ଭୁବନେଶ୍ୱର, ଜାନୁଆରୀ ୫(ଲୋକାଲ ୱାୟାର): ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ଓ ବ୍ରହ୍ମପୁର ନିକଟରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ ଏବଂ ଅବକାରୀ ବିଭାଗ ଭିନ୍ନ ଭିନ୍ନ ଚଢ଼ାଉରେ ପ୍ରାୟ ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ କରିଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି ।
ବ୍ରହ୍ମପୁର ଅବକାରୀ ବିଭାଗର କର୍ମଚାରୀମାନେ ରାଜପଥରେ ଏକ ନଡ଼ିଆକତା ବୋଝେଇ ଟ୍ରକ, ଏକ କାର ଏବଂ ଏକ ପିକ ଅପ୍ ଭ୍ୟାନକୁ ଅଟକାଇ ତଲାସୀ କରିବାରୁ ୧୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିଲେ ।
ଜବତ ଗଞ୍ଜେଇର ବଜାର ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି ।
ଏହି ଗଞ୍ଜେଇକୁ ଗଜପତିରୁ ଉତ୍ତରାଖଣ୍ଡ ନିଆଯାଉଥିବା ବେଳେ ଏହି କାରବାରରେ ଜଡ଼ିତ ତିନି ଜଣଙ୍କୁ ଗିରଫ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।
ଅପରପକ୍ଷରେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାର ଟିକରପଦା ହରିଜନ ସାହି ନିକଟରେ ଏକ ୧୨ ଚକିଆ ଟ୍ରକକୁ ଆଜି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ ଅଟକାଇ ତଲାସୀ କରିବାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତି ।
ଟ୍ରକରୁ ପ୍ରାୟ ୨ ଟନ୍ ଗଞ୍ଜେଇ ମିଳିଥିବା ବେଳେ ଏହାର ବଜାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ।
ତେବେ ଟ୍ରକରେ ଥିବା ୩ ଜଣ ବ୍ୟକ୍ତି ଖସିଯିବାରେ ସକ୍ଷମ ହୋଇଛନ୍ତି । ସେମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ଶୀଘ୍ର ଗିରଫ କରାଯିବ ବୋଲି ଏସଟିଏଫ ପକ୍ଷରୁ କୁହାଯାଇଛି ।
ଲୋକାଲ ୱାୟାର