ଆଦିବାସୀବହୁଳ ମାଲାକାନଗିରି ଜିଲ୍ଲାରେ ଶିକ୍ଷାର ଅବସ୍ଥା ଶୋଚନୀୟ ହୋଇ ପଡିଥିବା ବେଳେ ଏହି ସମୟରେ ଜିଲ୍ଲା ଦୁଇଜଣ ଝିଅ ନିଜ ଉଦ୍ୟମରେ ସ୍ଥାନୀୟ ପିଲାଙ୍କୁ ପାଠ ପଢାଇ ଶିକ୍ଷିତ କରିବା ପାଇଁ ଆଗେଇ ଆସିଛନ୍ତି ।
ଏହି ଦୁଇ ଝିଆ ହେଲେ ଗୋରାସେତୁ ଗାଁର କୁସମଣୀ ଓ ତୋଙ୍ଗପାଲୀ ଗାଁର ନମିତା ।
ଗୋରାସେତୁ ଗାଁର କୁସମଣୀ :
ମାଓ ପ୍ରବଣ ଅଂଚଳ ଚିତ୍ରକୋଣ୍ଡା ବ୍ଲକର ଗୋରାସେତୁ ଗାଁର ୧୯ ବର୍ଷୀୟ ଝିଅ କୁସମଣୀ ଖିଲୋ ।
ମାଓବାଦୀଙ୍କ ଗଡ ଭାବେ ପରିଚିତ ଏହି ଦୁର୍ଗମ ଓ ଉପାନ୍ତ ଅଂଚଳର କୁସମଣୀ କିନ୍ତୁ ଶିକ୍ଷାର ଆଲୋକ ବାଂଟୁଛନ୍ତି ।
କୋରୋନା ସମୟରେ ସ୍କୁଲ ବନ୍ଦ ଥିବାରୁ କୁସମଣୀ ନିଜ ଅଂଚଳର ପିଲାମାନଙ୍କୁ ପଢାଇବା ପାଇଁ ନିଷ୍ପତ୍ତିି ନେବା ସହ ପିଲାମାନଙ୍କୁ ଦୁଇ ଓଳା ପାଠ ପଢାଉଛନ୍ତି ।
ଦିନରେ ଗାଁର ବିଦ୍ୟାଳୟରେ ଓ ରାତିରେ ଅଙ୍ଗନବାଡି କେନ୍ଦ୍ରରେ ଛୋଟ ଛୋଟ ପିଲାଙ୍କୁ ଶିକ୍ଷାଦାନ କରନ୍ତି ସେ ।
କୁସମଣୀ ନିଜେ ଚିତ୍ରକୋଣ୍ଡା ଆବାସିକ ବିଦ୍ୟାଳୟରୁ ହାଇସ୍କୁଲ ପାଠ ପଢା ସାରିଛନ୍ତି ।
ଏବେ ସେ ବାଲିମେଳା ମହାବିଦ୍ୟାଳୟରେ ଯୁକ୍ତ ତିନି କଳାର ତୃତୀୟ ବର୍ଷର ଛାତ୍ରୀ ।
କୋରୋନା ଯୋଗୁଁ ତାଙ୍କ କଲେଜ୍ ବନ୍ଦ ରହିଥିବାରୁ ନିଜ ଅଂଚଳର ପିଲାମାନଙ୍କୁ ପଢାଇବେ ବୋଲି ସେ ସ୍ଥିର କରିଛନ୍ତି । ।
ଘର ଘର ବୁଲି ସେ ପିତାମାତାଙ୍କୁ ବୁଝାଇ ପିଲାମାନଙ୍କୁ ପାଠ ପଢିବା ପାଇଁ ଛାଡିବାକୁ କହିଥିଲେ ।
ବିଶେଷକରି ଝିଅମାନଙ୍କୁ ପାଠ ପଢାଇବା ପାଇଁ ସେ ସମସ୍ତଙ୍କୁ ବୁଝାଉଛନ୍ତି । ଏହା ଫଳରେ ଗାଁର ଅଧିକରୁ ଅଧିକ ଝିଅ ପାଠ ପଢା ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି ।
କୁସମଣୀ କହନ୍ତି, “ମୁଁ ଜଣେ ଝିଅ ହୋଇ ପାଠ ପଢାଉଥିବାରୁ ଗାଁ ଲୋକେ ସେମାନଙ୍କ ଝିଅ ମଧ୍ୟ ପାଠ ପଢୁ ବୋଲି ଭାବୁଛନ୍ତି ଏବଂ ମୋ ପାଖକୁ ପାଠ ପଢିବା ପାଇଁ ଛାଡୁଛନ୍ତି ।
ଝିଅ ମଧ୍ୟ ପୁଅମାନଙ୍କ ପରି ସବୁ କିଛି କରିପାରିବ । ତେଣୁ ଝିଅଙ୍କୁ ଶୀଘ୍ର ବାହା ନଦେବାକୁ ମଧ୍ୟ ମୁଁ ଲୋକଙ୍କୁ ବୁଝାଉଛି ।”
ତୋଙ୍ଗପାଲୀ ଗାଁର ନମିତା :
