ଭୁବନେଶ୍ବର, ମାର୍ଚ୍ଚ ୩ (ଲୋକାଲ ୱାୟାର): ଗାଁଗହଳିରେ ଥିବା ଓଡିଆ ଲୋକକଳାକୁ ଉପହାର ମାଧ୍ୟମରେ ବିଭିନ୍ନ ସ୍ଥାନରୁ ଆଣି ଗୋଟିଏ ସ୍ଥାନରେ ଏକତ୍ରିତ କରାଇଛନ୍ତି ଲଭଲି ଅବସେସନ୍ସର ନାଜିଆ ଅଲି ।
ଭୁବନେଶ୍ବର ପଟିଆସ୍ଥିତ ତାଙ୍କର ଏହି ଉପହାର ଷ୍ଟୋରରେ ରହିଛି ବିଭିନ୍ନ ଅଞ୍ଚଳର କଳାକାରଙ୍କ ହାତ ତିଆରି ସାମଗ୍ରୀ, ପଟ୍ଟଚିତ୍ର ଓ ଟେରାକୋଟା ସାଙ୍ଗକୁ ଆହୁରି ଅନେକ କଳାକୃତି।
କର୍ପୋରେଟ୍ ଜଗତରେ ଓଡ଼ିଆ ଲୋକକଳା ଓ କାରିଗରଙ୍କୁ ପରିଚିତ କରାଇଥିବା ନାଜିଆଙ୍କ ସହ ଲୋକାଲ ୱାୟାରର ସ୍ଵତନ୍ତ୍ର ସାକ୍ଷାତକାର ।
ଲଭଲି ଅବସେସନ୍ସର ମୁଖ୍ୟ କାର୍ଯ୍ୟ କଣ ?
– ଆମେ ତୃଣମୂଳ ସ୍ତରରେ କଳାକାର ଓ ସେମାନଙ୍କ ହସ୍ତକଳା ସହ ସମ୍ପର୍କ ସ୍ଥାପନ କରୁ ଓ ଆମ ରାଜ୍ୟର ବିଭିନ୍ନ ହସ୍ତକଳାକୁ ଆଣି କର୍ପୋରେଟ କ୍ଷେତ୍ର ସହ ତାକୁ ପରିଚୟ କରାଉ।
ନାଜିଆ ଓ ଲଭଲି ଅବଶେସନ୍ସର କିପରି ଜଡିତ ?
-ରାଉରକେଲାରେ ସ୍କୁଲରେ ପଢିବା ସମୟରେ ଦେଖିଛି, ବିଶେଷତଃ ଓଡିଆମାନଙ୍କ ଉପହାରର ଭୂମିକା ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ।
ହାତଲେଖା କାଗଜ ଖଣ୍ଡେ ହେଲେ ମଧ୍ୟ ଅନେକ ଲୋକ ତାକୁ ସାଇତି ରଖନ୍ତି, ସେବେଠାରୁ ଉପହାର ପ୍ରତି ମୋର ଆକର୍ଷଣ ବଢିଯାଇଥିଲା ।
ଓଡିଶାରେ କଳାକାରମାନେ ଏତେ ସୁନ୍ଦର ସୁନ୍ଦର ହସ୍ତକଳା ତିଆରି କରନ୍ତି ଯେ, ସେମାନେ ହିଁ ରାଜ୍ୟ ପାଇଁ ଏକ ଉପହାର ଭଳି ମନେ ହୁଅନ୍ତି।
ତେଣୁ ସେମାନଙ୍କ ହାତ ତିଆରି ସାମଗ୍ରୀ ଲୋକଲୋଚନକୁ ଆଣିବା ନାଜିଆ ଓ ଲଭଲି ଅବସେସନ୍ସ ଦୁହିଁଙ୍କର ଉଦ୍ଦେଶ୍ୟ।
କେବେଠାରୁ କଳାକାର ଓ ଲୋକଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିଆସୁଛନ୍ତି ଓ ଏହି ଅନୁଭୂତି କିପରି ?
