ଭୁବନେଶ୍ୱର,ନଭେମ୍ବର ୪(ଲୋକାଲ ୱାୟର) ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ରାଜଧାନୀରେ ମହାସମାବେଶ ପାଇଁ ଚାଷୀମାନେ ମେଳି ହୋଇଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଉପକଣ୍ଠ କେତେକ ସ୍ଥାନରେ ରବିବାର ୧୪୪ ଧାରା ଜାରି କରାଯାଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।
ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଗତ ମାସ ୨୯ ତାରିଖରୁ ଭୁବନେଶ୍ୱର ଚାଲ୍ ଡାକରା ଦିଆଯାଇଥିଲା । ବହୁ ସଂଖ୍ୟକ ଚାଷୀ ବିଭିନ୍ନ ବାଲୁଗାଁ ଓ କୁଆଖିଆ ଅଞ୍ଚଳରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।
ରବିବାର ଅପରାହ୍ଣରେ ଶହ ଶହ ଚାଷୀ ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଓ ହଂସପାଳଠାରେ ପହଞ୍ଚିଥିଲେ । ତେପେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଉପକଣ୍ଠ କେତେକ ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିବା କମିଶନେରେଟ ପୁଲିସର ଅଧିକାରୀ କହିଛନ୍ତି ।
ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ମଧ୍ୟ ହଂସପାଳଠାରେ ଚାଷୀ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି । ରବିବାର ରାତିରେ ରାଜଧାନୀ ଉପକଣ୍ଠରେ ବହୁ ସଂଖ୍ୟକ ଚାଷୀ ରାତ୍ରିଯାପନ କରିଛନ୍ତି ।
ତେବେ ସୋମବାର ପ୍ରାୟ ୧୦ ହଜାର ଚାଷୀ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ମହା ସମାବେଶରେ ସାମିଲ ହେବେ ବୋଲି ନବ ନିର୍ମାଣ କୃଷକ ସଙ୍ଗଠନର ସଂଯୋଜକ ଅକ୍ଷୟ କୁମାର କହିଛନ୍ତି ।
ମରୁଡ଼ି ଓ ଚକଡ଼ା ମାଡ଼ରେ ଚାଷୀ ନୟାନ୍ତ ହେଉଥିବା ବେଳେ ସରକାରଙ୍କ ଚାଷୀ ମାରଣ ନୀତି ଚାଷୀଙ୍କୁ ଧ୍ୱଂସ କରିଦେବ ବୋଲି ଅଭିଯୋଗ କରିଛନ୍ତି ସଙ୍ଗଠନର ସଂଯୋଜକ ଶେଷଦେବ ନନ୍ଦ ।
ଉଲ୍ଲେଖ ଯୋଗ୍ୟ, ୨୦ ବର୍ଷରୁ ଅଧିକ ବର୍ଷର ପ୍ରତ୍ୟେକ ଚାଷୀଙ୍କୁ ମାସିକ ୫ ହଜାର ଟଙ୍କା ପେନସନ୍, ରାଜ୍ୟର ୩୬ ଲକ୍ଷ ଚାଷୀଙ୍କୁ ସୁରକ୍ଷା ଭତ୍ତା ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱାମୀନାଥନ କମିଟି ରିପୋର୍ଟ କାର୍ଯ୍ୟକାରୀ କରାଯିବା ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନ ଦୀର୍ଘ ବର୍ଷ ଧରି ଆନ୍ଦୋଳନ ଜାରି ରଖିଛି ।
ଲୋକାଲ ୱାୟର