ବାଲେଶ୍ୱର, ଜାନୁଆରୀ ୧୭(ଲୋକାଲ ୱାୟାର): ବାଲେଶ୍ୱର ସଦର ଥାନାଞ୍ଚଳରେ ସୁପାରୀ କିଲର ଦ୍ୱାରା ଝିଅକୁ ହତ୍ୟା କରିଥିବା ମା’ ସହ ସୁପାରୀ କିଲରକୁ ଗିରଫ କରାଯାଇଥିବା ସ୍ଥାନୀୟ ପୁଲିସ ରବିବାର କହିଛି ।
ନିକଟରେ ସଦର ଥାନାଞ୍ଚଳର ନଗ୍ରାମ ଅଞ୍ଚଳରେ ପୋଲ ତଳୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା ।
ତଦନ୍ତରୁ ଜଣାପଡ଼ିଥିଲା ଏହା ଶୁକୁରୀ ଓରଫ ସୁକାନ୍ତି ଜେନାଙ୍କ ଝିଅ ଶିବାନୀ (୩୬)ର ବୋଲି ଚିହ୍ନଟ ହୋଇଥିଲା ।
ପୁଲିସ ଏହି ଘଟଣାର ତଦନ୍ତ କରି ଜାଣିବାକୁ ପାଇଥିଲା ୫୦ ହଜାର ଟଙ୍କା ସୁପାରୀ ଦେଇ ମା’ ନିଜେ ଝିଅକୁ ହତ୍ୟା କରାଇଛି ।
୫୦ ହଜାର ଟଙ୍କା ସୁପାରୀ ନେଇ ପ୍ରମୋଦ ଜେନା ନାମକ ଡ୍ରାଇଭର ହିଁ ଶିବାନୀକୁ ହତ୍ୟା କରିଥିଲା ।
ଶିବାନୀ ବେଆଇନ ମଦ କାରବାରରେ ଜଡ଼ିତ ଥିବାରୁ ମା’ ସୁକାନ୍ତି କ୍ଷୁବ୍ଧ ହୋଇ ଏପରି ଘଟଣା ଘଟାଇଛି ।
ଶିବାନୀ ବିବାହିତ ହୋଇଥିଲେ ମଧ୍ୟ ବିଗତ ୧୧ ବର୍ଷ ଧରି ସେ ମା’ ସହ ରହୁଥିଲା । ପ୍ରମୋଦକୁ ଶିବାନୀ ଚିହ୍ନିଥିବାରୁ ସେ ତା’ ସହ ବିଭିନ୍ନ ସ୍ଥାନକୁ ଯାଇଥାଏ ।
ନିକଟରେ ପ୍ରମୋଦ ଶିବାନୀକୁ ଏକ ସ୍ଥାନକୁ ନେଇ ଦୁଇ ଜଣ ବନ୍ଧୁଙ୍କ ସହ ପଥରେ ଛେଚି ହତ୍ୟା କରିବା ପରେ ମୃତଦେହକୁ ଏକ ପୋଲ ତଳେ ଫିଙ୍ଗି ଦେଇଥିଲେ ।
ଇତି ମଧ୍ୟରେ ସୁକାନ୍ତି ଓ ପ୍ରମୋଦଙ୍କୁ ଗିରଫ କରାଯାଇଛି । ହତ୍ୟା ଘଟଣାରେ ଜଡ଼ିତ ଅନ୍ୟ ୨ ଜଣଙ୍କୁ ଖୋଜା ଚାଲିଥିବା ପୁଲିସ କହିଛି ।
ଲୋକାଲ ୱାୟାର