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ହରିଣ ଦେଖିବା ଅନ୍ୟତମ ଆକର୍ଷଣ ।

ଏହା ବ୍ୟତୀତ ବଣୁଆ କୁକୁର, ବିଲୁଆ, ଜଙ୍ଗଲୀ ବିଲେଇ ଆଦି ଏହି ଅଂଚଳରେ ବସବାସ କରନ୍ତି । ସ୍ଥାନଟିକୁ ପରିବେଶ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବାକୁ ଆମେ ସରକାରଙ୍କୁ ପ୍ରସ୍ତାବ ଦେଇଛୁ ବୋଲି ବିକାଶ କମିଟି ସମ୍ପାଦକ କହିଛନ୍ତି ।

ଏଠାରେ ରହିବାର ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକମାନେ ବର୍ଷାଦିନେ ବେଶ ଅସୁବିଧା ଭୋଗିଥାନ୍ତି । ସରକାର ଗୃହ ନିର୍ମାଣ ପାଇଁ ୩୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।

ଏବେ ନିର୍ମାଣ କାମ ଚାଲିଛି । ସ୍ଥାୟୀ ପାନୀୟ ଜଳ ପ୍ରକଳ୍ପ ଓ ସୌରଶକ୍ତି ଚାଳିତ ବିଦ୍ୟୁତ ବ୍ୟବସ୍ଥାର ଆବଶ୍ୟକତା ରହିଛି ।

ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ହରିଣ ପାର୍କ ବ୍ୟତୀତ ପିଲାଙ୍କ ମନୋରଞ୍ଜନ ପାଇଁ ମଧ୍ୟ ପାର୍କ ନିର୍ମାଣର ଆବଶ୍ୟକତା ରହିଛି ।

ଘଟକେଶ୍ୱର ମନ୍ଦିର ବୁଲିବାକୁ ଆସିଥିବା ବେଳେ ପର୍ଯ୍ୟଟକମାନେ ମହୁରୀକାଳୁଆ, କେରାଣ୍ଡିମାଳରେ ଥିବା ଦେବୀଙ୍କ ମନ୍ଦିର, ପଂଚାମାରେ ଥିବା ପ୍ରାଚୀନ ଗଣେଶ ମନ୍ଦିର ଓ ମା ସିଦ୍ଧ ଭୈରବୀ ମନ୍ଦିର ଆଦି ବୁଲିପାରିବେ ।

Filed Under: Odia, Special, ପର୍ଯ୍ୟଟନସ୍ଥଳୀ, ବିଶେଷ Tagged With: Special, ଓଡିଶା, ଘଟକେଶ୍ୱର, ପର୍ଯ୍ୟଟନସ୍ଥଳୀ, ବ୍ରହ୍ମପୁର

ବିଶେଷ : ଆସନ୍ତୁ ବୁଲିଯିବା ଟିଟିଲାଗଡ଼ର କୁମୁଡ଼ା ପାହାଡ଼

February 26, 2020 By SIMANCHALA PATTNAIK Leave a Comment

ଟିଟିଲାଗଡ଼, ଫେବ୍ରୁଆରି ୨୬ (ଲୋକାଲ ୱାୟାର): ଦେଶର ଅନ୍ୟତମ ଉତ୍ତପ୍ତ ସହର ଭାବେ ଜଣାଶୁଣା ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ସହରର ଅନ୍ୟତମ ଆକର୍ଷଣ ହେଉଛି କୁମୁଡ଼ା ପାହାଡ଼।

ଟିଟିଲାଗଡ଼ର ଅସମ୍ଭାଳ ତାପମାତ୍ରା ପାଇଁ ବର୍ଷ ବର୍ଷ ଧରି ନଣ୍ଡା ହୋଇ ରହିଥିବା ଏହି ପାହାଡ଼କୁ କେହି କେହି ଦାୟୀ କରିଆସୁଥିବାବେଳେ ଏବେ ଏହି ପାହାଡ଼ରେ ବନୀକରଣ ପରେ ସୌନ୍ଦର୍ଯ୍ୟ ବୃଦ୍ଧି ଘଟିବା ଆଶା ରହିଛି।

