କେନ୍ଦ୍ରାପଡ଼ା, ସେପ୍ଟେମ୍ବର ୮ (ଲୋକାଲ ୱାୟାର): ପ୍ରାଚୀନ କଳା ଭାବେ ବିବେଚିତ ତାଳ ପତ୍ର ଶିଳ୍ପ ବିଗତ ତିନି ଦଶନ୍ଧି ମଧ୍ୟରେ କେନ୍ଦ୍ରାପଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଛି ।
ତିନି ଦଶନ୍ଧି ତଳେ ମହାକାଳପଡ଼ା, ରାଜନଗର, ରାଜକନିକା, ଆଳି ଓ ଗରଦପୁର ବ୍ଲକର ୩ ହଜାରରୁ ଅଧିକ ଶିଳ୍ପୀ ତାଳ ପତ୍ରରୁ ଟୋକେଇ, ପାତ୍ର, ହାତପଙ୍ଖା ଓ ଚଟେଇ ବୁଣୁଥିଲେ ।
ଏବେ ମାତ୍ର ୧୫୦୦ ପରିବାର ତାଳ ପତ୍ର ସାମଗ୍ରୀ ତିଆରି କରି ନିଜ ଜୀବିକା ମେଣ୍ଟାଉଛନ୍ତି ବୋଲି ଭରତପୁର ଗାଁର ଶିଳ୍ପୀ ମନ୍ଦାକିନୀ ବେହେରା କହିଛନ୍ତି ।
ପୂର୍ବରୁ ଭରତପୁର ଗ୍ରାମ ପଞ୍ଚାୟତର ପ୍ରାୟ ୫୦ ପରିବାର ତାଳ ପତ୍ର ସାମଗ୍ରୀ ପ୍ରସ୍ତୁତ କରୁଥିଲେ । ହେଲେ ଏବେ ମାତ୍ର ୨୦ଟି ପରିବାର ତାଳପତ୍ର ବୁଣୁଛନ୍ତି ବୋଲି ୫୫ ବର୍ଷୀୟା ବେହେରା କହିଛନ୍ତି ।
ତାଙ୍କ ଦୁଇ ପୁଅ ଏ ଶିଳ୍ପକଳା ଗ୍ରହଣ କରିବେ ନାହିଁ ବୋଲି ସେ ଜୋର ଦେଇ କହିଥିଲେ । ଯାହା ଏହି ପାରମ୍ପରିକ ଶିଳ୍ପ ପ୍ରତି ଲୋକଙ୍କ ମଧ୍ୟରେ ଥିବା ଅନାଗ୍ରହକୁ ଦର୍ଶାଉଥିଲା ।
ମୁଁ ମୋ ବାପାଙ୍କ ଠାରୁ ତାଳ ପତ୍ରରେ ଟୋକେଇ ବୁଣିବା କଳା ଶିଖିଥିଲି ।
ବଡ଼ ଟୋକେଇର ଦାମ ୫୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ଓ ଜଣେ ଲୋକ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଟୋକେଇ ବୁଣିପାରିବ ।
ଏକ ଦଶନ୍ଧି ପୂର୍ବେ ତାଳ ପତ୍ର ଶିଳ୍ପୀମାନେ ପାରମ୍ପରିକ ଟୋକେଇ ଓ ଅନ୍ୟ ସାମଗ୍ରୀ ବୁଣି ମାସକୁ ଦୁଇରୁ ତିନି ହଜାର ଟଙ୍କା ରୋଜଗାର କରୁଥିଲେ ।
ତେବେ ପ୍ଲାଷ୍ଟିକର ଅନୁପ୍ରବେଶ, ଦସ୍ତା ବାସ୍କେଟ ଓ ଅନ୍ୟାନ୍ୟ ସାମଗ୍ରୀ ବଜାରକୁ ଆସିବା ପରେ ଅଧିକାଂଶ ତାଳ ପତ୍ର ଶିଳ୍ପୀ ଭିନ୍ନ ରୋଜଗାର ପନ୍ଥା ଖୋଜିବାକୁ ବାଧ୍ୟ ହୋଇଥିଲେ ।
ଆଉ କିଛି ଲୋକ ଅନ୍ୟ ପେସା ଗ୍ରହଣ କରିଥିଲେ ବୋଲି ଓଳାଭର ଗାଁର ବାସିନ୍ଦା ଅଶୋକ ମଲ୍ଲିକ କହିଛନ୍ତି ।
ବଗଡ଼ା ଗାଁର ତାଳ ପତ୍ର କାରିଗର ଗିରିଧାରୀ ମଲ୍ଲିକଙ୍କ ଅନୁଯାୟୀ ଏହି କାମରେ ପରିଶ୍ରମ ଅନୁଯାୟୀ ରୋଜଗାର ହେଉ ନଥିବାରୁ ସମ୍ପ୍ରଦାୟର ଅନେକ ଯୁବକ ପେସା ଛାଡ଼ି ଦେଉଛନ୍ତି ।
ଏହି କଳା ବଞ୍ଚି ରହିବା ଜରୁରି ବୋଲି ଭାବୁଥିବାରୁ ସମ୍ପ୍ରଦାୟର ବରିଷ୍ଠ ବ୍ୟକ୍ତିମାନେ ଏହି ପେସାକୁ ବଞ୍ଚାଇ ରଖିଛନ୍ତି ।
ଅତି ଦରକାର ପଡ଼ିଲେ କେହି କେହି ଯୁବକ କିଛି ଦିନ ପାଇଁ ଏହି ପେସାକୁ ଆଦରି ନେଉଛନ୍ତି ବୋଲି ମଲ୍ଲିକ କହିଛନ୍ତି ।
ପୂର୍ବରୁ ଶୁଖିଲା ତାଳ ପତ୍ରରେ ପାଣ୍ଡୁଲିପି ପ୍ରସ୍ତୁତ କରା ଯାଉଥିଲା । ତାଳ ପତ୍ରକୁ ଲିଖନ ସାମଗ୍ରୀ ଭାବେ ମଧ୍ୟ ବ୍ୟବହାର କରା ଯାଉଥିଲା ।
ଆଜିକାଲି ଗ୍ରାମାଞ୍ଚଳରେ କିଛି ଜ୍ୟୋତିଷ ଜାତକ ତିଆରି ପାଇଁ ତାଳପତ୍ର ବ୍ୟବହାର କରୁଛନ୍ତି ।
ହେଲେ ତାଳ ପତ୍ରର ଘୋର ଅଭାବ ପରିଲକ୍ଷିତ ହେଉଛି କାରଣ ଅଧିକାଂଶ ଗାଁରେ ଆଉ ତାଳ ଗଛ ନାହିଁ ।
ବାତ୍ୟାରେ ଅନେକ ଗଛ ଉପୁଡ଼ି ପଡ଼ିଛି ବୋଲି କେନ୍ଦ୍ରାପଡ଼ାର ଗବେଷକ ଡଃ ବାସୁଦେବ ଦାସ କହିଛନ୍ତି ।
ପର୍ଯ୍ୟାପ୍ତ ତାଳ ପତ୍ର ଅଭାବ ଯୋଗୁ କାରିଗରମାନେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଥିବା ବେଳେ ଉପଯୁକ୍ତ ବିପଣନ ସୁବିଧା, ସରକାରୀ ସହାୟତା ଓ ବ୍ୟାଙ୍କ ଋଣ ଅଭାବ ଯୋଗୁ ଏକଦା ପ୍ରସିଦ୍ଧ ତାଳ ପତ୍ର ଶିଳ୍ପ ଲୋପ ପାଇବାକୁ ବସିଥିବା ଦାସ କହିଛନ୍ତି ।
କୌଣସି ପୃଷ୍ଠପୋଷକତା ମିଳୁ ନଥିବାରୁ ତାଳ ପତ୍ର କାରିଗରମାନେ ଏହି ପ୍ରାଚୀନ ଶିଳ୍ପର ବିଲୁପ୍ତି ରୋକିବା ଅସମ୍ଭବ ବୋଲି ଧରି ନେଲେଣି ।
ସରକାର ଉପଯୁକ୍ତ ସହାୟତା ପ୍ରଦାନ କରିବାକୁ ଆଗେଇ ନଆସିଲେ କାରିଗରମାନେଏହି ଶିଳ୍ପକୁ ବିସ୍ମୃତ ହେବାରୁ ବଞ୍ଚାଇ ପାରିବେ ନାହିଁ, ଆଳିର ଭାସ୍କର ବେହେରା କହିଛନ୍ତି ।
ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ ସତ୍ୟଭାମା ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଆମେ ଖୁବ ଶୀଘ୍ର ଜିଲ୍ଲାରେ ତାଳ ପତ୍ର ଶିଳ୍ପୀଙ୍କୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିବୁ ଓ ସେମାନଙ୍କୁ ଉପଯୁକ୍ତ ତାଲିମ ତଥା ଆର୍ଥିକ ସହାୟତା ପ୍ରଦାନ କରିବୁ ।
ଲୋକାଲ ୱାୟାର