ଭୁବନେଶ୍ୱର, ଜାନୁଆରୀ ୨୬ (ଲୋକାଲ ୱାୟାର): ଟିକାକରଣ ଅଭିଯାନରେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ଠାରୁ ଆଗୁଆ ରହିଥିବା ଅତିରିକ୍ତ ମୁଖ୍ୟ ସଚିବ (ସ୍ୱାସ୍ଥ୍ୟ) ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ।
ଆପଣ କିପରି ଏହା ହାସଲ କଲେ?
ଶତ ପ୍ରତିଶତ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରିଥିଲୁ । ସଂଖ୍ୟା ଦୃଷ୍ଟିରୁ ଆମେ ଶୀର୍ଷ ତିନି ରାଜ୍ୟ ମଧ୍ୟରେ ରହିଛୁ ।
ଆମେ ଭାଗ୍ୟବାନ ଯେ, ରାଜ୍ୟବାସୀ ଟିକା ନେବାକୁ ଆଗ୍ରହୀ ଅଛନ୍ତି । ଟିକାକରଣ ପ୍ରକ୍ରିୟାର ପ୍ରଥମ ଦୁଇଦିନ କିଛି ସ୍ୱାସ୍ଥ୍ୟ କର୍ମୀ ଟିକା ନେବାକୁ କୁଣ୍ଠିତ ହେଉଥିଲେ ମଧ୍ୟ ତୃତୀୟ ଦିନ ବେଳକୁ ସେମାନେ ଆଗେଇ ଆସିଥିଲେ ।
ଏଥିପାଇଁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ ହୋଇଥିଲା । ଟିକା ନେବାକୁ କିଛି ସ୍ୱାସ୍ଥ୍ୟ କର୍ମୀ ଆଗ୍ରହୀ ହୋଇ ନପାରନ୍ତି ଆଶଙ୍କା କରି ଦୈନିକ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୨୫ରୁ ୫୦ ପ୍ରତିଶତ ଅଧିକ ଲୋକଙ୍କୁ ଟିକାକରଣ ପାଇଁ ଡକା ଯାଇଥିଲା ।
ଏହି ଯୋଜନା ସଫଳ ହୋଇଥିଲା । କୌଣସି କାରଣବଶତଃ ଟିକା ନେଇ ପାରିନଥିବା ବ୍ୟକ୍ତି ସୁବିଧା ଅନୁଯାୟୀ ପରେ ଟିକା ନେବାକୁ ଅନୁମତି ମିଳିଥିଲା । ବହୁ ପଞ୍ଜିକୃତ ସ୍ୱାସ୍ଥ୍ୟ କର୍ମୀ ପାଳି ପଡ଼ିବା ପୂର୍ବରୁ ଟିକା ନେଇଥିଲେ ।
ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ କିପରି ଦୂରେଇଥିଲେ?
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ତରଫରୁ ଟିକାର ସୁରକ୍ଷା, ଦକ୍ଷତା ଓ ରୋଗ ପ୍ରତିରୋଧକ ଶକ୍ତି ସମ୍ପର୍କରେ ବିଭିନ୍ନ ପର୍ଯ୍ୟାୟରେ ସଚେତନତା ଅଭିଯାନ ହୋଇଥିଲା । ଫଳରେ ଦ୍ୱନ୍ଦ୍ୱ ଦୂରେଇଥିଲା ।
ନିର୍ଦ୍ଦିଷ୍ଟ କିଛି ସ୍ୱାସ୍ଥ୍ୟ କର୍ମୀ ଟିକା ସୁରକ୍ଷା ଯୋଗୁଁ ନୁହେଁ ବରଂ ଦାବି ପୂରଣ ନହେଲେ ଟିକା ନେବେ ନାହିଁ ବୋଲି କହିଥିଲେ । ଜିଲ୍ଲା ଓ ବ୍ଲକସ୍ତରୀୟ ଟାସ୍କଫୋର୍ସ ଠାରୁ ଫିଡବ୍ୟାକ ନିଆଯାଇଥିଲା ।
କୋୱିନ ଅଚଳ ସମସ୍ୟାର କିପରି ମୁକାବିଲା କଲେ?
ଟିକାକରଣ ପୂର୍ବରୁ ସମସ୍ତ ସମ୍ଭାବ୍ୟ ସ୍ଥିତି ସମ୍ପର୍କରେ ବିବେଚନା କରାଯାଇଥିଲା । ବିକଳ୍ପ ଭାବେ ଜିଲ୍ଲାଗୁଡ଼ିକୁ ଗୁଗୁଲ ସ୍ପ୍ରେଡସିଟରେ ତାଲିକା ରଖିବାକୁ କୁହାଯାଇଥିଲା ।
ଶାଳିନୀ ପଣ୍ଡିତଙ୍କ ନେତୃତ୍ୱାଧୀନ ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ଏହି ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ।
ଏହାଦ୍ୱାରା ଉପଯୁକ୍ତ ବିଶ୍ଳେଷଣ ଓ ଅସଙ୍ଗତି ଦୂରେଇବା ପାଇଁ ପ୍ରକୃତ ତଥ୍ୟ ମିଳିଥିଲା ।
କୌଣସି ସ୍ଥାନରେ କମ ଟିକାକରଣ ହେଲେ ଆମେ ସହଜରେ ଜାଣି ଜିଲ୍ଲା ପ୍ରଶାସନକୁ ଧ୍ୟାନ ଦେବାକୁ କହୁଥିଲୁ ।
କିଛି କୌଶଳ ପରିବର୍ତ୍ତନ କିମ୍ବା କେନ୍ଦ୍ର ଯୋଜନାରେ ପରିବର୍ତ୍ତନ କରିବାକୁ ପଡ଼ିଥିଲା କି?
ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରିବା ଓ ଅନୁଷ୍ଠାନର ମୁଖ୍ୟ ପ୍ରଥମେ ଟିକା ନେବା ଭଳି ରଣନୀତି ଯୋଗୁଁ ଲୋକଙ୍କ ମନରେ ବିଶ୍ୱାସ ଜନ୍ମିଥିଲା । ଖୁସିର କଥା, ଟିକାକରଣ ପରେ ସେପରି କୌଣସି ଗୁରୁତର ସମସ୍ୟା ଦେଖାଯାଇନାହିଁ ।
ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ବଡ଼ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ସମସ୍ତ କାର୍ଯ୍ୟଦିବସରେ ଟିକାକରଣ ହେଉଛି ।
ଫଳରେ ଶୀଘ୍ର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେଉଛି । ଜରୁରୀକାଳୀନ ସେବା ଯେପରି ପ୍ରଭାବିତ ନହୁଏ ସେଥିପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ସୋମବାର, ଗୁରୁବାର, ଶନିବାର ଟିକାକରଣ ହେଉଛି ।
ଆଗାମୀ ପର୍ଯ୍ୟାୟରେ ଟୀକାକରଣ ଲକ୍ଷ୍ୟ ଧାର୍ଯ୍ୟ ପାଇଁ କି ଯୋଜନା ରହିଛିି?
କୋ-ୱିନ ଠିକଣା ଭାବେ କାମ କଲେ ହିତାଧିକାରୀ ଏମଏମଏସ ପାଇପାରିବେ । ଫଳରେ ହିତାଧିକାରୀଙ୍କୁ ଯୋଗାଯୋଗ କରିବାରେ କୌଣସି ସମସ୍ୟା ହେବ ନାହିଁ ।
ଏହି ପ୍ରକ୍ରିୟା ଶତ ପ୍ରତିଶତ ତ୍ରୁଟିଶୂନ୍ୟ କି?
ପ୍ରତ୍ୟେକ ହିତାଧିକାରୀ ଓ ତାଙ୍କ ଡୋଜ ସମ୍ପର୍କରେ କୋ-ୱିନରୁ ସବିଶେଷ ସୂଚନା ମିଳିପାରିବ । ଟିକାକରଣ ସେସନଗଡ଼ିକ ନିର୍ବାଚନୀ ମଡେଲ ଭଳି ପରିଚାଳିତ ହେବ ।
ଏହି ଅଭିଯାନ ପାଇଁ ଭିତ୍ତିଭୂମି ଉନ୍ନତ କରାଯାଇଛି କି?
ଟିକାକରଣ ପ୍ରକ୍ରିୟା ପାଇଁ ଆଇଟି ପ୍ଲାଟଫର୍ମ ଦରକାର ଥିବାରୁ ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ପୂର୍ବରୁ ଅଧିକ ପ୍ରଯୁକ୍ତିବିତଙ୍କ ଆବଶ୍ୟକତା ରହିଛି ।
ଅଧିକ ଲୋକ ଟିକାକରଣ ପାଇଁ ଆସିପାରନ୍ତି । ଜିଲ୍ଲାଗୁଡ଼ିକୁ ସେହି ଅନୁଯାୟୀ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି ।
କେଉଁ ଟିକା ନେବେ ଲୋକେ ଚୟନ କରିପାରିବେ କି?
କୋ-ୱିନ ପୋର୍ଟାଲରେ ପଞ୍ଜିକୃତ ହିତାଧିକାରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟିକା ଯୋଗାଇ ଦେଉଛି । ବଜାରରେ ଯେତେବେଳେ ବିଭିନ୍ନ କମ୍ପାନୀର ଟିକା ଉପଲବ୍ଧ ହେବ ସେତେବେଳେ ହୁଏତ ଲୋକଙ୍କ ପସନ୍ଦକୁ ଗୁରୁତ୍ୱ ଦିଆଯାଇପାରେ ।
ଏବେ ରାଜ୍ୟର କରୋନା ସ୍ଥିତି କିପରି ରହିଛି?
ସାରା ଦେଶରେ ସଂକ୍ରମଣ କମିଛି । ବିଭିନ୍ନ ପ୍ରକାର ରଣନୀତିର ସଫଳ କାର୍ଯ୍ୟାନ୍ୱୟନ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।
ଓଡ଼ିଶାରେ କରୋନା ମୂତ୍ୟୁ ହାର ବେଶ ହ୍ରାସ ପାଇଛି । ଏବେ ମୂତ୍ୟୁ ହାର ୦.୫୭ ପ୍ରତିଶତ ରହିଛି ।
ଲୋକାଲ ୱାୟାର