କୁସମଣୀଙ୍କ ପରି ଆଉ ଜଣେ ଝିଅ ହେଉଛନ୍ତି ଉଡୁପା ପଂଚାୟତର ସୀମାନ୍ତ ତୋଙ୍ଗପାଲୀ ଗାଁର ନମିତା ମାଡକାମୀ ।
ଅର୍ଥ ଅଭାବରୁ ଅଧାରୁ କଲେଜ୍ ପାଠପଢା ଛାଡିଥିଲେ ମଧ୍ୟ ତାଙ୍କର ପାଠ ପଢିବା ଓ ପଢାଇବାର ନିଶା ଯାଇନାହିଁ ।
ସେ ଦୁଇବର୍ଷରୁ ନିଜ ଗାଁ ସ୍କୁଲରେ ପିଲାଙ୍କୁ ପାଠ ପଢାଉଛନ୍ତି । ତାଙ୍କ ପାଠ ପଢା ଶୈଳୀ କୌଣସି ତାଲିମ ପ୍ରାପ୍ତ ଶିକ୍ଷକଙ୍କ ଠାରୁ କମ୍ ନୁହେଁ ।
ବିଶେଷକରି ସ୍ଥାନୀୟ ଭାଷାରେ ସେ ପିଲାଙ୍କ ସହ ଭାବ ବିନିମୟ କରିବା ସହିତ ସେହି ଭାଷାରେ ପିଲାଙ୍କୁ ପାଠ ବୁଝାଉଥିବାରୁ ସେ ପିଲାମାନଙ୍କର ବେଶ୍ ପ୍ରୀୟ ହୋଇପାରିଛନ୍ତି ।
ନମିତା ନିଜେ ବହୁ ସମସ୍ୟାର ସାମ୍ନା କରି ମାଟ୍ରିକ ପର୍ଯ୍ୟନ୍ତ ପଢିଥିଲେ ଏବଂ ଏମଭି-୭୯ କଲେଜ୍ ରେ ନାଁ ଲେଖାଇଥିଲେ ।
କିନ୍ତୁ ଅର୍ଥ ଅଭାବରୁ ସେ ଅଧାରୁ କଲେଜ୍ ପାଠ ଛାଡି ଚାଲି ଆସିଥିଲେ । କିନ୍ତୁ ନିଜେ ପାଠ ପଢିବା ଓ ଅନ୍ୟକୁ ଶିକ୍ଷିତ କରାଇବାର ତାଙ୍କର ଲକ୍ଷ୍ୟ ମଉଳି ନଥିଲା । ସେ ଗାଁର ପିଲାମାନଙ୍କୁ ପାଠ ପଢାଇବା ଆରମ୍ଭ କଲେ ।
ତାଙ୍କର ଆଗ୍ରହ ଦେଖି ଗାଁ ଲୋକେ ତାଙ୍କୁ ସ୍କୁଲରେ ପଢାଇବା ପାଇଁ କହିଲେ । ଏବେ ସେ ସ୍କୁଲରେ ପାଠ ପଢାଉଛନ୍ତି ।
ତାଙ୍କୁ ଗାଁ ଲୋକେ ମାସିକ ଏକ ହଜାର ଟଙ୍କା ପାରିଶ୍ରମିକ ଆକାରରେ ଦେଉଛନ୍ତି । ଏହି ଟଙ୍କା ସଂଚୟ କରି ସେ ଆଗକୁ ନିଜ ପାଠପଢା ସାରିବେ ବୋଲି କହିଛନ୍ତି ।
ଏନେଇ ନମିତା କୁହନ୍ତି, ମୁଁ ପ୍ରାଥମିକ ସ୍କୁଲରେ ପଢିବା ବେଳେ ବହୁ ସମସ୍ୟାରେ ଗତି କରିଛି ।
ତେବେ ଏହି ସମସ୍ୟା ଆମ ଗାଁର ପିଲାମାନେ ନ ଭୋଗନ୍ତୁ, ସେଥିପାଇଁ ମୁଁ ପିଲାମାନଙ୍କୁ ପଢାଇବା ପାଇଁ ଆଗକୁ ବାହାରିଛିା ଏହା ମୋତେ ଖୁସୀ ଦେଉଛି ଯେ ମୋତେ ଦେଖି ଅନ୍ୟ ପିଲାମାନେ ବିଶେଷକରି ଝିଅମାନେ ପାଠ ପଢିବାକୁ ଆଗକୁ ଆସୁଛନ୍ତି ।
କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।
ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।
ଯାହା ଅନ୍ୟମାନଙ୍କୁ ବିକାଶର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛି ।