ଭୁବନେଶ୍ୱର, ଡିସେମ୍ବର ୧୨(ଲୋକାଲ ୱାୟାର): ବାଉଁଶକୁ ମିଳିବ ଆଭିଜାତ୍ୟର ଟ୍ୟାଗ୍ ।
ବାଡ଼ ବୁଲାଇବା,ଡାଲା-କୁଲା-ପାଚିଆ ପ୍ରସ୍ତୁତିରୁ ବାହାରି ଏହା ଶୋଭା ପାଇବ ଘରର ଡାଇନିଂ ରୁମ୍ରେ ।
ଉତ୍ତର ଭାରତ ରାଜ୍ୟଗୁଡ଼ିକ ଭଳି ଓଡ଼ିଶାର ବାଉଁଶ ବି ବ୍ୟବହାର ହେବ ଘରର ଆସବାବପତ୍ର ପ୍ରସ୍ତୁତିରେ ।
ଏଥିପାଇଁ ଉତ୍ତର ଓଡ଼ିଶାର ବାରିପଦା ଓ କୋରାପୁଟର ଜୟପୁରଠାରେ ବାଉଁଶ ପ୍ରୋସେସିଂ ୟୁନିଟ୍ ନିର୍ମାଣ କରାଯିବ ।
ଯେଉଁଠାରେ ବାଉଁଶର ଗୁଣାତ୍ମକମାନ ବୃଦ୍ଧି କରି ଏହାର ବଜାର ଦର ବଢ଼ାଇବା ପାଇଁ ସବୁ ପ୍ରକାର ଉଦ୍ୟମ ହେବ ।
ବୈଷୟିକ ଜ୍ଞାନ କୌଶଳର ବ୍ୟବହାର କରାଯାଇ ବିଭିନ୍ନ ପ୍ରକାର ଟ୍ରିଟମେଣ୍ଟ ଦ୍ୱାରା ବାଉଁଶକୁ କାଠ ଯୋଗ୍ୟ କରାଯିବ ।
ବାଉଁଶର ଗୁଣାତ୍ମକମାନ ବୃଦ୍ଧି କରିବା ସହ ଏହାକୁ କାଠର ବିକଳ୍ପ ଭାବେ ବ୍ୟବହାର କରିବାକୁ ଓଡ଼ିଶା ବାଉଁଶ ମିଶନ ଯୋଜନା କରିଛି ।
ମିଶନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ପ୍ରାଥମିକ ପର୍ଯ୍ୟାୟରେ ଆମେ ବାରିପଦା ଓ ଜୟପୁରକୁ ଏଥିପାଇଁ ଚିହ୍ନଟ କରିଛୁ ।
ଏଠାକାର ଜଳବାୟୁ ବାଉଁଶ ଚାଷ ପାଇଁ ଉପଯୁକ୍ତ ଥିବା ବେଳେ ପ୍ରୋସେସିଂ ୟୁନିଟ୍ ଚାଲିବା ପାଇଁ ଏହି ଦୁଇ ସ୍ଥାନରେ ଆମକୁ ଆବଶ୍ୟକ ପରିମାଣରେ ବାଉଁଶ ମିଳି ପାରିବ ।
ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏହି ପ୍ରୋସେସିଂ ୟୁନିଟ୍ ସ୍ଥାପନ କରାଯିବ । ଯେଉଁଠାରେ ବାଉଁଶକୁ ସିଧା କରିବା ଠାରୁ ଆରମ୍ଭ କରି ୮୫ ଡିଗ୍ରୀ-୯୦ ଡିଗ୍ରୀ ସେଲସିୟସରେ ଏଚଟୁଓଟୁ ସଲୁ୍ୟସନ୍ କରାଯିବାର ବ୍ୟବସ୍ଥା କରାଯିବ ।
ଜର୍ମାନ୍ ଟେଫ୍ରେର୍ଟ ସଲୁ୍ୟସନ୍ ଦ୍ୱାରା ବାଉଁଶକୁ ୱାଟର ପ୍ରୁଫ୍ କରାଯିବା ସହ ସର୍ଫେସ୍ ଟ୍ରିଟମେଣ୍ଟ ଦ୍ୱାରା ଏହାକୁ ଆସବାବପତ୍ର ନିର୍ମାଣ ପାଇଁ ସବୁ ପ୍ରକାରେ ପ୍ରସ୍ତୁତ କରାଯାଇ ପାରିବ ।
ପ୍ରୋସେସିଂ ୟୁନିଟ୍କୁ ଛାଡ଼ି ଦେଲେ ଆମେ ଖୁବଶୀଘ୍ର ବାଉଁଶ ଟ୍ରିଟମେଣ୍ଟ ଓ ସିଜନିଂ ପ୍ଲାଣ୍ଟ ବସାଇବୁ ।
ବାଉଁଶରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ପରିଚାଳନା କରିବା ପାଇଁ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ଏକ ବର୍ଜ୍ୟ ପରିଚାଳନା ମେସିନ ବସାଇବୁ ।
ବାଉଁଶ ହସ୍ତଶିଳ୍ପ କାରିଗରୀ, ଗହଣା ପ୍ରସ୍ତୁତି ପାଇଁ କୁଟୀର ଶିଳ୍ପ କେନ୍ଦ୍ର, ଆସବାବପତ୍ର ନିର୍ମାଣ କେନ୍ଦ୍ର, ବାଉଁଶ କରଡି ପ୍ୟାକେଜିଂ, ଧୂପକାଠି ୟୁନିଟର ସମ୍ପ୍ରସାରଣ ଭଳି ବିଷୟ ପ୍ରତି ଧ୍ୟାନ ଦେବୁ ।
ଓଡ଼ିଶାରେ ୩୭୪ ବର୍ଗ କିଲୋମିଟର ବାଉଁଶ ଜଙ୍ଗଲ ଥିବା ବେଳେ ୧୭,୭୯୪ ବର୍ଗ କିଲୋମିଟର ମିକ୍ସଡ ବାମ୍ବୋ ଜଙ୍ଗଲ ଥିବା ଜଣାଯାଇଛି ।
କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ୨୦୧୯ ମସିହାରେ ଭାରତ ବାଉଁଶରୁ ୨୮,୦୦୫ କୋଟି ଟଙ୍କା ଆୟ କରିଛନ୍ତି ।
ଦେଶରୁ ୨୦୧୫-୧୬ ମସିହାରେ ୦.୧୧ କୋଟି ଟଙ୍କା ଓ ୨୦୧୬-୨୦୧୭ ବର୍ଷରେ ୦.୩୨ କୋଟି ଟଙ୍କାର ବାଉଁଶ ଓ ବାଉଁଶ ପ୍ରସ୍ତୁତ ସାମଗ୍ରୀ ରପ୍ତାନୀ ହୋଇଥିବା ବେଳେ ଯଥାକ୍ରମେ ୧୪୮.୬୩ କୋଟି ଟଙ୍କା ଓ ୨୧୩.୬୫ କୋଟି ଟଙ୍କାର ବାଉଁଶ ଓ ବାଉଁଶ ସାମଗ୍ରୀ ଆମଦାନୀ ହୋଇଛି । ଏହାର ଅର୍ଥ ଭାରତରେ ବାଉଁଶ ଆମଦାନୀର ଚାହିଦା ଢେର ବେଶୀ ।
ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ତଥ୍ୟ ଅନୁସାରେ ଭାରତରେ ୧୪ ନିୟୁତ ହେକ୍ଟର ଜଙ୍ଗଲରେ ବାଉଁଶ ଚାଷ କରାଯାଉଥିବା ବେଳେ ତାହା ସମ୍ପୂର୍ଣ୍ଣ ଜଙ୍ଗଲର ୧୨ ପ୍ରତିଶତ ।
ଲୋକାଲ ୱାୟାର