ଏହି ପାହାଡ଼ର ଗୁମ୍ଫାରେ ଥିବା ଧବଳେଶ୍ବର ଶୈବପୀଠ ମଧ୍ୟ ଏକ ବ୍ୟତିକ୍ରମ, କାରଣ ଯେତେବେଳେ ପାହାଡ଼ ଉପରେ ତାପମାତ୍ରା ପଚାଶ ଡିଗ୍ରୀ ଥାଏ, ସେତେବେଳେ ଏହି ମନ୍ଦିର, ଅର୍ଥାତ୍ ସେହି ପାହାଡ଼ର ଗୁମ୍ଫା ଭିତରକୁ ପଶିଗଲେ ତାପମାତ୍ରା ୧୦ ଡିଗ୍ରୀ ରହିଥାଏ।

ଏଭଳି ଏକ ବିସ୍ମୟକର ପାହାଡ଼ ସଂପର୍କରେ ଆସନ୍ତୁ ଜାଣିବା।

କୁମୁଡ଼ା ପାହାଡ଼ର ଅବସ୍ଥିତି

ଟିଟିଲାଗଡ଼ ସହରଠାରୁ ଦୁଇ କିଲୋମିଟର ଦୂରରେ ରହିଛି କୁମୁଡ଼ା ପାହାଡ଼।

ଏହାର ଲମ୍ବା ପ୍ରାୟ ଏକ କିଲୋମିଟର ଏବଂ ଓସାର ଅଧ କିଲୋମିଟର ହେବ।

ଏକ କିଲୋମିଟର ଲମ୍ବ ଏହି ପାହାଡ଼କୁ ପୂର୍ବରୁ ପଶ୍ଚିମ କରି ଦେଖିଲେ ଏହା ଏକ ବିରାଟକାୟ ବୃଷଭ ଭଳି ଦେଖାଯାଏ।

ଏହି ପାହାଡ଼କୁ ନେଇ ଅନେକ ଲୋକକଥା ଓ କିମ୍ବଦନ୍ତୀ ରହିଛି।

ଗବେଷକ ଡକ୍ଟର ଦୋଳଗୋବିନ୍ଦ ବିଶିଙ୍କ କହିବା ଅନୁସାରେ, ପୂର୍ବରୁ ଏହା କୁମର୍ଦ୍ଧା ନାଁରେ ପରିଚିତ ଥିଲା, ଯାହା ଥିଲା ଏକ ତନ୍ତ୍ର ପୀଠ।

ପରେ କୁମର୍ଦ୍ଧାରୁ ଏହା କୁମୁଡ଼ା ହୋଇଥାଇପାରେ ବୋଲି ସେ କହନ୍ତି।

ସେହିପରି ପାହାଡ଼ର ଦକ୍ଷିଣରେ କୁମୁଡ଼ା ଗାଁ ରହିଥିବାରୁ ଏହି ଗାଁର ନାମ ହିସାବରେ ଏହାକୁ କୁମୁଡ଼ା ପାହାଡ଼ କୁହାଯାଉଥିବା ଅନୁମାନ କରାଯାଏ।

କେବଳ ଏତିକି ନୁହେଁ, ଏହି ପାହାଡ଼ ଆଖପାଖରେ ୪ଟି ଜଳାଶୟ ଦେଖିବାକୁ ମିଳେ, ଯାହାକୁ ସ୍ଥାନୀୟ ଭାଷାରେ ବନ୍ଧ ବୋଲି କୁହାଯାଏ।

ତେବେ ଏହି ପାହାଡ଼ର ସବୁଠାରୁ ଦର୍ଶନୀୟ ଏକ ବିସ୍ମୟକର ପୀଠ ହେଉଛି ବାବା ଧବଳେଶ୍ବରଙ୍କ ମନ୍ଦିର।

ଧବଳେଶ୍ୱର ପୀଠର ଉତ୍ପତ୍ତି

ଧବଳେଶ୍ବର ପୀଠ ପ୍ରାୟ ତିରିଶ ହଜାର ବର୍ଷର ପ୍ରାଚୀନ ମନ୍ଦିର ବୋଲି କେହି କେହି ମତ ଦିଅନ୍ତି।

ସେହିପରି ଆଉ ଏକ ଲୋକବିଶ୍ବାସ ଅନୁସାରେ, ସମ୍ରାଟ ଅଶୋକ ତାଙ୍କ ସେନା ବାହିନୀ ସହ ଟିଟିଲାଗଡ଼ ଦେଇ ଯାଉଥିବାବେଳେ କୁମୁଡ଼ା ପାହାଡ଼ ନିକଟରେ ବିଶ୍ରାମ ନେଇଥିଲେ।

ସେତେବେଳେ ଏଠାରେ ଏକ ବିରାଟ ଗୁମ୍ଫାରେ ଶିବଲିଙ୍ଗଟିଏ ପୋତିହୋଇ ରହିଥିବାର ସେ ଦେଖିବାକୁ ପାଇଥିଲେ ଓ ଶିବଲିଙ୍ଗଙ୍କୁ ଉଦ୍ଧାର କରି ସେଠାରେ ଏକ ମନ୍ଦିର ନିର୍ମାଣ କରାଇଥିଲେ।

ଆଉ କେହି କେହି କୁହନ୍ତି, ପାହାଡ଼ ଶିଖରରେ ଥିବା ଗୁମ୍ଫାରେ ଆଦିବାସୀମାନେ ପ୍ରଥମେ ଶିବଙ୍କୁ ପୂଜା କରୁଥିଲେ ଏବଂ ପରେ ସୋମବଂଶୀ ରାଜାମାନେ ଏଠାରେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ।

ଗୁମ୍ଫା ଭିତରେ ମହାଦେବ

କୁମୁଡ଼ା ପାହାଡ଼ର ଗୁମ୍ଫା ଭିତରେ ବାବା ଧବଳେଶ୍ବରଙ୍କ ଲିଙ୍ଗ ରହିଛି।

ତିନି ଫୁଟ ଛଅ ଇଞ୍ଚ ଉଚ୍ଚତାର ଏକ ମଣ୍ଡପ ଉପରେ ଏହି ଶିବଲିଙ୍ଗ ଥିବାବେଳେ ପାର୍ଶ୍ବ ଦେବତା ଭାବେ ଘଣ୍ଟେଶ୍ବରୀ ପୂଜା ପାଆନ୍ତି।

ସେହିପରି ଏଠାରେ ଦେବୀ ପାର୍ବତୀ, ଗଣେଶ, କାର୍ତ୍ତିକେଶ୍ୱର, ପଞ୍ଚ ବୃଷଭ ମୂର୍ତ୍ତି ଦେଖିବାକୁ ମିଳେ।

ଲୋକବିଶ୍ବାସ ଅନୁସାରେ, ଏହି ଗୁମ୍ଫା ଭିତର ଦେଇ ପ୍ରାୟ ୪୫ କିଲୋମିଟର ଦୂରରେ ଥିବା ରାଣୀପୁର ଝରିଆଲ ପର୍ଯ୍ୟନ୍ତ ଏକ ଗୁପ୍ତ ସୁଡ଼ଙ୍ଗ ରହିଛି।

ଧବଳେଶ୍ୱର ପୀଠର ସୌନ୍ଦର୍ଯ୍ୟ

ଧବଳେଶ୍ବର ପୀଠରେ ବ୍ୟାଘ୍ର ଗୁମ୍ଫା ନାମକ ଏକ ଗୁମ୍ଫା ରହିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏକଦା ଏହି ଗୁମ୍ଫାରେ ବାଘ ରହୁଥିଲା ଓ ସେ ଭକ୍ତମାନଙ୍କଠାରୁ କ୍ଷୀର ଓ ଫଳମୂଳ ଖାଉଥିଲା।

ବ୍ୟାଘ୍ର ଗୁମ୍ଫାକୁ ବାଦ୍ ଦେଲେ କୁମୁଡ଼ା ପାହାଡ଼ ଉପରେ ଏକ ପୋଖରୀ ସମେତ ରାଣୀ କୂଅ ଓ ରଜା କୂଅ ନାମକ ଦୁଇଟି କୂଅ ରହିଛି, ଯାହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।

ସେହିପରି ଧବଳେଶ୍ବରଙ୍କ ପୀଠର ଉତ୍ତର ଦିଗରେ ପ୍ରସିଦ୍ଧ ଦେବନ୍ଧ ପୋଖରୀ ରହିଛି।

ଏହି ପୋଖରୀ ୯ ଏକର ପରିବ୍ୟାପ୍ତ।

ଏଠାରେ ଏବେ ପାର୍କ ସମେତ ହନୁମାନ ମନ୍ଦିର, ଗଣେଣ ମନ୍ଦିର ପ୍ରହରୀ ମଣ୍ଡପ ତିଆରି ହୋଇଛି।

ବାହାରେ ୫୦, ଭିତରେ ୧୦

ଧବଳେଶ୍ୱର ମହାଦେବଙ୍କୁ ଚମତ୍କାରୀ ଦେବତା ଭାବେ ଶ୍ରଦ୍ଧାଳୁମାନେ ପୂଜା କରନ୍ତି।

କାରଣ ଯେତେବେଳେ କୁମୁଡ଼ା ପାହାଡ଼ ଉପରେ ଖରାଦିନରେ ୫୦ ଡିଗ୍ରୀ ତାପମାତ୍ରା ଥାଏ, ସେତେବେଳେ ଧବଳେଶ୍ବରଙ୍କ ଗୁମ୍ଫା ଭିତରକୁ ଗଲେ ଆପଣ ଶୀତଳା ଅନୁଭବ କରିପାରିବେ, ଅର୍ଥାତ୍ ସେତେବେଳେ ଗୁମ୍ଫା ଭିତରର ତାପମାତ୍ରା ପ୍ରାୟ ୧୦ ଡିଗ୍ରୀ ରହିଥାଏ।

ଶ୍ରଦ୍ଧାଳୁମାନେ ଏହାକୁ ଦେବ ଦେବ ମହାଦେବଙ୍କ ମହିମା କହୁଥିବାବେଳେ କେହି କେହି ଏହି ଚମତ୍କାରିତା ପଛରେ ବାସ୍ତୁଶାସ୍ତ୍ର ରହିଥିବା କହନ୍ତି।

ଅନେକ ଐତିହାସିକ ଓ ନୃତତ୍ତ୍ଵବିତ୍ ଏହାରି ଉପରେ ଗବେଷଣା କରିଥିଲେ ମଧ୍ୟ କୌଣସି ନିଷ୍କର୍ଷରେ ପହଞ୍ଚିପାରିନହାନ୍ତି।

ପୂଜାବିଧି ଓ ଅନ୍ୟ ଆକର୍ଷଣ

ରୀତିନୀତି ଅନୁସାରେ ପ୍ରତିଦିନ ଏଠାରେ ବାବା ଧବଳେଶ୍ବରଙ୍କ ପୂଜା ସଂପନ୍ନ କରାଯାଏ।

ତେବେ ମନ୍ଦିରର ମୁଖ୍ୟ ପର୍ବ ହେଉଛି ମହାଶିବରାତ୍ରି।

ଏହି ଅବସରରେ ଏଠାରେ ଏକ ସପ୍ତାହ ମେଳା ଲାଗେ ଏବଂ ଦେଶର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସି ପୂଜାର୍ଚ୍ଚନା କରନ୍ତି।

ସେହିପରି ଶ୍ରାବଣ ମାସ ସୋମବାରରେ ଏହି ପୀଠକୁ ଲକ୍ଷାଧିକ ବୋଲ୍‌ବମ୍‌ ଭକ୍ତଙ୍କ ଧାଡ଼ି ଲମ୍ବିଥାଏ।

୨୦୧୯ ମସିହାରୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ପୀଠର ବିକାଶ କାର୍ଯ୍ୟ ଚାଲିଛି।

ସେହିପରି କୁମୁଡ଼ା ପାହାଡ଼ରେ ବନୀକରଣ ପାଇଁ ରାଜ୍ୟ ସରକାର ଗତବର୍ଷ ୫  କୋଟି ଟଙ୍କା ମଂଜୁର କରିଛନ୍ତି।

କେମିତି ପହଞ୍ଚିବେ କୁମୁଡ଼ା ପାହାଡ଼

ଟିଟିଲାଗଡ଼ରେ ରେଳ ଜଙ୍କସନ୍ ରହିଥିବାବେଳେ ରାଜ୍ୟର ପ୍ରାୟ ସବୁ ଅଂଚଳରୁ ଏଠାକୁ ଟ୍ରେନ ଯୋଗେ ଆସିହେବ।

ସେହିପରି ଏଠାକୁ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶରୁ ସିଧାସଳଖ ଟ୍ରେନ୍‌ ସୁବିଧା ରହିଛି।

ଷ୍ଟେସନରୁ ଏହି ସ୍ଥାନକୁ ପାଦରେ ଚାଲି ଚାଲି ମଧ୍ୟ ଯାଇହେବ।

ଲୋକାଲ୍ ଓ୍ବାୟାର୍

Filed Under: Odia, Special, ପର୍ଯ୍ୟଟନସ୍ଥଳୀ, ବିଶେଷ Tagged With: Special, ଓଡିଶା, ଟିଟିଲାଗଡ଼, ପର୍ଯ୍ୟଟନସ୍ଥଳୀ, ବଲାଙ୍ଗିର, ବିଶେଷ

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 6
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire