ଭୁବନେଶ୍ୱର, ଅଗଷ୍ଟ ୪ (ଲୋକାଲ ୱାୟାର) : ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଦଶମ ସ୍ଥାନ ହାସଲ କରିଥିବା ସଞ୍ଜିତା ମହାପାତ୍ରଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର ।
୧- ସିଭିଲ ସର୍ଭିସ ଆଇଏଏସ୍ ପରୀକ୍ଷାରେ ଆପଣ ୧୦ମ ସ୍ଥାନରେ ରହିଛନ୍ତି ।ଏଥିପାଇଁ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ । କହିବେ କି ଆପଣଙ୍କ ପ୍ରସ୍ତୁତି କିପରି ଥିଲା ଓ ଏହାର ଶ୍ରେୟ କାହାକୁ ଦେବେ?
ସିଭିଲ ସର୍ଭିସ ପ୍ରସ୍ତୁତି ଏକ ଲମ୍ବା ଯାତ୍ରା । ଏହାର ସମସ୍ତ ଶ୍ରେୟ ମୁଁ ମୋ ପରିବାର ଓ ଗୁରୁଜନମାନଙ୍କୁ ଦେବି ।
କାରଣ ସେମାନଙ୍କ ସହଯୋଗରେ ମୁଁ ଏତେ ବାଟ ଆସିପାରିଛି । ଆଉ ମୋ ସ୍ୱାମୀ, ଶାଶୂ ଓ ଶଶୂର ବହୁତ ସହଯୋଗ କରିଛନ୍ତି ।
ମୋ ସଫଳତାର ଶ୍ରେୟର ଅଧିକାରୀ କେବଳ ସେମାନେ । କୌଣସି କଥାରେ ହତୋତ୍ସାହିତ ହେଲେ ସେମାନେ କହୁଥିଲେ ତୁମେ ପାରିବ ।
ସ୍କୁଲ କଲେଜ ଓ ବିଶ୍ୱବିଦ୍ୟାଳୟର ପ୍ରତିଟି ବନ୍ଧୁଙ୍କ ଅବଦାନ ମୋ ସଫଳତା ପଛରେ ରହିଛି । ସେମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସହଯୋଗ କରିଥିଲେ ।
୨- କେତେ ଘଣ୍ଟା ପରିଶ୍ରମ କରିଥିଲେ ?
ଆପଣ ଏଇ ଯେଉଁ ପ୍ରଶ୍ନ ପଚାରନ୍ତି ତାହାର ସଠିକ୍ ଉତ୍ତର କିଛି ନାହିଁ । କାରଣ ଆମେ ଯେତେ ସମୟ ପଢିବା ମନ ଦେଇ ପଢିବା ଦରକାର ।
ପ୍ରତିଦିନ ମୁଁ କାର୍ଯ୍ୟଖସଡା ହିସାବରେ ପାଠ ପଢୁଥିଲି । ଏଥିପାଇଁ ଗୋଟିଏ ସପ୍ତାହ ଆଗରୁ ଯୋଜନା କରୁଥିଲି ।
ପ୍ରତି ସପ୍ତାହରେ ଦୁଇଟା ବିଷୟ ଶେଷ କରୁଥିଲି । ସବୁ ଦିନ ରାତିରେ ଶୋଇବା ପୂର୍ବରୁ ମନେ ପକାଉଥିଲି । ମୋ ପାଠପଢାର ଟାର୍ଗେଟ ପୂରଣ କରିଛି କି ନାହିଁ ।
୩- ଆପଣ ଏହା ପୂର୍ବରୁ ଓଏଏସ୍ରେ ଦ୍ୱିତୀୟ ଟପର ହୋଇଥିଲେ, କିନ୍ତୁ ସେତେବେଳେ ଚାକିରିରେ ଯୋଗ ଦେଇ ନ ଥିଲେ । ଏହାର କାରଣ କ’ଣ ଥିଲା ?
ମୋର ସ୍ୱପ୍ନ ହିଁ ଆଇଏଏଏସ୍ ଥିଲା । ମୁଁ ସେଥିପାଇଁ ଓଏଏସ୍ ଚାକିରିରେ ଯୋଗ ଦେଇନଥିଲି।
୪- ଆଇଏଏସ୍ ପାଇ ସାରିଛନ୍ତି, ଆପଣ କେଉଁ ବିଭାଗକୁ ବେଶୀ ଗୁରୁତ୍ୱ ଦେବେ ?
ଜଣେ ଆଇଏଏସ୍ ଭାବେ ଦୁନିଆକୁ ପରିବର୍ତ୍ତନ କରିବାକୁ ଇଛା ନାହିଁ । କିନ୍ତୁ ଯେଉଁ ଜିଲ୍ଲାରେ ପୋଷ୍ଟିଂ ହେବି ତା’ର ସର୍ବଜ୍ଞାନ ଉନ୍ନତି କରିବାକୁ ଚେଷ୍ଟା କରିବି ।
ତା’ ସହିତ ସ୍ୱାସ୍ଥ୍ୟ, ଶିକ୍ଷା ଓ ମହିଳା ସଶକ୍ତିକରଣ ଦିଗରେ କାମ କରିବାକୁ ମୋର ଇଚ୍ଛା ରହିଛି ।
ଲୋକାଲ ୱାୟାର