ଭୁବନେଶ୍ବର, ଡିସେମ୍ବର ୪ (ଲୋକାଲ ୱାୟାର): ଇକୋ-ଟୁରିଜିମର ମଜା ନେବା ପାଇଁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ମଙ୍ଗଳାଯୋଡ଼ିକୁ ସାରା ପୃଥିବୀ ଜାଣେ।
ବିଶେଷକରି ଶୀତଋତୁ ଆସିଲେ ପକ୍ଷୀଙ୍କ କଳରବରେ ଏହି ସ୍ଥାନ ଭରିଯାଏ ଆଉ ସେମାନଙ୍କୁ ଦେଖିବା ଲାଗି ଦେଶବିଦେଶର ପର୍ଯ୍ୟଟକ ଏଠାରେ ଭିଡ଼ ଲଗାନ୍ତି।
୨୦୦୦ର ପକ୍ଷୀ ଗଣନା ଅନୁସାରେ ଏଠାରେ ମାତ୍ର ୫ ହଜାର ପକ୍ଷୀ ଥିବାବେଳେ ତଥ୍ୟ ଅନୁସାରେ ଏବେ ଏହି ସଂଖ୍ୟା ୩ ଲକ୍ଷରେ ପହଞ୍ଚିଛି।
ଏବେ ଆସନ୍ତୁ ଜାଣିବା, ମଙ୍ଗଳାଯୋଡ଼ି ସଂପର୍କରେ କିଛି ଜଣା ଅଜଣା କଥା-
(୧) ଚିଲିକାଠାରୁ ଅଲଗା ହୋଇଥିବା ମଙ୍ଗଳାଯୋଡ଼ି ଅଞ୍ଚଳ ପ୍ରାୟ ୧୦ ବର୍ଗ କିଲୋମିଟର ଅଂଚଳରେ ପରିବ୍ୟାପ୍ତ।
(୨) ଏଠାକାର ପରିବେଶ ଦେଶ ବିଦେଶର ହଜାର ହଜାର ପକ୍ଷୀଙ୍କୁ ଆକର୍ଷିତ କରେ ।
(୩) ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ମଙ୍ଗଳାଯୋଡ଼ିରେ ୩ ଲକ୍ଷରୁ ଅଧିକ ପକ୍ଷୀଙ୍କ ସମାଗମ ଘଟେ। ଏଥିପାଇଁ ଏହି ସ୍ଥାନ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି।
(୪) ମଙ୍ଗଳାଯୋଡ଼ି ଅଞ୍ଚଳରେ ରହୁଥିବା ଅଧିକାଂଶ ଲୋକ ହେଉଛନ୍ତି ମତ୍ସ୍ୟଜୀବୀ ଏବଂ ଏମାନେ ଚିଲିକାରେ ମାଛ ମାରି ଜୀବିକା ନିର୍ବାହ କରନ୍ତି।
(୫) ଏଠାକାର ମତ୍ସ୍ୟଜୀବୀମାନେ ପାରମ୍ପରିକ ପଦ୍ଧତିରେ ମାଛ ମାରନ୍ତି।
(୬) ବହୁ ପୂର୍ବରୁ ମଙ୍ଗଳାଯୋଡ଼ି ପକ୍ଷୀ ଶିକାରୀଙ୍କ ଗାଁ ଭାବେ ପରିଚିତ ଥିଲା। ହେଲେ ଏବେ ଲୋକେ ପକ୍ଷୀଙ୍କୁ ସୁରକ୍ଷା ଦେଉଛନ୍ତି।
(୭) ଲୋକଙ୍କ ଯୋଗୁଁ ହିଁ ଏଠାରେ ପକ୍ଷୀଙ୍କ ଉପରୁ ବିପଦ ହଟାଯାଇଥିବାରୁ ଏହି ସ୍ଥାନ ଅଧିକରୁ ଅଧିକ ପକ୍ଷୀଙ୍କୁ ଆକର୍ଷିତ କରିବା ସହ ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଛି।
(୮) ବିଭିନ୍ନ କିସମର ଦେଶୀ ମାଛ ପାଇଁ ମଧ୍ୟ ମଙ୍ଗଳାଯୋଡ଼ି ପ୍ରସିଦ୍ଧ। ଏଠାରେ ଇଲିସି, ଖଇଙ୍ଗାଠାରୁ ଆରମ୍ଭ କରି ଭେକଟି, କୋକିଲ ତଥା ଅନ୍ୟ ପ୍ରଜାତିର ମାଛ ବିପୁଳ ପରିମାଣରେ ମିଳେ।
(୯) ସ୍ଥାନୀୟ ଲୋକେ ମିଶି ଏଠାରେ ମଙ୍ଗଳାଯୋଡ଼ି ଇକୋ-ଟୁରିଜିମ୍ ଟ୍ରଷ୍ଟ ଗଠନ କରି ପକ୍ଷୀଙ୍କୁ ସୁରକ୍ଷା ଦେଇଆସୁଛନ୍ତି। ଜୈବ ସୁରକ୍ଷା ପାଇଁ ୨୦୧୮ରେ ଏହାକୁ ଜାତିସଂଘ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା।
(୧୦) ୨୦୧୮ର ଜାନୁଆରୀ ୨୭-୨୮ରେ ରାଜ୍ୟ ସରକାର ମଙ୍ଗଳାଯୋଡ଼ିରେ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବର ଆୟୋଜନ କରିଥିଲେ।
ଆପଣ ବିମାନ ଯୋଗେ ଆସିଲେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଓହ୍ଲାଇ ଟାକ୍ସି ଯୋଗେ ମଙ୍ଗଳଯୋଡ଼ିକୁ ଶାଇପାରିବେ।
ସେହିପରି ମଙ୍ଗଳାଯୋଡ଼ି ପାଖରେ ରହିଛି କାଳୁପଡ଼ାଘାଟ ରେଳ ଷ୍ଟେସନ୍।
ହାଓ୍ବଡା-ଚେନ୍ନାଇ ରେଳପଥରେ ଆସିଲେ କାଳୁପଡ଼ାଘାଟ ଓ ଭୂଷଣ୍ଡପୁର ରେଳ ଷ୍ଟେସନ ମଝିରେ ଥିବା ମୁକ୍ତେଶ୍ବର ହଲ୍ଟରେ ଓହ୍ଲାଇ ବି ଆପଣ ଏଟାକୁ ଯାଇପାରିବେ।
ଭୁବନେଶ୍ବରରୁ ଦକ୍ଷିଣ-ପଶ୍ଚିମ ଦିଗକୁ ୧୬ ନମ୍ବର ଜାତୀୟ ରାଜପଥରେ ୭୦ କିଲୋମିଟର ଗଲେ ମଙ୍ଗଯୋଡ଼ି ପଡ଼େ।
ସେହିପରି ଟାଙ୍ଗୀରୁ ଏହି ସ୍ଥାନର ଦୂରତା ମାତ୍ର ୪ କିଲୋମିଟର ହୋଇଥିବାବେଳେ ଭୁବନେଶ୍ବରରୁ ଟାଙ୍ଗୀକୁ ସିଧାସଳଖ ବସ୍ ବ୍ୟବସ୍ଥା ରହିଛି।
Pic: Sivans Dash
ଲୋକାଲ ୱାୟାର