-୨୦୧୫ରେ ମୁଁ ଏଥିରେ ହାତ ଦେଇଥିଲି।
ଆମେ ପ୍ରଥମେ କଳାକାରଙ୍କ ସହ ଯୋଗାଯୋଗ କରି ନିଜ ବନ୍ଧୁମାନଙ୍କ ମଧ୍ୟରେ ଏହାକୁ ପରିଚିତ କରାଇଥିଲୁ ।
ପ୍ରଥମ ଦୁଇ ବର୍ଷ ସେତେ ଭଲ ବ୍ୟବସାୟ ହୋଇପାରିନଥିଲା ଆଉ ଲୋକଙ୍କ ନିକଟବର୍ତ୍ତୀ ହେବା ଖୁବ ସଂଘର୍ଷମୟ ରହିଥିଲା ।
ମାତ୍ର ପରେ ୨୦୧୭ରେ ବିଭିନ୍ନ ଚିତ୍ରକଳା, ହସ୍ତକଳା, ପଟ୍ଟଚିତ୍ର ଓ ଆଦିବାସୀ କଳାକାରଙ୍କ ବିଭିନ୍ନ କରୁକଳା ଲୋକଙ୍କ ପସନ୍ଦଯୋଗ୍ୟ ହୋଇପାରିଲା ।
ବର୍ତ୍ତମାନ ଲୋକେ ସୋସିଆଲ ମିଡିଆ ଓ ୱେବସାଇଟ୍ ମାଧ୍ୟମରେ ଅର୍ଡର୍ ଦେଉଛନ୍ତି।
ଆଗାମୀ ଦିନରେ କଣ ଯୋଜନା ରହିଛି ?
-ଆଗାମୀ ଦିନରେ ରାଜ୍ୟ ପର୍ଯ୍ୟଟନ ବିଭାଗ ସହିତ ସହବନ୍ଧିତ ହୋଇ ପର୍ଯ୍ୟଟକଙ୍କ ଜାଣିବା ପାଇଁ ବିଭିନ୍ନ ସ୍ଥାନରେ କଳାକାରଙ୍କ ପ୍ରଚାର ପାଇଁ ସେଠାରେ ବିଭିନ୍ନ କଳାକୃତି ପ୍ରଦର୍ଶନ କରିବାର ଯୋଜନା ରହିଛି ।
କେବଳ ଭୁବନେଶ୍ବରରେ ନୁହେଁ, ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଓଡ଼ିଆ ଲୋକକଳାକୁ ପରିଚିତ କରାଇବା ପାଇଁ ଏପରି ଅନେକ ଦୋକାନ ଓ ଶୋ-ରୁମ କରିବାକୁ ଆଶା ରଖିଛି ।
ବର୍ତ୍ତମାନ ଅଦାନି, ବେଦାନ୍ତ ଗ୍ରୁପ, ଇଣ୍ଡିଆନ ଅଏଲ୍, ଏମ୍.ଏସ୍.ଏମ୍.ଇ, ଡବ୍ଲୁଟିସି ଭୁବନେଶ୍ବର ଆଦିରେ ଆମ ଉପହାର ପହଞ୍ଚାଇ ପାରିଛୁ ।
ଲଭଲି ଅବସେସନ୍ସ ଷ୍ଟୋରକୁ ନେଇ କଣ କହିବେ ?
-ଲଭଲି ଅବସେସନ୍ସରେ କେବଳ ଓଡିଆ ହସ୍ତକଳା ଓ ଚିତ୍ରକଳା ନାହିଁ, ବିଭିନ୍ନ ପ୍ରକାର ଫୁଲତୋଡା, ବୁକେ ଇତ୍ୟାଦି ମଧ୍ୟ ରହିଛି।
ଆମେ ସବୁ ସାମଗ୍ରୀ ସୋସିଆଲ ମିଡିଆରେ ସ୍ଥାନୀୟ କରିଛୁ।
ମୁଖ୍ୟତଃ ତିନିଜଣ ଏହିସବୁ ଉପହାର, ଫୁଲତୋଡା ଓ ବିଭିନ୍ନ ସୁନ୍ଦର ଉପହାର ପ୍ରସ୍ତୁତ କରିବାରେ ସହଯୋଗ କରୁଛନ୍ତି।
ଲୋକାଲ ୱାୟାର୍